ପଞ୍ଚତନ୍ତ୍ର ଗଳ୍ପମାଳା

 

 

 

 

 

 

 

 

 

 

 

ପଞ୍ଚତନ୍ତ୍ର ଗଳ୍ପମାଳା

ସରୋଜ କୁମାର ସାହୁ

 

ବହି ବିଷୟରେ ପଦେ

 

ବିଷ୍ଣୁଶର୍ମାଙ୍କ ରଚିତ “ପଞ୍ଚତନ୍ତ୍ର’ ବିଶ୍ୱସାହିତ୍ୟରେ ଏକ ଅବିସ୍ମରଣୀୟ ଗ୍ରନ୍ଥ । ପ୍ରଥମେ ଏହା ସଂସ୍କୃତଭାଷାରେ ରଚିତ ହୋଇଥିଲା । ପଞ୍ଚତନ୍ତ୍ରର ସମସ୍ତ ଗଳ୍ପ ନୀତିଶିକ୍ଷାମୂଳକ । ବହୁକାଳରୁ ରଚିତ ଏହି ଗ୍ରନ୍ଥ ଖାଲି ସଂସ୍କୃତଭାଷାର ନୁହଁ, ସମସ୍ତ ଭାରତୀୟ ଭାଷାର ଗୌରବ ।

କଥିତ ଅଛି, ଜଣେ ରାଜାଙ୍କର ତିନୋଟିଯାକ ପୁତ୍ର ମୂର୍ଖ ଥିଲେ । ସେଥିପାଇଁ ରାଜା ବଡ଼ ଚିନ୍ତିତ ଥିଲେ । ପରିଶେଷରେ ମନ୍ତ୍ରୀଙ୍କ ପରାମର୍ଶକ୍ରମେ ବିଷ୍ଣୁଶର୍ମା ନାମକ ଜଣେ ବିଦ୍ୱାନ୍‍ଙ୍କୁ ଡାକି ପୁତ୍ରମାନଙ୍କୁ ଶିକ୍ଷାଦେବାର ବ୍ୟବସ୍ଥା କଲେ । ପଣ୍ଡିତ ବିଷ୍ଣୁଶର୍ମା ଅନୁଭବ କଲେ ଯେ ରାଜକୁମାରମାନଙ୍କୁ ଚିରାଚରିତ ନୀତିରେ ଶିକ୍ଷା ଦେଲେ କିଛି ଫଳ ହେବ ନାହିଁ । ତେଣୁ ସେ କେତେକ ନୀତିଶିକ୍ଷାମୂଳକ ଗଳ୍ପର ବର୍ଣ୍ଣନା କରି ସେମାନଙ୍କୁ ଶିକ୍ଷିତ କରିପାରିଥିଲେ ।

ବିଷ୍ଣୁଶର୍ମାଙ୍କ ମତରେ ପାଞ୍ଚଟି ମୂଳନୀତିକୁ ଭଲ ଭାବରେ ବୁଝିଲେ ବାସ୍ତବ କ୍ଷେତ୍ରରେ ଜୀବନଯାପନ କରିବା ସହଜ ହେବ । ସେହି ପାଞ୍ଚଟି ନୀତିକୁ ସେ “୧-ମିତ୍ର ଭେଦ, ୨-ମିତ୍ର ପ୍ରାପ୍ତି, ୩-କାକୋଳୂ କୀୟ, ୪-ଲବ୍ଧପ୍ରଣାଶ, ୫-ଅପରୀକ୍ଷିତ କାରକ” ନାମରେ ପାଞ୍ଚଟି ତନ୍ତ୍ର ଉପରେ ବର୍ଣ୍ଣନା କରିଛନ୍ତି । ଏହାର ଗୋଟିଏ ଗଳ୍ପ ମଧ୍ୟରେ ବହୁ ଗଳ୍ପ ରହିଛି । ଏହି ଗଳ୍ପଗୁଡ଼ିକର ଅଧିକାଂଶ ଚରିତ୍ର ପଶୁପକ୍ଷୀ । ତାଙ୍କ ଜରିଆରେ ବିଷ୍ଣୁଶର୍ମା ବହୁ ସୁନ୍ଦର ମନଛୁଆଁ କାହାଣୀ କହିଛନ୍ତି ଯାହା ପଢ଼ିଲେ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ନିଶ୍ଚୟ ଖୁସି ହେବେ ।

ପ୍ରକାଶକ

Image

 

ସୂଚୀପତ୍ର

 

୧.

ପଞ୍ଚତନ୍ତ୍ରର ସୂଚନା ବିଷ୍ଣୁଶର୍ମାଙ୍କ ପ୍ରତିଜ୍ଞା

୨.

ପ୍ରଥମ ତନ୍ତ୍ର : ମିତ୍ରଭେଦ

 

 

ପଶୁରାଜ ପିଙ୍ଗଳକ କଥା, ଅତି ଚାଲାକିରୁ ବେକରେ ଫାଶ, ବୁଦ୍ଧିର ଜୟ, ଲୋଭରୁ ମୃତ୍ୟୁ, ସାବାସ୍ ଠେକୁଆ, ଚଣ୍ଡରବ ଶୃଗାଳ କଥା, କପଟୀ ବନ୍ଧୁ, ସମୁଦ୍ର ହାର ମାନିଲା, କମ୍ଭୁଗ୍ରୀବର ବୋକାମି, ତିନି ମାଛଙ୍କ କାହାଣୀ, ବୃଦ୍ଧିଆ ବେଙ୍ଗ, ଆ’ ବଳଦ ମୋତେ ବିନ୍ଧ୍‌, ଧର୍ମବୁଦ୍ଧି-ପାପବୁଦ୍ଧି କଥା, ଶତୁ ନିମନ୍ତ୍ରଣ, ମୂର୍ଖ ଓ ମାଙ୍କଡ଼ କଥା ।

୩.

ଦ୍ୱିତୀୟ ତନ୍ତ୍ର : ମିତ୍ରପ୍ରାପ୍ତି

 

 

ଲଘୁପତନକ କଥା, ଲୋଭରୁ ପାପ ପାପରୁ ମୃତ୍ୟୁ, ସୋମିଳକର କାହାଣୀ

୪.

ତୃତୀୟ ତନ୍ତ୍ର : କାକୋଲୂକୀୟ

 

 

ମହାରାଜ ମେଘବର୍ଣ୍ଣ କଥା, ପେଚକ ରାଜା, ବୋକା ହାତୀ, ବିଚାରକ ବିରାଡ଼ି, ତିନି ଠକଙ୍କ କାହାଣୀ, ସାପର ପୂଜା, ଅପୂର୍ବ ଆତିଥେୟତା, ଚୋର ଓ ରାକ୍ଷସ, ସ୍ଵଭାବ ମଲେ ତୁଟେ, ଛୋଟ ଛୋଟ ବେଙ୍ଗ ଖାଅ ।

୫.

ଚତୁର୍ଥ ତନ୍ତ୍ର : ଲବ୍ଧପ୍ରଣାଶ

 

 

ବୋକୀ କୁମ୍ଭୀର, ଗଙ୍ଗଦତ୍ତ କଥା, ଗଧ ବାହାଘର, ସତ୍ୟବାଦୀ ଯୁଧିଷ୍ଠିର, ବିଲୁଆଛୁଆର ବଡ଼ାଇ, ସିଂହ ନା ଗଧ, ଚତୁର ବିଲୁଆ ।

୬.

ପଞ୍ଚମ ତନ୍ତ୍ର : ଅପରୀକ୍ଷିତ କାରକ

 

 

ମଣିଭଦ୍ର କଥା, ବିଶ୍ୱାସୀ ନେଉଳ, ଅତିଲୋଭ ଖରାପ, ବିଦ୍ୟା ଓ ବୁଦ୍ଧି, ମୂର୍ଖ ପଣ୍ଡିତ, ସହସ୍ରବୁଦ୍ଧିର ବିପଦ, ଗଧର ସଙ୍ଗୀତ ଗାନ, ସ୍ତ୍ରୀ-ବୃଦ୍ଧି, ଭାରଣ୍ଡ ପକ୍ଷୀ, କଙ୍କଡ଼ା ଜୀବନ ରଖିଲା ।

Image

 

ପଞ୍ଚତନ୍ତ୍ର ଗଳ୍ପମାଳା

ପଞ୍ଚତନ୍ତ୍ରର ସୂଚନା

ବିଷ୍ଣୁଶର୍ମାଙ୍କ ପ୍ରତିଜ୍ଞା

 

Image

 

ଅନେକ ଅନେକ ଦିନ ଆଗର କଥା । ମହିଳାରୋପ୍ୟ ନାମରେ ଗୋଟିଏ ରାଜ୍ୟ ଥିଲା-। ରାଜ୍ୟ ଯେପରି ବିରାଟ, ରାଜା ସେପରି ମହାନ । ରାଜାଙ୍କ ନାମ ଅମରଶକ୍ତି । ରାଜା ଅମରଶକ୍ତି କେବଳ ଯେ ଜଣେ ବଡ଼ ରାଜା ଥିଲେ ତା ନୁହେଁ, ସେ ଥିଲେ ବଡ଼ ଗୁଣୀ । ସେ ଥିଲେ ଏକାଧାରରେ ବିଦ୍ୱାନ୍‍, ବୁଦ୍ଧିମାନ୍, ଜ୍ଞାନୀ ଓ ସକଳଶାସ୍ତ୍ରରେ ପ୍ରବୀଣ । ସେ ଥିଲେ ବୀର ଓ ଯୋଦ୍ଧା-। ନିଜ ବାହୁବଳରେ ସେ ବହୁ ଦେଶ ଜୟକରି ନିଜ ରାଜ୍ୟର ସୀମା ଓ ସଂପଦ ବଢ଼ାଇଥିଲେ।

 

ଏତେ ବଡ଼ ରାଜା, କିନ୍ତୁ ତାଙ୍କ ମନରେ କେବେହେଲେ ସୁଖ ନ ଥାଏ ।

 

ଦିନକର କଥା । ରାଜସଭା ଚାଲିଥାଏ । ରାଜା ଅମରଶକ୍ତି ରାଜସଭାରେ ଉପସ୍ଥିତ ଥାଆନ୍ତି । ରାଜକାର୍ଯ୍ୟରେ ସାହାଯ୍ୟ କରିବାପାଇଁ ତାଙ୍କର ବିଚକ୍ଷଣ ମନ୍ତ୍ରିବୃନ୍ଦ ଓ ଅଭିଜ୍ଞ ଅମାତ୍ୟମାନେ ଉପସ୍ଥିତ ରହିଥାନ୍ତି । ପ୍ରହରୀ-ବେଷ୍ଟିତ ବନ୍ଦୀମାନେ ରାଜାଙ୍କର ଜୟଧ୍ୱନି କରୁଥାନ୍ତି । ବିଚାରପ୍ରାର୍ଥୀ ପ୍ରଜାମାନେ ରାଜା ଅମରଶକ୍ତିଙ୍କ ନ୍ୟାୟବିଚାରରେ ସନ୍ତୁଷ୍ଟ ହୋଇ ଭୂୟସୀ ପ୍ରଶଂସା କରୁଥାନ୍ତି । କିନ୍ତୁ ସମସ୍ତଙ୍କ ଅଲକ୍ଷ୍ୟରେ ବୃଦ୍ଧମନ୍ତ୍ରୀ ସୁମତି ରାଜାଙ୍କର ଅନ୍ୟମନସ୍କତାକୁ ନିବିଷ୍ଟଚିତ୍ତରେ ଅନୁଧ୍ୟାନ କରୁଥାନ୍ତି । କେଉଁ ବିଶେଷ କାରଣ ପାଇଁ ରାଜା ଏପରି ଚିନ୍ତିତ ଓ ବିଷଣ୍ଣ-? ଅଗତ୍ୟା ରାଜାଙ୍କୁ ଚିନ୍ତିତ ଓ ବିଷଣ୍ଣ ଦେଖି ସେ ପଚାରିଲେ, “ମହାରାଜ, ଆପଣଙ୍କର ଶରୀର ଓ ମନ ଅସୁସ୍ଥ ବୋଧହୁଏ ?”

 

ରାଜା କହିଲେ, “ମନ୍ତ୍ରୀ, ଆପଣଙ୍କର ଅନୁମାନ ସତ୍ୟ । ମୋର ଶରୀର ଓ ମନ ଅସୁସ୍ଥ-।”

 

ରାଜାଙ୍କର ଉତ୍ତର ଶୁଣି ବ୍ୟଥିତ ମନ୍ତ୍ରୀ ସୁମତି କହିଲେ, “ମହାରାଜ, ମୁଁ ରାଜବୈଦ୍ୟଙ୍କୁ ଖବର ପଠାଉଛି । ଈଶ୍ଵର ଆପଣଙ୍କୁ ସୁସ୍ଥ କରନ୍ତୁ ।”

 

କ୍ଷୀଣ ହସ ହସି ରଜା କହିଲେ, “ମନ୍ତ୍ରିବର, ଆପଣ ମୋର ପରମ ହିତୈଷୀ । ରାଜବୈଦ୍ୟଙ୍କର ଆବଶ୍ୟକତା ନାହିଁ । ମୋର ଚିକିତ୍ସା ରାଜବୈଦ୍ୟଙ୍କ ଦ୍ୱାରା ସମ୍ଭବ ନୁହେଁ ।

 

ରାଜାଙ୍କ କଥା ଶୁଣି ପାରିଷଦବର୍ଗ ତଟସ୍ଥ ! ସମସ୍ତେ ଉତ୍ସୁକତାର ସହ ଏକସ୍ୱର ରେ ପଚାରିଲେ, “ମହାରାଜ, ଆପଣ ଏପରି କ’ଣ ଅସୁସ୍ଥ ଯେ ରାଜବୈଦ୍ୟ ବି ଆପଣଙ୍କୁ ଆରୋଗ୍ୟ କରିପାରିବେ ନାହିଁ ?”

 

ରାଜା ଦୀର୍ଘନିଃଶ୍ୱାସ ଛାଡ଼ି କହିଲେ, ନିତାନ୍ତ ମୂର୍ଖ ଓ ନୀତିଜ୍ଞାନହୀନ ମୋର ତିନି ପୁତ୍ର ବହୁଶକ୍ତି, ଉଗ୍ରଶକ୍ତି ଓ ଅନନ୍ତଶକ୍ତି ହିଁ ମୋର ଅସୁସ୍ଥତାର କାରଣ । ଏଇ ତିନି ମୁର୍ଖପୁତ୍ରଙ୍କ କଥା ଯେତେବେଳେ ମୋର ମନେପଡ଼ିଯାଏ, ସେତେବେଳେ ରାଜକାର୍ଯ୍ୟ, ପ୍ରଜାପାଳନ ଓ ଏହି ବିଶାଳ ରାଜ୍ୟ ମଧ୍ୟ ମୋତେ ଆନନ୍ଦ ଦେଇପାରେ ନାହିଁ । ବରଂ ଅପୁତ୍ରକ ହେବାହିଁ ଉତ୍ତମ ।”

 

ମନ୍ତ୍ରିଗଣ କହିଲେ, “ମହାରାଜ, ଏପରି କଥା କହନ୍ତୁ ନାହିଁ ।”

 

ରାଜା କହିଲେ, ‘‘ପଣ୍ଡିତମାନେ କହିଛନ୍ତି–ଅପୁତ୍ରକ ହେବା ଭଲ, ପୁତ୍ର ଜନ୍ମି ମରିଯିବା ବି ଭଲ, କିନ୍ତୁ ମୂର୍ଖପୁତ୍ର କୌଣସି ଦୃଷ୍ଟିରୁ ଭଲ ନୁହେଁ । କାରଣ, ମୂର୍ଖପୁତ୍ର । ଆଜୀବନ ଦୁଃଖ ଦେଇଥାଏ ।

 

ସଙ୍ଗେ ସଙ୍ଗେ ବୃଦ୍ଧମନ୍ତ୍ରୀ ସୁମତି କହିଲେ, “ମହାରାଜ ଯଥାର୍ଥ କହିଛନ୍ତି । । ମୂର୍ଖପୁତ୍ର ଥିବା ଅପେକ୍ଷା ଅପୁତ୍ରକ ହେବାହିଁ ଉତ୍ତମ । କିନ୍ତୁ କୁମାର ମାନଙ୍କୁ ଶିକ୍ଷା ଦେବାପାଇଁ ବ୍ୟବସ୍ଥା କରିବାକୁ ହେବ ।’’

 

ରାଜା ବିରକ୍ତ ହୋଇ କହିଲେ, “ମନ୍ତ୍ରୀବର, ଆମର ବେତନଭୋଗୀ ପାଞ୍ଚଶହ କର୍ମଚାରୀ ଅଛନ୍ତି । ସେମାନେ କୁମାରମାନଙ୍କୁ ବିଦ୍ୟାଶିକ୍ଷା ଦେବାକୁ ଆପ୍ରାଣ ଚେଷ୍ଟାକରିବେ । ଏବେ ସେମାନେ ବିଦ୍ୱାନ୍‍ ହେବେ କିପରି ? କିଏ ବା ସେମାନଙ୍କୁ ବିଦ୍ୟା ଦେଇପାରିବ ?

 

ମନ୍ତ୍ରିମହୋଦୟ ଗମ୍ଭୀରଭାବେ କହିଲେ, “ମହାରାଜ, ମନୁଷ୍ୟର ପରମାୟୁ ସୀମିତ । ସୀମାହୀନ ଶିକ୍ଷଣୀୟ ବିଷୟଗୁଡ଼ିକୁ ସମସ୍ତଙ୍କ ପକ୍ଷେ ଆୟତ୍ତ କରିବା ମଧ୍ୟ ସମ୍ଭବ ନୁହେଁ । ତେଣୁ ସମସ୍ତ ନୀତିଶାସ୍ତ୍ରଗୁଡ଼ିକୁ ସଂକ୍ଷେପରେ କୁମାରମାନଙ୍କୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଉ ।

 

ରାଜସଭାରେ ଉପସ୍ଥିତ ସମସ୍ତ ପାରିଷଦବୃନ୍ଦ ବୃଦ୍ଧମନ୍ତ୍ରୀ ସୁମତିଙ୍କର ଯୁକ୍ତିଯୁକ୍ତ ପ୍ରସ୍ତାବ ପ୍ରତି ସମର୍ଥନ ଜଣାଇଲେ।

 

ତତ୍‍କ୍ଷଣାତ୍ ବୃଦ୍ଧମନ୍ତ୍ରୀ କହିଲେ, “ମହାରାଜ, ମୁଁ ଶୁଣିଛି, ବିଷ୍ଣୁଶର୍ମା ନାମରେ ଜଣେ ବଡ଼ ପଣ୍ଡିତ ଅଛନ୍ତି । ସମଗ୍ର ଭାରତଖଣ୍ଡରେ ଶିକ୍ଷକ ହିସାବରେ ତାଙ୍କର ନାମ ବିଖ୍ୟାତ ! ଶିଷ୍ୟମହଇରେ ସେ ଖୁବ୍ ସୁଖ୍ୟାତି ଅର୍ଜନ କରିଛନ୍ତି । ରାଜକୁମାରମାନଙ୍କର ଶିକ୍ଷା ଦାୟିତ୍ୱ ତାଙ୍କରି ହାତରେ ଅର୍ପଣ କରାଯାଉ ଏବଂ ତାଙ୍କୁ ଡକାଇ ଆଣିବାକୁ ଦୂତ ପଠାଯାଉ ।

 

କିଛିଦିନ ପରର କଥା ।

 

ରାଜ୍ୟସଭାରେ ପାରିଷଦ-ପରିବେଷ୍ଟିତ ରାଜା ଅମରଶକ୍ତି ଉପସ୍ଥିତ ଥାନ୍ତି । ଶାନ୍ତ ସୌମ୍ୟ ଲୋଳିତଚର୍ମ ଅଶୀ ବର୍ଷର ଜଣେ ବୃଦ୍ଧବ୍ରାହ୍ମଣ ରାଜସଭାରେ ଉପସ୍ଥିତ ହୋଇ ରାଜା ଅମରଶକ୍ତିଙ୍କୁ ଆଶୀର୍ବାଦ କଲେ । ଆଗନ୍ତୁକ ବ୍ରାହ୍ମଣଙ୍କର ପରିଚୟ ପାଇ ରାଜା ଅମରଶକ୍ତି କହିଲେ, “ମନୀଷୀ ବିଷ୍ଣୁଶର୍ମା, ଅନୁଗ୍ରହ କରି ଆସନ ଗ୍ରହଣ କରନ୍ତୁ ।" ।

 

ପଣ୍ଡିତ ବିଷ୍ଣୁଶର୍ମା ଆସନ ଗ୍ରହଣ କଲାପରେ ରାଜା ଅମରଶକ୍ତି କହିଲେ, "ମହାଭାଗ, ଆପଣଙ୍କ ର ଜ୍ଞାନ ଓ ପାଣ୍ଡିତ୍ୟର ଖ୍ୟାତି ସୁଦୂରପ୍ରସାରୀ । ଭାରତବର୍ଷରେ ଆପଣଙ୍କୁ କିଏ ନ ଜାଣେ ! ଆପଣଙ୍କୁ ମୁଁ ଗୋଟିଏ ଅନୁରୋଧ କରିବି । ଆପଣ ଅନୁଗ୍ରହ କରି ମୋର ତିନି ମୂର୍ଖ ପୁତ୍ରଙ୍କୁ ବିଦ୍ୱାନ୍‍ କରିବାର ଭାର ଗ୍ରହଣ କଲେ ମୁଁ କୃତଜ୍ଞ ରହିବି । ବିନିମୟରେ ମୁଁ ଆପଣଙ୍କୁ ଏକଶହ ଗ୍ରାମ ଦାନ କରିବି ।” ।

 

ରାଜା ଅମରଶକ୍ତିଙ୍କ କଥା ଶୁଣି ପଣ୍ଡିତ ବିଷ୍ଣୁଶର୍ମା ଶାନ୍ତଭାବରେ କହିଲେ, “ମହାରାଜ, ମୁଁ ବିଦ୍ୟା ବିକ୍ରି କରେ ନାହିଁ । ମୋର ବୟସକଥା ଆପଣ ଚିନ୍ତା କରନ୍ତୁ । ମୋର ସମସ୍ତ ଇନ୍ଦ୍ରିୟ ଏବେ ଭୋଗ-ବିଳାସରୁ ନିଃସ୍ପୃହ । ଏଇ ବୟସରେ ମୁଁ ଗ୍ରାମ-ଦାନ ନେଇ କ’ଣ କରିବି ? ତେବେ, ଆପଣଙ୍କ ଅନୁରୋଧ ରକ୍ଷା କରି ମୁଁ ଆପଣଙ୍କର ତିନି ମୂର୍ଖପୁତ୍ରଙ୍କୁ ବିଦ୍ୱାନ୍‍ କରିବା ଦାୟିତ୍ୱ ଗ୍ରହଣ କଲି ।”

 

ପଣ୍ଡିତ ଦିଷ୍ଣୁଶର୍ମାକ କଥା ଶୁଣି ରାଜା ଆନନ୍ଦିତ ହୋଇ କହିଲେ, “ଆପଣ ମହାନ୍ ।

 

ବିଷ୍ଣୁଶର୍ମା କହିଲେ, “ମହାରାଜ, ମୁଁ ପ୍ରତିଜ୍ଞା କରୁଛି, ଯଦି ଛଅମାସ ମଧ୍ୟରେ ଆପଣଙ୍କର ତିନି ମୂର୍ଖପୁତ୍ରଙ୍କୁ ବିଦ୍ୱାନ୍‍ ନ କରି ପାରିବି, ତେବେ ମୋର ନରକପ୍ରାପ୍ତି ହେବ ।”

 

ବିଷ୍ଣୁଶର୍ମାଙ୍କ ପ୍ରତିଜ୍ଞା ଶୁଣି ସଭାସଦ୍‌ବୃନ୍ଦ ଆନନ୍ଦିତ ହୋଇ ତାଙ୍କର ଭୂୟସୀ ପ୍ରଶଂସା କଲେ ।

 

ତା ପରେ ପଣ୍ଡିତ ବିଷ୍ଣୁଶର୍ମା ‘ମିତ୍ରଭେଦ’, ‘ମିତ୍ରପ୍ରାପ୍ତ’, “କାକୋଲୂକୀୟ’, ‘ଲବ୍ଧପ୍ରଣାଶ” ଓ “ଅପରୀକ୍ଷିତକାରକ’–ଏହିପରି ପାଞ୍ଚଟି ତନ୍ତ୍ର ରଚନା କରି ଛଅମାସ ମଧ୍ୟରେ ତିନି ମୂର୍ଖ ରାଜପୁତ୍ରଙ୍କୁ ବିଦ୍ୱାନ୍‍ କରାଇଲେ ।

 

ବିଷ୍ଣୁଶର୍ମାଙ୍କର କଠିନ ପ୍ରତିଜ୍ଞା ସଫଳ ହେଲା ।

Image

 

ପ୍ରଥମ ତନ୍ତ୍ର : ମିତ୍ରଭେଦ

ପଶୁରାଜ ପିଙ୍ଗଳକ କଥା

Image

 

ବର୍ଦ୍ଧମାନଙ୍କ ନାମରେ ଜଣେ ବଣିକ ଥିଲେ । ସେ ବ୍ୟବସାୟ ବାଣିଜ୍ୟପାଇଁ ଦେଶ ବିଦେଶ ଘୂରି ବୁଲୁଥିଲେ । ଶଗଡ଼ ଟାଣିବାପାଇଁ ତାଙ୍କର ଦୁଇଟି ହୃଷ୍ଟପୁଷ୍ଟ । ବଳଦ ଥିଲେ । ବଳଦ ଦୁଇଟିକୁ ବର୍ଦ୍ଧମାନକ ଖୁବ୍ ଭଲ ପାଉଥିଲେ ଏବଂ ବଳଦ ଦୁଇଟିର ଖୁବ୍ ଯତ୍ନ ନେଉଥିଲେ ।

 

ଥରେ ବଣିକ ବର୍ଦ୍ଧମାନଙ୍କୁ ବିଭିନ୍ନ ପଣ୍ୟଦ୍ରବ୍ୟ ଶଗଡ଼ରେ ଲଦି ମହିଳାରୋପ୍ୟରୁ ମଥୁରା ଯାଇଥିଲେ । ଦିନ ପରେ ଦିନ ସେ ଚାଲିଥାନ୍ତି । କିନ୍ତୁ ରାସ୍ତା ସରୁ ନଥାଏ । ଦିନେ ଯମୁନାନଦୀର ଧାରରେ କାଦୁଆ ରାସ୍ତାରେ ଶଗଡ଼ ନେଇ ଯାଉଥିବା ସମୟରେ ଗୋଟିଏ ବଳଦର ଗୋଡ଼ ମକଚି ହୋଇଯିବାରୁ ବଳଦଟି ପଡ଼ିଗଲା । ଯେତେ ଚେଷ୍ଟା କଲେ ବି ବଳଦଟିକୁ ଉଠାଇବା ସମ୍ଭବ ହେଲା ନାହିଁ ।

 

ବର୍ଦ୍ଧମାନକ ତାଙ୍କର ପ୍ରିୟ ବଳଦର ସେବାଯତ୍ନ ପାଇଁ ସେହି ସ୍ଥାନରେ ତିନିଦିନ ତିନିରାତି ଅଟକି ରହିଲେ । ସାଙ୍ଗରେ ଥିବା ଅନୁଚରବର୍ଗ ତାଙ୍କୁ କହିଲେ ଯେ, ସାମାନ୍ୟ ଗୋଟିଏ ବଳଦ ପାଇଁ ଏତେ ସମୟ ନଷ୍ଟ କରିବା ଉଚିତ ନୁହେଁ । ବର୍ଦ୍ଧମାନଙ୍କ ଚିନ୍ତାକଲେ । ସତେତ, ସାମାନ୍ୟ ଗୋଟିଏ ବଳଦପାଇଁ ବ୍ୟବସାୟ-ବାଣିଜ୍ୟରେ କ୍ଷତି କରିବା ଉଚିତ ନୁହେଁ । ତେଣୁ ଆହତ ବଳଦଟିର ଦେଖାଶୁଣା କରିବାପାଇଁ ସେଠାରେ କେତେଜଣ ଲୋକଙ୍କୁ ରଖି ସେ ତାଙ୍କର ଗନ୍ତବ୍ୟ ପଥରେ ଚାଲିଲେ ।

 

ବଣିକ ବର୍ଦ୍ଧମାନଙ୍କ ସେଠାରୁ ଯାଉ ନଯାଉଣୁ ବଳଦର ଯତ୍ନପାଇଁ ନିଯୁକ୍ତ ଲୋକମାନେ ଚିନ୍ତାକଲେ, ଗୋଟିଏ ବଳଦପାଇଁ ଯମୁନାର ଏଇ ନିର୍ଜନ କୂଳରେ ବସିରହିବା ଉଚିତ ନୁହେଁ । ତା ଛଡ଼ା, ଏଇ ନିର୍ଜନ ବଣରେ ହିଂସ୍ରଜନ୍ତୁ ଯେ ନାହାଁନ୍ତି, କିଏ ବା ଜାଣେ ? ତେଣୁ ସେଠାରେ ରହିବା ନିରାପଦ ନୁହେଁ ମନେକରି ସେମାନେ ବଳଦଟିକୁ ଛାଡ଼ି ପଳାଇଗଲେ । ବିଚରା ହତଭାଗ୍ୟ ବଳଦଟି ସେଠାରେ ଏକୁଟିଆ ଅସହାୟ ଓ ଆହତ ଅବସ୍ଥାରେ ନିଜର ଭାଗ୍ୟକୁ ଆଦରି ପଡ଼ିରହିଲା-

 

ପାଞ୍ଚ ସାତ ଦିନ ଏହିପରି କଟିଗଲା । ଯମୁନା କୁଳର ନିର୍ମଳ ବାୟୁ ଓ ପୁଷ୍ଟିକର ଘଞ୍ଚ ଘାସ ଖାଇ ବଳଦଟି ଠିଆ ହେଲା ଏବଂ ଛୋଟେଇ, ଛୋଟେଇ ଚାଲିଲା । କ୍ରମେ ବଳଦଟା ସୁସ୍ଥ ହେଲା । ଆସ୍ତେ ଆସ୍ତେ ତାର ମକଚି ଯାଇଥିବା ଗୋଡ଼ଟି ଭଳ ହୋଇଗଲା । ବିନ୍ଧା ଛିଟିକା ବନ୍ଦ ହୋଇଗଲା । ବଳଦଟି ଖାଇ ପିଇ ବେଶ୍‌ ହୃଷ୍ଟପୁଷ୍ଟ ହୋଇ ଡଉଲ ଡାଉଲ ଦେଖାଗଲା। ।

 

ବଳଦଟି ନିଜ ଦେଶକୁ ଫେରିବାର ରାସ୍ତା ଜାଣି ନ ଥିଲା, ଏଣେ ପୁଣି ପ୍ରଚୁର ପୁଷ୍ଟିକର କଞ୍ଚାଘାସର ଲୋଭରେ ସେ ସେହିଠାରେ ରହିଗଲା । ବଳଦଟି ଦିନବେଳା ଯମୁନାର କୂଳେ କୂଳେ ଘାସ ଖାଇ ବୁଲୁଥାଏ । ମଝିରେ ମଝିରେ ଭୀଷଣ ଗର୍ଜନ କରୁଥାଏ । ବଳଦଟିର ଭୀଷଣ ଗର୍ଜନ ଶବ୍ଦ ପ୍ରତିଧ୍ୱନିରେ ବଣ ପାହାଡ଼ କମ୍ପିଉଠୁଥାଏ । ରାତି ହେଲେ ପାହାଡ଼ ତଳ ଗଛମୂଳେ ବଳଦଟି ଶୋଇଯାଉଥାଏ । ଏଇଭାବରେ ବଳଦର ଦିନ କଟିଯାଉଥାଏ ।

 

ସେହି ସମୟରେ ପିଙ୍ଗଳକ ନାମକ ଏକ ଭୟାନକ ସିଂହ ଥିଲା। ସେହି ବଣର ରାଜା । ଦିନେ ରାଜା ପିଙ୍ଗଳକ ତାର ପାତ୍ର, ମନ୍ତ୍ରୀ ଏବଂ ଅନୁଚରବର୍ଗ ଦ୍ଵାରା ପରିବେଷ୍ଟିତ ହୋଇ ଶିକାରପାଇଁ ବାହାରିଲା । ଶିକାରପାଇଁ ଏଣେତେଣେ ବୁଲି ବୁଲି ପିଙ୍ଗଳକକୁ ଭୀଷଣ ଶୋଷ ହେଲା । ଯମୁନାନଦୀର ମଧୁରଜଳ ପାନକରି ତୃଷା ମେଣ୍ଟାଇବାପାଇଁ ନଦୀବନ୍ଧ ତଳକୁ ଆସିଲାମାତ୍ରେ ବଣିକ ବର୍ଦ୍ଧମାନଙ୍କର ପରିତ୍ୟକ୍ତ ବଳଦଟି ଭୀଷଣ ଗର୍ଜନ କରିଉଠିଲା ।

 

ଗର୍ଜନ ଶୁଣି ପଶୁରାଜ ପିଙ୍ଗଳକ ଭୟ ପାଇ ଭାବିଲା, ଏହା କେଉଁ ଭୟଙ୍କର ପ୍ରାଣୀର ଗର୍ଜନ ହୋଇପାରେ । ଏହି ପ୍ରାଣୀ ନିଶ୍ଚୟ ମୋ’ଠାରୁ ବଳବାନ୍ । କିଏ ଜାଣେ, ଯଦି ପାଣି ପିଇବା ସମୟରେ ମୋତେ ଆକ୍ରମଣ କରେ... ଏହିପରି ଭାବି ପାଣି ନ ପିଇ ପଶୁରାଜା ପିଙ୍ଗଳକ ଫେରିଆସିଲା । ରାଜାଙ୍କୁ ଭୟଭୀତ ହୋଇଥିବାର ଦେଖି ତାର ଅନୁଚରବର୍ଗ ମଧ୍ୟ ଭୟଭୀତ ହେଲେ ।

 

ଏଇ ସମୟରେ ଦୁଇ ଶୃଗାଳବନ୍ଧୁ–କରଟକ ଏବଂ ଦମନକ କିଛି ଦୂରରେ ଗଛି ଆଢ଼ୁଆଳରେ ବସି ଏହି ଦୃଶ୍ୟ ଦେଖୁଥିଲେ । ଦୁଇବନ୍ଧୁ ପଶୁରାଜ ସିଂହର ମନ୍ତ୍ରିପୁତ୍ର । କୌଣସି କାରଣରୁ ପଶୁରାଜା ପିଙ୍ଗଳକ ଏହି ଦୁଇବନ୍ଧୁଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ତେଣୁ ସେମାନେ ଅଧିକାରଚ୍ୟୁତ ହୋଇ ମନଦୁଃଖରେ ଥିଲେ ।

‘‘ଦୁଇ ଶୃଗାଳବନ୍ଧୁଙ୍କ ମଧ୍ୟରେ ଦମନକ ଥିଲା ଅଧିକ ଚତୁର । ସେ କହିଲା, ‘ବନ୍ଧୁ କରଟକ, ଏଇ ସୁଯୋଗରେ ଭୀରୁ ରାଜାର ମନ୍ତ୍ରିତ୍ୱ ଆମକୁ ପୁନଃ ପ୍ରାପ୍ତ ହେବ ।’’

କରଟକ–ଏହା କିପରି ସମ୍ଭବ ? ପଶୁରାଜ ସିଂହ ତ ଆମକୁ ଦୁଇଆଖିରେ ଦେଖିପାରେ ନାହିଁ ।

ଦମନକ–ଏବେ ସୁଯୋଗ ମିଳିଗଲା । ତାଳ ଭୟଭୀତ । ମନ୍ତ୍ରୀମାନେ ତତୋଽଧିକ । ଏବେ ଯଦି ମୁଁ ରାଜାଙ୍କର ଭୟର କାରଣ ଦୂର କରି ପାରିବି, ତେବେ ମନ୍ତ୍ରିତ୍ୱ ମୋର ହାତମୁଠାରେ-।"

କରଟକ–ଦେଖ ବନ୍ଧୁ, ଅବ୍ୟାପାରେ ବ୍ୟାପାର କର ନାହିଁ ! ସେଥିରେ ବିପଦ । ବେଶି ଚାଲାକ ହୋଇ ସେହି ଚପଳ ମାଙ୍କଡ଼ର ଅବସ୍ଥା ନ ହେଲେ ହେଲା ।

‘‘ଦମନକ ପଚାରିଲା, ତାହା ପୁଣି କ’ଣ ?”

‘‘ଅତି ଚାଲାକିରୁ ବେକରେ ଫାଶ’’ ଗଛଟି କରଟକ ଦମନକକୁ ଶୁଣାଇଲା ।

Image

 

ଅତି ଚାଲାକିରୁ ବେକରେ ଫାଶ

 

Image

ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କର ଏକ ପ୍ରକାଣ୍ଡ ବଗିତା ଥିଲା । ନାନା ପ୍ରକାରର ବଡ଼ ବଡ଼ ଗଛ ସେହି ବଗିଚାର ଶୋଭା ବର୍ଦ୍ଧନ କରୁଥିଲା ।

 

ବଗିଚାର ଗଛଗୁଡ଼ିକୁ କାଟି ସଫାକରି ସେଠାରେ ସୁନ୍ଦର ଏକ ମନ୍ଦିର ତିଆରି କରିବାପାଇଁ ଧନୀ ବ୍ୟକ୍ତିଙ୍କର ଇଚ୍ଛା ହେଲା ଗଛଗୁଡ଼ିକୁ କାଟି ସଫା କରିବା ନିମନ୍ତେ ସେ ତାଙ୍କର ଲୋକମାନଙ୍କୁ ଆଦେଶ ଦେଲେ ।

 

ଧନୀ ବ୍ୟକ୍ତିଙ୍କ ଇଛାର ପରିପୂରଣ ପାଇଁ ବହୁଲୋକ କାର୍ଯ୍ୟରେ ଲାଗିଥାନ୍ତି । କେହି କାଠ ଚିରୁଥାଏ, କେହି ମନ୍ଦିରପାଇଁ ମୂଳଦୁଆ ଖୋଳୁଥାଏ । କେହି ବା ଇଟା ଯୋଡ଼େଇ କାର୍ଯ୍ୟରେ ଲାଗିଥାଏ । ଦିନ ପରେ ଦିନ କାର୍ଯ୍ୟ ଚାଲିଥାଏ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକମାନଙ୍କର କୋଳାହଳରେ ସ୍ଥାନଟି ଫାଟିପଡୁଥାଏ । ସନ୍ଧ୍ୟା ହେଲେ ସବୁ ନୀରବ ନିସ୍ତବ୍ଧ । ଲୋକମାନେ କାର୍ଯ୍ୟ ବନ୍ଦକରି ଘରକୁ ଫେରିଲା ପରେ ସ୍ଥାନଟି ଖାଁ ଖାଁ ଲାଗେ ।

 

ଦିନକର କଥା। ଲୋକମାନେ କାର୍ଯ୍ୟବନ୍ଦ ପରେ ସବୁଦିନ ପରି ଯେ ଯାହା ଘକୁ ଚାଲିଗଲେ । ଏଇ ସମୟରେ କେଉଁଠୁ ଦଳେ ମାଙ୍କଡ଼ ଆସି ଏହି ବଗିଚାରେ ଆଡ୍ଡା ଜମାଇଲେ । ମାଙ୍କଡ଼ମାନଙ୍କ ଡିଆଁଡେଇଁ, ହୁଁକାର ଶବ୍ଦ–ସେଦିନ ବଗିଚାର ସବୁଦିନିଆ ସନ୍ଧ୍ୟାର ନିଃସ୍ତବ୍ଧତା ଭଙ୍ଗକଲା ।

 

ମାଙ୍କଡ଼ମାନଙ୍କର ସ୍ୱଭାବ ବଡ଼ ବିଚିତ୍ର । ସେମାନେ ସଦାସର୍ବଦା ଚଞ୍ଚଳ । ସେମାନେ ଯାହା ପାଇବେ ଭାଙ୍ଗିବେ, ଟାଣିବେ, ଉପାଡ଼ିବେ । ଦିନସାରା ମଜୁରିଆମାନେ କରିଥିବା ସମସ୍ତ କାର୍ଯ୍ୟକୁ ମାଙ୍କଡ଼ମାନେ ନଷ୍ଟଭ୍ରଷ୍ଟ କରିଦେଲେ । କୌଣସି ଜିନିଷ ସେମାନଙ୍କ ଦୃଷ୍ଟିରୁ ବାଦ୍ ପଡ଼ିଲା ନାହିଁ କି ସେମାନଙ୍କର ହାତ ନ ବାଜି ରହିଲା ନାହିଁ ।

 

ସେହି ଚପଳମତି ମାଙ୍କଡ଼ଦଳଙ୍କ ଭିତରେ ଗୋଟିଏ ମାଙ୍କଡ଼ ଥିଲା ଅଧିକ ଚଞ୍ଚଳ । ସେ ଭାବୁଥିଲା ନିଜକୁ ଅଧିକ ଚାଲାକ । ସେ ଥିଲା ପ୍ରଚଣ୍ଡ ଅହଂକାରୀ । ହଠାତ୍ ସେହି ମାଙ୍କଡ଼ଟି ଦେଖିଲା, ଗୋଟିଏ ବଡ଼ କାଠଗଡ଼ ଅଧାଚିରା ଅବସ୍ଥାରେ ଅଛି । ସଙ୍ଗେ ସଙ୍ଗେ ତା’ର ମୁଣ୍ଡରେ ନୂଆ ଏକ ବୁଦ୍ଧି ଜୁଟିଲା । ଅହଂଙ୍କାରୀ ମାଙ୍କଡ଼ଟି ଡିଆଁଟିଏ ମାରି ସେହି ଅଧାଚିରା କାଠ ଉପରକୁ ଡେଇଁ ବସିପଡ଼ିଲା । ଅଧାଚିରା କାଠଗଣ୍ଡି ଫାଙ୍କରେ ସେ ତା’ର ଲାଞ୍ଜଟିକକୁ ଗଳାଇଦେଲା । ଠାଣିମାଣିରେ ବସି ସେହି ଚପଳମତି ମାଙ୍କଡ଼ଟି ତା’ର ସାଥୀ ଅନ୍ୟ ମାଙ୍କଡ଼ମାନଙ୍କୁ ଡାକି କହିଲା, ଦେଖ, ଦେଖ, ମୁଁ ରାଜା ହୋଇଛି । ମୋର କେମିତି ସିଂହାସନ ଦେଖ ।"

 

ଅନ୍ୟ ସାଥୀ ମାଙ୍କଡ଼ମାନେ ସେହି ଲୋଭନୀୟ ଆସନଟିକୁ ଦେଖି ଲୋଭାସକ୍ତ ହେଲେ ନିଶ୍ଚୟ । କିନ୍ତୁ ସଦ୍ୟ ସିଂହାସନ ଲାଭକରି ସେହି ଅହଂକାରୀ ମାଙ୍କଡ଼ଟିର ଅନ୍ୟମାନଙ୍କ ଆଡ଼କୁ ଦୃଷ୍ଟିନିକ୍ଷେପ କରିବାକୁ ବା ସମୟ କାହିଁ ? ସିଂହାସନ ରୂପକ ସେହି ଆଧାଡେରା କାଠଗଣ୍ଡିର ଫାଙ୍କରେ କୀଳାଟିଏ ଥିବାର ସେ ଦେଖିଲା । ଦୁଷ୍ଟ ମାଙ୍କଡ଼ଟି ଭାଙ୍ଗିଲା, ରାଜ ସିଂହାସନରେ କୀଳାଟିଏ ରହିବ କାହିଁକି ? କୀଳାଟାକୁ ମୁଁ ଓପାଡ଼ି ଫୋପାଡ଼ିଦେବି ।

 

ଏହିପରି ଭାବି ଦୁଷ୍ଟବୁଦ୍ଧିସମ୍ପର୍ନ ସେହି ଚପଳମତି ପ୍ରଚଣ୍ଡ ଅହଂକାରୀ ମାଙ୍କଡ଼ଟି କୀଳାଟିକୁ ଓପାଡ଼ି ଫୋପାଡ଼ିଦେଲା । କୀଳାଟି ବାହାରିପଡ଼ିବାରୁ ଅଧାଚିରା କାଠର ଫାଙ୍କଟି ଜୋରରେ ଚିପିହୋଇ ବନ୍ଦ ହୋଇଗଲା ଏବଂ ବିଚରା ମାଙ୍କଡ଼ଟିର ଲାଞ୍ଜଟି ଶକ୍ତଭାବ ଫାଙ୍କ ମଝିରେ ଚିପିହୋଇ ଅଟକିଗଲା । ଯନ୍ତ୍ରଣାରେ ସେ ଚିତ୍କକାର କଲା । ସାରା ରାତି ଲାଞ୍ଜଟିକୁ ଟଣାଟଣି କରି କ୍ଷତବିକ୍ଷତ ହୋଇ ଶେଷକୁ ସେହି ଅତି ବୁଦ୍ଧିମାନ୍ ମାଙ୍କଡ଼ଟି ମଳା ।

 

ଗଳ୍ପଟି ଶେଷକରି କରଟକ କହିଲା, “ବନ୍ଧୁ ଦମନକ, ଯେ ଅନଧିକାରି ଚର୍ଚ୍ଚା କରେ ବା ବେଶି ଚାଲାକି କରେ, ତା’ର ଏହିପରି ବିପଦ ହୁଏ ।

 

ଦମନକ କହିଲା, ‘ବନ୍ଧୁ କରଟକ, ବୁଦ୍ଧିଦ୍ୱାରା କାର୍ଯ୍ୟ ହୁଏ, ବାହୁବଳରେ ନୁହେଁ । ପଶୁରାଜ ପିଙ୍ଗଳକ ଏବେ ଭୟଭୀତ । ଏଇ ସୁଯୋଗରେ ତାଙ୍କର ପ୍ରିୟପାତ୍ର ହେବାକୁ ହେବ ।”

 

କରଟକ–କିନ୍ତୁ ରାଜା ଯେ ଭୟଭୀତ, ଏହା ତୁମେ କିପରି ଜାଣିଲ ?

 

ଦମନକ–ପଣ୍ଡିତମାନେ କହିଛନ୍ତି ଆକାର, ଭଙ୍ଗିତ, ଗତି, ଚେଷ୍ଠା, ବାକ୍ୟ, ନେତ୍ର ଓ ମୁଖର ବିକାର ଦ୍ୱାରା ମନୋଭାବ ଜଣାଯାଏ । ରାଜାଙ୍କ ମୁଖକୁ ଦେଖିଲେ ତୁମେ ଜାଣିପାରିବ, ସେ ଭୟଭୀତ କି ନା ।

 

କରଟକ–ତା ହୋଇପାରେ । କିନ୍ତୁ କିପରି ତୁମେ ତାଙ୍କର ବିଶ୍ୱାସଭାଜନ ହେବ ?

 

ଦମନକ–ପ୍ରଭୁର ଅଭିପ୍ରାୟ ବୁଝି ବୁଦ୍ଧିମାନ୍ମାନେ ତାଙ୍କୁ ଯଥାଶୀଘ୍ର ବଶ କରିପାରିଛି । କିଛି ଗୋଟିଏ ବୁଦ୍ଧି ବାହାର କରିବାକୁ ହେବ । ତୁମେ ଟିକିଏ ଦୂରରେ ରହିଥାଅ, ମୁଁ ରାଜା ପିଙ୍ଗଳକଙ୍କ ନିକଟକୁ ଯାଉଛି ।

 

ଦୂରରୁ ଦମନକକୁ ଦେଖିପାରି ପିଙ୍ଗଳକ କହିଲା, “ଆହେ ଦମନକ, ସବୁ ଭଲ ତ ? ଅନେକ ଦିନ ହେଲା ତୁମର ଦେଖା ନାହିଁ ।

 

ଦମନକ ରାଜାଙ୍କୁ ଅଭିବାଦନ ଜଣାଇ କହିଲା, “ମହାରଜାଙ୍କର ଜୟ ହେଉ ।

 

ପିଙ୍ଗଳକ ପଚାରିଲା, “କ’ଣ ଭାବୁଛ ଦମନକ ?’

 

ଦମନକ ସବିନୟେ କହିଲା, “ମହାରାଜ, ଆପଣଙ୍କ ନିକଟରେ ମୋର ଗୋଟିଏ ଗୋପନୀୟ କଥା ଅଛି । ଆପଣଙ୍କର ଅନୁଚରମାନଙ୍କ ସାମନାରେ ସେ ବିଷୟ କହିବାକୁ ଚାହୁନାହିଁ-। ସେମାନଙ୍କୁ ଟିକିଏ ଦୂରରୁ ଯିବାକୁ କହିଲେ ଭଲ ହୁଅନ୍ତା । କାରଣ, ପଣ୍ଡିତମାନେ କହିଛନ୍ତି, କୌଣସି ମନ୍ତ୍ରଣା ତିନିକାନ ହେଲେ ଚାରିଆଡ଼େ ପ୍ରଘଟ ହେବା ନିଶ୍ଚିତ ।"

 

ପଶୁରାଜ ପିଙ୍ଗଳବଙ୍କରେ ଆଖିର ଇସାରାରେ ଅନୁଚରବର୍ଗ ଦୂରକୁ ଚାଲିଗଲେ । ଦମନକ ଧୀରଭାବରେ ପଚାରିଲା, “ମହାରାଜ, ଆପଣ ଭୟଭୀତ ହୋଇ ଏଠାରେ ବସି ବସି କ’ଣ ଚିନ୍ତା କରୁଛନ୍ତି ?"

 

ଚମକିପଡ଼ି ପିଙ୍ଗଙ୍କକ ମନେ ମନେ ଚିନ୍ତା କଲ।, ଏହି ଶୃଗାଳ ବଡ଼ ଚତୁର । ମୋର ମନୋଭାବର ସୁରାକ ପାଇଲା କିପରି ? ଯଦି ଏହି ଧୂର୍ତ୍ତ ଶୃଗାଳ ଜାଣିପାରିଛି, ତେବେ ଲୁଚାଇ ଲାଭ କ’ଣ ? ଏହା ଭାବି ପଶୁରାଜ ପିଙ୍ଗଳକ କହିଲା, “ପ୍ରିୟ ଦମନକ, ଆମର ଏହି ବଣରେ ଆଜି ଏକ ଭୟଙ୍କର ଗର୍ଜନ ଶୁଣିଲି । ଅନୁମାନ କରୁଛି, କୌଣସି ବଳବାନ୍ ପ୍ରାଣୀ ଏହି ବଣକୁ ଆସିଛି । ଅତଏବ ବଣ ଛାଡ଼ି ପଳାଇବି କି ନା, ତାହା ହିଁ ଭାବୁଥିଲି ।

 

ଦମନକ ମୁଣ୍ଡ ହଲାଇ କହିଲା, “ମହାରାଜ, ଆପଣ ଏହି ସଂକଳ୍ପ ତ୍ୟାଗ କରନ୍ତୁ । ଗର୍ଜନଟା ନିଶ୍ଚିତଭାବରେ କେଉଁ ପ୍ରାଣୀର, ତା’ର ପରାକ୍ରମ କେତେ, ତାହା ଜାଣିବା ଉଚିତ ନୁହେଁ କି ? କଥିତ ଅଛି–ଭୟ ବା ହର୍ଷରେ ଯେଉଁ ବ୍ୟକ୍ତି ବିବେଚନାର ସହିତ କାର୍ଯ୍ୟ କରେ, କୌଣସି ଛଳନାର ଆଶ୍ରୟ ନିଏ ନାହିଁ, ସେ କେବେହେଲେ ଦୁଃଖୀ ହୁଏ ନାହିଁ ।

 

ପିଙ୍ଗଳକ କହିଲା, “ଠିକ୍ କଥା କହିଛ । କିନ୍ତୁ ଯାହାର ଗର୍ଜନ ଶୁଣି ମୁଁ ଭୟଭୀତ, ତା’ର ପରାକ୍ରମର ପରୀକ୍ଷା କରିବାକୁ ସାହସ ହେଉନାହିଁ।”

 

ଦମନକ କହିଲା, “ମହାରାଜା, ଆପଣଙ୍କ କଥା ଶୁଣି ମୋର ଗୋଟିଏ ଗଳ୍ପ ମନେପଡ଼ୁଛି । ଗଳ୍ପଟି କହୁଛି, ମହାରାଜ ଶୁଣିବା ହୁଅନ୍ତୁ ।

 

“ଗୋମାୟୁ ନାମକ ଗୋଟିଏ ଶୃଗାଳ ବଣରେ ବୁଲୁ ବୁଲୁ ଟୁଡ଼ୁଗୁଡ଼ୁ ଶବ୍ଦ ଶୁଣି ଡରିଗଲା-। ସେ ଭାବିଲା, ଏହି ବଣ ଛାଡ଼ି ଅନ୍ୟ ବଣକୁ ଚାଲିଯିବ । ପରମୁହୂର୍ତ୍ତରେ ତା’ର ସୁବୁଦ୍ଧି ହେଲା । ସେ ମନେ ମନେ ଠିକ୍ କଲା, ଶବ୍ଦଟା କ’ଣ, ତାହା ବି ଜାଣି ଚାଲିଯିବା ଉଚିତ ନୁହେଁ । ଏହା ଭାବି ଗୋମାୟୁ ଗଛ ଆଢ଼ୁଆଳରେ ଛପି ଛପି ଆଗକୁ ଯାଇ ଦେଖିଲା–ଗୋଟିଏ ଢୋଲ ପଡ଼ିଛି । ଢୋଲଟି ଦେହରେ ପବନ ବାଜି ଗୁଡ଼ୁମୁଡ଼ୁ ଶବ୍ଦ ହେଉଥାଏ । ଗୋମାୟୁ ସାହସ କରି ଢୋଲଟି ପାଖକୁ ଗଲା ।

 

ଢୋଲ ଦେହରେ ଥିବା ଚମଡ଼ାଟାକୁ ଦେଖି ସେ ହସିଲା । ଭାବିଲା, ମୁଁ କେଡ଼େ ବୋକା ସତେ । ଏହାରି ଭୟରେ ମୁଁ କେତେଦିନ ହେଲା । ନ ଖାଇ ପୁଣି ଏହି ବଣ ଛାଡ଼ି ପଳାଇବାକୁ ବାହାରିଲି ! ମନେହୁଏ, ଏହି ବସ୍ତୁଟା ଭିତରେ ପ୍ରଚୁର ମାଂସ ଭର୍ତ୍ତି । ଏହା ଭାବି ସେ ଚମଡ଼ା ଛିଣ୍ଡାଇ ଢୋଲ ଭିତରକୁ ପଶି ଦେଖୁ, ସବୁ ଶୁନ୍ୟ ।’’

 

ଗଳ୍ପ ଶେଷକରି ଦମନକ କହିଲା, “ମହାରାଜ, ଏଇଥିପାଇଁ କହୁଛି, କିଛି ନ ବୁଝି ନ ଶୁଝି ବଣ ଛାଡ଼ି ଯାଆନ୍ତୁ ନାହିଁ । ମୋତେ ଶୃଗାଳଟିଏ ଭାବି ହେୟ ମନେକରନ୍ତୁ ନାହିଁ । ମୁଁ ଆପଣଙ୍କ ସହ ସେହି ଭୀଷଣ ଜନ୍ତୁଟାର ବନ୍ଧୁତା କରାଇଦେବି ।

 

ପିଙ୍ଗଳକ କହିଲା, ‘ଦମନକ, ତା’ ଯଦି କରିପାରିବ, ତେବେ ତୁମକୁ ମନ୍ତ୍ରୀ କରିବି । କିନ୍ତୁ ତୁମର କୌଣସି ଭୟ ନାହିଁ ତ ?’

 

ଦମନକ ମୃଦୁ ହସି କହିଲା, “ପ୍ରଭୁର ଆଦେଶ ପାଳନ ହିଁ ଭୃତ୍ୟର କାର୍ଯ୍ୟ, ସେଥିପାଇଁ ପ୍ରାଣ ଯାଉ ପଛକେ । ଆପଣ ଏଇଠାରେ ଅପେକ୍ଷା କରନ୍ତୁ, ମୁଁ ଥରେ ଦେଖିଆସେ ।’’

 

ତତ୍କ୍ଷଣାତ୍ ଦମନକ ସେହି ଗର୍ଜନକୁ ଲକ୍ଷ୍ୟକରି ଚାଲିବାକୁ ଲାଗିଲା । ଯମୁନାକୂଳରେ କଞ୍ଚାଘାସପୂର୍ଣ୍ଣ ସେହି ସ୍ଥାନରେ ପହଞ୍ଚି ଦମନକ ଚତୁର୍ଦ୍ଦିଗକୁ ଲକ୍ଷ୍ୟ କରି ଦେଖିଲା। କିଛିଦୂରରେ ଗୋଟିଏ ବୃହତ୍‍କାୟ ବଳଦ ଘାସ ଚରୁଛି ଓ ମଝିରେ ମଝିରେ ଗର୍ଜନ କରୁଛି । ତାହା ଦେଖୁ ଦମନହର ଆନନ୍ଦ ଦେଖେ କିଏ ? ସେ ମନକୁ ମନ କହିଲା, "ଏପରି ଚାଲ୍ ଖେଳିବି ଯେ ଦୁଇଜଣଙ୍କୁ ହାତମୁଠାରେ ରଖି ନିଜର ମନ୍ତ୍ରୀପଦ ସ୍ଥାୟୀ କରିବି ।” ଏହା ଭାବି ସେ ତା’ର ପ୍ରଭୁ ପିଙ୍ଗଳକ ନିକଟକୁ ଫେରିଲା ।

 

ଦୂରରୁ ଦମକକୁ ଫେରିଆସୁଥିବାର ଦେଖି ପିଙ୍ଗଳକ ମନେ ମନେ ଭାବିଲା, ଏଇ ଦମନଙ୍କ ଥରେ ଅଧିକାରଚ୍ୟୁତ ହୋଇଥିଲା । କିଏ ଜାଣେ ତା ପେଟରେ କି ଦୁଷ୍ଟବୁଦ୍ଧି ଅଛି ? ବରଂ ମୁଁ ଟିକିଏ ଆଢ଼ୁଆଳରେ ଲୁଚିଯାଏଁ । ଏହା ଭାବି ପଶୁରାଜ ପିଙ୍ଗଳକ ଗଛ ଆଢ଼ୁଆଳରେ ଲୁଚିରହିଲା । ଏଇ ସମୟରେ ଦମନକ ଫେରିଆସିଲା । ଦମନଟକୁ ଏକୁଟିଆ ଫେରିଆସିବାର ଦେଖି ପିଙ୍ଗଳକର ଟିକିଏ ସାହସ ହେଲା ।ସେ ଆଗକୁ ଆସି କହିଲା, “ଦମନକ, ମୁଁ ତୁମପାଇଁ ଅତ୍ୟନ୍ତ ଆଗ୍ରହରେ ଅପେକ୍ଷା କରିଛି । କି ଖବର, କୁହ।"

 

ଦମନକ କହିଲା, ‘‘ପ୍ରଳୟର ଦେବତା ମହାଦେବଙ୍କ ବାହନ–ଗୋଟିଏ ବିରାଟକାୟ ବଳଦ ଆସିଛି । ତାକୁ ଶକ୍ତିରେ କେହି ପାରିବେ ନାହିଁ । ବଳଦଠାରୁ ବୁଝିଲି ଯେ ସ୍ଵୟଂ ମହାଦେବ ତାକୁ ପଠାଇଛନ୍ତି ।

 

ଭୟରେ ପିଙ୍ଗଳକର ମୁହଁ ଶୁଖିଗଲା । ସେ କହିଲା, “ତା ହେଲେ ଉପାୟ ?

 

ଦମନକ ସାହସ ଦେଇ କହିଲା, “ମହାରାଜ, ମୁଁ ତାକୁ କହିଛି ଯେ ଏହି ବଣ ଦେବୀ ଚଣ୍ଡୀଙ୍କର ବାହନ ପଶୁରାଜା ପିଙ୍ଗଳକଙ୍କ ଅଧୀନ । ଅତଏବ ତୁମେ ଆମର ଅତିଥି ଓ ଆମର ବନ୍ଧୁ-।”

 

ଆନନ୍ଦରେ ଗଦ୍‌ଗଦ୍‌ ହୋଇ ପିଙ୍ଗଳକ କହିଲା, “ଦମନକ, ତୁମେ ଠିକ୍ ମୋ ମନର କଥା କହିଆସିଛି । ଆଜିଠାରୁ ତୁମେ ମୋର ମନ୍ତ୍ରୀ । ଏବେ ତୁମେ ଯାଅ ଏବଂ ମୋର ସେହି ବନ୍ଧୁଙ୍କୁ ସସମ୍ମାନେ ନେଇଆସ ।’

 

ପିଙ୍ଗଳକର କଥା ଶୁଣି ଦମନକ ପୁଣି ଥରେ ସେହି ବଳଦ ପାଖକୁ ଗଲା । ବଳଦ ନିକଟକୁ ଯାଇ ଦମନକ ପଚାରିଲା, “ମହାଶୟଙ୍କର ନାମ କ’ଣ ? ମହାଶୟକର ଘର କେଉଁଠି ?

 

ବଳଦ କହିଲା, "ମୋର ନାମ ସଂଜୀବକ । ମହିଳାରୋପ୍ୟ ମୋର ନିବାସ । ମହାଶୟଙ୍କର ନାମ ପଚାରିପାରେ କି ?

 

ଦମନକ କହିଲା, "ମୋର ନାମ ଦମନକ । ମୁଁ ପଶୁରାଜ ପିଙ୍ଗଳକଙ୍କର ମନ୍ତ୍ରୀ ।

 

ସଂଜୀବକ ନାମକ ସେହି ବଳଦଟି ପଚାରିଲା, “ପିଙ୍ଗଳକ କିଏ ?’’

 

ଦମନକ ଉତ୍ତର ଦେଲା, “ସେ ଏହି ବଣରେ ରହନ୍ତି । ଏହି ବଣର ରାଜା ପିଙ୍ଗଳକଙ୍କ ନାମ ଶୁଣିନାହାଁନ୍ତି ? ମହାଶୟ, ଆପଣ ତୃଣଭୋଜୀ ପ୍ରାଣୀ, ଆପଣଙ୍କ ପକ୍ଷେ ଏହି ବଣରେ ବାସ କରିବା ନିରାପଦ ନୁହେଁ । ବିପଦ ପଡ଼ିପାରେ, କାରଣ ଏହି ବଣରେ ହିଂସ୍ର ଜନ୍ତୁଙ୍କର ଅଭାବ ନାହିଁ-।"

 

ଦମନକର କଥା ଶୁଣି ସଞ୍ଜୀବକକୁ ଭୟ ଲାଗିଲା । ଭୟରେ ତା’ର ଗୋଡ, ଥରିଲା । ସେ କହିଲା, ବନ୍ଧୁ ଦମନକ, ମୋତେ ବଡ଼ ଭୟ ଲାଗୁଛି । ଆପଣ ମୋତେ ରକ୍ଷା କରନ୍ତୁ । ଆପଣ ଯାହା କହିବେ, ମୁଁ ତାହା ହିଁ କରିବି ।

 

ଦମନକ ମନେ ମନେ ଖୁସି ହୋଇ କହିଲା–“ଯେତେବେଳେ ଆପଣ ମୋତେ ବନ୍ଧୁ ବୋଲି ସମ୍ୱୋଧନ କରିଛନ୍ତି, ତେଣୁ ଗୋଟାଏ କିଛି ଉପାୟ କରିବାକୁ ହେବ । ଚାଲନ୍ତୁ, ମୋର ପ୍ରଭୁ ପିଙ୍ଗଳକଙ୍କ ସହ ଆପଣଙ୍କର ବନ୍ଧୁତ୍ୱ କରାଇଦେବି । ତାହେଲେ ଆପଣଙ୍କର କିଛି ଭୟ ରହିବ ନାହିଁ ।

 

ଏହି ପ୍ରସ୍ତାବରେ ସଂଜୀବକ ସହଜରେ ରାଜି ହୋଇଗଲା । ଦମନକ କହିଲା, “ବନ୍ଧୁ ସଂଜୀବକ, ରାଜାଙ୍କ ସଙ୍ଗେ ଆପଣଙ୍କର ବନ୍ଧୁତ୍ୱ କରାଇଦେବି । କିନ୍ତୁ, ଗୋଟିଏ କଥା ମନେ ରଖିବେ, କେବେହେଲେ ଗର୍ବ କରିବେ ନାହିଁ । ମୂର୍ଖମାନେ ଉଚ୍ଚକୁ ଗଲେ ଦେଖି ଗର୍ବ କରିଥାନ୍ତି । ମୁଁ ମନ୍ତ୍ରୀ, ଆପଣ ମୋର ବନ୍ଧୁ । ଦୁଇଜଣୁ ମିଳିମିଶି ଏହି ରାଜ୍ୟ ଭୋଗ କରିବା ।

 

ସଂଜୀବକୁ କହିଲା, “ତାହାହିଁ ହେବ । ଉପକାରୀ ବନ୍ଧୁଙ୍କୁ କେବେହେଲେ ଭୁଲିବି ନାହିଁ ।

 

ଦିନେ ଗଲା। ମାସେ ବି ଗଲା । ପଶୁର।ଜ ପିଙ୍ଗଳକ ଏବଂ ମହିଳାରୋପ୍ୟନିବାସୀ ବଣିକ ବର୍ଦ୍ଧମାନକକୁ ପରିତ୍ୟକ୍ତ ଭାରବାହୀ ବଳଦ ସଂଜୀବକଙ୍କର ସୁଖରେ ଦିନ ଗଡ଼ିଚାଳିଲା । ଦୁଇଜଣଙ୍କ ମଧ୍ୟରେ ଏପରି ବନ୍ଧୁତା ହେଲା ଯେ, କେହି କାହାରିକୁ ନ ଦେଖି ରହିପାରିଲେ ନାହିଁ । ସାରାଦିନ ସେମାନଙ୍କର ଏକତ୍ର ଖିଆପିଆ, ଶୋଇବା ଓ ଗଳ୍ପ କରିବା ବାଲିଥାଏ । ଥରେ ହେଲେ ବି କେହି ଛଡ଼ାଛଡ଼ି ହୁଅନ୍ତି ନାହିଁ । ସଂଜୀବକ ସହର-ଜୀବନର କେତେ ବିଚିତ୍ର କଥା ଶୁଣାଏ । ପିଙ୍ଗଳକ ମୁଗ୍ଧ ହୋଇ ଶୁଣେ । ପିଙ୍ଗଳକ ତାର ବଣ୍ୟ ଜୀବନର କାହାଣୀ ଶୁଣାଏ । ଗଳ୍ପ କରି କରି ଦୁଇବନ୍ଧୁଙ୍କର ସମୟ କଟେ । ଗଳ୍ପରେ ମଜ୍ଜିରହି ଶିକାର କରିବାପାଇଁ ପିଙ୍ଗଳକୁ ସମୟ ହୁଏ ନାହିଁ । ତା’ଛଡ଼ା ନିରାମିଷଶୀ ଧାର୍ମିକ ସଂଜୀବକ ସାଙ୍ଗରେ ରହି ପିଙ୍ଗଳକ ପଶୁହତ୍ୟା ପ୍ରାୟ ବନ୍ଦ କରିଦେଲା ।

 

ପଶୁରାଜ ପିଙ୍ଗଳକଙ୍କ ଅନୁଚରମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା–ରାଜା ଶିକାର ବନ୍ଦ କରିଦେଲେ, ଅନୁଚରମାନେ ଖାଇବେ କ’ଣ–ଅନୁଚରମାନେ ଖାଇବାକୁ ନ ପାଇ କ୍ଷୁଧାରେ ଆତୁର ହୋଇ ଛଟପଟ ହେଲେ । ସମସ୍ତଙ୍କ କ୍ରୋଧର ଶିକାର ହେଲା ବିଚରା ନିରୀହ ସଂଜୀବକ । ଦିନ ଦମନକ କହିଳା–କି ବୋକାମି କଲି, ମୂର୍ଖ ନିରାମିଷାଶୀ ବଳଦ ଶିକାରର ମୂଲ୍ୟ କ’ଣ ବା ବୁଝିବ ? ଆମ୍ଭେମାନେ ତ ଖାଇବାକୁ ନ ପାଇ ମରିବାକୁ ବସିଲେଣି’’ ।

 

କରଟକ କହିଲା, “ବନ୍ଧୁ ଦମନକ, ଯେପରି ହେଉ କିଛି ଗୋଟାଏ ଉପାୟ କର । ଭୋକ ଆଉ ସମ୍ଭାଳି ହେଉନାହିଁ । ସଂଜୀବକ ପିଙ୍ଗଳକକୁ ସଂପୂର୍ଣ୍ଣ ନିରାମିଷାଶୀ କରିଦେଲାଣି ।’’

 

ଦମନକ କହିଲା, “ଏବେ ମୁଁ ପ୍ରତିଜ୍ଞା କଲି, ସଂଜୀବକ ଏବଂ ପିଙ୍ଗଳକର ବନ୍ଧୁତ୍ୱ ମୁଁ ଭାଙ୍ଗିଦେବି, ନଚେତ୍ ମୋର ନାମ ଦମନକ ନୁହେଁ ।

 

କରଟକ ହତାଶ ହୋଇ କହିଲା, “ବନ୍ଧୁତ୍ୱ କରାଇଦେବା ଯେତେ ସହଜ, ‘‘ବନ୍ଧୁତ୍ୱ ଭାଙ୍ଗିଦେବା ସେତେ ସହଜ ନୁହେଁ । କାରଣ ସଂଜୀବକ ପଣ୍ଡିତ ଓ ବୁଦ୍ଧିମାନ ଏବଂ ଆମର ରାଜା ପିଙ୍ଗଳଟି ବଡ଼ ହିଂସ୍ର ! ଆମ୍ଭେମାନେ ପୁଣି ଅନ୍ୟ କୌଣସି ବିପଦରେ ନ ପଡ଼ିଲେ ହେଲା ।’’

 

ଦମନକ କହିଲେ, “ଭୟର କୌଣସି କାରଣ ନାହିଁ । ବୁଦ୍ଧି ଥିଲେ ଉପାୟ ହେବ । ବୁଦ୍ଧିବଳରେ କୁଆମାନେ ସାପକୁ ମାରିଥିଲେ ।’

 

କରଟକ ପଚାରିଲା, “ତାହା କିପରି ?

 

ତତ୍‍ପରେ ଦମନକ “ବୁଦ୍ଧିର ଜୟ’’ ଗଳ୍ପଟି କହିଲା ।

Image

 

ବୁଦ୍ଧିର ଜୟ

Image

 

ବଣର ସୀମାକୁ ଲାଗି ଏକ ବିଶାଳନ ବରଗଛ ଥିଲା । ସେହି ଗଛର ଏକ ଡାଳରେ ଗୋଟି, କାକଦମ୍ପତି ବସାବାନ୍ଧି ରହୁଥିଲେ । ସେହି ଗଛମୂଳରେ ଗୋଟିଏ ଗାତ ଭିତରେ ଶୃଗାଳ–ଦମ୍ପତି ରହୁଥିଲେ ଦୁଇ ପରିବାର ମଧ୍ୟରେ ସଦ୍‌ଭାବ ଥିଲା । ବିପଦ ଆପଦରେ ଉଭୟ ପରିବାର ପରସ୍ପରକୁ ପ୍ରାଣ ଦେଇ ସାହଯ୍ୟ କରୁଥିଲେ ।

 

କାକ-ଦମ୍ପତିଙ୍କର ଦୁଇଟି ଛୁଆ ହେଲା । ସେମାନେ ଛୁଆଦୁଇଟିକୁ ପ୍ରାଣଦେଇ ଭଲ ପାଉଥି ଲେ । ଶ୍ରଦ୍ଧାରେ ନାମ ରଖିଥିଲେ–କଳାମାଣିକ । ଛୁଆ ଦୁଇଟିକୁ ବସାରେ ଛାଡିଦେଇ କାକ-ଦମ୍ପତି ଗାଁକୁ ଗାଁ ଖାଦ୍ୟ ସଂଗ୍ରହ ପାଇଁ ଦିନସାରା ଉଡ଼ିବୁଲନ୍ତି । ସନ୍ଧ୍ୟା ପୂର୍ବରୁ ବସାକୁ ଫେରିଆସନ୍ତି ।

 

ସବୁଦିନ ପରି ଦିନେ ଛୁଆଦୁଇଟିକୁ ବସାରେ ଛାଡିଦେଇ କାକଦମ୍ପତି ଖାଦ୍ୟ ଅନ୍ୱେଷଣରେ ବାହାରିଗଲେ । ଫେରିଆସି ଦେଖିଲେ–ଛୁଆଦୁଇଟି ନାହାନ୍ତି, ବସା ଖାଲି ।

 

‘‘କୁଆଡେ ଗଲେ ମୋର ଛୁଆଦୁଇଟି ?’’ ମାଆ କୁଆଟି କାନ୍ଦି କାନ୍ଦି କହିଲା, ‘‘ସେମାନେ ତ ଏପର୍ଯ୍ୟନ୍ତି ଉଡ଼ି ଶିଖିନାହାନ୍ତି ।’’

 

କାକଦମ୍ପତି ଚାରିଆଡ଼େ ଖୋଜିଲେ । ଖୋଜି ଖୋଜି ଦେଖିଲେ ଯେ, ସେମାନଙ୍କ ବସା ପାଖ ଡ଼ାଳରେ ଗୋଟିଏ ବଡ଼ କୋରଡ ଅଛି । ସେହି କୋରଡ଼ ଭିତରେ ପ୍ରକାଣ୍ଡ ଏକ ସାପ ଶୋଇଛି । କୋରଡ଼ ପାଖରେ ସେମାନଙ୍କ ଛୁଆଦୁଇଟିଙ୍କର କଅଁଳିଆ ପରଗୁଡ଼ିକ ପଡ଼ିଛି । ସାପଟି ଛୁଆଦୁଇଟିଙ୍କୁ ଖାଇଯାଇଥିବା ବିଷୟରେ ସେମାନେ ନିଶ୍ଚିତ ହେଲେ ।

 

କାନ୍ଦି କାନ୍ଦି କାକଦମ୍ପତି ସେମାନଙ୍କର ଶୃଗାଳବନ୍ଧୁ ନିକଟକୁ ଗଲେ ।

 

–‘‘ଶୃଗାଳ ବନ୍ଧୁ, ଶୃଗାଳ ବନ୍ଧୁ, ଘରେ ଅଛ ତ ?’’

 

–‘‘କ’ଣ ହେଲା କୁଆଭାଇ ?’’ କହି କହି ଶୃଗାଳ ଗାତରୁ ବାହାରି ଆସିଲା ।

 

‘‘ସାପ ଆମ ଛୁଆଗୁଡ଼ିକ ଖାଇଦେଇଛି । ଏବେ ଆମଦୁହିଁଙ୍କୁ ଖାଇବ । କାରଣ, ଶାସ୍ତ୍ରରେ ଅଛି, ଯାହାର ନନ୍ଦୀ କୂଳରେ ଘର ଏବଂ ସାପ ସାଙ୍ଗରେ ବନ୍ଧୁତା, ତାହାର ମୃତ୍ୟୁ ସୁନିଶ୍ଚିତ-। ବାହୁବଳରେ ସାପ ସଙ୍ଗରେ ଆମେ ପାରିବୁ ନାହିଁ ।’’ କାକଦମ୍ପତି କହିଲେ ।

 

ସବୁକଥା ଶୁଣି ଶୃଗାଳ କହିଲା ‘‘କୁଆଭାଇ, କାହିଁକି ମିଛରେ ଭୟ କରୁଛ ? ବୁଦ୍ଧି ଥିଲେ ସାପକୁ ମାରିବାପାଇଁ କେତେ ସମୟ ଲାଗିବ ? ବୁଦ୍ଧି ବଳରେ କଙ୍କଡ଼ା ବଗକୁ ମାରିଥିଲା, ଜାଣିଛ ତ ?’’

 

କୁଆଦମ୍ପତି ଏକାସଙ୍ଗରେ କହିଲେ, ‘‘କଙ୍କଡ଼ା କିପରି ବଗକୁ ମାରଲା କୁହେ ତ ?’’

 

ତା ପରେ ଶୃଗାଳ ‘‘ଲୋଭରୁ ମୃତ୍ୟୁ’’ ଗଳ୍ପଟି କାକଦମ୍ପତିଙ୍କୁ ଶୁଣାଇଲା ।

Image

 

ଲୋଭରୁ ମୃତ୍ୟୁ

 

Image

ପାହାଡ଼ ଉପରେ ବିରାଟ ଏକ ବଣ । ବଣ ତଳକୁ ଗୋଟିଏ ପୋଖରୀ ଥିଲା । ବର୍ଷାଦିନେ ପାହାଡ଼ ଉପରୁ ସବୁପାଣି ବୋହିଆସି ସେହି ପୋଖରୀରେ ଜମା ହେଉଥିଲା । ପୋଖରୀଟି ଏତେ ଗଭୀର ଥିଲା ଯେ, ବର୍ଷେ ଦୁଇବର୍ଷ ଅନାବୃଷ୍ଟି ହେଲେ ବି ପୋଖରୀଟି ଶୁଖୁ ନଥିଲା । ସେହି ପୋଖରୀଟି ଶୁଖୁ ନଥିଲା । ସେହି ପୋଖରୀରେ ନାନା ଜାତିର ମାଛ, କଙ୍କଡ଼ା ଏବଂ ସୁଖରେ ବାସ କରୁଥିଲେ ।

 

ପୋଖରୀ କୂଳରେ ଥିବା ଗଛଗୁଡ଼ିକରେ ଅନେକଗୁଡ଼ିଏ ବଗ ବସାବାନ୍ଧି ରହୁଥିଲେ । ଜଳପୂର୍ଣ୍ଣ ପୋଖରୀର ଧାରରେ ବଗମାନେ ଧ୍ୟାନର ସହ ଠିଆ ହୋଇ ରହୁଥିଲେ । କଦବା କ୍ଵଚିତ୍ ମାଛଟିଏ ଭାସିଉଠିଲେ ସେମାନେ ଧରି ଖାଉଥିଲେ । ମାଛ ନ ପାଇଲେ ବେଙ୍ଗ କଙ୍କଡ଼ା ଖାଇ ଦିନ କାଟୁଥିଲେ ।

ବଗମାନଙ୍କ ଭିତରେ ଗୋଟିଏ ବୁଢ଼ାବଗ ଥିଲା । ମାଛ ଧରି ଖାଇବାପାଇଁ ତା’ର ଶକ୍ତି ନ ଥିଲା । କିନ୍ତୁ ନ ଖାଇ କେତେଦିନ ବା ସେ ବଞ୍ଚିବ । ତେଣୁ ସେହି ବୁଢ଼ାବଟଟି ମନେ ମନେ ଗୋଟିଏ ଉପାୟ ପାଞ୍ଚିଲ।। ଦୂରରୁ ଗୋଟିଏ କଙ୍କଡ଼ାକୁ ଆସୁଥିବାର ଦେଖି ବୁଢ଼ାବଗଟି ଆଖିବୁଜି ଠିଆ ହୋଇ କାନ୍ଦିବାକୁ ଲାଗିଲା । ବଗର ଆଖୁରୁ ଲୁହ ପଡ଼ି ମାଟି ଟି ଓଦା ହୋଇଗଲା ।

ବଗକୁ କାନ୍ଦୁଥିବାର ଦେଖି କଙ୍କଡ଼ାର କୌତୂହଳ ହେଲା, ଦୁଃଖ ବି ହେଲା । ସେ କହିଲା, “ବଗମାମୁ, କାନ୍ଦୁଛ କାହିଁକି ? ମାଛ ଖାଇବାକୁ ପାଉନାହିଁ କି ?"

ବୁଢ଼ାବଗଟି କହିଲା, “ନାଇଁରେ ଭଣଜା, ମୁଁ ମାଛ ଖାଇବା ଛାଡ଼ି ଦେଇଛି ।’

କଙ୍କଡ଼ା–ମାଛ ଖାଇବା ଛାଡ଼ି ଦେଇଛି । ବେଶ୍‌ ଭଲ କଥା । କିନ୍ତୁ କାନ୍ଦୁଛ କାହିଁକି ?

ବଗ–ଦୁଃଖରେ କାନ୍ଦୁଛି ।

କଙ୍କଡ଼ା–ତୁମର ପୁଣି କି ଦୁଃଖ ?

ବଗ ନିଜର ଦୁଃଖରେ କନ୍ଦୁନିରେ ଭଣଜା, ପରର ଦୁଃଖରେ କାନ୍ଦୁଛି । ମୁଁ ଏହି ପୋଖରୀକୂଳରେ ଜନ୍ମ ହୋଇଛି, ଏଇଠି ବି ବୁଢ଼ା ହେଲି । ଜେତେଦିନ ବା ମୁଁ ଆଉ ବଞ୍ଚିବି !

କଙ୍କଡ଼ା–ଓଃ, ଏହା ଭାବି କାନ୍ଦୁଛି ?

ବଗ–ନାଇଁରେ ଭଣଜା, ତାହା ନୁହେଁ ଗୋଟିଏ ବଡ଼ ଦୁଃଖସମ୍ବାଦ ଶୁଣି କାନ୍ଦୁଛି । ମୁଁ ଆଉ କେତେଦିନ ବା ବଞ୍ଚିବି ? ଏଇ ମାଛମାନଙ୍କ ଦୁଃଖରେ କାନ୍ଦୁଛି । ଏଇମାତ୍ର ଶୁଣିଆସିଲି, ପଣ୍ଡିତମାନେ କହିଛନ୍ତି, ଆଗାମୀ ବାରବର୍ଷ ଅନାବୃଷ୍ଟି ହେବ । ଅନାବୃଷ୍ଟି ଫଳରେ ଏହି ପୋଖରୀର ସମସ୍ତ ପାଣି ଶୁଖି ମାଟି ଫାଟି ଆଁ କରିବ । ଗୋଟିଏ ହେଲେ ମାଛ ବି ବଞ୍ଚିବେ ନାହିଁ ।

ବଗ ମୁହଁରୁ ଏହି ଦୁଃସମ୍ବାଦ ଶୁଣି କଙ୍କଡ଼ାର ମୁହଁ ଶୁଖିଗଲା । ସେ କହିଲା, ମାମୁ, ଆମର ଅବସ୍ଥା ବି ମାଛମାନଙ୍କ ପରି ହେବ ?’ ଏହା କହି ସେ ମାଛମାନଙ୍କୁ ଖବର ଦେବାକୁ ଗଲା-

ବୁଢ଼ାବଗଟି ମନେ ମନେ ଖୁସି ହୋଇ ସେଠାରେ ଠିଆହୋଇ ରହିଲା । କଙ୍କଡ଼ାରୁ ଦୁଃସମ୍ବାଦଟି ଶୁଣି ମାଛମାନଙ୍କ ଉପରେ ସତେ ଯେପରି ଆକାଶ ଛିଣ୍ଡିପଡ଼ିଲା । ଯିଏ ଯେଉଁଠାରେ ଥିଲେ, “ହାୟ, ହାୟ” କରିବାକୁ ଲାଗିଲେ । ସେମାନଙ୍କର ବିଚାର-ବିମର୍ଶ ଚାଲିଲା । ପରାମର୍ଶ କରି ସମସ୍ତେ ଏକତ୍ର ହୋଇ । ସେହି ବୁଢ଼ାବଗ ପାଖକୁ ଚାଲିଲେ ।

ମାଛମାନେ କହିଲେ, “ବଗମାମୁ, ତୁମେ ଆମକୁ ଏଇ ବିପଦରୁ ରକ୍ଷା କର । କ’ଣ କଲେ ଭଲ ହେବ, ତା’ର ଉପାୟ ଆମକୁ କୁହ ।"

ବଗ କହିଲା, “ତୁମ୍ଭମାନଙ୍କପାଇଁ ମୁଁ ପ୍ରାଣ ଦେବାକୁ ପ୍ରସ୍ତୁତ ଅଛି । ଏହି ବିପଦରୁ ରକ୍ଷା ପାଇବାପାଇଁ ଗୋଟିଏ ଉପାୟ ଅଛି, ଶୁଣ । ପାହାଡ଼ ଆରପଟେ ଗୋଟିଏ ବଡ଼ ପୋଖରୀ ଅଛି । କୋଡ଼ିଏ ବର୍ଷ ଧରି ଅନାବୃଷ୍ଟି ହେଲେ ବି ସେହି ପୋଖରୀଟି ଶୁଖିବ ନାହିଁ । ତୁମ୍ଭେମାନେ ରାଜି ହେଲେ ମୁଁ ତୁମ୍ଭମାନଙ୍କୁ ସେହି ପୋଖରୀରେ ଛାଡ଼ିଦେଇ ଆସିବି ।”

‘‘ଆମେ ରାଜି, ଆମେ ରାଜି ।” ସବୁ ମାଛମାନେ ଏକସ୍ୱରରେ କହିଲେ ।

ମାଛମାନେ ହୋହଲ୍ଲା ଆରମ୍ଭ କରିଦେଲେ । ବଗ କହିଲା, "ତୁମେମାନେ ଜଣକ ପରେ ଜଣେ ଆସ । ମୁଁ ଜଣ ଜଣ କରି ନେଇ ସେହି ପୋଖରୀରେ ଛାଡ଼ିଦେବି ।

ସେହିଦିନଠାରୁ ବୁଢ଼ା ଧୂର୍ତ୍ତ ବଗଟି ମାଛମାନଙ୍କୁ ପାରି କରିବାକୁ ଲାଗିଲା । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମାଛମାନଙ୍କୁ ଅନ୍ୟ ପୋଖରୀକୁ ନେବା କାର୍ଯ୍ୟରେ ବ୍ୟସ୍ତ ରହିଲା । ଏହିପରି ଦିନପରେ ଦିନ ଗଲା । ମାଛମାନଙ୍କର ଭିଡ଼ କମିଲା ନାହିଁ ।

 

ଦିନେ ଭିଡ଼ ଠେଲି ଆସିଲା କଙ୍କଡ଼ା । ବଗମାମୁକୁ ପାଖରେ ପାଇ ଅତି ବିନୟରେ କଙ୍କଡ଼ା କହିଲା, “ମାମାଶ୍ରୀ, ମାମାଶ୍ରୀ, ଏହା ତୁମର କି ବିଚାର ? ତୁମ ସହିତ ମୋର ପ୍ରଥମ ଦେଖା, ପୁଣି ମୁଁ ମାଛମାନଙ୍କୁ ଖବର ଦେଇଥିଲି । କିନ୍ତୁ ମୋତେ ପାରି କରିବାକୁ ତୁମକୁ ସମୟ ହେଉନାହିଁ !’

 

ବଗ କହିଲା, “ମୋର ଭୁଲ ହୋଇଛି ଭଣଜା। ତୋତେ ଆଜି ପାର କରିଦେବି । ଭଣଜା, ଆ, ମୋ’ ପିଠିରେ ବସ ।’’

 

କଙ୍କଡ଼ାକୁ ପିଠିରେ ବସାଇ ବଗ ଉଡ଼ିଚାଲିଲା । କିନ୍ତୁ ଏ କ’ଣ ? ରାସ୍ତାର ଯେ ଶେଷ ନାହିଁ ! କଙ୍କଡ଼ା ମନରେ ଭୟ ହେଲା । ତା’ର ଦୁଶ୍ଚିନ୍ତା ବଢ଼ିଲା । ଏଇ ସମୟରେ କଙ୍କଡ଼ା ଗୋଟିଏ ବଡ଼ ପଥର ଉପରେ ଅସଂଖ୍ୟ ମାଛର କଣ୍ଟା ପଡ଼ିଥିବାର ଦେଖିପାରିଲା । ଭୟରେ ଥରି ଥରି କଙ୍କଡ଼ା ଅତି ଧୀରଭାବରେ ପଚାରିଲା, “ମାମାଶ୍ରୀ, ବଡ଼ ପୋଖରୀଟା କେଉଁଠି ? ବଗ କହିଲା, “ବଡ଼ ପୋଖରୀଟା ତୋର ମାମୁ ପେଟରେ । ସେହି ପୋଖରୀର ପାଣି କେବେହେଲେ ଶୁଖେ ନାହିଁ-। ବର୍ଷ ବର୍ଷ ଧରି ଅନାବୃଷ୍ଟି ହେଲେ ବି ତୁ ସେଠାରେ ସୁଖରେ ରହିବୁ । ମାଛ ଖାଇ ଖାଇ ଅରୁଚି ଧରିଲାଣି । ଆଉ ଭଲ ଲାଗୁ ନାହିଁ । ଆଜି ତୋତେ ଖାଇ ପାଟିର ଅରୁଟି ଛଡ଼ାଇବି ।’’

 

ଏ କଥା ଶୁଣି କଙ୍କଡ଼ାର ପ୍ରାଣ ଉଡ଼ିଯିବା ଅବସ୍ଥା । ତେବେ, ସେ ସାହସ ହରାଇଲା ନାହିଁ । ସେ ମନେ ମନେ ଭାବିଲା–ଶେଷଚେଷ୍ଟା କରି ଦେଖେଁ । ଏହା ଭାବି କଙ୍କଡ଼ା ତା’ର ଧାରୁଆ ଦୁଇଟିଯାକ ବୁଢ଼ା ଗୋଡ଼ରେ ବଗର ବେକକୁ ଏମିତି ଭାବରେ ଜୋରେ ଚିପି ଧରିଲା ଯେ, ବଗର ଦମ୍ ଛୁଟିଗଲା । ଏତିକିରେ ବଗଟି ଶେଷ ।

 

ଗଳ୍ପଟି ଶୁଣାଇସାରି ଶୃଗାଳ କହିଲା, “ ବନ୍ଧୁ କୁଆ, ସାପଟାକୁ ଏଇ ବଗପରି ଶେଷ କରିବାକୁ ହେବ । ଆଜି ରାତିଟି ଭଲରେ କଟାଇ କାଲି ସକାଳୁ ଆସ । ଗୋଟିଏ ଉପାୟ କହିବି ।”

 

ପରଦିନ ସକାଳ । କାକଦମ୍ପତି ଶୃଗାଳବନ୍ଧୁ ନିକଟକୁ ଆସିଲେ । ଶୃଗାଳ ସେମାନଙ୍କୁ ଗୋଟିଏ ଉପାୟ ବତାଇଦେଲା ! ପରାମର୍ଶ ଅନୁଯାୟୀ କାକଦମ୍ପତି ଉଡ଼ିଚାଲିଲେ ରାଜପ୍ରାସାଦ ଦିଗରେ । ରାଜପ୍ରସାଦର ଗୋଟିଏ ପ୍ରାଚୀର ଉପରେ ଅନେକ ସମୟ ଧରି ବସିରହିଲେ । ‘

 

ରାଜପ୍ରାସାଦର ବାଡ଼ିପଟେ ମସ୍ତବଡ଼ ପୋଖରୀ । ପୋଖରୀର ଗୋଟିଏ ପାଖରେ ପଥରପାହାଚରେ ଗଢ଼ା ସୁନ୍ଦର ଘାଟଟିଏ । ସବୁଦିନ ପରି ରାଜକନ୍ୟା। ଗାଧୋଇବା ପାଇଁ ସେହି ଘାଟକୁ ଆସିଲେ । ରାଜକନ୍ୟା ତାଙ୍କର ବେକରୁ ସୁନାହାର, ‘ମୋତିହାର ଖୋଲି ପଥରପାହାଚ ଉପରେ ରଖି ପାଣିରେ ପଶିଲେ । ସୁଯୋଗ ଉଣ୍ଡି କାକଦମ୍ପତି ଝାମ୍ପମାରି ସୁନାହାର ଓ ମୋତିହାର ଉଠାଇନେଇ ଚାଲିଗଲେ । ରାଜକନ୍ୟାଙ୍କ ଦାସଦାସୀ ଚିତ୍କାର କରିଉଠିଲେ, "ନେଇଗଲା, ନେଇଗଲା ।”

 

ଦାସଦାସୀଙ୍କ ଚିତ୍କାର ଶୁଣି ପ୍ରହରୀ ଓ ଦେହରକ୍ଷୀମାନେ ଦୌଡ଼ିଆସିଲେ । ସେମାନେ ଦେଖିଲେ ଯେ, ଦୁଇଟି କୁଆ ରାକକନ୍ୟାଙ୍କର ସୁନାହାର ଓ ମୋତିହାର ଧରି ଉଡ଼ିଯାଉଛନ୍ତି । ପ୍ରହରୀମାନେ ସେମାନଙ୍କର ପଛେ ପଛେ ଦୌଡ଼ିଲେ ।

 

କାଦମ୍ପତି ଉଡ଼ି ଉଡ଼ି ଆସି ପହଞ୍ଚିଲେ ସେମାନଙ୍କର ବରଗଛ ନିକଟରେ । ‘ପ୍ରହରୀମାନେ କୁଆଦୁଇଟିକୁ ଲକ୍ଷ୍ୟ କରି ଦୌଡ଼ି ଦୌଡ଼ି ଆସି ପହଞ୍ଚିଲେ ସେହି ବରଗଛ ନିକଟରେ । ସୁଯୋଗ ଉଣ୍ଡି କାକଦମ୍ପତି ହାରଦୁଇଟିକୁ ପ୍ରହରୀମାନେ ଦେଖିଲାପରିଲା ପରି ଦୁଷ୍ଟ ସାପଟି ରହୁଥିବା କୋରଡ଼ ମୁହଁରେ ପକାଇଦେଲେ ।

 

ପ୍ରହରୀମାନେ ଗଛ ଉପରକୁ ଚଢ଼ିଯାଇ କୋରଡ଼ ପାଖରେ ପହଞ୍ଚି ଦେଖିଲେ ଯେ, ସାପଟିଏ ଫଣା ଟେକି କୋରଡ଼ ମୁହଁରେ ଅଛି । ପ୍ରହରୀମାନେ ତତ୍‍କ୍ଷଣାତ୍ ଖଣ୍ଡା ବାହାରକରି ସାପଟିକୁ ଦୁଇଖଣ୍ଡ କରିଦେଲେ । ପ୍ରହରୀମାନେ ରାଜକନ୍ୟାଙ୍କର ସୁନାହାର ଓ ମୋତିହାର ଧରି ଆନନ୍ଦ ମନରେ ରାଜପ୍ରାସାଦକୁ ଫେରିଗଲେ ।

 

ସାପଟି ମରିଯିବାର ଦେଖି କାକଦମ୍ପତି ଆନନ୍ଦମନରେ ଶୃଗାଳବନ୍ଧୁ ନିକଟକୁ ଯାଇ କହିଲେ, “ ଆମର ଭାଗ୍ୟ, ତୁମପରି ବୁଦ୍ଧିମାନ ବନ୍ଧୁ ଆମର ଅଛନ୍ତି ।"

 

ଗଳ୍ପଟି ଶେଷକରି ଦମନକ କହିଲା, “ବନ୍ଧୁ କରଟକ, ବୁଦ୍ଧିମାନ୍‍ମାନେ କୌଣସି କାର୍ଯ୍ୟକୁ ଭୟ କରନ୍ତି ନାହିଁ । ସଂଜୀବକ ଓ ପିଙ୍ଗଳକକ ମଧ୍ୟରେ ବିଭେଦ ସୃଷ୍ଟି କରିବା ସେପରି କିଛି କଷ୍ଟକର କାର୍ଯ୍ୟ ନୁହେଁ । ସିଂହ ଯେତେ ବଳବାନ୍ ହେଲେ ବି ଥରେ ସାମାନ୍ୟ ଗୋଟିଏ ଠେକୁଆ ଗୋଟିଏ ଦୁର୍ଦ୍ଦାନ୍ତ ବଳବାନ୍ ସିଂହକୁ ମାରିଦେଇଥିଲା ।" ।

 

କରଟକ ଆଶ୍ଚର୍ଯ୍ୟ ହୋଇ କହିଲା, “ତାହା କିପରି ସମ୍ଭବ ହେଲା ଦମନକ–“ତାହେଲେ ସାବାସ୍ ଠେକୁଆ” ଗଳ୍ପଟି କହୁଛି, ଶୁଣ ।”

Image

 

ସାବାସ୍ ଠେକୁଆ

 

Image

ସିଂହଟିଏ ଥାଏ । ନାଁ ତା’ର ଭାସୁରକ । ସିଂହ ତ ବଣର ରାଜା । ସେହି ବଣରେ ରହୁଥିବା ପଶୁମାନଙ୍କୁ ମନଇଚ୍ଛା ଶିକାର କରି ଭାସୁରକ ମାରି ଖାଉଥାଏ । ବଣର ପଶୁମାନଙ୍କ ସଂଖ୍ୟା କମି କମି ଆସୁଥାଏ । ସିଂହର ଏଭଳି ଅତ୍ୟାଚାରରେ, ପଶୁମାନେ ସର୍ବଦା ଭୟରେ ଥରହର ହେଉଥାନ୍ତି । ଦିନେ ସେମାନେ ସଭା କଲେ । ଆଲୋଚନା ଚାଲିଲା କିପରି ସେମାନେ ଏହି ବିପଦରୁ ରକ୍ଷା ପାଇବେ ।

 

ଶେଷରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ଗୃହୀତ ହେଲା–ରାଜାଙ୍କର ଖାଦ୍ୟ ପାଇଁ ପାଳି କରି ଦିନକୁ ଗୋଟିଏ ଲେଖାଏଁ ପଶୁ ପଠା ହେବ । ସେ ତାହାକୁ ଖାଇ କ୍ଷୁଧା ମେଣ୍ଟାଇବ ।”

 

ସିଂହ ପାଖକୁ ଏ ପ୍ରସ୍ତାବ ପଠାଗଲା । ସିଂହ ଏଥିରେ ରାଜି ହୋଇଗଲା। କାହାର କେଉଁଦିନ ପାଳି ପଡ଼ିବ । ସେହି ଭୟରେ ସମସ୍ତେ ଦିନ କାଟିଲେ । ସେହିଦିନଠାରୁ ପ୍ରତିଦିନ ପାଳି ଅନୁସାରେ ଗୋଟିଏ ଲେଖାଏଁ ପଶୁ ସିଂହର ଆହାର ପାଇଁ ତା’ ପାଖକୁ ଗଲେ । ପଶୁରାଜ ଭାସୁରକ ବିନା ପରିଶ୍ରମରେ ଗୁମ୍ଫାରେ ଆରାମରେ ବସି ବସି ପଶୁଟିକୁ ମାରି ଖାଏ । ଏହିପରି ଭାବରେ ବହୁତ ଦିନ ବିତିଗଲା ।

 

ଶେଷରେ ଦିନକର ଗୋଟିଏ ଦୁଢ଼ା ଠେକୁଆର ପାଳି ପଡ଼ିଲା । ବୁଢ଼ା ଠେକୁଆଟି ଆତ୍ମୀମାନଙ୍କ ଠାରୁ ବିଦାୟ ନେଇ ସିଂହଗୁମ୍ଫା ଆଡ଼କୁ ଚାଲିଲା ।

 

ବୁଢ଼ା ଠେକୁଆଟି ବିଡ଼ ଚିନ୍ତିତମନରେ ବାଟ ଚାଲୁଥାଏ । ଠେକୁଆ ମନେମନେ ଚିନ୍ତା କଲା–ସିଂହ ମୋତେ ମାରି ଖାଇବା ନିଶ୍ଚିତ । ତେଣୁ ଶୀଘ୍ର ଯାଇ ସିଂହକୁ ଖୁସି କରି କ’ଣ ବା ଲାଭ-! ବଂର ଭାବି ଦେଖେ, ଅତ୍ୟାଚାରୀ ସିଂହକୁ କେଉଁ ଉପାୟରେ ଜବତ୍ କରିହେବ । ଏହିପରି ଭାବୁ ଭାବୁ ବୁଢ଼ା ଠେକୁଆଟି ଅନ୍ୟମନସ୍କ ଭାବରେ ଗୋଟିଏ କୂଅ ନିକଟରେ ପହଞ୍ଚିଲା । ଆଉ ଟିକକେ ସେ କୂଅରେ ଗଳିପଡ଼ିଥାନ୍ତା । ସେ କୁଅ ଭିତରକୁ ଅନାଇଲା । କୂଅ ଭିତରେ ତା’ର ସୁନ୍ଦର ପ୍ରତିବିମ୍ବ ଦେଖୁଥିଲା । ପ୍ରତିବିମ୍ବକୁ ଦେଶ୍ ସେ ମନରେ ଗୋଟିଏ ଉପାୟ ପାଞ୍ଚି ପଶୁରାଜା ଭାସୁରକ ସିଂହର ଗୁମ୍ଫା ଦିଗରେ ଦୌଡ଼ିଲା ।

 

ଖାଇବାକୁ ଗଡ଼ିଯାଇଥିବାରୁ ଭାସୁରକ ଭୋକରେ ଆଉଟୁ ପାଉଟୁ ହେଉଥାଏ । ଏହି ସମୟରେ ବୁଢ଼ା ଠେକୁଆଟି ଭାସୁରକ ସାମନାରେ ପହଞ୍ଚିଲା । ଠେକୁଆକୁ ଦେଖି ଭାସୁରକ ରାଗରେ ନିଆଁବାଣ । ଏଡ଼ିକି ଟିକିଏ ଠେକୁଆ, ପୁଣି ବୁଢ଼ା ଠେକୁଆଟାଏ, ଏହାକୁ ଖାଇଲେ କ’ଣ ପେଟ ପୂରିବ ? ସେଥିରେ ପୁଣି ଆସୁଛି ଦ୍ୱିପ୍ରହରକୁ । ସିଂହଟି ଭୀଷଣ ରାଗିଯାଇ କହିଲା–ତୋର ଏତେ ଡେରି କାହିଁକି ହେଲା ।

 

ଠେକୁଆ–ସେହି କଥାଟା କହୁଛି, ମହାରାଜ । ବାଟରେ ଆସିଲା ବେଳେ ଆଉ ଗୋଟିଏ ସିଂହ ମୋତେ ଖାଇବା ପାଇଁ ଧରିଥିଲା ।

 

ଭାସୁରକ–କ’ଣ ହେଲା ? ମୋର ଖାଦ୍ୟକୁ ଅନ୍ୟ ଜଣେ ଖାଇବ ? ତା’ର ଏତେ ସାହସ ? କିଏ ସେହି ଦୁର୍ବୁତ ?

 

ଠେକୁଆ–ପ୍ରଭୁ, ମୁଁ ଶପଥ କରି କହୁଛି, ସିଏ ଦେଖିବାକୁ ଠିକ୍ ହଜୁରଙ୍କ ପରି । ଝରଣା କୂଳରେ ବରଗଛ ପାଖରେ ତା’ର ଘର । ସେ କହିଲା, “କୁଆଡ଼େ ଯାଉଛୁ ? ମୁଁ କହିଲି, “କାହିଁକି, ମୋର ଆଜି ପାଳି । ମୁଁ ମହାରାଜ ଭାସୁରକଙ୍କ ନିକଟକୁ ଯାଉଛି ।” ମୋ କଥା ଶୁଣି ସେ କହିଲା, “ଭାସୁରକ ମରିଯାଇଛି । ଆଜିଠାରୁ ମୁଁ ତୁମମାନଙ୍କର ରାଜା । ଏଣିକି ମୋ’ ପାଖକୁ ପାଳି କରି ଆସିବ ।” ସେ ମୋତେ ଏତେ ସମୟ ଅଟକାଇ ରଖିଲା । ମୁଁ ମହାରାଜାଙ୍କ ସଙ୍ଗେ ଦେଖାକରି ତା ନିକଟକୁ ଫେରିଯିବି–କଥା ଦେଈ ଆସିଛି ।

 

ଭାସୁରକ ସିଂହ ରାଗରେ କେଶର ଫୁଲାଇ ଉଠି ଠିଆ ହେଲା । ତା ପରେ ଭାସୁରକ ଏପରି ଜୋର୍‍ରେ ହୁଙ୍କାର ଦେଲା ଯେ, ବିଚରା ବୁଢ଼ା ଠେକୁଆ କାନ ତାବଦା ହୋଇଗଲା । ଫୁଟାଣି ଦେଖାଇ ଭାସୁରକ କହିଲା, "କେଉଁଠି ସେହି ବିଦ୍‌ମାସ୍‌ ଥିରେ ଦେଖାଇ ଦେ’ ତ ! ଆଜି ତା’ର ଦିନେକୁ ମୋର ଦିନେ ।

 

ଠେକୁଆ–ଚାଲନ୍ତୁ ହଜୁର ।

 

ଠେକୁଆ ଆଗେ ଆଗେ ବାଟ ଦେଖାଇ ଚାଲୁଥାଏ, ମୁରୁକି ମୁରୁକି ହସୁଥାଏ । ପଛେ ପଛେ ପଶୁରାଜା ଭାସୁରକ ସିଂହ ଗର୍ଜନ କରି କରି ଚାଲିଥାଏ । ସେମାନେ ଗୋଟିଏ ଦମ୍ଭରେ ଝରଣା କୂଳରେ ଥିବା ବରଗଛ ତଳେ ପହଞ୍ଚିଲେ ।

 

ଠେକୁଆ ଭାସୁରକକୁ ଚାହିଁ କହିଲା, “ମହାରାଜ, ଦେଖୁଛନ୍ତି ଦେଖୁଛନ୍ତି ? ଆପଣଙ୍କୁ ଦେଖି ସେହି ଦୁଷ୍ଟ ସିଂହ ସେହି କୂଅ ଭିତରେ ଲୁଚିଯାଇଛି । ମହାରାଜ, ଟିକିଏ ସାବଧାନ ରୁହନ୍ତୁ । ମୋତେ କିନ୍ତୁ ବଡ଼ ଡର ଲାଗୁଛି ।

 

ଭାସୁରକ କହିଲା, “ମୁଁ ପାଖରେ ଥିଲେ ତୋର କୌଣସି ଭୟ ନାହିଁ । ସେ ଭାବିଛି କୂଅ ଭିତରେ ଲୁଚି ରକ୍ଷା ପାଇଯିବ । କିନ୍ତୁ ମୁଁ ତାକୁ ଆଜି ଯମର ଘରକୁ ପଠାଇ ଛାଡୁ ନାହିଁ ।” ଏହା କହି ଭାସୁରକ କୂଅ ଧାରକୁ ଆସି ଆକ୍ରମଣ ପାଇଁ ଉଦ୍ୟତ ହେଲା । କୂଅର ପରିଷ୍କାର ସ୍ୱଚ୍ଛ ଜଳରେ ଭାସୁରକ ନିଜର ପ୍ରତିବିମ୍ବ ଦେଖି ତା’ର ମନେ ହେଲା, କୂଅ ଭିତରେ ଥିବା ଅନ୍ୟ ସିଂହଟି ମଧ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ରାଗରେ ଭାସୁରକ ହୁଙ୍କାର ଛାଡ଼ି କୂଅ ଭିତରେ ଥିବା ସିଂହଟାକୁ ଧରିବା ପାଇଁ କୂଅକୁ ଡେଇଁପଡ଼ିଲା । କିଛି ସମୟ କୂଅର ପାଣିରେ ଉବୁଟୁବୁ ହୋଇ ସେହି ଅତ୍ୟାହାରୀ ପଶୁରାଜ ସିଂହ ଭାସୁରକ ତଳକୁ ତଳକୁ ଚାଲିଲା, ଆଉ ଉଠିଲା ନାହିଁ । ।

 

ଭାସୁରକ ମଲାପରେ ବୁଢ଼ା ଠେକୁଆଟି ଆନନ୍ଦରେ ନାଚି ନାଚି ଘରକୁ ଫେରିବା । ବାଟରେ ଯାହାକୁ ଦେଖିଲା, ତାକୁ ଖବରଟି ଦେଲା । ସେତେବେଳେ ବଣର ସବୁ ପଶୁମାନେ କହିଲେ, “ସବାସ୍ ଠେକୁଆ’’ । ।

 

ଗଳ୍ପଟି ଶେଷକରି ଦମନକ କରଟକକୁ କହିଲା, “ବୁଝିଲ ବନ୍ଧୁ, ଏଇଥପାଇଁ ପଣ୍ଡିତମାନେ କହିଛନ୍ତି–ବୁଦ୍ଧି ଯାହାର ବଳ ତାହର, ନିର୍ବୁଦ୍ଧିଆର ବଳ କାହିଁ ? ।

 

କରଟକ କହିଲା, “ସେ ଯାହା ହେଉ, ତୁମେ କିନ୍ତୁ ସାବଧାନରେ କାର୍ଯ୍ୟ କରିବ । ବେଶି ଚାଲାକି ଦେଖାଇବ ନାହିଁ ।

 

ପଶୁରାଜ ପିଙ୍ଗଳକ ଓ ସଂଜୀବକଙ୍କ ମଧ୍ୟରେ କିପରି ଭେଦ ସୃଷ୍ଟି କରିବ । ସେହି ସୁଯୋଗ ଖୋଜିବାରେ ଲାଗିଳା ଦମନକ । କିନ୍ତୁ ସୁଯୋଗ କାହିଁ ? ଯେଉଁଠି ପିଙ୍ଗଳକ, ସେଇଠି ସଂଜୀବକ, ପୁଷ୍ଟି ଯେଉଁଠି ସଂଜୀବକ ସେଇଠି ପିଙ୍ଗଳକ । କାହାରିକୁ ଏକୁଟିଆ ପାଇବା ସମ୍ଭବ ନୁହେଁ ।

 

ଦମନକ କିନ୍ତୁ ନିରାଶ ହୁଏ ନାହିଁ କି ଚେଷ୍ଟାରୁ ବିରତ ହୁଏ ନାହିଁ । ବରଂ ଭୋକର ଦାଉରେ ଦମନକ ଯେତିକି ଅତିଷ୍ଠ ହେଉଥାଏ, ସେତିକି ନୂଆ ନୂଆ ଫନ୍ଦି ବାହାର କରୁଥାଏ ।

 

ଏମିତି ଗୋଟିଏ ଦିନ ଆସିଲା, ଦମନକକୁ ଅପୂର୍ବ ସୁଯୋଗ ମିଳିଗଲା । ଦମନକ ଦେଖିଲା ପଶୁରାଜ ପିଙ୍ଗଳକ ଏକା ଶୋଇରହି ଦେହକୁ ଚାଟିବାରେ ଲାଗିଛି । ଦମନକ ଭାବିଲା, ଏଇଟା ହଁ ସୁବର୍ଣ୍ଣ ସୁଯୋଗ । ଆଇ ଡେରି କାହିଁକି ? ସେ ଚାରିଦିଗକୁ ଚାହିଁଲା–ସଂଜୀବକର ଦେଖାନାହିଁ । ଆସ୍ତେ ଆସ୍ତେ ସେ ଆଗେଇଳା ପିଙ୍ଗଳକ ନିକଟକୁ ।

 

ଦମନକକୁ ଦେଖୁ ପିଙ୍ଗଳ କହିଲା, “ଆରେ, ମନ୍ତ୍ରୀ ଯେ । ଆସ ଆସ । ଖବର କ’ଣ କୁହ ।

 

ଦମନକ ମହାରାଜାଙ୍କର କୟ ହେଉ । ପ୍ରଭୁ, ରାଜ୍ୟର ସମସ୍ତ ଖବର ଭଲ । ପ୍ରଜାମାନେ ସୁଖ ଓ ଆନନ୍ଦରେ ଅଛନ୍ତି । କିନ୍ତୁ...

 

ପିଙ୍ଗଳିକ–କିନ୍ତୁ କ’ଣ ?

 

ଦମନକ–ମହାରାଜ ଯଦି ଅଭୟ ଦେବେ, ତେବେ କହିବି । ଶାସ୍ତ୍ରରେ ଅଛି, ମନ୍ତ୍ରୀ ରାଜାଙ୍କର ହିତାକାଂକ୍ଷୀ । ସମସ୍ତ ଖବର ସେ ରାଜାଙ୍କୁ ଜଣାଇବା ଉଚିତ ।

 

ପିଙ୍ଗଳକ-ମନ୍ତ୍ରୀ ତୁମର ଆଖି ଓ ମୁହଁର ଉତ୍‌କଣ୍ଠାର ଛାପ । କୌଣସି ଦୁଃସମ୍ୱାଦ ଥିଲେ ନିର୍ଭୟରେ କୁହ।

 

ଦମନକ–ପ୍ରଭୁ, ମହାରାଜାଙ୍କର ପରମବନ୍ଧୁ ସଂଜୀବକ ମହାରାଜାଙ୍କ ଉପରେ ଅସନ୍ତୁଷ୍ଟ-। ତାଙ୍କର ମତିଗତି ଭଲ ନୁହେଁ । ହଜୁର ଟିକିଏ ସାବଧାନ ରହିବେ । ।

 

ପିଙ୍ଗଳିକ ହସିଦେଇ କହିଳା, ‘‘ଓଃ, ଏଇ କଥା । ଯଦି ସେ କିଛି କହିଥାନ୍ତି, ତାହେଲେ ସେ ଥଟ୍ଟାରେ କହିଛନ୍ତି । ଦେଖ ମନ୍ତ୍ରୀ, ତୁମ ଅପେକ୍ଷା ସଂଜୀବକଙ୍କୁ ମୁଁ ଭଲକରି ଚିହ୍ନିଛି । ବନ୍ଧୁ ସଂଜୀବକ-ମୋର କିଛି ଅନିଷ୍ଟ କରିବେ ନାହିଁ ।"

 

ଦମନକ କହିଲା, “ମହାରାଜ, ଯାହା ଭଲ ଭାବୁଛନ୍ତି ତାହାହିଁ କରନ୍ତୁ । ମୁଁ ମୋର କର୍ତ୍ତବ୍ୟ କଲି । ଦେଖିବେ, ଅନାତ୍ମୀୟକୁ ଆତ୍ମୀୟ କରିବାକୁ ଯାଇ ଚଣ୍ଡରବର ଦଶା ଯେପରି ନ ହୁଏ ।"

 

ପିଙ୍ଗଳକ ଚଣ୍ଡରବ ବିଷୟରେ ଜାଣିବାକୁ ଚାହିଁଲା ।

 

ଦମନକ କାଳବିଳମ୍ବ ନକରି “ଚଣ୍ଡରବ ଶୃଗାଳ କଥା’’ ଶୁଣାଇଲା ।

Image

 

ଚଣ୍ଡରବ ଶୃଗାଳ କଥା

 

Image

ବିରାଟ ଏକ ଜଙ୍ଗଲି । ଜଙ୍ଗଲ ସୀମାକୁ ଲାଗି ନଈଟିଏ କୁଳୁକୁଳୁ ହୋଇ ବହିଯାଇଥାଏ-। ଜଙ୍ଗଲ ଓ ନଈ ମଝିରେ ଗୋଟିଏ ବଡ଼ ଗାତ ଭିତରେ ଶୃଗାଳଟିଏ ତା’ର ପିଲାମାନଙ୍କୁ ଧରି ବନ୍ଧୁବାନ୍ଧବଙ୍କ ସହ ରହୁଥିଲା । ମାଆ-ବାପା ତା’ର ନାଁ ଦେଇଥିଲେ–ଚଣ୍ଡରବ । କାରଣ ତା’ର ରାଗ ଥିଲା ପ୍ରଚଣ୍ଡ ।

 

ଦିନକର କଥା । ଚଣ୍ଡରବ କଙ୍କଡ଼ା ଖାଇବା ଲୋଭରେ ନଈର ଧାରେ ଧାରେ ଚାଲିଥାଏ । ଏମିତି ଯାଉ ଯାଉ ସେ ଗୋଟିଏ ଗାଁ ମୁଣ୍ଡରେ ପହଞ୍ଚିଲା । କଙ୍କଡ଼ା ଖାଇବା ଚିନ୍ତାରେ ଚଣ୍ଡରବ ଏତେ ମସ୍‍ଗୁଲ ଥିଲା ଯେ, ସେ କେତେବାଟ ଆସିଲାଣି, କେଉଁଠି ପହଞ୍ଚିଲାଣି, ଜାଣିପାରୁ ନ ଥାଏ । ତାକୁ ଦେଖି ପଲେ କୁକୁର ତାରି ଆଡ଼କୁ ଦୌଡ଼ିଆସିଲେ ।

 

ସେତେବଳକୁ ଯାଇ ଚଣ୍ଡରବ ମନରେ ଚିନ୍ତା ପଶିଲା । ସେ କ’ଣ କରିବି ଭାବି ନ ପାରି ଏକମୁହାଁ ପାଖ ଗାଁ ଭିତରେ ପଶିଗଲା । ଗାଁ ଦାଣ୍ଡ ଭିତରେ . ଲାଞ୍ଜଟାକୁ ଟେକି ଚଣ୍ଡରବ ପ୍ରାଣ ବିକଳରେ ଦୌଡ଼ିବାକୁ ଲାଗିଲା ।

 

ଚଣ୍ଡରବ ଯୁଆଡ଼େ ଦୌଡୁଥାଏ, କୁକୁରମାନେ ପିଛା ଧରି ଦୌଡୁଥାନ୍ତି । ବିଚରା ଚଣ୍ଡରବ ନିରୁପାୟ ଓ ପଥଭ୍ରଷ୍ଟ ହୋଇ ଦୌଡ଼ି ଦୌଡ଼ି ଗାଁ ମଝିରେ ପହଁଞ୍ଚିଲା । ଗାଁ ମଝିରେ ପହଁଞ୍ଚି ଚଣ୍ଡରବର ବିପଦ ବଢ଼ିଗଲା । ଗାଁର ଲୋକମାନେ ଚଣ୍ଡରବକୁ ଦେଖି ଠେଙ୍ଗା ଧରି ଗୋଡ଼ାଇଲେ ।

 

ଏହି ପରି ପ୍ରାଣାନ୍ତକ ଅବସ୍ଥାରେ ଚଣ୍ଡରବ ଦୌଡ଼ି ଦୌଡ଼ି ଗୋଟିଏ ଧୋବାତୁଠରେ ପହଁଞ୍ଚିଲା । ଧୋବା ତୁଠରେ ନୀଳଜଳପୂର୍ଣ୍ଣ ମସ୍ତ ଏକ କୁଣ୍ଡ ଥିଲା । ଚଣ୍ଡରବ ଦୌଡ଼ି ଦୌଡ଼ି ତା ଭିତରକୁ ଗଳିପଡ଼ିଲା । ‘ଶାପେ ବର’ ପରି ଏହା ଚଣ୍ଡରବ ପାଇଁ ଭଲ ହେଲା । ଚଣ୍ଡରବ ନାକଟାକୁ ଉପରକୁ ସମଗ୍ର ଶରୀରକୁ ନୀଳ ଜଳରେ ବୁଡ଼ାଇ କୁଣ୍ଡ ଭିତରେ ବସିରହିଲା । କୁକୁରମାନେ ଚଣ୍ଡରବକୁ ଦେଖି ନ ପାରି ଭୋ ଭୋ ରଡ଼ି ଛାଡ଼ି ଏଣେତେଣେ ଅନାଇ ଅନାଇ ନିରାଶ ହୋଇ ଫେରିଗଲେ ।

 

ଏଣେ ନୀଳଜଳପୂର୍ଣ୍ଣ କୁଣ୍ଡ ଭିତରେ ବସି ବସି ଚଣ୍ଡରବ ଭାବୁଥାଏ, ଧୋବାମାନେ ଆସିଗଲେ ଆଉ ରକ୍ଷାପାଇବା ଅସମ୍ଭବ । ଦେଖୁ ଦେଖୁ ସନ୍ଧ୍ୟା ହେଲା । ସୁବିଧା ଦେଖି ଚଣ୍ଡରବ କୁଣ୍ଡରୁ ବାହାରି ଦେଲା ଦୌଡ଼ । ପ୍ରାଣଦିକଳରେ ଦୌଡ଼ି ଦୌଡ଼ି ଆସି ଜଙ୍ଗଲରେ ନିଜ ଆତ୍ମୀୟମାନଙ୍କ ନିକଟରେ ପହଞ୍ଚିଲା । ଏବେ ଚଣ୍ଡରବ ଶରୀରର ରଙ୍ଗ ଗାଢ଼ ନୀଳବର୍ଣ୍ଣ, କିନ୍ତୁ ଦେଖୁବାକୁ ବିଲୁଆପରି । ଏପରି ଏକ ବିଚିତ୍ର ଜନ୍ତୁକୁ ଜଙ୍ଗଳରେ ଦେଖି ଜଙ୍ଗଲର ପଶୁମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେବାକୁ ଲାଗିଲେ–‘‘କିଏ ଜାଣେ, ଏ କେଉଁ ଏକ ଭୀଷଣ ଜନ୍ତୁ ! ଜନ୍ମରୁ ତ ଆମେ ଏପରି ପଶୁ ଦେଖି ନାହୁଁ-

 

ଜଙ୍ଗଲର ପଶୁମାନଙ୍କର ହାବଭାବ ଦେଖି ଚଣ୍ଡରବ ଲକ୍ଷ୍ୟ କଲା ଯେ, ଜଙ୍ଗଲର ପଶୁମାନେ ତାକୁ ଚଣ୍ଡରବ ବୋଲି ଚିହ୍ନିପାରୁ ନାହାନ୍ତି । ବରଂ ସିଂହ, ବାଘ, ଚିତାବାଘ ପ୍ରଭୃତି ତାକୁ ଦେଖୁ ଭୟ କରୁଛନ୍ତି ।

 

ଦିନେ ଜଙ୍ଗଳର ସମସ୍ତ ପଶୁ ଦଳବଦ୍ଧ ହୋଇ କହିଲେ, "ପ୍ରଭୁ, ଅପଣ କିଏ ? ଆପଣ କେଉଁଠାରୁ ଆସିଛନ୍ତି ?

 

ଚଣ୍ଡରବ ମନେ ମନେ ଖୁସି ହୋଇ ଗମ୍ଭୀରଭାବରେ କହିଲା, “ମୁଁ ସ୍ଵର୍ଗରୁ ଆସିଛି । ମୋର ନାମ କକୁଦ୍ଦ୍ରୁମ । ସ୍ଵୟଂ ବ୍ରହ୍ମା ମୋତେ ସୃଷ୍ଟିକରି ଏଠାକୁ ପଠାଇଛନ୍ତି । ସେ କହିଛନ୍ତି, ହେ କକୁଦ୍ଦ୍ରୁମ, ପଶୁମାନଙ୍କର ରାଜା ନାହାନ୍ତି । ତୁମେ ଯାଇ ସେମାନଙ୍କୁ ପାଳନ କର ।”

 

କକୁଦ୍ଦ୍ରୁମର କଥା ଶୁଣି ବନ୍ୟଜନ୍ତୁମାନେ ଏକ ସ୍ୱରରେ କହିଉଠିଲେ, “ମହାରାଜ କକୁଦ୍ଦ୍ରୁମଙ୍କର ଜୟ, ମହାରାଜ କକୁଦ୍ଦ୍ରୁମଙ୍କର ଜୟ । ମହାରାଜ, ଆମେ ସମସ୍ତେ ଆପଣଙ୍କର ପ୍ରଜା। ଆମ୍ଭେମାନେ ଆପଣଙ୍କର ଆଜ୍ଞାବହ ଭୃତ୍ୟ ।

 

କକୁଦ୍ଦ୍ରୁମଙ୍କର ସ୍ମିତହାସ୍ୟ କରି ପ୍ରଜାମାନଙ୍କର ଅଭିବାଦନ ଗ୍ରହଣ କଲା । ଏବେ ଚଣ୍ଡରବ ପୂର୍ବ ଚଣ୍ଡରବ ନୁହେଁ । ଏବେ ସେ ନୀଳବର୍ଣ୍ଣ ପଶୁରାଜା କକୁଦ୍ଦ୍ରୁମଙ୍କ । ଏଣିକ କକୁଦ୍ଦ୍ରୁମ ସୁଖରେ ରାଜତ୍ୱ କରିବାକୁ ଲାଗିଲା । ବାଘ ସିଂହ ପ୍ରଭୃତି ଭଲ ଭଲ ଶିକାର କରି ରାଜା କକୁଦ୍ଦ୍ରୁମଙ୍କୁ ଉପହାର ଦେଉଥାନ୍ତି । କକୁଦ୍ଦ୍ରୁମ ସେଥିରୁ ଅଳ୍ପ କିଛି ଖାଇ ବାକିସବୁ ବାଣ୍ଟିଦିଅନ୍ତି । ପ୍ରଜାମାନେ ପ୍ରସାଦ ପାଆନ୍ତି ।

 

ଦିନେ ଭାଜସଭା ଚାଲିଥାଏ । ମହାରାଜ କକୁଦ୍ଦ୍ରୁମ ଓରଫ ନୀଳବର୍ଣ୍ଣ ଚଣ୍ଡରବ ରାଜସଭ।ରେ ବସିଥାନ୍ତି । ବାଘ, ସିଂହ, ଗଧିଆ ପ୍ରଭୃତି ମହାରାଜା କକୁଦ୍ଦ୍ରୁମଙ୍କ ଚତୁର୍ଦ୍ଦିଗରେ ଘେରି ବସିଥାନ୍ତି । ସନ୍ଧ୍ୟା ନଇଁଆସୁଥାଏ । ସଭା କାର୍ଯ୍ୟ ଶେଷପ୍ରାୟ। ପଶୁମାନେ ସମସ୍ତେ ଉଠ ଉଠ ହେଉଥାନ୍ତି । ଏହି ସମୟରେ ଦଳ ବିରୁଆ ଦୂରରୁ ଭୁକିଉଠିଲେ–ହୁକେ ହୋ, ହୁକେ ହୋ, ହୁକେ ହୋ...

 

ସ୍ୱଜାତିର ଭାବ ଶୁଣି କକୁଦ୍ଦ୍ରୁମ ଇତସ୍ତତଃ ହେବାକୁ ଲାଗିଲା । କୌଣସିମତେ ସେ ନିଜକୁ ସମ୍ଭାଲିନେଲା । ବିଲୁଆମାନେ ପୁଣି ଭୁକିଲେ-ହୁକେ ହୋ, ହୁକେ ହୋ...

 

କକୁଦ୍ଦ୍ରୁମ ଆଉ ନିଜକୁ ସମ୍ଭାଳିପାରିଲା ନାହିଁ । ସେ କାନକୁ ଠିଆ ଠିଆ କରି ଉଠିପଡ଼ିଲା-। ସଭାରେ କୌତୁହଳ ସୃଷ୍ଟି ହେଲା । ଉପସ୍ଥିତ ପଶୁମାନେ ପରସ୍ପରର ମୁହଁକୁ ଚାହିଁବାକୁ ଲାଗିଲେ-

 

ବିଲୁଆମାନେ ପୁଣି ହୁକିରେ–ହୁକେ ହୋ, ହୁକେ ହୋ.. ।

 

ଜାତି, ଧର୍ମ ଓ ସ୍ଵଭାବକୁ ଆଉ ଲୁଚାଇବା ସମ୍ଭବ ହେଲା ନାହିଁ । ଜ୍ଞାତିକୁଟୁମ୍ବଙ୍କର ଡାକ ଶୁଣି କକୁଦ୍ଦ୍ରୁମ ବଡ଼ପାଟିରେ ଭୁକିଉଠିଲା–ହୁକେ ହୋ, ହୁକେ ହୋ...

 

“ଆରେ ଆରେ ମିଥ୍ୟବାଦୀ ପ୍ରବଞ୍ଚକ ବିଲୁଆ, ଏହା କହି ବାଘ, ଭାଲୁ, ସିଂହ ପ୍ରଭୃତି ମହାରାଜ କକୁଦ୍ଦ୍ରୁମ ଓରଫ୍ ଚଣ୍ଡରକ ଉପରକୁ ଝାମ୍ପିପଡ଼ି ତାକୁ ଖଣ୍ଡ ଖଣ୍ଡି କରିଦେଲେ ।

 

ଗଳ୍ପ ଶେଷକରି ଦମନକ ପଶୁରାଜ ପିଙ୍ଗଳକଙ୍କୁ କହିଲା, ‘‘ମହାରାଜ, ଆତ୍ମୀୟମାନଙ୍କୁ ଛାଡ଼ି ଅନାତ୍ମୀୟଙ୍କୁ ଆତ୍ମୀୟ କଲେ ଚଣ୍ଡରବ ପରି ବିନାଶ ହେବାକୁ ପଡେ । ଆପଣଙ୍କର ଅତୀବ ପ୍ରିୟ ବିଶ୍ୱସ୍ତ ବନ୍ଧୁ ସଂଜୀବକ ଆଜି ମୋତେ କହିଛନ୍ତି–ତୁମ ରାଜାଙ୍କ ସଙ୍ଗେ ମିଶି ତାଙ୍କର ବଳ-ପରାକ୍ରମ ଜାଣିପାରିଛି। କାଲି ସକାଳୁ ତାଙ୍କୁ ମାରିବି ।

 

ଦମନକର ଚାଲାକିପୂର୍ଣ୍ଣ କଥା ଶୁଣି ପିଙ୍ଗଳକ ଭାବିଲା–ହୋଇପାରେ, ଦମନକର କଥା ଠିକ୍‌ । କିଏ ଜାଣେ, କାହା ପେଟରେ କ’ଣ ଅଛ ? ତେବେ ପିଙ୍ଗଳକ ଦମନକର କଥାଟାକୁ ସଂପୂର୍ଣ୍ଣ ବିଶ୍ୱାସ କରିପାରିଲା ନାହିଁ । ସତରେ କ’ଣ ସଂଜୀବକ ତାକୁ ବଧ କରିବ ?

 

ପିଙ୍ଗଳକକୁ ଚିନ୍ତିତ ଦେଖି ଦମନକ କହିଲା, ‘‘ମହାରାଜ ମୋ’, କଥାରେ ବିଶ୍ୱାସ କରି ଲାଭ କ’ଣ ? ମହାରାଜା ନିଜେ କାଲି ସକାଳୁ ଦେଖିବେ, ସଂଜୀବକ ଆଉ ଆଗପରି ମହାରାଜଙ୍କ ସଙ୍ଗେ ବ୍ୟବହାର କରୁନାହିଁ । ହଜୁର କାଲି ଲକ୍ଷ୍ୟ କରିବେ, ତା’ର ଆଖୁଦୁଇଟି ମନ୍ଦାରଫୁଲ ପରି ଲାଲ ଏବଂ ସେ ଘନ ଘନ ମଣିମାଙ୍କ ଆଡ଼କୁ ଅନାଇ ଆକ୍ରମଣର ସୁଯୋଗ ଖୋଜୁଛି । ହଜୁରଙ୍କ ନିକଟରେ ମୋର ପ୍ରାର୍ଥନା–ମହାରାଜା ସଂଜୀବକକୁ ଆଗେ ଆକ୍ରମଣର ସୁଯୋଗ ନ ଦେଇ ହଜୁର ତାକୁ ଆଗ ଆକ୍ରମଣ କରିବେ ।’’

 

ପିଙ୍ଗଳକ ଭାବିବାକୁ ଲାଗିଲା, ‘‘ଏହା କିପରି ସମ୍ଭବ ? ହଜୁରଙ୍କ ନିକଟରୋ ମୋର ପ୍ରାର୍ଥନା-ମହାରାଜ, ସଂଜୀବକକୁ ଆଗେ ଆକ୍ରମଣରୁ ସୁଯୋଗ ନ ଦେଇ ହଜୁର ତାକୁ ଆଗ ଆକ୍ରମଣ କରିବେ ।’’

 

ପିଙ୍ଗଳକ ଭାବିବାକୁ ଲାଗିଲା, ‘‘ଏହା କିପରି ସମ୍ଭବ ? ବନ୍ଧୁ ଯତେ ଅନିଷ୍ଟ କଲେ ବି ମୁଁ କ’ଣ ତାକୁ ହତ୍ୟା କରିପାରିବି ? ଶାସ୍ତ୍ରରେ ଅଛି, ବରଗଛ ଯିଏ ଲଗାଏ, ସିଏ ତା’ର ହାତରେ କାଟେ ନାହିଁ ।’’

 

ଦମନକୁ ପୁଣି କହିଲା ‘‘ମହାରାଜ, କପଟୀ ବନ୍ଧୁ ସାଙ୍ଗରେ ଉତ୍ତମ ବ୍ୟବହାର ଶୋଭାପାଏ ନାହିଁ । ସଂଜୀବକକୁ ବିନାଶ ନ କଲେ ହଜୁରଙ୍କର ହିଁ ବିପଦ । ପିଙ୍ଗଳକ ଭୀତତ୍ରସ୍ତ ଓ ଚିନ୍ତିତ୍ତ ହୋଇ କହିଲା, ମନ୍ତ୍ରୀ, ତୁମର କଥା ହିଁ ଠିକ୍ । କାଲି ସକାଳୁ ତା ସାଙ୍ଗରେ ମୋର ଶକ୍ତି-ପରୀକ୍ଷା ହେବ ।”

 

ମହାମାନ୍ୟ ମହାରାଜ ପିଙ୍ଗଳକଙ୍କ ନିକଟରୁ ବିଦାୟ ନେଇ ଦମନକ ଖୁସି ମନରେ ସଂଜୀବକ ପାଖରେ ପହଞ୍ଚିଲା ।

 

ସଂଜୀବକ ନିକ ଆସ୍ଥାନରେ ଶୋଇରହି ନିଶ୍ଚିନ୍ତ ମନରେ ପାକୁଳି କରୁଥାଏ । ଦୁରରୁ ଦମନକୁ ଆସୁଥିବାର ଦେଖି ସଂଜୀବକ ଡ଼ାକପକାଇ କହିଲା, “ଆସ ବନ୍ଧୁ, ଆସ । ଅନେକ ଦିନ ପରେ ଦେଖା । ଭଲ ଅଛ ତ ବନ୍ଧୁ ?"

 

ଦମନକ କହିଲା, ‘ଭଲ ଅଛି ବନ୍ଧୁ । କିନ୍ତୁ ମୋର ରହିବା ନ ରହିବା ସମାନ କଥା । ତେଣେ ଗୁରୁତର ରାଜକାର୍ଯ୍ୟର ଦାୟିତ୍ଵ ମୁଣ୍ଡାଇଛି । ଏଣେ ତୁମେ ମୋର ବିଶେଷ ବନ୍ଧୁ । ତୁମର ଉପକାର ନ କରି ରହିବା ବି ସମ୍ଭବ ନୁହେଁ ।

 

‘‘ସେ ତ ଠିକ୍ କଥା ! ରାଜକାର୍ଯ୍ୟ ବଡ଼ କଠିନ ।" କହିଲା ସଂଜୀବକ ।

 

ଦମନକ–ସୁଧୁ ରାଜକାର୍ଯ୍ୟ ନୁହେଁ, ସାଂସାରିକ କାର୍ଯ୍ୟ ମଧ୍ୟ କରୁଛି । ବନ୍ଧୁ ପ୍ରତି କର୍ତ୍ତବ୍ୟ ବିଷୟ ତ ଭୁଲିପାରିବି ନାହିଁ। ତୁମେ ମୋର ବିଶେଷ ବନ୍ଧୁ ହିସାବରେ ତୁମ ପ୍ରତି ତ ମୋର କର୍ତ୍ତବ୍ୟ ଅଛି । ତୁମର ଉପକାର ନ କରି ରହିପାରିବି ନାହିଁ ।

 

ସଂଜୀବକ–ବନ୍ଧୁ ଦମନକ, ତୁମର ଉପକାର ଜୀବନରେ ଭୁଲିପାରିବି ନାହିଁ । ତୁମେ ହିଁ ମୋତେ ରକ୍ଷା କରିଛ ।

 

ଦମନକ (ହତାଶ ଭାବ ଦେଖାଇ) ବନ୍ଧୁ ସଂଜୀବକ, ଏବେ ତୁମକୁ ରକ୍ଷା କରିବା ମୋ ପକ୍ଷରେ ସମ୍ଭବ ନୁହେଁ ।

 

ସଂଜୀବକ–(ଭୟଭୀତ ହୋଇ) “କାହିଁକି ? କ’ଣ ହୋଇଛି ବନ୍ଧୁ ?”

 

ଦମନକ–“ତୁମେ କ’ଣ ଏ ପର୍ଯ୍ୟନ୍ତ କଥାଟା ଶୁଣିନାହଁ ?’’

 

ସଂଜୀବକ–କେଉଁ କଥା, ବନ୍ଧୁ ?

 

ଦମନକ–(ଚୁପ୍ ଚୁପ୍ କରି) ମହାରାଜ ପିଙ୍ଗଳକ ତୁମ ଉପରେ ରାଗିଛନ୍ତି । କହୁଥଲେ, ବୋକା ବଳଦଟାକୁ ଏବେ ଭଲକରି ଚିହ୍ନିଲି । ବେଶୀ ମୋଟାମୋଟି ହୋଇଛି । କାଲି ପୂଜାରେ ତାକୁ ମୋଡ଼ିମାଡ଼ି ଖାଇବି ।

 

ଦମନକର କଥା ଶୁଣି ସଂଜୀବକ ମୁଣ୍ଡରେ ସତେ ଯେପରି ବଜ୍ରାଘାତ ହେଲା । ସେ ମୂର୍ଚ୍ଛା ଗଲା ! ମୂର୍ଚ୍ଛା ଭାଙ୍ଗିଲା ପରେ ସେ କହିଲା, "ବନ୍ଧୁ ଦମନକ, ଏପରି ଯେ କେବେ ଘଟିବ, ମୁଁ ସ୍ୱପ୍ନରେ ବି ଭାବି ନଥିଲି । ଋଷିମାନେ ଠିକ୍ ହିଁ କହିଲେ ସମୁଦ୍ରର ଗଭୀରତାକୁ ଜାଣିବା ସହଜ, କିନ୍ତୁ ରାଜାଙ୍କ ମନର ଗଭୀରତା ଜାଣିବା ସହଜ ନୁହେଁ ।

 

ଦମନକ କହିଲା–"ବନ୍ଧୁ, ଋଷିମାନେ ସତକଥା କହିଯାଇଛନ୍ତି । ମୁଁ ମଧ୍ୟ ମହାରାଜାଙ୍କୁ କହିଥିଲି । ବନ୍ଧୁ ସାଙ୍ଗରେ ବିଶ୍ୱାସଘାତକତା ନ କରିବା ପାଇଁ । ବ୍ରହ୍ମ ହତ୍ୟା କରି ପ୍ରାୟଶ୍ଚିତ୍ତ କଲେ ପାପ କଟି ଯାଏ । କିନ୍ତୁ ବନ୍ଧୁ ସାଙ୍ଗରେ ବିଶ୍ୱାସଘାତକତା କଲେ ପ୍ରାୟଶ୍ଚିତ୍ତ ନାହିଁ । କିଏ କାହା କଥା ଶୁଣୁଛି । ତେଣୁ ମୋର ଉପଦେଶ, ତୁମେ ଏ ବଣ ଛାଡ଼ି ପଳାଇଯିବା ଉଚିତ ।

 

ସଂଜୀବକ କହିଲା, ‘‘ବନ୍ଧୁ, କପାଳରେ ଯଦି ମରଣଯୋଗ ଥିବ, ତେବେ ପଳାଇ ଗଲେ ବି ମରଣ ହେବ ହିଁ ହେବ । ସିଂହର ବନ୍ଧୁ ସେହି ଓଟର ଅବସ୍ଥା କଣ ହୋଇଥିଲା ? ବନ୍ଧୁତାର ଫଳସ୍ୱରୂପ ତାକୁ ପ୍ରାଣ ଦେବାକୁ ପଡ଼ିଥିଲା ।

 

ଦମନକ ପଚାରିଲା, “ଘଟଣାଟା କ’ଣ, ଖୋଲିକରି କୁହ, ଶୁଣିବା ।" ତାପରେ ସଂଜୀବକ କପଟୀ ବନ୍ଧୁ” ? ଗଳ୍ପଟି ଦମନକକୁ ଶୁଣାଇଲା ।

Image

 

କପଟୀ ବନ୍ଧୁ

 

Image

ଗୋଟିଏ ଅଗନା ଅଗନି ବନସ୍ତରେ ସିଂହଟିଏ ଥିଲା । ନାମ ତା’ର ମଦୋତ୍‌କଟ ।

 

ସେହି ବଣରେ ମଦୋତ୍‌କଟ ପରି ପରାକ୍ରମଶାଳୀ ସିଂହ ନ ଥିଲେ । ବଣର ସମସ୍ତ ପଶୁ ତାକୁ ଡରିମରି ଚଳୁଥିଲେ । ସେହି ପରାକ୍ରମଶାଳୀ ମଦୋତ୍‌କଟ ନାମକ ସିଂହର ତିନି ବନ୍ଧୁ ଥିଲେ । ଗୋଟିଏ ଗଧିଆ, ଗୋଟିଏ ବିଲୁଆ ଓ ଗୋଟିଏ କୁଆ । ମଦୋତ୍‌କଟ ଯେପରି ଭୟଙ୍କର, ତା’ର ତିନି ବନ୍ଧୁ ସେହିପରି କପଟୀ ।

 

ଦିନେ ଗୋଟିଏ ଓଟ ବାଟ ଭୁଲି ନିଜ ଦଳଛଡ଼ା ହୋଇ ବୁଲୁଥୁବାର ମଦୋତ୍‌କଟ ଓ ତା’ର ତିନିବନ୍ଧୁ ଦେଲେ । ମଦୋତ୍‌କଟ କହିଲା, “ବନ୍ଧୁଗଣ, ଏହି ନିରୀହ ଜୀବଟି ଆମର ଅତିଥି । ଆମେ ତାକୁ ସାଙ୍ଗରେ ରଖିବ । ତୁମ୍ଭେମାନେ ରାଜି ତ ?”

 

ତିନିବନ୍ଧୁ ଏକ ସ୍ୱରରେ କହିଉଠିଲେ, “ନିଶ୍ଚୟ, ନିଶ୍ଚୟ । ଆପଣଙ୍କର ଇଚ୍ଛା, ଆମ ଇଛା-। ଆମେ ସମସ୍ତେ ରାଜି ।

 

ତା ପରେ ମଦୋତ୍‌କଟ ତା’ର ତିନିବନ୍ଧୁ ଗଧିଆ, ବିଲୁଆ ଓ କୁଆକୁ ସାଙ୍ଗରେ ଧରି ଓଟ ନିକଟକୁ ଯାଇ ତାକୁ ବନ୍ଧୁରୂପେ ଗ୍ରହଣ କଲା।

 

ମଦୋତ୍‌କଟ ଓ ତା’ର ତିନି ବନ୍ଧୁଙ୍କର ବ୍ୟବହାରରେ ମୁଗ୍ଧ ହୋଇ ଓଟ କହିଲା, ‘‘ମୁଁ ସଦାସର୍ବଦା ଆପଣମାନଙ୍କର ବନ୍ଧୁତ୍ୱ ରକ୍ଷା କରିବି ।"

 

ତା ପରେ ସମସ୍ତେ ମିଶି ଶପଥ କଲେ–ଆମେ ପାଞ୍ଚଜଣ ବନ୍ଧୁ ଏକାଠି ରହିବା । ବିପଦରେ ପରସ୍ପରକୁ ସାହାଯ୍ୟ କରିବା । ଆମ୍ଭମାନଙ୍କ ମଧ୍ୟରେ କେବେହେଲେ ମନ ଫଟାଫଟି ହେବାକୁ ଦେବା ନାହିଁ । ଆମେ କେବେହେଲେ ପରସ୍ପର ମଧ୍ୟରେ କଳି କରିବା ନାହିଁ ।

 

ସେହିଦିନ ଠାରୁ ପାଞ୍ଚବନ୍ଧୁ ସୁଖରେ ଏକାଠି ରହିଲେ ।

 

ସୁଖରେ ସେମାନଙ୍କର ଦିନ ଗଡ଼ିଚାଲିଲା । ଦିନେ ଗୋଟିଏ ପାଗଳା ହାତୀ ସାଙ୍ଗରେ ମଦୋତ୍‌କଟର ଲଢ଼େଇ ହେଲା । ଦୁହିଁଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥାଏ । କିଏ ଜିତିବ, କିଏ ହାରିବ, କହିବା କଷ୍ଟ । ଏହି ସମୟରେ ପାଗଳା ହାତୀଟି ତା’ର ଦାନ୍ତରେ ମଦୋତ୍‌କଟର ଛାତିକୁ ଏମିତି ଏକ ଭୁସି ଦେଲା ଯେ, ମଦୋତ୍‌କଟ ନାମକ ସେହି ପରାକ୍ରମୀ ସିଂହଟି ‘ବାପକୁ ମଉସା’ କହି ଲାଙ୍ଗୁଡ଼ ଜାକି ଯୁଦ୍ଧକ୍ଷେତ୍ର ଛାଡ଼ି ପଳାଇଲା । ସେହିଦିନରୁ ମଦୋତ୍‌କଟ ଶଯ୍ୟାଶାୟୀ ହୋଇ ପଡ଼ିରହିଲା । ଆଉ ଚଲାବୁଲା କରିବା ଓ ଶିକାର କରିବାକୁ ତା’ର ଶକ୍ତି ପାଇଲା। ନାହିଁ ।

 

ଶିକାର ଅଭାବରୁ ଖାଇବାକୁ ନ ପାଇ ମଦୋତ୍‌କଟ ଉପବାସରେ ପଡ଼ିରହିଲା । ମନ୍ଦୋତ୍‌କଟ ଶିକାର ବନ୍ଦ କରିଦେବାରୁ ତା’ର ପ୍ରଥମ ତିନିବନ୍ଧୁ ଗଧିଆ, ବିଲୁଆ ଓ କୁଆକୁ ମଧ୍ୟ ଖାଇବାକୁ ମିଳିଲା ନାହିଁ । ସେମାନେ ବି ଉପବାସରେ କାଳ କାଟିଲେ । ଆଜିପର୍ଯ୍ୟନ୍ତ ସେମାନେ ମଦୋତ୍‌କଟର ଚଳୁଥିବା ଖାଦ୍ୟକୁ ପ୍ରସାଦରୂପେ ପାଇ ଚଳୁଥିଲେ । ଓଟ ଶାକାହାରୀ ହେତୁ ତା’ର ଖାଦ୍ୟକଷ୍ଟ ନଥିଲା । ତେବେ ବି ବନ୍ଧୁମାନେ ଉପବାସରେ ରହୁଥିବାରୁ ସେ ମନସ୍ତାପରେ ଥିଲା ।

 

ଦିନେ ସକାଳୁ ସକାକୁ ଓଟ ଘାସର ସନ୍ଧାନରେ ବାହାରିଗଲା । ସେହି ସୁଯୋଗରେ ତିନିବନ୍ଧୁ ଗଧିଆ, ବିଲୁଆ ଓ କୁଆ ଏକତ୍ର ହୋଈ ମନ୍ଦୋତ୍‍କଟକୁ କହିଲେ, “ମହାରାଜ, ଯଦିଓ ଭୋକରେ ଆମର ପ୍ରାଣ ଯିବା ଉପରେ, ତଥାପି ଆପଣଙ୍କର କଷ୍ଟ ଆମେ ଆଉ ସହ୍ୟ କରିବା ସମ୍ଭବ ନୁହେଁ । ଆପଣଙ୍କ ଛାତିକ୍ଷତର ଯନ୍ତ୍ରଣା, ତା ସାଙ୍ଗକୁ କ୍ଷୁଧାରି ଯନ୍ତ୍ରଣା ଅସହ୍ୟ। ଆମର ଏକାନ୍ତ ଅନୁରୋଧ ମହାରାଜ ଏହି ତୃଣ ଭୋଜୀ ଓଟକୁ ଖାଇ ପ୍ରାଣରକ୍ଷ। କରନ୍ତୁ ।" ।

 

ମଦୋତ୍‌କଟ କହିଲା, “ଛି, ଛି । ଏପରି ପାପକଥା ତୁମେମାନେ ମୁହଁରେ ଧର ନାହିଁ । ଯେତେହେଲେ ଓଟ ଆମମାନଙ୍କର ବନ୍ଧୁ । ନ ଖାଇ ପ୍ରାଣ ଯାଉ ପଛକେ, ବନ୍ଧୁକୁ ଖାଇ ପ୍ରାଣ ବଞ୍ଚାଇବାର ଇଚ୍ଛା ଓ ଆଗ୍ରହ ମୋର ନାହିଁ ।"

 

କୁଆ, ବିଲୁଆ ଓ ଗଧିଆ କହିଲେ, “ହଜୁର, ତାହେଲେ ଆମେମାନେ ଶିକାର ସନ୍ଧାନରେ ଯାଉଛୁ । ଯଦି କିଛି ଶିକାର ମିଳିଯାଏ, ତେବେ ହଜୁରଙ୍କର ତ ଚଳିଯିବ ।’’

 

ତିନିବନ୍ଧୁ ଶିକାର ଉଦେଶ୍ୟରେ ବାହାରିପଡ଼ିଲେ । କିଛି ବାଟ ଗଲାପରେ କୁଆ କହିଲା, ‘ଦେଖ, ଦେଖ ଭାଇମାନ, ଓଟ କିମିତି ଆରାମରେ ଖାଇପିଇ ପାକୁଳି କରି କରି ମଦୋତ୍‌କଟ ପାଖକୁ ଯାଉଛି ।"

 

ଗଧିଆ କହିଲା, ‘‘ଆମ୍ଭେମାନେ ନ ଖାଇ ଯେତିକି ଯେତିକି ଶୁଖିଯାଉଛୁ, ବେଶ୍ ଖାଇପିଇ ଓଟ ସେତିକି ସେତିକି ମୋଟେଇଯାଉଛି । ‘‘

 

ବିଲୁଆ କହିଲା, “ଭାଇମାନେ, କ’ଣ ଗୋଟାଏ ଉପାୟ କରି ଓଟଟାକୁ । ଖାଇବା ।

 

କୁଆ କହିଲା, "ସତରେ ଯଦି ତୁମ୍ଭେମାନେ ସେୟାହିଁ ଚାହୁଁଚ, ତେବେ ମୁଁ ଗୋଟାଏ ଉପାୟ ଭାବିଛି । ମୋ’ ସାଙ୍ଗରେ ମଦୋତ୍‌କଟ ପାଖକୁ ଚାଲ । ମୁଁ ଯାହା କହିବି, ତୁମେମାନେ ସେଇୟା ହିଁ କହିବ ।’’

 

ଏହିପରି କଥାଭାଷା ହୋଇ କୁଆ, ବିଲୁଆ ଓ ଗଧିଆ ମଦୋତ୍‌କଟ ନିକଟକୁ ଫେରିଆସିଲେ ।

 

ଫେରିଆସି ସେମାନେ ଦେଖିଲେ, ବନ୍ଧୁ ମଦୋତ୍‌କଟ ପାଖରେ ବସିଛି । କୁଆ କହିଲା, “ମହାରାଜ, ଆମ୍ଭେମାନେ ବହୁ ଚେଷ୍ଟା କଲୁ, କିନ୍ତୁ ଗୋଟିଏ ହେଲେ ଶିକାର ପାଇଲୁ ନାହିଁ । ମହାରାଜଙ୍କ କ୍ଷୁଧା ନିବାରଣ ପାଇଁ ଆମେ ସମସ୍ତେ ଜୀବନ ଦେବାକୁ ପ୍ରସ୍ତୁତ ହୋଇ ଆସିଛୁ । କାରଣ, କଥିତ ଅଛି ଯେ, ପରିବାରର ମୁଖ୍ୟକୁ ଯେ କୌଣସିମତେ ଜୀବନ ରକ୍ଷା କରିବାକୁ ହେବୁ-। ଅତଏବ, ମହାରାଜ, ଆମ ସମସ୍ତଙ୍କୁ ଖାଇ ଜୀବନ ରକ୍ଷା କରନ୍ତୁ ।

 

କୁଆକଥା ଶୁଣି ମଦୋତ୍‌କଟ ବହୁତ ଖୁସି ହେଲା । ସେ ହସି ହସି କହିଲା, “ତୁମକୁ ଖାଇଲେ ପେଟ ପୂରିବ ନାହିଁ ବନ୍ଧୁ ।

 

ବିଲୁଆ କହିଲା, “ମହାରାଜ, ତା ହେଲେ ମୋତେ ଖାଆନ୍ତୁ । ମୋତେ ଖାଇଲେ ପେଟ ପୁରିଯାଇପାରେ ।" । ବିଲୁଆର କଥା ସରୁ ନସରୁଣୁ ଗଧିଆ କହିଲା, “ମହାରାଜ, ଯଦି ଖାଇବା କଥା, ମୋତେ ହିଁ ଖାଆନ୍ତୁ । ମୋତେ ଖାଈ ମୋର ଅକ୍ଷୟ ସ୍ୱର୍ଗବାସ ବ୍ୟବସ୍ଥା କରିଦିଅନ୍ତୁ । କାରଣ ବନ୍ଧୁପାଇଁ ଯିଏ ପ୍ରାଣତ୍ୟାଗ କରେ, ତା’ର ସ୍ୱର୍ଗବାସ ହିଁ ହୋଇଥାଏ ।”

 

ମଦୋତ୍‌କଟ କହିଲା, “ଛି, ଛି । ତୁମ୍ଭେମାନେ ମୋର ସ୍ୱଜାତି । ସ୍ୱଜାତିକୁ ଖାଇଲେ ମହାପାପ ହୁଏ ।”

 

ସେହି ସମୟରେ ଓଟ କହିଲା, “ବନ୍ଧୁ, ମୋତେ ଖାଇଲେ ଯଦି ପ୍ରାଣ ରହିଯିବ, ତେବେ ମୋତେ ଖାଆନ୍ତୁ ।

 

ଓଟର କଥା ଶେଷ ହେଉ ନ ହେଉଣୁ ସିଂହ, ଗଧିଆ ଏବଂ ବିଲୁଆ ଏକା ସାଙ୍ଗରେ ଓଟ ଉପରକୁ ଝାମ୍ପିପଡି ତାକୁ ମାରି ପରମ ଆନନ୍ଦରେ ଖାଇଲେ ।

 

ଗଳ୍ପ ଶେଷକରି ସଂଜୀବକ କହିଲା, "ବନ୍ଧୁ ଦମନବ, ମୋର ବିଶ୍ୱାସ, କେହି ଦୃଷ୍ଟ ମୋ’ ବିରୋଧରେ ପିଙ୍ଗକକକୁ କହି ତାଙ୍କୁ ଉତ୍ତେଜିତ କରିଛି । ନ ହେଲେ ଏପରି ହୋଇ ନ ଥାନ୍ତା । ଯାହାହେଉ, ମରଣଯୋଗ ଯଦି କିପାଳରେ ଥାଏ, ତେବେ ତାହା ହେବ ହିଁ ହେବ । ତେଣୁ ମୁଁ ପଳାଇ ନ ଯାଇ ଆତ୍ମରକ୍ଷାର ଚେଷ୍ଟା କରିବି ।’’

 

ଦମନକ ଡରିଗଲା । ଭାବିଲା, ସଂଜୀବକ ତାହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ । ପୁଣି କି ନୂଆ ବିପଦ । ଏହାର ଶିଙ୍ଗଗୁଡ଼ା ଯେପରି କିମ୍ବା ସେହିପରି ତୀକ୍ଷ୍ଣ । ଭୟ ହେଉଛି, କାଳେ ଯଦି ମହାରାଜ ପିଙ୍ଗଳକଙ୍କର କିଛି ଅନିଷ୍ଠ ହେବ । ସେ ପ୍ରକାଶ୍ୟରେ କହିଲା, “ବନ୍ଧୁ ସଂଜୀବକ, ବଳବାନ୍‌କୁ ଦେଖିଲେ ପଳାୟନ କରିବା ହିଁ ବିଧି । ଯେ ନିଜର ବଳ ନ ବୁଝି ଶତ୍ରୃ ସଙ୍ଗେ ଯୁଦ୍ଧ କରିବାକୁ ଯାଏ, ସିଏ ତିତ୍ତିରପକ୍ଷୀ ନିକଟରେ ସମୁଦ୍ର ପରି ପରାଜିତ ହୋଇଥାଏ ।

 

ସଂଜୀବକ ପଚାରିଲା, “ତିତ୍ତିୁପକ୍ଷୀ ଘଟଣାଟା କ’ଣ ?’

 

ତା ପରେ ଦମନକ “ସମୁଦ୍ର ହାର ମାନିଲା’ ଗଳ୍ପଟିଶୁଣାଇଲା ।

Image

 

ସମୁଦ୍ର ହାର ମାନିଲା

 

Image

ସମୁଦ୍ରକୂଳ ବାଲିପନ୍ତାରେ ବୁଦୁବୁଦିକିଆ ଜଙ୍ଗଲ । କୂଳପାଖ ଝୋଟ ଏକ ବୁଦାମୂଳେ ଗୋଟିଏ ତିତ୍ତିର ପକ୍ଷିଦମ୍ପତି ରହୁଥିଲେ । ଦିନବେଳା ସେମାନେ ସମୁଦ୍ର ଉପର ଦେଇ ବହୁ ଦୂରକୁ ଉଡ଼ିଯାଆନ୍ତି । ସମୁଦ୍ରରେ ଯେତେବେଳେ ଢେଉ ଉଛୁଳେ, ସେମାନେ ସେତେବେଳେ ସମୁଦ୍ରର ଢେଉକୁ ଛୁଇଁ ଛୁଇଁ ସମୁଦ୍ର ସହିତ ଖେଳନ୍ତି । ଏହିପରି ଆନନ୍ଦରେ ସେମାନଙ୍କର ଦିନ କଟିଯାଉଥାଏ ।

 

ଦିନେ ତିତ୍ତିରୀ ତିତ୍ତିରକୁ କହିଲା, “ହେଇ ଶୁଣ, ମୋର ଅଣ୍ଡା ଦେବାର ସମୟ ହେଲାଣି-। ମୋ’ପାଇଁ ଗୋଟିଏ ଭଲ ବସ। ଖୋଜିଦିଅ ।"

 

ତିତ୍ତିରପକ୍ଷୀ କହିଲା, କାଇଁ, କଣ ହେଲା ? ଆମର ଏହି ବସାଟା କ’ଣ ଖରାପ ? ଅନ୍ୟ ବସା କ’ଣ ଦରକାର ?

 

ସ୍ତ୍ରୀ-ପକ୍ଷୀଟି କହିଲା, “ତୁମେ ଦେଖୁଛି ତ, ଆଜିକାଲି ସମୁଦ୍ର କିପରି ଉଛୁଳୁଛି । ସମୁଦ୍ର ଢେଉ କୂଳ ଲଙ୍ଘି କେତେବାଟଯାଏଁ ମାଡ଼ିଯାଉଛି । ମୋର ଭୟ ହେଉଛି, କାଳେ ସମୁଦ୍ର ମୋର ଅଣ୍ଡାଗୁଡ଼ିକୁ ଭସାଇନେବ ।”

 

ପୁରୁଷପକ୍ଷୀଟି କହିଲା, “ବୁଝିଲ, ତୁମେ ମିଛରେ ଭୟ କରୁଛି । ସମୁଦ୍ରର କି ସାଧ୍ୟ ଅଛି ଆମର ଅଣ୍ଡାଗୁଡ଼ିକୁ ଭସାଇ ନେବ ? ତୁମେ ନିଶ୍ଚିତ ମନରେ ନିର୍ଭୟରେ ଡିମ୍ବ ଦିଅ । ମନରୁ ଭୟ ପୋଛିଦିଅ ।”

 

ତିତ୍ତିର ଉପରେ ଭରସା ର ତା’ର ସ୍ତ୍ରୀ ସେମାନେ ରହୁଥିବା ବୁଦାମୂଳେ ବାଲିଭିତରେ ଦୁଇଟି ଅଣ୍ଡା ଦେଲା, ଏଣେ ପୁରୁଷ ତିତ୍ତିରପକ୍ଷୀର ଆସ୍ପର୍ଦ୍ଧାପୂର୍ଣ୍ଣ କଥା ଶୁଣି ସମୁଦ୍ରର ବଡ଼ ରାଗ ହେଲା । ସମୁଦ୍ର ମନେ ମନେ ଭାବିଲା ‘କଣ’ ହେଲା, ସାମାନ୍ୟ କ୍ଷୁଦ୍ର ପକ୍ଷୀଟିଏ, ତା’ର ପୁଣି ଏତେ ବହପ ! ଆଛା ଦେଖିବା, ସେ କ’ଣ କରିପାରିବ ?

 

ସମୁଦ୍ର ଭୀଷଣ ଗର୍ଜନ କରିବାକୁ ଲାଗିଲା । ବଡ଼ ବଡ଼ ଢେଉଗୁଡ଼ିକ ଆସି କୂଳରେ ଧକ୍କା ଦେଲେ । ଶେଷରେ ପାହାଡ଼ ପରି ଦୁଇଟି ବଡ଼ ଢେଉ ଆସି ସ୍ତ୍ରୀ ତିତ୍ତିରବ ଅଣ୍ଡା ଦୁଇଟିକୁ ଭସାଇ ନେଲା ।

 

ତିରିରୀଟି ଦିନସାରା କାନ୍ଦି କାନ୍ଦି ସମୁଦ୍ର ଉପରେ ଉଡ଼ି ଉଡ଼ି ନେହୁରା ହୋଇ କହିଲା, “ଫେରାଇ ଦେ, ଫେରାଇ ଦେ, ମୋ’ ଅଣ୍ଡା ଦୁଇଟି ଫେରାଇ ଦେ । । ସନ୍ଧ୍ୟାକୁ ତିତ୍ତିରୀ ଫେରିଆସି କହିଲା, “ମୁଁ ଆଗରୁ କହୁଥିଲି, ତୁମେ ଶୁଣିଲ ନାହିଁ । ହାୟ ହାୟ, ପଣ୍ଡିତମାନେ ଠିକ୍ କହିଛନ୍ତି–ଯେଉଁ ବ୍ୟକ୍ତି ନିଜ ବନ୍ଧୁର ପରାମର୍ଶ ଶୁଣେ ନାହିଁ, ତା’ର ଅବସ୍ଥା ବୋକା କମ୍ବୁଗ୍ରୀବ ପରି ହୁଏ ।

 

ତିହିରଟି ପଚାରିଲା, “କମ୍ୱୁଗ୍ରୀବ କିଏ ? ତା’ର କ’ଣ ହୋଇଥିଲା ?

 

ତିତ୍ତିରୀ “କମ୍ବୁଗ୍ରୀବର ବୋକାମି’’ ଗଳ୍ପଟି ଶୁଣାଇଲା ।

Image

 

କମ୍ୱୁଗ୍ରୀବର ବୋକାମି

Image

ବୁଦୁବୁଦିକିଆ ଅନାବନା ଗଛରେ ଭର୍ତ୍ତି ଛୋଟ ପାହାଡ଼ଟିଏ । ପାହାଡ଼ ତଳକୁ ବିରାଟ ଏକ ବଣ । ବଣଟି ବଡ଼ ବଡ଼ ଗଛରେ ଭର୍ତ୍ତି । ବଣର ଗୋଟିଏ ପଟକୁ ଛୋଟ ସୁନ୍ଦର ଏକ ପୋଖରୀ । ପୋଖରୀ ଧାରକୁ ଲାଗି ସରୁ ଚଲା ରାସ୍ତାଟିଏ ଲମ୍ବିଯାଇଛି କାହିଁ କେତେଦୂର । ପୋଖରୀଟି ବହୁ କାଳର ପୁରୁଣା । ସେହି ପୋଖରୀରେ ଗୋଟିଏ ବୁଢ଼ା କଇଁଛ ରହୁଥାଏ ନାମ ତା’ର କମ୍ୱୁଗ୍ରୀବ ।

 

ଦିନେ ଦୁଇଟି ରାଜହଂସ ଆକାଶରେ ଉଡ଼ି ଯାଉ ଯାଉ ସେହି ପୋଖରୀଟିକୁ ଦେଖିଲେ-। ପୋଖରୀର ସ୍ୱଚ୍ଛ ଜଳ ଓ ପଦ୍ମଫୁଲ ହଂସଦୁଇଟିକୁ ଆକୃଷ୍ଟ କଲା । ସେହିଦିନଠାରୁ ସେମାନେ ପ୍ରତିଦିନ ସେଠାକୁ ଆସି ପୋଖରୀରେ ପହଁରନ୍ତି ଓ ପଦ୍ମନାଡ଼ି ଭାଙ୍ଗି ଖାଆନ୍ତି । କ୍ରମେ କମ୍ୱୁଗ୍ରୀବ କଇଁଛ ସାଙ୍ଗରେ ହଂସ ଦୁହିଁଙ୍କର ପରିଚୟ ଓ ବନ୍ଧୁତା ହେଲା । ହଂସ ଦୁଇଟି କମ୍ବୁଗ୍ରୀବ ସାଙ୍ଗରେ ପ୍ରତିଦିନ ଗଳ୍ପ କରନ୍ତି–କେତେ ରାଜ୍ୟର କେତେ ପ୍ରକାର କଥା, କେତେ ସୁଖ ଦୁଃଖର କାହାଣୀ, କେତେ ଆକାଂକ୍ଷାର କଥା ।

 

ସେହି ବର୍ଷ ବିଲ୍‌କୁଲ୍‌ ବର୍ଷା ହେଲା ନାହିଁ । ବର୍ଷା ଅଭାବରୁ ପୋଖରୀର ପାଣି ଶୁଖି ପଙ୍କ ଦେଖାଗଲା । ପାଣିଟି ପଙ୍କୁଆ ହୋଇଗଲା । ଏପରି ଅବସ୍ଥା ଦେଖି କମ୍ୱୁଗ୍ରୀବ ଆଶଙ୍କାର ସୀମା ରହିଲା ନାହିଁ ।

 

ଦିନେ ହଂସଦୁଇଟି କହିଲେ, “ବନ୍ଧୁ କମ୍ୱୁଗ୍ରୀବ, ଏହି ପୋଖରୀର ପାଣି ଶୁଖି ଆସିଲାଣି-। ଆମେମାନେ କାଲିଠାରୁ ଅନ୍ୟ ପୋଖରୀକୁ ଯିବୁ ।”

 

କମ୍ୱୁଗ୍ରୀବ କହିଲା, "ବନ୍ଧୁମାନେ, ପାଣି ଅଭାବରୁ ମୋ’ ଅବସ୍ଥା ମଧ୍ୟ ସାଂଘାତିକ । ମୋ ପାଇଁ କିଛି ଗୋଟାଏ ଉପାୟ କର ।”

 

ହଂସମାନେ କହିଲେ, “ବନ୍ଧୁ କମ୍ୱୁଗ୍ରୀବ, ତୁମକୁ ଛାଡ଼ିଯିବା କଥା ଚିନ୍ତା କଲାବେଳକୁ ଆମକୁ ମଧ୍ୟ ବହୁତ କଷ୍ଟ ହେଉଛି । କିନ୍ତୁ ତୁମେ ତ ଆମପରି ଆକାଶରେ ଉଡ଼ିପାରିବ ନାହିଁ । ତୁମପାଇଁ ଆମେ କ’ଣ କରିପାରିବୁ ?’’

 

କମ୍ୱୁଗ୍ରୀବ କହିଲା, “ମନୁ କହିଛନ୍ତି, ବିପଦ ଉପସ୍ଥିତ ହେଲେ ବୁଦ୍ଧିମାନ ବ୍ୟକ୍ତି ବନ୍ଧୁ ପାଇଁ ଯଥେଷ୍ଟ ଯତ୍ନ କରନ୍ତି । ତୁମ୍ଭେମାନେ ମୋର ବନ୍ଧୁ । ଏବେ ତୁମ୍ଭମାନ ଉପରେ ମୋର ଦାୟିତ୍ୱ ଦେଲି-। ମୋ ପାଇଁ ଯାହାକିଛି ହେଲେ କରିବାକୁ ହେବ ।’’ ସମସ୍ତେ ଏକାଠି ବସି ବହୁ ପରାମର୍ଶ କରି ଗୋଟିଏ ଉପାୟ ସ୍ଥିର କଲେ । କମ୍ୱୁଗ୍ରୀବ ଗୋଟିଏ କାଠିକୁ କାମୁଡ଼ି ଧରିବ । ହଂସ ଦୁଇଟି କାଠିର ଦୁଇ ମୁଣ୍ଡକୁ ଥଣ୍ଟରେ କାମୁଡ଼ି ଧରି ଉଡ଼ିଯିବେ ।

 

ହଂସମାନେ କହିଲେ, “ବନ୍ଧୁ କମ୍ୱୁଗ୍ରୀବ, ଏଥିରେ ବିପଦ ଅଛି । ଉଡ଼ିବା ଆଗରୁ ବିପଦ ବିଷୟରେ କହିଦେଇଛୁ । ଉଡିବାବେଲେ କଥା କହିବାକୁ ଚେଷ୍ଟା କରିବ ନାହିଁ । କଥା କହିଲେ ସର୍ବନାଶ ।

 

କମ୍ୱୁଗ୍ରୀବ କହିଲା, “ସେ ଦାୟିତ୍ୱ ମୋର । ସେ ବିଷୟରେ ତୁମ୍ଭେମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ ।’’

 

“ବେଶ୍‍ ବେଶ୍ । ଏବେ ଚାଲ” କହି ହଂସଦୁଇଟି କମ୍ୱୁଗ୍ରୀବ ନାମକ ବୁଢ଼ା କଇଁଛଟିକୁ ଧରି ଉଡ଼ିଚାଲିଲେ ।

 

ପାହାଡ଼ ବଣ ଛାଡ଼ି ପଡ଼ିଆ ଭୂପରେ ଗାଁ ଉପର ଦେଇ ହଂସଦୁଇଟି ଉଡ଼ି ଚାଲିଥାନ୍ତି ବୁଢ଼ାକଇଁଛଟାକୁ ଧରି ।

 

ଏହି ଅଦ୍ଭୁତ କଥା ଦେଖି ଗାଁ ପିଲାମାନେ ପାଟିତୁଣ୍ଡ ଆରମ୍ଭ କରିଦେଲେ–କି ଅଦ୍ଭୁତ କଥା ? ଦୁଇଟା ହଂସ ଗୋଟିଏ କଇଁଛକୁ ଧରି ଉଡ଼ିଯାଉଛନ୍ତି ।

 

ଗାଁପିଲାଙ୍କର ପାଟିତୁଣ୍ଡ କମ୍ୱୁଗ୍ରୀବ ଶୁଣିପାରିଲା । କିଏ ଏପରି ପାଟିତୁଣ୍ଡ କରୁଛନ୍ତି ଜାଣିବା ପାଇଁ ତ।’ର ପ୍ରବଳ ଇଛା । ହେଲେ । ସେ ପଚାରିଲା, “ବନ୍ଧୁ, ପାଟିତୁଣ୍ଡ...... ?

 

ପାଟିର କଥା ପାଟିରେ ରହିଲା ଆଉ କହିହେଲା ନାହିଁ ।

 

ନିମିଷକ ଭିତରେ କମ୍ୱୁଗ୍ରୀବ ଧପାସ୍‍କରି ଆସି ମାଟିରେ ପଡ଼ିଲା । ବୁଢ଼ାକଇଁଛର ହାଡ଼ସବୁ ଚୂନାଚୂନା ହୋଇଗଲା ।

 

କମ୍ୱୁଗ୍ରୀବର କାହାଣୀ ଶେଷକରି ସ୍ତ୍ରୀ-ତିତ୍ତିରପକ୍ଷୀଟି ତା’ର ସ୍ୱାମୀକୁ କହିଲା, “ବୁଝିଲ କି-? ଏଥିପାଇଁ ମୁଁ ତୁମକୁ ସାବଧାନ କରିଥିଲି । ତୁମେ ଶୁଣିଲ ନାହିଁ । ମୋକଥା ଶୁଣିଲେ ସମୁଦ୍ର ପେଟକୁ କ’ଣ ମୋର ଅଣ୍ଡା ଦୁଇଟି ଯାଇନଥାନ୍ତା ? ତୁମର ଅବସ୍ଥା ଠିକ୍ ଯଦ୍‌ଭବିଷ୍ୟ ପରି ।" ।

 

ତିତ୍ତିର ପଚାରିଲା, “ଯଦ୍‌ଭବିଷ୍ୟ ପୁଣି କିଏ ?’’

 

ତିକିରୀ ପୁଣି ତିନି ମାଛଙ୍କ କାହାଣୀ କହିବା ଆରମ୍ଭ କଲା ।

Image

 

ତିନି ମାଛଙ୍କ କାହାଣୀ

 

Image

ଗୋଟିଏ ପୁରୁଣା ପୋଖରୀ ଥିଲା । ସେହି ପୋଖରୀରେ ତିନୋଟି ବଡ଼ ମାଛ ଥିଲେ । ସେମାନଙ୍କ ନାମ–ଅନାଗତବିଧାତା, ପ୍ରତ୍ୟୁତ୍ପନ୍ନମତି ଏବଂ ଯଦ୍‌ଭବିଷ୍ୟ । ଚରିତ୍ର ଅନୁଯାୟୀ ସେମାନଙ୍କର ନାମ । ସେମାନେ ପରସ୍ପରର ଅତି ଘନିଷ୍ଠ ବନ୍ଧୁ ।

 

ସେମାନଙ୍କ ଭିତରେ ବଡ଼ ସଦ୍‍ଭାବ ଓ ସହଯୋଗ ଥିଲା । ଦିନସାରା ସେମାନେ ଗପସପ କରି କଟାନ୍ତି । ସେମାନଙ୍କର କାମ ଭିତରେ କେବନ ଖାଇବା, ଗଳ୍ପ କରିବା ଏବଂ ଶୋଇବା

 

ଦିନେ ସେମାନେ ପାଣି ଭିତରୁ ଉଙ୍କିମାରି ଜାଲୁଆମାନଙ୍କୁ ପୋଖରୀକୁଳ ଦେଇ ଯାଉଥିବାର ଦେଖିଲେ । ଜାଲୁଆମାନେ ପୋଖରୀହୁଡ଼ା ଉପରେ ଠିଆହୋଇ କଥାବାର୍ତ୍ତା ହେଉଥାନ୍ତି । ତିନିବନ୍ଧୁ କାନପାରି ସେମାନଙ୍କ କଥାବାର୍ତ୍ତା ଶୁଣିଲେ । ଜାଲୁଆମାନେ କହୁଥାନ୍ତି, “ଏହି ପୋଖରୀରେ ବହୁତ ବଡ଼ ବଡ଼ ମାଛ ଅଛନ୍ତି । କାଲି ସକାଳୁ ଆସି ଏହି ପୋଖରୀରେ ଜାଲ ପକାଇବା ।"

 

ଜାଲୁଆଙ୍କ କଥା ଶୁଣି ତିନିମାଛଙ୍କର ଭାଳେଣି ପଡ଼ିଲା । କ’ଣ କରିବା, ସମସ୍ତେ । ଏକତ୍ର ପରାମର୍ଶ କଲେ । ପ୍ରତ୍ୟୁତ୍ପନ୍ନମତି ନାମକ ମାଛ କହିଲା, “ଏ ବିଷୟରେ ଆଉ ପରାମର୍ଶ କ’ଣ ? ବିପଦ ଆସି ଦୁଆର ଠକ୍‌ ଠକ୍ କଲାଣି । ପଳାୟନ ଛଡ଼ା ଆମର ଅନ୍ୟ ଉପାୟ ନାହିଁ ।’’

 

ଅନାଗତବିଧାତା ନାମକ ମାଛ କହିଲା, “ମୋର ମଧ୍ୟ ସେହି ମତ । ଆପାତତଃ ଆମେ ସମସ୍ତେ ଏହି ପୋଖରୀ ଛାଡ଼ି କେଉଁଠାକୁ ହେଲେ ପକାଇବା । ପରେ ବିପଦ କଟିଗଲେ ପୁଣି ଏଠାକୁ ପଳାଇ ଆସିବା ।"

 

ଯଦ୍‌ଭବିଷ୍ୟ ନାମକ ମାଛ କହିଲା, “ତୁମ ଦୁଇଜଣଙ୍କ ପରାମର୍ଶ ମାନିବାକୁ ମୁଁ ପ୍ରସ୍ତୁତ ନୁହେଁ । ତୁମ୍ଭେମାନେ ବଡ଼ ଭୀରୁ । ଏଇ ସାମାନ୍ୟ କଥା ପାଇଁ ଆମେ ଆମର ପିତୃପୁରୁଷର ଭିଟାମାଟି ଛାଡ଼ି ଚାଲିଯିବା କି ? ଆୟୁ ଶେଷ ହୋଇଥିଲେ ବିଦେଶ ଗଲେ ବି ମୃତ୍ୟୁ ସୁନିଶ୍ଚିତ । କଥା ଅଛି–ଯେକୌଣସି ବସ୍ତୁ ଅରକ୍ଷିତ ଅବସ୍ଥାରେ ଥିଲେ ବି ଦୈବୀ କୃପା ବଳରେ ତାହା ରକ୍ଷା ପାଇଯିବ । ପୁଣି କୌଣସି ବସ୍ତୁ ସଯତ୍ନେ ରକ୍ଷିତ ହେଲେ ବି ଦୈବୀ କୃପା ବିନା ତାହା ନଷ୍ଟ ହେବହିଁ ହେବ ।”

 

ଅନାଗତବିଧାତା ନାମକ ମାଛ ଯଦ୍‌ଭବିଷ୍ୟକୁ ତାଚ୍ଛଲ୍ୟ କରି କହିଲା, ‘ଶୁଣିଛି, କାପୁରୁଷ, କୁଆ ଓ ହରିଣ ବିଦେଶ ଯିବାକୁ ଭୟ କରିଥାନ୍ତି ! ତୁ ନିଶ୍ଚୟ ଗୋଟାଏ ବି ପୁରୁଷ ।

 

ଯବ୍ ଭବିଷ୍ୟ ମାଛ କହିଲା, ତୁମ୍ଭେମାନେ ମୋତେ ଭୁଲ ବୁଝୁଛ । ଜାଲୁଆମାନେ ଯେ କାଲି ଏଠାକୁ ଆସିବେ, ତା’ର କେଉଁ ଠିକଣା ଅଛି ? ସେମାନେ ବି କାଲି ନ ଆସି ପାରନ୍ତି !” ।

 

ପ୍ରତ୍ୟୁତ୍ପନ୍ନମତି ନାମକ ମାଛ କହିଲା, “ଠିକ୍ କହିଛ । କିନ୍ତୁ ଜାଳୁଆମାନେ ଯଦି ଆସନ୍ତି-?”

 

ଯଦ୍‌ଭବିଷ୍ୟ ଚଟ୍‌କିନା କହିଲା, “ସେତେବେଳେ ଦେଖାଯିବ ।’’

 

ଯଦ୍‌ଭବିଷ୍ୟ କଥାରେ ଭରସା କରି ନ ପାରି ଅନାଗତବିଧାତା ଓ ପ୍ରତ୍ୟୁତ୍ପନ୍ନମତି ସେହି ପୋଖରୀ ଛାଡ଼ି ଅନ୍ୟ ପୋଖରୀକୁ ଚାଲିଗଲେ ।

 

ପରଦିନ ସକାକୁ ସକାଳୁ ଜାଲୁଆମାନେ ଆସି ସେହି ପୋଖୋରୀରେ ଜାଲ ପକାଇଲେ । ଯଦ୍‌ଭବିଷ୍ୟ ନାମକ ମାଛଟି ପକାଇବାକୁ ବହୁ ଚେଷ୍ଟା କଲା । କିନ୍ତୁ ପଳାଇବାକୁ ଯଦ୍‌ଭବିଷ୍ୟ ଯେତେ ଯେତେ ଚେଷ୍ଟା କରୁଥାଏ, ସେତିକି ସେତିକି ସେ ଜାଲରେ ଛନ୍ଦି ହୋଇଯାଇଥାଏ । ଜାଲୁଆମାନେ ଯଦ୍‌ଭବିଷ୍ୟକୁ ଟାଣି ଟାଣି ଉପରକୁ ଆଣିଲେ । ଯଦ୍‌ଭବିଷ୍ୟ ତା’ର ବୋକାମି ବୁଝିପାରିଲା । କିନ୍ତୁ ସେତେବେଳକୁ ନେଡ଼ିଗୁଡ଼ କହୁଣିକୁ ବୋହିଯାଇଥିଲା ।

 

ସ୍ତ୍ରୀ କଥା ଶୁଣି ପୁରୁଷ ତିତ୍ତିରପକ୍ଷୀଟି କହିଲା, “ଭଦ୍ରେ, ତୁମେ ତେବେ କ’ଣ ମୋତେ ସେହି ଯଦ୍‌ଭବିଷ୍ୟ ନାମକ ମାଛ ସାଙ୍ଗରେ ତୁଳନା କରୁଛ ? କିନ୍ତୁ ମୁଁ ତା ପରି ବୋକା ନୁହେଁ । ମୁଁ ଥଣ୍ଟରେ ସମୁଦ୍ରକୁ ଶୋଷି ଦେବି । ଦେଖିବି, ସେ ଆମ ଅଣ୍ଡାଦୁଇଟି ଫେରାଉଛି କି ନାହିଁ ।

 

ସ୍ୱାମୀର କଥା ଶୁଣି ସ୍ତ୍ରୀ-ତିତ୍ତିରଟି ଏତେ ଦୁଃଖରେ ବି ନ ହସି ରହିପାରିଲା ନାହିଁ । ସେ କହିଲା, “ତୁମ ବୁଦ୍ଧିର ଦୌଡ଼ ଦେଖି ନ ହସି ରହିପାରିଲି ନାହିଁ । ନିଜର ଶକ୍ତି ସାମର୍ଥ୍ୟ ନ ବୁଝି ନ ଶୁଝି ଯିଏ ଅନ୍ୟ ସହିତ ଦିବାଦ କରିବାକୁ ବାହାରିପଡ଼େ, ତା’ର ଅବସ୍ଥା ପତଙ୍ଗ ନିଆଁକୁ ଝାମ୍ପ ଦେଲାପରି ହୁଏ ।

 

ପୁରୁଷ ତିତ୍ତିରପକ୍ଷୀ କହିଲା, ତୁମ କଥା ଠିକ୍ । କିନ୍ତୁ ଯାହାର ଉତ୍ସାହ ଅଛି, ସେ ଯେତେ କ୍ଷୁଦ୍ର ହେଲେ ବି ପ୍ରବଳ ପରାକ୍ରମୀକୁ ପରାଜିତ କରିପାରେ । ହାତୀ ବିରାଟ ହେଲେ ବି ସିଂହଙ୍କୁ ପାରେ ନାହିଁ । ତା’ଛଡ଼ା, ଏତେବଡ଼ ହାତୀ, ଅଥଚ ଛୋଟ ଏକ ଅଙ୍କୁଶ ଦ୍ଵାରା। ପରିଚାଳିତ ହୁଏ । ମୁଁ ଚେଷ୍ଟା କଲେ ଥଣ୍ଟରେ ସମୁଦ୍ରକୁ ଶୋଷିଦେଇ ପାରିବି ।”

 

ମାଈ ତିତ୍ତିରପକ୍ଷୀ ଥଟାକରି କହିଲା, “ଯାହାହେଉ, ଏତେବେଳକେ ବୀରପରି କଥାଟିଏ କହିବ । ଯମୁନାନଦୀ ପରି ହଜାର ହଜାର ନଦୀର ଜଳରେ ପରିପୁଷ୍ଟ ସମୁଦ୍ରକୁ ତୁମେ ପୁଣି ଅଣ୍ଟରେ ଶୋଷିଦେବ ? ସତରେ ଯଦି ସମୁଦ୍ରକୁ ଶାସନ କରିବାକୁ ଇଚ୍ଛା, ତେବେ ତୁମର ବନ୍ଧୁବାନ୍ଧବଙ୍କୁ ଖବର ଦିଅ । ଏକତା ହିଁ ଦଳ । ଘରଚଟିଆ, କାଠହଣା, ମହୁମାଛି ଓ ଗୋଟିଏ ବେଙ୍ଗ ମିଶି ଗୋଟିଏ ହାତୀକୁ କିପରି ଜବତ୍ କରିପାରିଲେ–ଜାଣିଛ ତ ?’

 

ପୁରୁଷ ତିତ୍ତିର କହିଲା, କଥାଟା ଶୁଣିବାକୁ ଇଚ୍ଛା ହେଉଛି । କୁହ ।’’

 

ସ୍ତ୍ରୀ ତିତ୍ତିର ‘‘ବୁଦ୍ଧିଆ ବେଙ୍ଗ’’ ଗଳ୍ପଟି କହିବାକୁ ଆରମ୍ଭ କଲା ।

Image

 

ବୁଦ୍ଧିଆ ବେଙ୍ଗ

Image

ଗୋଟିଏ ଗଛର ଡାଳରେ ବସାବାନ୍ଧି ଗୋଟିଏ ଘରଚଟିଆ ପକ୍ଷୀ ତା’ର ସ୍ତ୍ରୀ ଓ ଛୁଆମାନଙ୍କ ସହ ରହୁଥିଲା । ଦିନେ ଗୋଟିଏ ବୁଢ଼ା ବଣୁଆ ହାତୀ ଜୀବ ସହିତ ଘରଚଟିଆର ବସାକୁ ଭାଙ୍ଗିଦେଲା । ଭାଗ୍ୟ ଓ ଆୟୁବଳରୁ ଘରଚଟିଆ ଏବଂ ତା’ର ସ୍ତ୍ରୀ ବଞ୍ଚିଗଲେ । କିନ୍ତୁ ସେମାନଙ୍କର ଛୁଆଗୁଡ଼ିକ ମରିଗଲେ । ଛୁଆଗୁଡ଼ିକ ମରିଯିବାରୁ ଦୁଃଖରେ ଘରଚଟିଆ ଓ ତା’ର ସ୍ତ୍ରୀ କାନ୍ଦିବାକୁ ଲାଗିଲେ । ସେମାନଙ୍କର କାନ୍ଦଣା ଶୁଣି ସେମାନଙ୍କର ପଡ଼ୋଶୀ କାଠହଣା ଚଢ଼େର ଆସି ପହଞ୍ଚିଲା । କାଠହଣା ପଚାରିଲା, “ଘରଚଟିଆ ବୋହୁ, କାନ୍ଦୁଛ କାହିଁକି ? ଚଟିଆଭାଇ, ଘଟଣା କ’ଣ ?

 

ଘରଚଟିଆ ଓ ତା’ର ସ୍ତ୍ରୀ କାନ୍ଦ କାନ୍ଦ ହୋଇ କହିଲେ, “ବଣୁଆ ବୁଢ଼ା ହାତିଟା ଆମର ବସା ଭାଙ୍ଗିଦେଲା । ଆମର ଛୁଆଗୁଡ଼ିକୁ ପାଦରେ ଦଳି ମାରିଦେଲା ।

 

କାଠହଣ କହିଲା, “ଆଚ୍ଛା, ଆଚ୍ଛା, ଏମିତି କଥା ? ବୁଢ଼ାହାତୀଟାର ଏତେ ସାହସ ? ଚଟିଆ ଭାଇ, ତୁମେ ଆଉ କାନ୍ଦ ନାହିଁ ! ଆମେ ସମସ୍ତେ ମିଶି ଏହାର ପ୍ରତିଶୋଧ ନେବା । ବୁଢ଼ାହାତୀଟାକୁ ଜବତ କରିବାକୁ ହେବ ।”

 

ଘରଚଟିଆ ପଚାରିଲା, “ଆମେ କ’ଣ ହାତୀକୁ ପାରିବା ?

 

କାଠହଣା କହିଲା, “ହାତୀଫାତୀ ଯିଏ ହେଲେ ବି ସେ କ’ଣ ଗରିବର ଘର ଭାଙ୍ଗିଦେବ-? ତା’ର ସାହସ ତ କମ ନୁହେଁ ! ମୋର ଘନିଷ୍ଠ ବନ୍ଧୁ ମହୁମାଛି ଚାଲ, ଆମେ ତାଙ୍କ ପାଖକୁ ଯିବା । ତାଙ୍କ ସହ ପରାମର୍ଶ କରିବା । ବଡ଼ ଏକ କଦମ୍ବଗଛର ଡାଳରେ ମହୁମାଛିର ବସା-। ଘରଚଟିଆ ଓ କାଠହଣା ବହୁତ ସମୟ ମହୁମାଛି ସାଙ୍ଗରେ ପରାମର୍ଶ କଲାପରେ ମହୁମାଛି କହିଲା, “ତୁମମାନଙ୍କ ସହିତ ମୁଁ ଏକମତ । ଚଟିଆ-ଚଟିଆଣୀଙ୍କ ବସା ଭାଙ୍ଗିବାର ଫଳ ସେହି ଦୁଷ୍ଟି ବଣୁଆ ବୁଢ଼ାହାତୀକୁ ଭୋଗିବାକୁ ହେବ । ଚାଲ, ଆମେ ଏବେ ମୋର ବନ୍ଧୁ ଥାବଡ଼ାନାକ ବେଙ୍ଗ ପାଖକୁ ଯିବା । ତା ପରି ବୁଦ୍ଧିମାନ ଆଉ କେହି ନାହାନ୍ତି ।’’

 

ଘରଚଟିଆ, କାଠହଣା ଓ ମହୁମାଛି ତିନିଜଣ ମିଶି ଥାବଡ଼ାନାକ ବେଙ୍ଗ ବସାରେ ପହଞ୍ଚିଲେ । ମହୁମାଛି ଥାବଡ଼ାନାକ ଦୁଆରେ ଡାକ ପକାଇଲା, ଥାବଡ଼ାନାକଭାଇ, ଘରେ ଅଛ ତ-?’’

 

ଥାବଡ଼ାନାକ ବେଙ୍ଗ ଡେଇଁ ଡେଇଁ ବାହାରକୁ ଆସି ବନ୍ଧୁ ମହୁମାଛିଙ୍କୁ ଦେଖୁ ଖୁବ୍ ଖୁସି ହୋଇ କହିଲା, “ମହୁମାଛି ଭାଇ, କି ଖବର ? ବହୁଦିନ ପରେ ଯେ ଦେଖା ମୋର କି ଭାଗ୍ୟ ! ତୁମେ ଆଗେ ବସ, ତା ପରେ ସକାଳୁ ସକାଳୁ ଆସିବା ବିଷୟରେ ବୁଝିବା ।’’

 

ମହୁମାଛି ବଣୁଆ ବୁଢ଼ାହାତୀର କାଣ୍ଡକାରଖାନା ବିଷୟରେ ସବୁକଥା ଖୋଲି କହିଲା । ସବୁକଥା ଶୁଣି ଥାବଡ଼ାନାକ ବେଙ୍ଗର ଦେହ ତ ନିଆଁ ହୋଇଗଲା ।

 

ବେଙ୍ଗ କହିଲା, “କି ପାଷାଣ୍ଡ ହାତୀଟା ? ଛୋଟ ଚଢ଼େଇଛୁଆଗୁଡ଼ାଙ୍କୁ ପାଦରେ ଦଳିଦେଇ ମାରିଦେଲା । କି ଅହଂକାର ! ଏବେ ମୁଁ ଚାଲିଲି । ହାତୀର ପତନ ନିଶ୍ଚିତ । କାରଣ ଅହଂକାର ହିଁ ପତନର ମୂଳ ।

 

ମହୁମାଛି କହିଲା, “ହାତୀକୁ ଦଣ୍ଡ ଦେବା ଆମର ଏକାନ୍ତ ଇଚ୍ଛା । ସେଥିପାଇଁ ଅପଣଙ୍କ ପରାମର୍ଷ ଆମେ ଚାହୁଁଛୁ । ଆମେ ତ ଶକ୍ତିର ଜୋର୍‌ରେ ହାତୀ ସାଙ୍ଗରେ ପାରିବା ନାହିଁ ।”

 

ବେଙ୍ଗ ତାଛଲ୍ୟ କରି କହିଲା, “ଶାରୀରିକ ଶକ୍ତିକୁ ତୁମେ ବଳ ବୋଲି ଭାବୁଛ ? ବଦ୍ଧିର ବଳ ହିଁ ଶ୍ରେଷ୍ଠ ବଳ । ତା ଠାରୁ ଅଧିକ ହେଉଛି ଏକତାର ବଳ । ଆମେ ଚାରିଜଣ ଏକତ୍ର ହେଲେ ସେହି ପାଷାଣ୍ଡ ବୁଢ଼ା ବଣୁଆ ହାତୀଟାକୁ ଗୋଇଠା ମାରିପାରିବା ।’’

 

ଘରଚଟିଆ କହିଲା, “ସେଇ ଉପାୟ କରନ୍ତୁ । କୁହନ୍ତୁ କ’ଣ କରିବା ?"

 

ଥାବଡ଼ାନାକ ବେଙ୍ଗ ସେମାନଙ୍କୁ ଗୋପନରେ ଆବଶ୍ୟକ ପରାମର୍ଶ ଦେଲା ।

 

ସେତେବେଳକୁ ଦ୍ୱିପ୍ରହର । ସୂର୍ଯ୍ୟ ମୁଣ୍ଡ ଉପରେ । ପ୍ରଚଣ୍ଡ ଖରା ସାଙ୍ଗକୁ ପ୍ରଖର ଉତ୍ତାପ-। ବୁଢ଼ା ହାତୀଟା ଗୋଟିଏ ଗଛ ଛାଇରେ ବିଶ୍ରାମ କରୁଥାଏ । ବେଙ୍ଗର ପରାମର୍ଶରେ ମହୁମାଛି ଅତି ମଧୁର ସ୍ୱରରେ ହାତୀର କାନପାଖରେ ଗୁଣୁଗୁଣୁ ହୋଇ ଏପରି ମଧୁର ସ୍ଵରରେ ଗୀତ ଗାଇଲା ଯେ, ହାତୀ ସଙ୍ଗେ ସଙ୍ଗେ ନିଘୋଡ଼ ନିଦରେ ଶୋଈଗଲା । ହାତୀ ଯେମିତି ଶୋଇପଡ଼ିଛି, କାଠହଣା ଯାଇ ହାତୀର ଆଖିକୁ ଦେଲା ଦୁଇ ଖୁମ୍ପା । ଯେ, ହାତୀର ଆଖୁଦୁଇଟା କଣ ହୋଇଗଲା-। ହାତୀ ଯନ୍ତ୍ରଣାରେ ପଢ଼ିଉଠି ଦୌଡ଼ିଲା । ହାତୀ ଦୌଡ଼ି ଦୌଡ଼ି ହାଲିଆ ହୋଇଗଲା । ଏଣେ ତାକୁ ଖରା କାଟିଲା । ଖୁବ୍ ଶୋଷ ହେଲା । ସେ ଯେ ଅନ୍ଧ, ପାଣି ପିଇବ ବା କେମିତି ?

 

ନିକଟରେ ପୋଖରୀଟିଏ ଥିଲା । ପୋଖରୀଟିରେ ପଙ୍କ ଭର୍ତ୍ତି । ସୁଯୋଗ ଦେଖି ଥାବଡ଼ାନାକ ନାମକ ସେହି ବେଙ୍ଗଟି ପୋଖରୀ ଭିତରକୁ ଯାଇ ବୋବାଇବାକୁ ଲାଗିଲା । ବେଙ୍ଗରଡ଼ି ଶୁଣି ବୁଢ଼ାହାତୀଟି ପାଣି ଆଶାରେ ବେଙ୍ଗରଡ଼ିକୁ ଲକ୍ଷ୍ୟକରି ଯାଇ ପୋଖରୀ ଭିତରେ ପଶିଗଲା । ହାତୀର ଆଶା ଆଶାରେ ହିଁ ରହିଗଲା । ହାତୀଟି ପଙ୍କରେ ପଡ଼ି ଆଉ ଉଠିପାରିଲା ନାହିଁ-। ପଙ୍କରେ ଲାଖି ରହିଥିବା ବୁଢ଼ା ହାତୀକୁ ଥାବଡ଼ାନାକ ବେଙ୍ଗ ଗୋଇଠା ମାରି ଫେରିଆସିଲା-

 

ସମୁଦ୍ର ଅଣ୍ଡା ନେଇଯାଇଥିବା ଦୁଃଖରେ ଭାଙ୍ଗିପଡ଼ିଥିବା ପୂର୍ବୋକ୍ତ ସ୍ତ୍ରୀ ତିତ୍ତିର ପକ୍ଷୀ ତା’ର ସ୍ଵାମୀକୁ ଗଳ୍ପଟି ଶୁଣାଇ ସାରିଲା ପରେ ପୁରୁଷ ତିତ୍ତିରପକ୍ଷୀଟି କହିଲା, “ହେ ପ୍ରିୟେ, ତୁମେ ଠିକ୍ କହିଛି । ମୁଁ ଏବେ ସମସ୍ତ ବନ୍ଧୁବାନ୍ଧବଙ୍କ ନିକଟକୁ ଚାଲିଲି ।

 

ଖବର ପାଇ କା-କା-କା କରି କୁଆ, ଚିରିଂ-ଚିରିଂ-ଚିରିଂ ଗାଙ୍ଗୋଇ, ପଛକୁ ପଛ ହଳଦୀବସନ୍ତ, ବଗ, ଶାରୀ, କୋଇଲି, ଶୁଆ, ଶଙ୍ଖଚିଲ, ବଣି, ଭରତିଆ, ଟେରା, ମୟୁର ପ୍ରଭୃତି ବହୁ ଚଢ଼େଇ ଆସି ପହିଞ୍ଚିଗଲେ । ତିତ୍ତିରପକ୍ଷୀ ଦମ୍ପତିଙ୍କର ଦୁଇଟି ଅଣ୍ଡା ସମୁଦ୍ର ନେଇଯାଇଥିବା ବିଷୟ ଶୁଣି ସମସ୍ତେ ଚିନ୍ତିତ ହେଲେ । ସମସ୍ତେ ଏକସ୍ୱରରେ କହିଲେ, "ଏହାର ପ୍ରତିକାର ଆବଶ୍ୟକ, ଏହାର ପ୍ରତିକାର ଆବଶ୍ୟକ । ସମୁଦ୍ର ଆଜି ସେମାନଙ୍କରେ ଡିମ୍ବ ନେଇଯାଇଛି, କାଲି ଆମର ନେଇଯିବ । ଆସ ଆମେ ସମସ୍ତେ ଆମର ରାଜା ଗରୁଡ଼ଙ୍କ ପାଖକୁ ଯିବା ।”

 

ସମସ୍ତେ ଯାଇ ଗରୁଡ଼ଙ୍କ ପାଖରେ ପହଞ୍ଚି କାନ୍ଦି କାନ୍ଦି କହିଲେ, “ମହାରାଜ, ଆପଣ ପ୍ରଜାଙ୍କୁ ନ ବଞ୍ଚାଇଲେ କିଏ ତ ବଞ୍ଚାଇବ ? ଆପଣ ଆମକୁ ରକ୍ଷା କରନ୍ତୁ ।

 

ଗରୁଡ଼ ତାଙ୍କର ପ୍ରଜାମାନଙ୍କୁ ଆଶ୍ୱାସନା ଦେଇ କହିଲେ, “ତୁମେ ସମସ୍ତେ ଯିଏ ଯାହା ଘରକୁ ଯାଅ । ମୁଁ ଏହାର ପ୍ରତିକାର ବ୍ୟବସ୍ଥା କରୁଛି ।”

 

ପକ୍ଷୀମାନେ ଯିଏ ଯାହା ଘରକୁ ଚାଲିଗଲେ । ଏଣେ ଭଗବାନ ବିଷ୍ଣୁ କୌଣସି ଏକ ସ୍ଥାନକୁ ଜରୁରୀ କାର୍ଯ୍ୟରେ ଯିବାକୁ ବାହାରିଲେ ! ଦେଖିଲେ–ତାଙ୍କର ବାହନ ଗରୁଡ଼ ନାହାନ୍ତି । ଗରୁଡ଼ଙ୍କୁ ତୁରନ୍ତ ଡାକିଆଣିବା ପାଇଁ ବିଷ୍ଣୁ ଜଣେ ଦୂତକୁ ପଠାଇଲେ ।

 

ଆଜ୍ଞା ପାଇ ବିଷ୍ଣୁଙ୍କ ଦୂତ ଯାଇ ଗରୁଡ଼ଙ୍କୁ କହିଲେ, “ପ୍ରଭୁ ତୁମକୁ ଡାକୁଛନ୍ତି ।

 

ଗରୁଡ଼ କହିଲେ, “ହେ ଦୂତ, ତୁମେ ଏବେ ଫେରିଯାଇ ପ୍ରଭୁଙ୍କୁ କୁହ, ମୁଁ ଏବେ ଯାଇପାରିବ ନାହିଁ । ସେ ଅନ୍ୟ ଭୃତ୍ୟକୁ ନିଯୁକ୍ତ କରନ୍ତୁ ।" ।

 

ଦୂତ ଫେରିଯାଇ ଭଗବାନ୍ ବିଷ୍ଣୁଙ୍କୁ ସମସ୍ତ ବିଷୟ ବୁଝାଇ କହିଲେ । ବିଷ୍ଣୁ ସବୁ ଶୁଣି ନିଜେ ଆସି ଗରୁଡ଼ଙ୍କ ନିକଟରେ ପହଞ୍ଚିଲେ । ଭଗବାନ ବିଷ୍ଣୁଙ୍କୁ ଦେଖି ଗରୁଡ଼ ଲଜ୍ଜିତ ହୋଇ କହିଲେ, “ପ୍ରଭୁ, ମୋତେ କ୍ଷମା କରନ୍ତୁ । ଆପଣଙ୍କର ଆଦେଶ ଅମାନ୍ୟ କରିଥିବାରୁ ମୁଁ ଖୁବ୍ ଲଜ୍ଜିତ । କିନ୍ତୁ ପ୍ରଜାଙ୍କର ଯଦି କିଛି ଉପକାର ମୁଁ ନ କରିପାରିଛି, ତେବେ ରାଜା ହେବା ମୋର ବୃଥା-। ଏହା କହି ଗରୁଡ଼ ଭଗବାନ ବିଷ୍ଣୁଙ୍କୁ ତିତ୍ତିରପକ୍ଷି–ଦମ୍ପତିଙ୍କର ଦୁରଟି ଅଣ୍ଡା ସମୁଦ୍ର ନେଇଯାଇଥିବା ବିଷୟ କହିଲେ ।

 

ଭଗବାନ୍‌ ବିଷ୍ଣୁ ସବୁ ଶୁଣି କହିଲେ, ‘‘ଗରୁଡ଼, ଏବେ ଚାଲ, ଆମେ ସମୁଦ୍ର ପାଖକୁ ଯିବା-। ଦେଖିବା ତା’ର କ୍ଷମତା । ଅନ୍ୟର ଅଣ୍ଡା ନେଇଯିବା ସମୁଦ୍ରର ଅପରାଧ ।’’

 

ଭଗବାନ୍‌ ବିଷ୍ଣୁ ସମୁଦ୍ରକୂଳରେ ପହଁଞ୍ଚି କହିଲ, ‘‘ହେ ସମୁଦ୍ର, ତୁମେ ତିତ୍ତିରପକ୍ଷି-ଦମ୍ପତିଙ୍କର ଅଣ୍ଡାଦୁଇଟି ଫେରାଇ ଦିଅ ।

 

ସମୁଦ୍ର ନୀରବ ରହିଲା । କିଛି ଉତ୍ତର ଦେଲା ନାହିଁ । ଭଗବାନ୍‌ ବିଷ୍ଣୁ ଭୀଷଣ ରାଗିଗଲେ । ବିଷ୍ଣୁଙ୍କର ରାଗ ଦେଖି ସମୁଦ୍ର ଭୀଷଣ ଡ଼ରିଗଲା । ଭୟରେ ସମୁଦ୍ର ତିତ୍ତିରପକ୍ଷି-ଦମ୍ପତିଙ୍କର ଦୁଇଟି ଅଣ୍ଡା ଫେରାଇଦେଲା ।

 

ତିତ୍ତିରପକ୍ଷି-ଦମ୍ପତି ସେମାନଙ୍କର ଅଣ୍ଡାଦୁଇଟି ଫେରିପାଇ ବହୁତ ଖୁସି ହେଲେ । ପକ୍ଷୀମାନଙ୍କ ଏକତାର ଜୟ ହେଲା । ସମୁଦ୍ର ହାର ମାନିଲା ।

 

ଗଳ୍ପଟି କହିସାରି ଦମନକ ସଂଜୀବକ ନାମକ ବଳଦକୁ କହିଲା, ‘‘ମୋର ମନେହୁଏ, ଶତ୍ରୁକୁ କ୍ଷୁଦ୍ର ଭାବି ପିଙ୍ଗଳକ ସାଙ୍ଗରେ ବିବାଦ କରିବାକୁ ଯିବା ଠିକ୍‌ ହେବ ନାହିଁ । ଏକ୍ଷେତ୍ରରେ ପଳାଇଯିବା ହିଁ ଠିକ୍‌ ହେବ ।’’

 

ସଂଜୀବକ ନାମକ ବଳଦ କହିଲା, ‘‘ନା ବନ୍ଧୁ, ନା । ମୁଁ ମନ ସ୍ଥିର କରିସାରିଛି, ଯଦି ମରିବି ପିଙ୍ଗଳକ ହାତରେ ମରବି । ଏତେଦିନି ଧରି ସେ ମୋ’ ପ୍ରତି ବହୁ ଶ୍ରଦ୍ଧା ଦେଖାଇଛନ୍ତି । ଏବେ କୁହ ତ, ମୁଁ କିପରି ବୁଝିବି ଯେ, ସେ ମୋତେ ଆକ୍ରମଣ କରିବ ?’’

 

ଦମନକ କହିଲା, ‘‘ତୁମେ ଏବେ ଯାଇ ଦେଖିବ. ତା’ର ଆଖିଦୁଇଟି ରକ୍ତବର୍ଣ୍ଣ ହୋଇଥିବ । ସେ ତୁମକୁ ବାରମ୍ୱାର କଣେଇ କଣେଇ ଚାହୁଁଥିବ । ଅନ୍ୟ ଦିନପରି ତୁମକୁ ଆଦରରେ ଡାକି କଥାବାର୍ତ୍ତା କରିବ ନାହିଁ ।’’

 

ଏହିପରି କହି ଦମନକ ସଂଜୀବକଠାରୁ ବିଦାୟ ନେଲା ।

 

ଚିନ୍ତିତ ମନରେ ଦମନକ କରଟକ ନିକଟକୁ ଫେରିଆସିଲା । ଦମନକକୁ ଦେଖି କରଟକ ପଚାରିଲା, ‘‘ଖବର କ’ଣ ବନ୍ଧୁ, କ’ଣ କିଛି ଉପାୟ କଲ ?’’

 

ଦମନକ କହିଲା, ‘‘ପିଙ୍ଗଳକ ଓ ସଂଜୀବକ ମଧ୍ୟରେ ବିଭେଦ ସୃଷ୍ଟି କରିଦେଇଛି। ଯେଉଁ ମଞ୍ଜି ବୁଣିଛି, ନିଶ୍ଚୟ ଫଳିବ ।’’

 

କରଟକ କହିଲା, ‘‘ସେପରି କୁହ ନାହିଁ ବନ୍ଧୁ ଦମନକ । ଫଳ ଭଗବାନ୍‌ଙ୍କ ହାତରେ । ଭଗବାନ୍‌ ଇଚ୍ଛାକଲେ ସବୁ ସମ୍ଭବ । ନଚେତ୍‌ କିଛି ହେବ ନାହିଁ ।

 

ଦମନକ ବିରକ୍ତ ହୋଇ କହିଲା, ‘‘କିନ୍ତୁ ମୁଁ ତାହା ବିଶ୍ୱାସ କରେ ନାହିଁ । ଉଦ୍ୟୋଗୀ ପୁରୁଷଙ୍କୁ ହିଁ ଲକ୍ଷ୍ମୀ ପ୍ରାପ୍ତ ହୁଅନ୍ତି । କାପୁରୁଷମାନେ ଭଗବାନ୍‌ ଭଗବାନ୍‌ ବୋଲି ଚିତ୍କାର କରନ୍ତି’’ ।

 

କରଟକ କହିଲା, ‘‘ଧନ୍ୟ କହିବା ତୁମର ଚେଷ୍ଟାକୁ । ତୁମର ଭେଦ–ନୀତିର ଫଳାଫଳ କ’ଣ ହେବ ଜଣାନାହିଁ । ତୁମେ ସରଳମନା ସଂଜୀବକ ଓ ପିଙ୍ଗଳକଙ୍କୁ ବହୁ ଦଃଖରେ ପକାଇଛ । ତୁମେ ଜନ୍ମ ଜନ୍ମାନ୍ତରରେ ବହୁ ଦୁଃଖ ଭୋଗ କରିବ ।’’

 

କରଟକ କଥା ଶୁଣି ଦମନକ କହିଲେ, ‘‘ବନ୍ଧୁ କରଟକ, ନୀତିଶାସ୍ତ୍ରରେ ତୁମର କିଛି ଜ୍ଞାନ ନ ଥିବାରୁ ଏପରି କହୁଛ । ନୀତିଶାସ୍ତ୍ରରେ କୁହାଯାଇଛି–ଶତ୍ରୁ ଏବଂ ରୋଗକୁ ବଢ଼ିବାକୁ ଦେବ ନାହିଁ । ଶତ୍ରୁ ଏବଂ ରୋଗ ବଢ଼ିଲେ ମୃତ୍ୟୁର କାରଣ ହୋଇପାରନ୍ତି । ସଂଜୀବକ ମଲେ ଆମର ଖାଦ୍ୟ ହେବ । ଶତ୍ରୁତା ସାଧି ହେବ । ଆମର ମନ୍ତ୍ରିତ୍ୱ ଦୃଢ଼ ହେବ । ଏ ସୁଯୋଗକୁ ହାତଛଡ଼ା କରିବା ଉଚିତ୍‌ ନୁହେଁ ।

 

କରଟକ କହିଲା, ‘‘ନୀତିଶାସ୍ତ୍ରରେ କ’ଣ ଏକଥା ଲେଖାନାହିଁ ଯେ, ଯିଏ ବିନା ଯୁଦ୍ଧରେ କାର୍ଯ୍ୟସାଧନ କରିପାର, ସେ ହିଁ ଉପଯୁକ୍ତ ମନ୍ତ୍ରୀ । ତୁମପରି ମୂର୍ଖୁ ଉପଦେଶ ଦେଇ କିଛି ଲାଭ ନାହିଁ । ମୂର୍ଖ ମାଙ୍କଡକୁ ଉପଦେଶ ଦେଇ ବାୟାଚଢ଼େଇ କିପରି ବିପଦରେ ପଡ଼ିଥିଲା, ଜାଣିଛ ତ-?’’

 

ଦମନକ କହିଲା, ‘‘କିମିତି ଜାଣିବି ? ତୁମେ କଥାଟା ଖୋଲିକରି କହିଲେ ସିନା ଜାଣିବି-?’’

 

ତା ପରେ କରଟକ ‘‘ଆ’’ ବଳଦ, ମୋତେ ବିନ୍ଧ୍‍, ‘‘ଗଳ୍ପଟି ଦମନକକୁ ଶୁଣାଇଲା ।

Image

 

ଆ’ ବଳଦ ମୋତେ ବିନ୍ଧ୍‌

Image

କରଟକ ଗଳ୍ପ କହିବା ଆରମ୍ଭ କଲା । ଦିନସାରା ବର୍ଷା ଓ ବାତ୍ୟା ଲାଗିରହିଥିଲା । ବର୍ଷାର ବେଗ ବେଳୁବେଳ ବଢ଼ୁଥାଏ । ବାତ୍ୟାର ବେଗ ମଧ୍ୟ ବଢ଼ିବାର ଲାଗିଥାଏ ।

 

ଶମୀଗଛର ଗୋଟିଏ ଉଚ୍ଚ ଡ଼ାଳରେ ଗୋଟିଏ ବାୟାଚଢ଼େଇ ଓ ତାର ସ୍ତ୍ରୀ ବସାବାନ୍ଧି ରହୁଥିଲେ ।ବାୟାଚଢ଼େଇ କହିଲା, ‘‘ପ୍ରିୟେ, ଭାଗ୍ୟକୁ ବସାଟା ମଜଭୁତ କରି ତିଆରି କରିଥିଲେ, ନଚେତ ଏତେବେଳକୁ ବସାଭାଙ୍ଗି ଆମେ ମରିଥାନ୍ତେ ।’’

 

ବାୟାଚଢ଼େଇର ସ୍ତ୍ରୀ ମୁହଁଫୁଳାଇ କହିଲା, ‘‘ଆହାଃ, ମୁଁ ଯେ ତୁମକୁ ପରାମର୍ଶ ଦେଇଥିଲି, ସେହି କଥାଟା କହୁନ କାହିଁକି ?’’

 

ବାୟାଚଢ଼େଇ କହିଲା ‘‘ସେଇଟା ତ ଠିକ୍‌ କଥା । ମୁଁ କ’ଣ ଅସ୍ୱୀକାର କରୁଛି ?’’

 

ଏହିପରି କଥାବାର୍ତ୍ତା ସମୟରେ ଗଛମୂଳରେ ଧପାସ୍‌କରି କ’ଣ ଗୋଟାଏ ଶବ୍ଦ ହେଲା-। ଶବ୍ଦ ଶୁଣି ବାୟାଚଢ଼େଇ ଉଙ୍କିମାରି ଦେଖିଲା, ଗୋଟିଏ ମାଙ୍କଡ଼ ବର୍ଷାରେ ଓଦାହୋଇ ଗଛମୂଳେ ଆଶ୍ରୟ ନେଇଛି ।

 

ବାୟା କହିଲା, ‘‘ପ୍ରିୟେ, ଦେଖ ଦେଖ । ଆମର ବି ଏପରି ଅବସ୍ଥା ହୋଇଥାନ୍ତା ‘‘

 

ବାୟେର ସ୍ତ୍ରୀ ଶମୀଗଛ ମୂଳକୁ ଅନାଇଦେଇ କହିଲା, ‘‘ଆଲୋ ମା, ସତେ ମାଙ୍କଡଟା ଠିଆ ଠିଆ ତିନ୍ତୁଛି, ଶୀତରେ ଠକ୍‌ ଠକ୍‌ ଥରୁଛି ।’’ ମାଙ୍କଡ଼ର ଦୁଃଖ ଦେଖି ତା’ ମନରେ ବଡ଼ କଷ୍ଟ ହେଲା । ସେ ମାଙ୍କଡକୁ କହିଲା, ‘‘ମାଙ୍କଡ଼ଭାଇ, ଓଦା ହେଉଛ କାହିଁକି ? ଦେହ ଖରାପ ହେବ । ତୁମ ନିଜ ଘରକୁ ଯାଅ ।’’

 

ମାଙ୍କଡ଼ ରାଗିଯାଇ କହିଲା, ‘‘ତୋର କ’ଣ ଅଛି ? ତୁ ତୋ ବସାରେ ଅଛୁ, ଚୁପ୍‌ଚାପ୍‌ ରହ ।’’

 

ବାୟାଚଢ଼େଇର ସ୍ତ୍ରୀ କହିଲା, ‘‘ତୋର ମଣିଷପରି ହାତ, ପାଦ ଥାଉ ଥାଉ ତୁ ବସାଟେ ତିଆରି କରି ପାରୁନାହିଁ ?’’

 

ମାଙ୍କଡ଼ ଆହୁରି ରାଗିଯାଇ କହିଲା, ‘‘ମୁଁ ବସା ତିଆରି କରିବି କି ନାହିଁ, ତୋର ସେଥିରେ ଯାଏ ଆସେ କେତେ ?’’

 

ବାୟା ଚଢ଼େଇର ସ୍ତ୍ରୀ ରାଗିଯାଇ କହିଲା, ‘‘ତା ହେଲେ ଓଦାହୋଇ ମର ତୁ । ଆଜିକାଲି ଭଲକଥା କହିଲେ ଖରାପ ’’।

 

ମାଙ୍କଡ ଖତେଇ ହୋଇ କହିଲା, ‘‘କ’ଣ କହିଲୁ ? ମୋତେ ମରିବାକୁ କହୁଛୁ ? ତୋର ଗୋଟିଏ ବସା ଅଛି ବୋଲି ଏଡ଼େ ବହପ ? ଏତେ ଅହଂକାର ? କ’ଣ ପାଇଛୁ ମୋତେ ?’’

Image

ଏହା କହି ମାଙ୍କଡ଼ ରାଗିଯାଇ ତରତର ହୋଇ ଗଛ ଉପରକୁ ଚଢ଼ିଯାଇ ସେମାନଙ୍କର ବସାଟା ଭାଙ୍ଗିଦେଲା । ବାୟାଚଢ଼େଇଙ୍କର ଦୁଃଖ-କଷ୍ଟର ସୀମା ରହିଲା ନାହିଁ ।

 

ଗଳ୍ପଟି ଶେଷକରି କରଟକ କହିଲା ‘‘ମୂର୍ଖକୁ ଉପଦେଶ ଦେଲା ତା’ର କିଛି ଫଳ ହୁଏ ନାହିଁ । ତା’ଛଡ଼ା ତୁମେ କେବଳ ମୂର୍ଖ ନୁହଁ, କୁବୁଦ୍ଧି–ସଂପନ୍ନ ମଧ୍ୟ । ତୁମର ଅବସ୍ଥା ପାପବୁଦ୍ଧି ପରି ହେବ ।’’

 

ପାପ ବୁଦ୍ଧିର ଅବସ୍ଥା କ’ଣ ହୋଇଥିଲା, ସେ ବିଷୟରେ ଦମନକୁ ଜାଣିବାକୁ ଚାହିଁଲା । ତେରୁ କରଟକ ‘‘ଧର୍ମବୁଦ୍ଧି–ପାପବୁଦ୍ଧି’’ ଗଳ୍ପଟି ଶୁଣାଇଲା ।

Image

 

ଧର୍ମବୁଦ୍ଧି–ପାପବୁଦ୍ଧି କଥା

Image

ସେମାନେ ଦୁଇବନ୍ଧୁ । ସେମାନଙ୍କ ଭିତରେ ପାଣି ଗଳେ ନାହିଁ । କିନ୍ତୁ ଦୁଇବନ୍ଧୁଙ୍କର ସ୍ୱଭାବ ଭିନ୍ନ ଭିନ୍ନ। ଦୁଇଜଣଙ୍କ ମଧ୍ୟରୁ ଜଣେ ଯେତିକି ଧାର୍ମିକ, ଅନ୍ୟଜଣକ ସେତିକି ପାପୀ । ଲୋକମାନେ ଜଣକୁ କହନ୍ତି ଧର୍ମବୁଦ୍ଧି ଓ ଅନ୍ୟଜଣକୁ କହନ୍ତି ପାପବୁଦ୍ଧି ।

 

ଥରେ ଦୁଇବନ୍ଧୁ ଧର୍ମବୁଦ୍ଧି ଓ ପାପବୁଦ୍ଧି ବ୍ୟବସାୟ ପାଇଁ ବିଦେଶ ଗଲେ । ଭଗବାନ୍‌ଙ୍କ ଆଶୀର୍ବାଦ ଓ ମା’ ଲକ୍ଷ୍ମୀଙ୍କର କୃପାରୁ ସେମାନେ ପ୍ରଚୁର ଟଙ୍କା ପଇସା ଅର୍ଜନ କଲେ । ସମସ୍ତ ଅର୍ଜିତ ଟଙ୍କା ପଇସା ସମାନ ଦୁଇଭାଗ କରି ଦୁଇବନ୍ଧୁ ବାଣ୍ଟିନେଲେ ।

 

ଟଙ୍କାପଇସା ଧରି ଦୁଇବନ୍ଧୁ ଗାଁ ରାସ୍ତା ଧରିଲେ । ସେମାନଙ୍କ ଗ୍ରାମ ପୂର୍ବରୁ ଗୋଟିଏ ବଡ଼ ବଣ ପଡ଼େ । ଦୁଇବନ୍ଧୁ ଫେରିବା ବାଟରେ ହାଲିଆ ହୋଇ ନିଜ ଗାଁ ପାଖ ବଣର ଗୋଟିଏ ଗଛମୂଳରେ ବସି ବିଶ୍ରାମ କଲେ । ବିଶ୍ରାମ ବେଳେ ସେମାନେ ପରସ୍ପର ମଧ୍ୟରେ ଗାଁ କଥା, ପରିବାର କଥା, ଆତ୍ମୀୟ ସ୍ୱଜନଙ୍କ କଥା ବିଷୟରେ ଆଲୋଚନା କରୁଥାନ୍ତି । ଆଲୋଚନା ମଝିରେ ହଠାତ୍‌ ପାପବୁଦ୍ଧି ଧର୍ମବୁଦ୍ଧିକୁ କହିଲା, ‘‘ବନ୍ଧୁ ଧର୍ମବୁଦ୍ଧି, ଆମେ ଏତେଗୁଡ଼ାଏ ଟଙ୍କାପଇସା ଧରି ଗାଁକୁ ଯିବା ଉଚିତ ନୁହେଁ। ଚୋରି ଭୟ ଅଛି । ତା’ ଛଡ଼ା, ଏତେଗୁଡାଏ ଟଙ୍କାପଇସା ଦେଖି ଆତ୍ମୀୟ ସ୍ୱଜନ ହିଂସା ଓ ଲୋକ କରିବେ । କଥାରେ, ଅଛି, ଟଙ୍କା ପଇସା ଦେଖିଲେ ମୁନିଙ୍କର ମଧ୍ୟ ମତିଭ୍ରମ ହୋଇଥାଏ ।’’

 

ଧର୍ମବୁଦ୍ଧି ପାପବୁଦ୍ଧିର ପ୍ରସ୍ତାବରେ ରାଜି ହୋଇ ସେମାନଙ୍କର ଟଙ୍କା ପଇସା ଗୋଟିଏ ବଡ଼ ବରଗଛ ମୂଳରେ ପୋତି ଦେଇ ଗାଁକୁ ଗଲେ ।

 

ଗାଁକୁ ଆସି ଦୁଇବନ୍ଧୁ ବେଶ୍‌ ଆରାମ୍‌ରେ ଚଳିଲେ । ଦିନେ ପାପବୁଦ୍ଧି ଆସି କହିଲ, ‘‘ବନ୍ଧୁ ଧର୍ମବୁଦ୍ଧି, ମୋର କିଛି ଯଙ୍କା ଦରକାର । ଚଲ ଆଣିବା ।’’

 

ଧର୍ମବୁଦ୍ଧିର ମଧ୍ୟ ଟଙ୍କା ଆବଶ୍ୟକ ଥିଲା, ତେଣୁ ସେ ସାଙ୍ଗେ ସାଙ୍ଗେ ରାଜି ହୋଇଗଲା-। ଦୁଇବନ୍ଧୁ ଗାଁପାଖ ବଣ ଅଭିମୁଖେ ଚାଳିଲେ ।

 

ବଣରେ ପହଁଞ୍ଚି ଦୁଇବନ୍ଧୁ ବରଗଛ ମୂଳରେ ବହୁ ଖୋଳାଖୋଳି କଲେ ବି ରକ୍ଷିତ ଧନ ମିଳିଲା ନାହିଁ । ଟଙ୍କା ନ ମିଳିବାରୁ ପାପବୁଦ୍ଧି ଧର୍ମବୁଦ୍ଧିକୁ କହିଲା, ‘‘ବନ୍ଧୁ, ମୋର ସନ୍ଦେହ ହେଉଛି, ତୁମେ ହିଁ ଟଙ୍କା ଚୋରି କରିଛ ।’’

 

ଧର୍ମବୁଦ୍ଧି କହିଲେ, ‘‘ବନ୍ଧୁ, ତୁମେ ଏପରି କ’ଣ କହୁଛ ? ଲୋକେ ମୋତେ ଧର୍ମବୁଦ୍ଧି ବୋଲି ଡାକନ୍ତି । ମୁଁ ଜୀବନରେ କେବେହେଲେ ପରଧନରେ ହାତ ଦେଇନାହିଁ । ମୋର ମନେହୁଏ, ତୁମେ ହିଁ ଏଠାରୁ ଟଙ୍କା ନେଇଯାଇଛ ।’’

 

ଦୁହିଁଙ୍କ ମଧ୍ୟରେ ଏହିପରି ବହୁ କଥା କଟାକଟି ପରେ ସେମାନେ ବିଚାର ପାଇଁ ରାଜଦରବାରକୁ ଚାଲିଲେ । ଦରବାରରେ ରାଜପରିଷଦର ସଭ୍ୟମାନେ ଦୁଇଜଣଙ୍କର ଅଭିଯୋଗ ଶୁଣି ପଚାରିଲେ,’’ ତୁମେ ଦୁଇଜଣ ଉଭୟ ଉଭୟଙ୍କୁ ଅଭିଯୋଗ ଶୁଣି ପଚାରିଲେ, ‘‘ତୁମେ ଦୁଇଜଣ ଉଭୟ ଉଭୟଙ୍କୁ ଦୋଷୀ ବୋଳି କହୁଛ, କିନ୍ତୁ ସାକ୍ଷୀ କିଏ ? କିଛି ଲିଖିତ ପ୍ରମାଣ ଅଛି କି-? ବିନା ସାକ୍ଷୀ ବିନା ଦଲିଲରେ କାହାରିକୁ ଦୋଷୀ ବୋଲି କହିବା ସହଜ ନୁହେଁ ।’’

 

ଧର୍ମବୁଦ୍ଧି କହିଲା, ‘‘ଧର୍ମାବତାର, ଆମର କିଛି ଲିଖିତ ପ୍ରମାଣ କିମ୍ୱା କେହି ସାକ୍ଷୀ ନାହାନ୍ତି ।’’

 

ପାପବୁଦ୍ଧି କହିଲା, ‘‘ଧର୍ମାବତାର, ମୁଁ ବନଦେବତାଙ୍କୁ ସାକ୍ଷୀ ମାନୁଛି । ତାଙ୍କର ସାକ୍ଷ୍ୟ ମୋ ପାଇଁ ଶିରୋଧାର୍ଯ୍ୟ ।’’

 

ରାଜପରିଷଦର ସଭ୍ୟମାନେ ସାକ୍ଷ୍ୟ ଗ୍ରହଣ ପାଇଁ ପରଦିନକୁ ଦିନ ଧାର୍ଯ୍ୟ କରି ମୋକଦ୍ଦମା ସେଦିନ ପାଇଁ ମୁଲତବୀ ରଖିଲେ ।

 

ପାପବୁଦ୍ଧି ଘରକୁ ଫେରି ବାପାଙ୍କୁ ସବୁକଥା ଜଣାଇ କହିଲା, ‘‘ବାପା, ସବୁ ଟଙ୍କା ମୁଁ ଚୋରି କରିଛି । ମୁଁ ଧର୍ମବୁଦ୍ଧିକୁ ଠକିଦେବାକୁ ଚାହଁଛି ।’’

 

ପାପବୁଦ୍ଧିର ବାପା କହିଲେ, ‘‘ତାହେଲେ, ମୁଁ ତୋ ପାଇଁ କ’ଣ କରପାରିବି ?’’

 

ପାପବୁଦ୍ଧି କହିଲା, ‘‘ବାପା, ଆପଣ ଏବେ ଯାଇ ବଣରେ ଥିବା ବଡ଼ ବରଗଛର କୋରଡ଼ରେ ବସନ୍ତୁ । ଯତେବେଳେ ରାଜପରିଷଦର ସଭ୍ୟମାନେ ଚୋର କିଏ ବୋଲି ପଚାରିବେ, ସେତେବେଳେ ଆପଣ କୋରଡ଼ ଭିତରୁ କହିବେ ଧର୍ମବୁଦ୍ଧି ଚୋର ।’’

 

ପାପବୁଦ୍ଧିର ବାପା ପୁଅ କଥାରେ ରାଜି ହେଲେ । ପରଦିନ ସକାଳ । ରାଜା ରାଜପରିଷଦ ସହ ପାପବୁଦ୍ଧି ଓ ଧର୍ମବୁଦ୍ଧିଙ୍କୁ ନେଇ ବଣରେ ସେହି ବରଗଛ ନିକଯକୁ ଗଲେ । ବରଗଛକୁ ଲକ୍ଷ୍ୟକରି ରାଜପରିଷଦ ପଚାରିଲେ, ‘‘ହେ ବନଦେବତା ଆପଣ ଆମର ଭକ୍ତିପୂର୍ଣ୍ଣ ପ୍ରଣାମ ଗ୍ରହଣ କରନ୍ତୁ । ଧର୍ମବୁଦ୍ଧି ଓ ପାପବୁଦ୍ଧିଙ୍କ ମଧ୍ୟରୁ ଚୋର କିଏ, ଆପଣ ଆମକୁ କୁହନ୍ତୁ ।’’

 

ସମସ୍ତଙ୍କୁ ଆଶ୍ଚର୍ଯ୍ୟନ୍ୱିତ କରି ବରଗଛର କୋରଡ଼ ଭିତରୁ ଉତ୍ତର ଆସିଲା ଧର୍ମବୁଦ୍ଧି । ଉପସ୍ଥିତ ବିଚାରକମଣ୍ଡଳୀ ଧର୍ମବୁଦ୍ଧିକୁ ଭର୍ତ୍ସନା କଲେ । ମୁଖ୍ୟ ବିଚାରପତି କହିଲେ, ‘‘ଆଉ ସାକ୍ଷ୍ୟର ଆବଶ୍ୟକତା ନାହିଁ । ଧର୍ମବୁଦ୍ଧି, ତୁମକୁ ଧିକ୍‌ । ତୁମକୁ କଠିନ ଦଣ୍ଡ ଦିଆଯିବ ।’’

 

ଧର୍ମବୁଦ୍ଧି କହିଲ, ‘‘ଧର୍ମାବତାର, ମୋତେ ଆଉ କିଛି ସମୟ ଦିଅନ୍ତୁ ।’’ ଧର୍ମବୁଦ୍ଧି କିଛି ଶୁଖିଲା ପତ୍ର ଯୋଗାଡ଼ କରି ସେଥିରେ ନିଆଁ ଲଗାଇ ବରଗଛର କୋରଡ଼ ଭିତରକୁ ପକାଇଦେଲା-। କୋରଡ଼ ଭିତରେ ଦାଉ ଦାଉ କରି ନିଆଁ ଜଳିଉଠିଲା । ପାପବୁଦ୍ଧର ବୃଦ୍ଧ ପିତା ଅର୍ଦ୍ଧଦଗ୍ଧ ଓ ଯନ୍ତ୍ରଣାରେ ଅତିଷ୍ଠ ହୋଇ କୋରଡ଼ ଭିତରୁ ବାହାରକୁ ବାହାରିଆସିଲେ । ଯନ୍ତ୍ରଣାରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ନିଜ ପୁତ୍ର ପାପବୁଦ୍ଧିର ସମସ୍ତ କୁକର୍ମ ବିଷୟ ବିଚାରକମଣ୍ଡଳୀଙ୍କୁ ଜଣାଇଲେ ।

 

ବିଚାରକମାନେ ଧର୍ମବୁଦ୍ଧିର ଉପସ୍ଥିତ ବୁଦ୍ଧିର ଉଚ୍ଛ୍ୱସିତ ପ୍ରଶଂସା କରି କହିଲେ, ‘‘ଧର୍ମବୁଦ୍ଧି, ତୁମେ ଧନ୍ୟ । ତୁମେ ପ୍ରକୃତରେ ଧର୍ମବୁଦ୍ଧି । ପାପବୁଦ୍ଧି, ତୁମେ ହିଁ ଚୋର । ତୁମକୁ କଠିନ ଦଣ୍ଡ ଦିଆଯିବା ଉଚିତ ।’’

 

ମୁଖ୍ୟ ବିଚାରପତି ପାପବୁଦ୍ଧିକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରି କହିଲେ, ‘‘ପାପବୁଦ୍ଧି କେବଳ ଉପାୟ ହିଁ ଚିନ୍ତା କରୁଥିଲା, କିନ୍ତୁ ତା’ର ଫଳାଫଳ ବିଷୟରେ ଚିନ୍ତା କରୁ ନ ଥିଲା । ଭଲମନ୍ଦ ଚିନ୍ତା ନ କରି ଯିଏ କାର୍ଯ୍ୟ କରେ, ତା’ର ବଗପରି ଦୁରବସ୍ଥା ହୋଇଥାଏ ।

 

ଧର୍ମବୁଦ୍ଧି ପଚାରିଲା., ‘‘ଧର୍ମାବତାର, ବଗର କ’ଣ ହୋଇଥିଲା ?’’

 

ମୁଖ୍ୟ ବିଚାରପତି ‘‘ଶତ୍ରୁ ନିମନ୍ତ୍ରଣ’’ ଗଳ୍ପଟି ଶୁଣାଇଲେ ।

Image

 

ଶତ୍ରୁ ନିମନ୍ତ୍ରଣ

 

Image

ଗାଁଟି ଛୋଟ । ଗାଁମୁଣ୍ଡରୁ ଅଳ୍ପ ଦୂରରେ ଗୋଟିଏ ପୋଖରୀ । ଗାଁ ଲୋକମାନେ ପିଇବା ପାଣିଠାରୁ ଆରମ୍ଭ କରି ସବୁ କାମପାଇଁ ସେହି ପୋଖରୀ ଉପରେ ନିର୍ଭର କରୁଥିଲେ । ପୋଖରୀ କୂଳରେ ବଡ଼ ଝଙ୍କାଳିଆ ଆମ୍ବଗଛ ଥିଲା । ଆମ୍ୱଗଛର ଗୋଟିଏ ଡାଳରେ ବଗ-ବଗୁଲୀ ବସାବାନ୍ଧି ରହୁଥିଲେ । ଅନ୍ୟ ଡାଳଗୁଡିକର ଅନ୍ୟ କେତେଗୁଡ଼ିଏ ଚଢ଼େଇ ବସାବାନ୍ଧି ରହୁଥିଲେ । ଆମ୍ବଗଛ ମୂଳରେ ଗୋଟିଏ ହୁଙ୍କା ଥିଲା । ସେହି ହୁଙ୍କା ଭିତର ସାପଟିଏ ରହୁଥିଲା । ଚଢ଼େଇମାନେ ବସାରେ ନ ଥଲା ବେଳେ ସାପ ସେମାନଙ୍କର ଛୁଆମାନଙ୍କୁ ଖାଇଦେଉଥିଲା

 

ଦିନକର କଥା । ବଗ-ବଗୁଲୀ ଖାଦ୍ୟ ଖୋଜିବାକୁ ଯାଇଥିଲେ । ବସାରେ ଥିଲେ ସେମାନଙ୍କର ଛୁଆଗୁଡ଼ିକ । ସୁଯୋଗ ଉଣ୍ଡି ସାପ ଆସି ବଗ-ବଗୁଲୀଙ୍କ ଛୁଆମାନଙ୍କୁ ଖାଇଦେଲା। ବଗ-ବଗୁଲୀ ବସାକୁ ଫେରି ବହୁତ ଦୁଃଖ କଲେ ।

 

ପରଦିନ ସକାଳୁ ବଗ ମନଦୁଃଖରେ ପୋଖରୀ କୂଳରେ ବସିଥାଏ । ବଗ କଙ୍କଡ଼ାକୁ ଦେଖି ଡାକପକାଇ କହିଲେ, ‘‘କଙ୍କଡ଼ାଭଣଜା, କଙ୍କଡ଼ାଭଣଜା, ଟିକିଏ ଶୁଣିଯାଆ । ସାପ ମୋର ଛୁଆଗୁଡ଼ିଙ୍କୁ ଖାଲି ଖାଇଦେଇଛି । ତାକୁ କିପରି ମାରିବା ?’’

 

କଙ୍କଡ଼ା ପଚାରିଲା, ‘‘ମାମାଶ୍ରୀ, ସାପଟା ରହୁଛି କେଉଁଠି ?’’

 

ବଗ କହିଲା,’’ ଆରେ ଭଣଜା, ସାପଟା ପରା ଆମେ ରହୁଥିବା ଗଛ ମୂଳ ହୁଙ୍କାରେ ରହୁଛି । ଆମେ ନଥିଲା ବେଳେ ଦୁଷ୍ଟ ସାପଟା ଆସି ଆମ୍ଭମାନଙ୍କର ଛୁଆଗୁଡ଼ିଙ୍କୁ ଖାଇଦେଉଛି । ଏଇଥିରୁ ଜାଣୁଥିବ ଭଣଜା, ଆମେ ଯେ କେଉଁ ଅବସ୍ଥାରେ ଅଛୁ !’’

 

ସବୁକଥା ଶୁଣି କଙ୍କଡ଼ା ମନକୁ ମନ କହିଲ–ରହ ତୁ ବଗ । ତୋର ସର୍ବନାଶର ବାଟ ପରିଷ୍କାର କରିଦେଉଛି । ତୁ ସେଇ ବଗ ନା, ଛୁଆଗୁଡ଼ିଙ୍କୁ ନିର୍ବିକାର ଭାବରେ ଖାଇଦେଉଥିଲା ।

 

କିନ୍ତୁ କଙ୍କଡ଼ା ପ୍ରକାଶ୍ୟରେ କହିଲା, ‘‘ଆହାଃ, ଛୋଟ ଛୁଆଗୁଡ଼ାଙ୍କୁ ଖାଇଦେଲା ! କି ନିଷ୍ଠୁର ! ମାମାଶ୍ରୀ, ତୁମେ ଗୋଟିଏ କାମ କର । ସାପ ରହୁଥିବା ହୁଙ୍କାଠାରୁ ଗଛ ଆରପଟେ କିଆବୁଦା ମୂଳେ ରହୁଥିବା ନେଉଳବସା ପର୍ଯ୍ୟନ୍ତ ମାଛଗୁଡିଏ ଧାଡିକରି ରଖିଦିଅ । ମାଛ ଲୋଭରେ ନେଉଳ ସାପ ବସାରେ ପହଞ୍ଚି ସାପକୁ ଖାଇବ, ତୁମ ଶତ୍ରୁ ମରିବ ।’’

 

ବଗ ମନକୁ ପ୍ରସ୍ତାବଟା ପାଇଗଲା । ବଗ କହିଲା, ‘‘ଭଣଜା, ତୁ ଠିକ୍‌ କଥା କହିଛୁ । ମୁଁ ସେଇଆ କରିବି ।’’

 

ସତକୁ ସତ ବଗ ସେୟା ହିଁ କଲା । ନେଉଳବସାଠାରୁ ସାପ ରହୁଥିବା ହୁଙ୍କା ପର୍ଯ୍ୟନ୍ତ ମାଛସବୁ ଧାଡ଼ିକରି ରଖିଦେଲା । ମାଛ ଖାଇବା ଲୋଭରେ ନେଉଳ ଆସିଲା, ସାପକୁ ମାରିଲା ତା ଛଡ଼ା ବଗ ଓ ଅନ୍ୟାନ୍ୟ ଚଢ଼େଇମାନଙ୍କର ଛୁଆମାନଙ୍କୁ ବି ଖାଇଲା ।

 

ଏତେବେଳେ ବଗର ମନରେ ଚେତା ପଶିଲା । ବଗ କାନ୍ଦି କାନ୍ଦି ବଗୁଲୀକୁ କହିଲା, ‘‘ଦୁଷ୍ଟ କଙ୍କଡ଼ାର ବୁଦ୍ଧିରେ ପଡ଼ି ମୁଁ ନିଜ ଗାତ ନିଜେ ଖୋଳିଲି, ସେଇ ଗାତରେ ପଡ଼ିଲି ।

 

ଗଳ୍ପ ଶେଷପରେ କରଟକ ଦମନକକୁ କହିଲେ, ‘‘ବନ୍ଧୁ ଦମନକୁ, ତୁମେ ପାପବୁଦ୍ଧି ପରି କେବଳ ଉପାୟ ଚିନ୍ତା କରୁଛ, କିନ୍ତୁ ତା’ର ଫଳାଫଳ ବିଷୟରେ ଚିନ୍ତା କରୁନାହଁ । ଅତଏବ, ତୁମେ ହିଁ ପାପବୁଦ୍ଧି । ତୁମେ ସଂଜୀବକରେ ମୃତ୍ୟୁ କଥା ଭାବୁଛ । କିନ୍ତୁ ଆମର ପ୍ରଭୃ ପିଙ୍ଗଳକଙ୍କର ଯଦି କିଛି ଅନିଷ୍ଟ ହୁଏ, ସେତେବେଳେ କ’ଣ ହେବ ? କୁବୁଦ୍ଧିସମ୍ପନ୍ନ ବ୍ୟକ୍ତି ସାଙ୍ଗରେ ରହିବା ଉଚିତ ନୁହେଁ । ତୁମେ ସମଗ୍ର ପଶୁରାଜ୍ୟର କ୍ଷତି କରିପାରେ । ତମୁପରି ମୂର୍ଖ ସଙ୍ଗେ ବନ୍ଧୁତା କରିବା ଉଚିତ ନୁହେଁ ।

 

ଶାସ୍ତ୍ରରେ ଅଛି, ପଣ୍ଡିତ ଶତ୍ରୁ ହେଲେ ଭଲ, କିନ୍ତୁ ମୂର୍ଖ ସଙ୍ଗେ ବନ୍ଧୁତା କରିବା ଉଚିତ ନୁହେଁ । ସେପରି ହେଲେ ମାଛି ଉଡ଼ାଇବା ପାଇଁ ମୂର୍ଖ ମାଙ୍କଡକୁ ନିଯୁକ୍ତ କରି ରାଜାଙ୍କର ଯାହା ହୋଇଥିଲା, ସେପରି ହିଁ ହେବ ।’’

 

ଦମନକ ପଚାରିଲା, ‘‘ମୂର୍ଖମାଙ୍କଡ଼ କ’ଣ କରିଥିଲା ?’’

 

କରଟକ ‘ମୂର୍ଖ ମାଙ୍କଡ଼ କଥା’ ଦମନକକୁ ଶୁଣାଇଲା ।

Image

 

ମୂର୍ଖ ମାଙ୍କଡ଼ କଥା

 

Image

ଜଣେ ରାଜା ଥିଲେ । ରାଜାଙ୍କର ଗୋଟିଏ ପୋଷା ମାଙ୍କଡ଼ ଥିଲା । ମାଙ୍କଡ଼ଟି ମଣିଷ ପରି ସବୁ କାମ କରି ପାରୁଥିଲା । କେବଳ ମଣିଷପରି କଥା କହିପାରୁ ନ ଥିଲା । ମାଙ୍କଡ଼ଟି ସଦାସର୍ବଦା ରାଜାଙ୍କର ପାଖେ ପାଖେ ରହୁଥିଲା । ରାଜା ମାଙ୍କଡ଼ଟିକୁ ଅତ୍ୟନ୍ତ ଭଲ ପାଉଥିଲେ ।ଶିକାରକୁ ଗଲାବେଳେ, ଯୁଦ୍ଧକ୍ଷେତ୍ରରେ, ରାଜସଭାରେବି ମାଙ୍କଡ଼ ରାଜାଙ୍କର ପାଖେ ପାଖେ ଥାଏ ।

 

ଦିନେ ଦ୍ୱିପ୍ରହର ସମୟ । ରାଜା ପହଡ଼ ବିଜେକଲେ । ମାଙ୍କଡ଼ ଚାମର ଧରି ରାଜାଙ୍କୁ ବିଞ୍ଚିବାକୁ ଲାଗିଲା । ରାଜାଙ୍କୁ ନିଦ ହୋଇଗଲା ପରେ ମାଙ୍କଡ଼ ଚୁପ୍‌ଚାପ୍‌ ରାଜାଙ୍କ ପାଖରେ ବସିରହିଲା । ଏହି ସମୟରେ ଗୋଟିଏ ମାଛି ଉଡ଼ିଆସି ରାଜାଙ୍କ ମୁହଁରେ ବସଲା । କାଳେ ରାଜାଙ୍କର ନିଦ ଭାଙ୍ଗିଯିବ, ସେଥିପାଇଁ ମାଙ୍କଡ଼ ଚାମରଦ୍ୱାରା ମାଛିକୁ ହୁରୁଡ଼ଇଦେଲା । ମାଛି ପୁଣିଥରେ ଆସିଲା । ମାଙ୍କଡ଼ ପୁଣି ତାକୁ ହୁରୁଡ଼େଇଦେଲା ।

Image

ମାଛି ଏହିପରି ବାରମ୍ୱାର ଆସି ରାଜାଙ୍କ ମୁହଁରେ ବସୁଥାଏ, ମାଙ୍କଡ଼ ମାଛିକୁ ହୁରୁଡାଉଥାଏ । ଶେଷରେ ମାଙ୍କଡ଼ ମାଛି ଉପରେ ଭୀଷଣ ରାଗିଗଲା ମାଙ୍କଡ଼ ପୁଣି ତାକୁ ହୁରୁଡ଼େଇଦେଲା ।

 

ରାଜାଙ୍କର ତଲୱାର ଆଣି ମାଛିକୁ ମାରିଦେବା ପାଇଁ ରାଜାଙ୍କ ମୁହଁ ଉପରେ ତଲୱାର ଉଠାଇ ଚୋଟ ବସାଇବାକୁ ଉଦ୍ୟତ ହେଲା । ହଠାତ୍‌ ରାଜାଙ୍କର ନିଦ ଭାଙ୍ଗିଗଲା ରାଜା ଚିତ୍‌କାର କରି କହିଲେ, ‘‘ରେ ମୂର୍ଖ ମାଙ୍କଡ଼, ତୁ ଏବେ ମୋତେ ମାରିଦେଇଥାନ୍ତୁ । ଏବେ ତୋର ବଞ୍ଚିବାର ଅଧିକାର ନାହିଁ । ଏହା କହି ରାଜା ମାଙ୍କଡ଼ ହାତରୁ ତଲୱାର ଆଣି ମାଙ୍କଡ଼ ଉପରେ ଦେଲେ ଏକ ଚୋଟ ଯେ, ମାଙ୍କଡ଼ର ମୁଣ୍ତ ଗଣ୍ଡି ଅଲଗା ହୋଇଗଲା ।

 

ଗଳ୍ପ ଶେଷକରି କରଟକ କହିଲା, ‘‘ବୁଝିଲ ବୁଦ୍ଧିମାନ୍‌ ବନ୍ଧୁ ଦମନକ, ତୁମପରି ମୂର୍ଖବନ୍ଧୁ ଉପରେ ଯିଏ ଭରସା କରିବ, ସିଏ ରାଜାଙ୍କ ପରି ମୃତ୍ୟୁର ସମ୍ମୁଖୀନ ହେବ ।

 

ଏଣେ ଦମନକ ଫେରିବା ସଂଜୀବକ ଚିନ୍ତାକଲା, ‘‘ହାୟ, ମୁଁ ଏ କ’ଣ କରୁଛି ? ତୃଣଭୋଜୀ ହୋଇ ମୁଁ ମାଂସାଶୀ ଜନ୍ତୁ ସାଙ୍ଗରେ ବନ୍ଧୁତା କରିଛି । ଏବେ ମୁଁ କ’ଣ କରିବି ? ଯଦି ପଳାଇବି, ବାଟରେ ଅନ୍ୟ ପଶୁମାନେ ମୋତେ ମାରିଦେଇ ପାରନ୍ତି । ତା ଅପେକ୍ଷା ବରଂ ପିଙ୍ଗଳକ ପାଖକୁ ଯାଏଁ–ସେ ରଖିଲେ ରଖିବ, ମାରିଲେ ମାରିବ ।’’

 

ଏହିପରି ଭାବି ସଂଜୀବକ ପଶୁରାଜ ପିଙ୍ଗଳକ ନିକଟକୁ ଯାଇ ବସିରହିଲା । ସେ ଲକ୍ଷ୍ୟ କରିବାକୁ ଲାଗିଲା, ଦମନକ କହିବାର ଅନୁସାରେ ଲକ୍ଷଣମାନ ପିଙ୍ଗଳକ ନିକଟରେ ଦେଖାଯାଉଛି କି ନାହିଁ ।

 

ପିଙ୍ଗଳକ ମଧ୍ୟ କଣେଇ କଣେଇ ସଂଜୀବକୁ ଦେଖିବାକୁ ଲାଗିଲା । ସେ ମନେ ମନେ ଚିନ୍ତା କଲା, ଦମନକ ଠିକ୍‌ କଥା କହିଥିଲା ଅନ୍ୟ ଦିନପରି ସଂଜୀବକ ବ୍ୟବହାର କରୁନାହିଁ । ନିଶ୍ଚୟ ତା’ର ମନରେ ଖରାପ ମତଲବ ଅଛି । ତେବେ ଆଉ ବିଳମ୍ୱ କାହିଁକି ?

 

ଏହା ଭାବି ପିଙ୍ଗଳକ ସଂଜୀବକ ଉପରକୁ ଲମ୍ଫ ଦେଲା । ସଂଜୀବକ ତା’ର ସାଧ୍ୟମତେ ପିଙ୍ଗଳକ ସହ ଯୁଦ୍ଧ କଲା କିନ୍ତୁ ବର୍ଦ୍ଧମାନକ ନାମକ ବଣିକଙ୍କର ସେହି ପରିତ୍ୟକ୍ତ ଭାରବାହୀ ପଶୁଟି ଯୁଦ୍ଧରେ ପାରିଉଠିଲା ନାହିଁ ।

 

କିଛି ସମୟ ପରେ ଦମନକ ସାଙ୍ଗରେ ପିଙ୍ଗଳକର ଦେଖାହେଲା । ପିଙ୍ଗଳକ ଦୁଃଖକରି କହିଲ, ‘‘ମନ୍ତ୍ରୀ ଦମନକ, ମୁଁ ସଂଜୀବକକୁ ମାରି ଠିକ୍‌ କରି ନାହିଁ । ଶୁଣିଛ, ଯେଉଁମାନେ ମିତ୍ରଦ୍ରୋହୀ, କୃତଘ୍ନ ବା ବିଶ୍ୱାସଘାତକ, ସେମାନେ ନରକବାସୀ ହୁଅନ୍ତି ।’’

 

ଦମନକ କହିଲା, ‘‘ମହାରାଜ, ଗୋଟିଏ ତୃଣଭୋଜୀ ପ୍ରାଣୀକୁ ହତ୍ୟାକରି ଏପରି ଶୋକପ୍ରକାଶ କରିବା ହଜୁରଙ୍କ ପକ୍ଷେ ଶୋଭାପାଉ ନାହିଁ । କଥିତ ଅଛି, ପଣ୍ଡିତମାନେ କେବେହେଲେ ମୃତ ବା ଜୀବିତ ବ୍ୟକ୍ତିପାଇଁ ଦୁଃଖପ୍ରକାଶ କରନ୍ତି ନାହିଁ । ଆପଣ ଏପରି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ ।’’

 

ଏହିପରି ଦମନକର ମନ୍ତ୍ରିତ୍ୱ ପୁଣି ସୁପ୍ରତିଷ୍ଠିତ ହେଲା ।

Image

 

ପଞ୍ଚତନ୍ତ୍ର ଗଳ୍ପମାଳା

ଦ୍ୱିତୀୟ ତନ୍ତ୍ର : ମିତ୍ରପ୍ରାପ୍ତି

ଲଘୁପତନକ କଥା

Image

ଗୋଟିଏ ନିର୍ଜନ ପଡ଼ିଆ ମଝିରେ ଗୋଟିଏ ବିରାଟ ଝଙ୍କାଳିଆ ବରଗଛ ଥିଲ । ବରଗଛଟା ବହୁକାଳର ପୁରୁଣା । ପୁରୁଷ ପୁରୁଷ ଧରି ଅସଂଖ୍ୟା କୁଆ ସେହି ବରଗଛରେ ବସାବାନ୍ଧି ରହିଥାନ୍ତି । ପଥଶ୍ରାନ୍ତ ଯାତ୍ରୀମାନେ ଗଛମୂଳରେ ବସି ବିଶ୍ରାମ କରନ୍ତି । ସେହି ବରଗଛର ବରଫଳ ଖାଇ ପକ୍ଷୀମାନେ ଆନନ୍ଦିତ ହୁଅନ୍ତି । କୀଟପତଙ୍ଗ ଗଛର ଗର୍ତ୍ତମାନଙ୍କରେ ଆଶ୍ରୟ ନିଅନ୍ତି-। ମାଙ୍କଡ଼ମାନେ ମଧ୍ୟ ବିଭିନ୍ନ ଡାଳରେ ଆଶ୍ରୟ ନିଅନ୍ତି । ମହୁମାଛିମାନେ ନିର୍ଭୟରେ ମଧୁପାନ କରନ୍ତି । ସମସ୍ତେ ସେହି ବରଗଛକୁ ଧନ୍ୟଧନ୍ୟ କରନ୍ତି ।

 

ଗ୍ରୀଷ୍ମ ପରେ ବର୍ଷା, ବର୍ଷା ପରେ ଶରତ, ତା ପରେ ହେମନ୍ତ, ହେମନ୍ତ ପରେ ଶୀତ, ଏହିପରି ବର୍ଷର ଚକ ଘୂରିଚାଲେ । କିନ୍ତୁ ସେହି ଝଙ୍କାଳିଆ ବରଗଛନିବାସୀ କୁଆମାନଙ୍କ ପାଇଁ ଶୀତ ଓ ଗ୍ରୀଷ୍ମ ସମାନ । ସେମାନେ ପ୍ରତିଦିନ ଖାଦ୍ୟ ସଂଗ୍ରହ କଲେ ଖାଇବେ । ତେଣୁ ରାତି ପାହିଲେ ସେମାନେ ଗ୍ରାମ ଓ ସହରକୁ ଯାଆନ୍ତି ଖାଦ୍ୟ ଅନ୍ୱେଷଣରେ । ସେମାନେ ଫେରନ୍ତି ସନ୍ଧ୍ୟାରେ ।

 

ସେହି ବରଗଛବାସୀ କୁଆମାନଙ୍କର ଜଣେ ସର୍ଦ୍ଦାର ଥାଏ । ତା’ର ନାମ ଲଘୁପତନକ । ଦିନେ ଭୋର ଭୋର ସମୟ । ହଠାତ୍‌ ଲଘୁପତନକ ଦେଖିବାକୁ ପାଇଲା, ଗୋଟିଏ ବ୍ୟାଧ ବରଗଛ ପାଖରେ ଜାଲଟିଏ ବିଛାଇ ତା ଉପରେ କିଛି ଖାଦ୍ୟଦ୍ରବ୍ୟ ବିଞ୍ଚିଦେଇ ବୁଦା ଆଢ଼ୁଆଳରେ ଲୁଚି ବସିଛି । ଲଘୁପତନକ ସଙ୍ଗେ ସଙ୍ଗେ ଅନ୍ୟ କୁଆମାନଙ୍କୁ ଡାକି କହିଲେ ‘‘ଭାଇମାନେ, ଆମର ଶତ୍ରୁ ଆଜି ଆସି ଆମକୁ ଧରିବାପାଇଁ ଫାନ୍ଦ ପକାଇଛି । ଦେଖ, କେତେ ଖାଦ୍ୟ ପଡିଛି, କିନ୍ତୁ ତା ତଳେ ରହିଛି ବ୍ୟାଧିର ଜାଲ । ଯିଏ ଖାଦ୍ୟପାଇଁ ଲୋଭ କରିବ, ସିଏ ମରିବ । ସେଥିପାଇଁ ମୁଁ ତୁମମାନଙ୍କୁ ସାବଧାନ କରିଦେଉଛି ।’’

 

କୁଆମାନେ କହିଲେ, ‘‘ନା, ନା ସର୍ଦ୍ଦାର, ଆମେ କେହି ସେହି ଖାଦ୍ୟପ୍ରତି ଲୋଭ କରିବୁ ନାହିଁ ।’’

 

ସର୍ଦ୍ଦାର କଥା ମାନି କୁଆମାନେ ବିଭିନ୍ନ ଦିଗକୁ ଖାଦ୍ୟ ଅନ୍ୱେଷଣରେ ଉଡ଼ିଗଲେ । କେବଳ କୁଆସର୍ଦ୍ଦାର ଲଘୁପତନକ ବସି ବସି ଦୁଷ୍ଟ ବ୍ୟାଧର କାର୍ଯ୍ୟ ଲକ୍ଷ୍ୟ କରୁଥାଏ ।

 

ଏହି ସମୟରେ ଦଳେ ପାରା ଆକାଶରେ ଦେଖାଗଲେ । ପାରାମାନେ ଉଡ଼ି,ଉଡ଼ି ଆସି ବ୍ୟାଧି ପକାଇଥିବା ଜାଲ ଉପରେ ଖାଦ୍ୟଲୋଭରେ ବସିଲେ । ପାରାମାନେ ଜାଲରେ ଛନ୍ଦିହୋଇ ମୁକୁଳିବାକୁ ଛଟପଟ ହେଲେ ।

 

ପାରାମାନଙ୍କ ସର୍ଦ୍ଦାର କହିଲା, ‘‘ଯଦି ବଞ୍ଚିବାକୁ ଚାହୁଁଛ, ତାହେଲେ ମୋର କଥା ଶୁଣ । ଯିଏ ଯେଉଁ ଅବସ୍ଥାରେ ଅଛ, ସେହିପରି ସ୍ଥିରହୋଇ ଠିଆ ହୁଅ ।’’

 

ପାରାମାନେ ସ୍ଥିର ଭାବରେ ଠିଆହୋଇ କହିଲେ, ‘‘ସର୍ଦ୍ଦାର, ଆମକୁ ବଞ୍ଚାନ୍ତୁ ।’’

 

ପାରାସର୍ଦ୍ଦାର କହିଲା ‘‘ଆମେ ସମସ୍ତେ ଏବେ ବ୍ୟାଧର ଜାଲରେ ଛନ୍ଦିହୋଇ ପଡ଼ିଛେ । ଯେତେ ଚେଷ୍ଟା କଲେ ବି ଜାଲରୁ ମୁକୁଳିବା ଅସମ୍ଭବ । ଏବେ ମାତ୍ର ଗୋଟିଏ, ବାଟ ଅଛି । ଯଦି ଆମେ ସମସ୍ତେ ଏକମନରେ ଏକାସାଙ୍ଗରେ ଉଡ଼ିପାରିବା,ତେବେ ଆମେ ଜାଲ ସହ ଉଡ଼ିଯାଇ ପାରିବା । ଏବେ ଚାଲ, ଆମେ ସମସ୍ତେ ଜାଲ ସହ ସେହି ଯେଉଁ ପାହାଡ଼ ଦେଖାଯାଉଛି, ତାରି ଉପରକୁ ଉଡ଼ିଯିବା । ସେଠାରେ ହିରଣ୍ୟକ ନାମରେ ଗୋଟିଏ ମୂଷା ଅଛି । ହିରଣ୍ୟକ ମୋର ଘନିଷ୍ଠ ବନ୍ଧୁ । ସେ ତା’ର ତୀକ୍ଷ୍ନ ଦାନ୍ତରେ ଆମର ଜାଲକୁ କାଟିଦେବ । ଆମେ ମୁକ୍ତି ପାଇବା । ହେଇ ଦେଖ, ବ୍ୟାଧ ଏବେ ଆମ ଆଡକୁ ଆସୁଛି । ଆଉ ସମୟ ନାହିଁ । ଏବେ ଚାଲ ଉଡ଼ିଯିବା । ଏକ ଦୁଇ ତିନି..... ।’’

 

ସର୍ଦ୍ଦାର ତିନି କହିଲାମାତ୍ରେ ପାରାଦଳ ଗୋଟିଏ ଝାଙ୍କରେ ଜାଲସହ ଉଡ଼ିଚାଲିଲେ। ବିଚାରା ବ୍ୟାଧ ଆଶ୍ଚର୍ଯ୍ୟ ହୋଇ ଆକାଶକୁ ଚାହିଁରହିଥାଏ । ତା ଜୀବନରେ ଏପରି ଅଦ୍ଭୁତ ଦୃଶ୍ୟ ସେ କେବେ ଦେଖି ନଥିଲା ।

 

ଏଣେ କୁଆସର୍ଦ୍ଦାର ପାରାମାନଙ୍କର କଥା ଶୁଣି ଓ ସେମାନଙ୍କର କାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେଲା । ପାରାମାନେ କିପରି ମୁକ୍ତିପାଇବେ, ତାହା ଦେଖିବା ପାଇଁ ସେ ମଧ୍ୟ ପାରାମାନଙ୍କ ପଛେ ପଛେ ଉଡ଼ିଚାଲିଲା ।

 

ପାରା ସର୍ଦ୍ଦାରର ନିର୍ଦ୍ଦେଶମତେ ପାରାମାନେ ପାହାଡ଼ ଉପରେ ହିରଣ୍ୟକ ନାମକ ମୂଷାର ଗାତ ନିକଟରେ ଓହ୍ଳାଇଲେ । ପାରା-ସର୍ଦ୍ଦାର ମୂଷାଗାତ ପାଖରେ ପହିଁଞ୍ଚି କହିଲା, ‘‘ଭାଇ ହିରଣ୍ୟକ, ଘରେ ଅଛ ତ ? ଭାଇ, ଆମକୁ ବଞ୍ଚାଅ । ଆମ୍ଭେମାନେ ଏବେ ତୁମର ଶରଣାଗତ ।’’

 

କିଚିରି-ମିଚିର ଶବ୍ଦ ଶୁଣି ହିରଣ୍ୟକ ଗାତ ଭିତରୁ ବାହାରିଆସି ପଚାରିଲା, ‘‘ଆରେ ଭାଇ ! ଏ କ’ଣ ? ଏପରି ଅବସ୍ଥା କିପରି ହେଲା ?’’

 

ପାରାସର୍ଦ୍ଦାର କହିଲା, ‘‘ଭାଇ, ଲୋଭରୁ ଆମ୍ଭମାନଙ୍କର ଏଇ ଅବସ୍ଥା । ଏବେ ତୁମେ ହିଁ ଆମ୍ଭମାନଙ୍କର ଏକମାତ୍ର ଭରସା । ଭାଇ, ଏବେ ଆମକୁ କୌଣସିମତେ ବଞ୍ଚାଅ ।’’

 

ହିରଣ୍ୟକ କହିଲା, ‘‘ଦେଖ ବନ୍ଧୁ, ଶ୍ରୀରାମଚନ୍ଦ୍ର ସ୍ୱୟଂ ଭଗବାନ୍‌ଙ୍କର ଅବତାର ଥିଲେ । ସେ କ’ଣ ଜାଣି ନ ଥିଲେ, ଜୀବନ୍ତ ସୁନାର ହରିଣ ନାହିଁ । ଏତେ ବଡ଼ ରାଜା ରାବଣ ସେ କ’ଣ ଜାଣି ନ ଥିଲା ସୀତାଙ୍କୁ ଚୋରିକଲେ ପାପ ହେବ ? ଧର୍ମରାଜ ଯୁଧିଷ୍ଠିର କ’ଣ ଜାଣି ନ ଥିଲେ ଜୁଆ ଖେଳିବା ପାପ ? ସେଇଥିପାଇଁ କହୁଥିଲି, ଯାହା ଘଟିବା କଥା, ତାହା ହିଁ ଘଟିବ ।’’

 

ଏହା କହି ହିରଣ୍ୟକୁ ଜାଲ ନିକଟକୁ ଆସି ପାରା ସର୍ଦ୍ଦାରକୁ ବନ୍ଧନମୁକ୍ତ କରିବାକୁ ଚାହିଁଲା ।

 

ପାରାସର୍ଦ୍ଦାର କହିଲା, ‘‘ନାହିଁ ବନ୍ଧୁ, ନାହିଁ । ପ୍ରଥମେ ସେମାନଙ୍କୁ ମୁକ୍ତ କର । ପରେ ମୋତେ ମୁକ୍ତ କରିବ । ସେମାନେ ମୋର ଅନୁଚର । ଯଦି ମୋତେ ବନ୍ଧନରୁ ମୁକ୍ତ କରୁ କରୁ ବ୍ୟାଧ ଆସିଯାଏ, ତେବେ ସେମାନେ ଆଉ ବନ୍ଧନମୁକ୍ତ ହୋଇପାରିବେ ନାହିଁ । ସର୍ଦ୍ଦାର ହୋଇ ମୁଁ ଆଗେ କିପରି ବନ୍ଧନରୁ ମୁକ୍ତ ହେବି ? ଏମାନେ ସମସ୍ତେ ସେମାନଙ୍କର ସ୍ତ୍ରୀ-ପୁତ୍ରଙ୍କୁ ଛାଡ଼ି ମୋ ସାଙ୍ଗରେ ଆସିଛନ୍ତି । ‘‘

 

ହିରଣ୍ୟକ କିହିଲା, ‘‘ମୁଁ ମଧ୍ୟ ରଜାନୀତି ଜାଣେ ବନ୍ଧୁ । ତୁମକୁ ପରୀକ୍ଷା କରୁଥିଲି ।’’

 

ଏହା କହି ହିରଣ୍ୟକ ସମସ୍ତଙ୍କୁ ମୁକ୍ତ କରିଦେଲା । ପାରାମାନେ ହିରଣ୍ୟକକୁ ନମସ୍କାର କରି ଧନ୍ୟବାଦ ଜଣାଇ ଉଡ଼ିଗଲେ । ଦୂରରେ ଥାଇ କୁଆସର୍ଦ୍ଦାର ଲଘୁପତନକ ଏ ସମସ୍ତ ଘଟଣାକୁ ଲକ୍ଷ୍ୟ କରୁଥିଲା । ହିରଣ୍ୟକର କଥାଗୁଡ଼ିକ ତାକୁ ଖୁବ୍‌ ଭଲ ଲାଗିଲା । ସେ ମନେ ମନେ ଭାବିଲା, ବନ୍ଧୁତା କରିବ ତ ଏହିପରି ଲୋକ ସାଙ୍ଗର କରିବ ।

 

ପାରାମାନେ ବିଦାୟ ନେଲାପରେ ଲଘୁପତନକ ହିରଣ୍ୟକର ଗାତ ପାଖକୁ ଯାଇ ଡାକିଲା । ହିରଣ୍ୟକ ଭାବିଲା, ‘‘କିଏ ଡାକୁଛି ? ପାରାମାନଙ୍କର ଆଉ କିଛି ବିପଦ ପଡ଼ିଲା କି ? ‘‘ଏହା ଭାବି ହିରଣ୍ୟକ ଗାତରୁ ବାହାରି ଗାତ ମୁହଁରେ ସାକ୍ଷାତ୍‌ ଯମ ଲଘୁପତନକକୁ ଦେଖି ଭୟରେ ପୁଣି ତରତର ହୋଇ ଗାତରେ ପଶିଗଲା ।

 

ଲଘୁପତନକ କହିଲା, ‘‘ବନ୍ଧୁ ହିରଣ୍ୟକ, ପାରାମାନଙ୍କ ସହିତ ତୁମର ପାଣ୍ଡିତ୍ୟପୂର୍ଣ୍ଣ କଥାବାର୍ତ୍ତା ଶୁଣି ମୁଁ ମୁଗ୍ଧ । ମୁଁ ତୁମ ସହିତ ବନ୍ଧୁତା ସ୍ଥାପନ କରିବାକୁ ଇଚ୍ଛା କରୁଛି । ‘‘

ହିରଣ୍ୟକ ଗାତ ଭିତରୁ କହିଲା, ‘‘ତୁମର ବନ୍ଧୁତ୍ୱକୁ ମୁଁ ଗାତ ଭିତରେ ଥାଇ ପ୍ରଣାମ ଜଣାଉଛି । ମୁଁ ତୁମର ଖାଦ୍ୟ, ତୁମେ ମୋର ଖାଦକ–ଆମ ଭିତରେ ଲଘୁପତନକ ଦୁଃଖ କରି କହିଲ ବନ୍ଧୁତ୍ୱ ହବା ଚମତ୍‌କାର ! ଚାଲାକି ଦେଖାଇବାକୁ ତୁମକୁ ଅନ୍ୟ ଜାଗା ମିଳିଲା ନାହିଁ ?

ଲଘୁପତନକ ଦୁଃଖ କରି କହିଲା, ‘‘ବନ୍ଧୁ ତୁମର କଥା ଶୁଣି ମୋତେ ଦୁଃଖ ଲାଗୁଛି । କୁଆ ମୂଷାର ଶତ୍ରୁ, ତା ସତ୍ତ୍ୱେ କ’ଣ କୌଣସି ଦିନ ଆମ ଭିତରେ ବନ୍ଧୁତ୍ୱ ସମ୍ଭବ ନୁହେଁ ?’’

ହିରଣ୍ୟକ କହିଲା, ‘‘ନା, କେବେ ନୁହେଁ । ଦୁର୍ଜନ ସାଙ୍ଗରେ ବନ୍ଧୁତା କଲେ ତା’ର ଫଳ ଭଲ ନୁହେଁ । ତା ଛଡ଼ା, କପଟୀ ଲୋକମାନେ ବନ୍ଧୁତା ବାନ୍ଧି ବେଶି ଶତ୍ରୁତା କରନ୍ତି । ଶୁଣାଯାଏ, ଦେବରାଜ ଇନ୍ଦ୍ର ଶପଥ କରି ମଧ୍ୟ ବୃତ୍ରାସୁରକୁ ବଧ କରିଥଲେ । ‘‘

ଲଘୁପତନକ କହିଲ, ‘‘ସମସ୍ତେ ଇନ୍ଦ୍ରଙ୍କ ପରି ନୁହଁନ୍ତି ।’’

ହିରଣ୍ୟକ କହିଲା, ‘‘ତା ଠିକ୍‌ । କିନ୍ତୁ ଏ ସଂସାରରେ ସାପ-ନେଉଳ, ନିଆଁ-ପାଣି, କୁକୁର-ବିଲେଇ, ଧନୀ-ଦିରିଦ୍ର, ମୂର୍ଖ-ପଣ୍ଡିତ, ସୁଜନ-ଦୁର୍ଜନ, ଏମାନେ ପରସ୍ପର ଶତ୍ରୁ । ଆଜନ୍ମ ଶତ୍ରୁ-।’’

ଲଘୁପତନକ–ମୂର୍ଖ ପଣ୍ଡିତ ପରସ୍ପର ଶତ୍ରୁ, କିନ୍ତୁ ପଣ୍ଡିତ ଶତ୍ରୁ ନୁହଁନ୍ତି । ତୁମପରି ପଣ୍ଡିତଙ୍କ ସହ କିଏ ବା ଶତ୍ରୁତା କରିବ ?

ହିରଣ୍ୟକ–(ମନେ ମନେ: କଥାଟା ତ ଠିକ୍‌ କହୁଛି । ତେବେ ଆଉ ଟିକିଏ କଥାବର୍ତ୍ତା କରାଯାଉ ।) ଦେଖ ଭାଇ କୁଆ, ପୂର୍ବଶତ୍ରୁ ସାଙ୍ଗରେ ଯିଏ ଯେତେବେଳେ ବନ୍ଧୁତା କରିଛି, ତା’ର ପରିଣାମ କେବେହେଲେ ଭଲ ହୋଇନି । ଆଉ ଯଦି କେହି ମନେକର, ମୁଁ ବିଦ୍ୱାନ୍‌ ଲୋକ, ମୋ’ ସାଙ୍ଗରେ କେହି ଶତ୍ରୁତା କରିବେ ନାହିଁ, ତେବେ ସେ ବି ଭୁଲ୍‌ କରିବ । ଶୁଣାଯାଏ,ବ୍ୟାକରଣକାର ପାଣିନିଙ୍କୁ ବାଘ ଖାଇଯାଇଥିଲା । ହାତୀ ତା’ର ପାଦରେ ଦଳି ମାରିଦେଇଥିଲା ବିଖ୍ୟାତ ମୀମାଂସକାର ଜୈମିନିଙ୍କୁ ଏବଂ ଛନ୍ଦଃଶାସ୍ତ୍ରିବିତ୍‌ ପିଙ୍ଗଳଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଥିଲା ।

 

ଲଘୁପତନକ ନାମକ କୁଆସର୍ଦ୍ଦାର କହିଲା, ‘‘ତୁମେ ଜ୍ଞାନୀ, ତୁମ ସହିତ ଯୁକ୍ତିରେ କ’ଣ ମୁଁ ପାରିବି ? ତୁମେ ଯଦି ମୋ’ ସହିତ ବନ୍ଧୁତା ନ କରିବ, ତାହେଲେ ମୁଁ ଏଇଠି ବସିରହି ପ୍ରାଣତ୍ୟାଗ କରିବି ।’’

 

ହିରଣ୍ୟକ–(ମନେମନେ ଭାବିଲା, ସତରେ ଏହି କୁଆ ମୋ ସହିତ ବନ୍ଧୁତା କରିବାକୁ ଆଗ୍ରହ୍ୟ । ଏହା ଭାବି ହିରଣ୍ୟକ କହିଲା, ‘‘ଆଚ୍ଛା ତା’ ହେଲେ ଗୋଟିଏ କାମ କର କୁଆଭାଇ । ସବୁଦିନ ତୁମେ ଥରେ ଲେଖାଏଁ ଏଠାକୁ ଆସ । ଆମେ ପରସ୍ପରଠାରୁ ଦୂରରେ ରହି କଥାବାର୍ତ୍ତା ହେବା ।

 

ଲଘୁପତନକ ହିରଣ୍ୟକର ପ୍ରସ୍ତାବରେ ରାଜି ହୋଇଗଲା । ସେହିଦିନଠାରୁ ପ୍ରତିଦିନ ଲଘୁପତନକ ନାମକ କୁଆ ଓ ହିରଣ୍ୟକ ନାମ ମୂଷା ପରସ୍ପର ଥରେ ଲେଖାଏଁ ମିଳିତ ହୋଇ କଥାବାର୍ତ୍ତା ହୁଅନ୍ତି ।

 

ଏହିପରି କେତେମାସ କଟିଗଲା ଲଘୁପତନକ ଓ ହିରଣ୍ୟକ ମଧ୍ୟରେ ବନ୍ଧୁତା ଗଭୀର ହେଲା । ହିରଣ୍ୟକ ଏବେ ଆଉ ଲଘୁପତନକକୁ ଶତ୍ରୁବୋଲି ଭାବେ ନାହିଁ, ବରଂ ବନ୍ଧୁବୋଲି ଭାବି ନିକଟରେ, ଖୁବ୍‌ ନିକଟରେ ବସି ଗଳ୍ପ କରେ ।

 

ଦେଖୁ ଦେଖୁ ଇତିମଧ୍ୟରେ ବର୍ଷେ ହୋଇଗଲା । ଦିନେ ହିରଣ୍ୟକ କହିଲା, ‘‘ବନ୍ଧୁ ଲଘୁପତନକ, ଆମର ବନ୍ଧୁତା ବର୍ଷେ ହୋଇଗଲା ।’’

 

ଲଘୁପତନକ କହିଲା, ‘‘ବନ୍ଧୁ ହିରଣ୍ୟକ, ଆମ ଭିତରେ ବନ୍ଧୁତା ଆଜୀବନ ଅକ୍ଷୁର୍ଣ୍ଣ ରହିବ ।’’

 

ସେ ବର୍ଷ ଦେଶରେ ଦୁର୍ଭିକ୍ଷ ପଡ଼ିଲା । ଖାଦ୍ୟ ଦ୍ରବ୍ୟରେ ଏତେ ଅଭାବ ପଡ଼ିଲା ଯେ, ପଶୁପକ୍ଷୀମାନେ ବି ଦେଶ ଛାଡ଼ି ଚାଲିଯିବାକୁ ଲାଗିଲେ ।

 

ଦିନେ ଲଘୁପତନକ ଆସି ହିରଣ୍ୟକକୁ କହିଲା, ‘‘ବନ୍ଧୁ ହିରଣ୍ୟକ ଏବେ ଦେଶରେ ଭୟାନକ ଦୁର୍ଭିକ୍ଷ ପଡିଛି । ଭାବୁଛି, ଅନ୍ୟ ଦେଶକୁ ପଳାଇବି । ଏଠାରେ ରହିଲେ ଖାଦ୍ୟବିନା ମରିବାକୁ ହେବ ।’’

 

ହିରଣ୍ୟକ କହିଲା, ‘‘ଦେଶରେ ଦୁର୍ଭିକ୍ଷ ପଡିବା କଥା ଠିକ୍‌ । ତୁମେ ବିଦେଶ ଯିବା କଳ୍ପନା ତ୍ୟାଗ କର । ଲୋକେ କହନ୍ତି–ଏ ସଂସାରରେ ଦାନ ପରି ବସ୍ତୁ ନାହିଁ, ଲୋଭଠାରୁ ଶତ୍ରୁ ନାହିଁ, ଚରିତ୍ର ସମାନ ଭୂଷଣ ନାହିଁ, ସନ୍ତୋଷ ସମାନ ଧନ ନାହିଁ । ତେଣୁ ଦେଶରେ ଯାହା ମିଳୁଛି, ସେଥିରେ ସନ୍ତୁଷ୍ଟ ରୁହ । ବିଦେଶ ଯାଇ କିଛି ଲାଭ ନାହିଁ ।’’

 

ଲଘୁପତନକ କହିଲା, ‘‘ଭାଗ୍ୟ ଅନ୍ୱେଷଣ ପାଇଁ ବିଦେଶ ଯିବାରେ ଦୋଷ କ’ଣ ? ପରିସ୍ଥିତି ଯାହା, ମୋତେ ଯିବାକୁ ହିଁ ପଡ଼ିବ, କିନ୍ତୁ ତୁମକୁ ଛାଡ଼ି ଯିବା ବଡ଼ କଷ୍ଟାଦାୟକ ।’’

 

ହିରଣ୍ୟକ କହିଲା, ‘‘ବନ୍ଧୁ ତୁମେ କେଉଁଠିକୁ ଯିବ ? ତୁମ ପିଠିରେ ବସାଇ ମୋତେ ନେଇ ଚାଲ ।’’

 

ହିରଣ୍ୟକ କଥା ଶୁଣି ଲଘୁପତନକ ଅତ୍ୟନ୍ତ ଖୁସି ହୋଇ କହିଲା, ‘‘ବନ୍ଧୁ, ତୁମର ପ୍ରସ୍ତାବ ଶୁଣି ମୁଁ ଖୁବ୍‌ ଖୁସି । ତୁମକୁ ପିଠିରେ ବସାଇ ମୁଁ ଅକ୍ଳେଶରେ ନେଇଯିବି । ଆମେ ମୋର ବନ୍ଧୁ ମନ୍ଥରକ ନାମ କଇଁଚ ନିକଟକୁ ଯିବା । ମୋର ସେ ଅନେକ କାଳର ବନ୍ଧୁ । ମୁଁ ଜୋର୍‌ଦେଇ କହିବି, ସେ ତୁମକୁ ଦେଖିଲେ ବହୁତ ଖୁସି ହେବ ।’’

 

ହିରଣ୍ୟକକୁ ପିଠିରେ ବସାଇ ଲଘୁପତନକ ଉଡ଼ିଚାଲିଲା ମନ୍ଥରକ ନାମକ କଇଁଚ ନିକଟକୁ । ମନ୍ଥରକ ଖରା ପୁଆଁଉଥାଏ । ଗୋଟିଏ କୁଆକୁ ଆସୁଥିବାର ଦେଖି ସେ ଡରରେ ପାଣିରେ ବୁଡ଼ିଗଲା । ଲଘୁପତନକ ପୋଖରୀକୂଳରେ ବସି ଡ଼ାକିଲା, ‘‘ବନ୍ଧୁ ମନ୍ଥରକୁ, ବନ୍ଧୁ ମନ୍ଥରକ । ମୁଁ ଲଘୁପତନକ । କୌଣସି ଭୟ ନାହିଁ । ତୁମେ ପାଣିରୁ ଉଠିଆସ ।’’

 

ଲଘୁପତନକୁ କଥା ଶୁଣି ମନ୍ଥରକ ପାଣି ଉପରକୁ ଭାସିଉଠିଲା । ସେ ଲଘୁପତନକ ପାଖକୁ ଆସି କହିଲା ‘‘ବନ୍ଧୁ ଲଘୁପତନକୁ ପାଖକୁ ଆସି କହିଲା, ‘‘ବନ୍ଧୁ ଲଘୁପତନକ, ଦୂରରୁ ତୁମକୁ ଚିହ୍ନିପାରିଲି ନାହିଁ । କିଛି ମନେକରିବ ନାହିଁ । ହଠାତ୍‌ କ’ଣ ଭାବି ଚାଲି ଆସିଲ ? ଏବେ କିଛିଦିନ ମୋ’ ପାଖରେ ରହିବି ତ ?’’

 

ଲଘୁପତନକ କହିଲା, ‘‘ରହିବା ପାଇଁ ତ ଆସିଛି । ଆମ ଦେଶରେ ଏବେ ଭୀଷଣ ଦୁର୍ଭିକ୍ଷ । ତେଣୁ ମୁଁ ଏବଂ ମୋର ବନ୍ଧୁ ହିରଣ୍ୟକକୁ ନେଇ ତୁମ ପାଖକୁ ଆସିଛି ।’’

 

ଏତେବେଳେ ଯାଏଁ ମନ୍ଥରକୁ ହିରଣ୍ୟକକୁ ଦେଖି ନଥିଲା । ଏବେ ହିରଣ୍ୟକକୁ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଇଏ ତୁମର ବନ୍ଧୁ ? ବାଃ ଚମତ୍‌କାର ! କୁଆ ସାଙ୍ଗରେ ମୂଷାର ବନ୍ଧୁତା କଥା ଶୁଣି ନ ଥିଲି । ଏବେ ଦେଖି ଖୁବ୍‌ ଖୁସି ହେଲି । ଆଜିଠାରୁ ହିରଣ୍ୟକ ମୋର ମଧ୍ୟ ବନ୍ଧୁ ।’’

 

ମନ୍ଥରକ ଖୁସି ହୋଇ କହିଲା, ‘‘ନିଶ୍ଚୟ ନିଶ୍ଚୟ, ମୁଁ ଏହି ପୋଖରୀରେ ରହିବି । ଲଘୁପତନକ ସେହି ବଡ଼ ଗଛଟାରେ, ଆଉ ତୁମେ ଆମର ନୂତନ ବନ୍ଧୁ ରହିବ ସେହି ଗଛମୂଳରେ ଏକ ଗାତରେ ।’’

 

ଲଘୁପତନକ କହିଲା, ‘‘ବନ୍ଧୁ ମନ୍ଥରକ, ଆମର ବନ୍ଧୁ ହିରଣ୍ୟକ ବଡ଼ ପଣ୍ଡିତ । ସବୁ ଶାସ୍ତ୍ରରେ ସେ ପ୍ରବୀଣ । ତାଙ୍କର ଶାସ୍ତ୍ରଜ୍ଞାନର ତୁଳନା ନାହିଁ । ଆଜିକାଲି ସେ ବୈରାଗୀର ଜୀବନ ଯାପନ କରୁଛନ୍ତି ।’’

 

ମନ୍ଥରକ ନାମକ କଇଁଛ କହିଲା, ‘‘ବନ୍ଧୁ ହିରଣ୍ୟକ, ତୁମେ ତୁମର ବୈରାଗ୍ୟର କାରଣ ଓ ତୁମ ଅତୀତ ଜୀବନ ବିଷୟରେ କିଛି କିଛି କୁହ, ଆମେ ଶୁଣିବା, ।’’

 

ହିରଣ୍ୟକ କହିବାକୁ ଆରମ୍ଭ କଲା । ଅନେକ ଅନେକ ଦିନ ତଳର କଥା । ମହିଳାରୋପ୍ୟ ନଗରୀର ଗୋଟିଏ ପଟକୁ ଶିବମନ୍ଦିରଟିଏ ଥିଲା । ତାମ୍ରଚୂଡ ନାମକ ଜଣେ ସାଧୁ ସେହି ମନ୍ଦିରରେ ପୂଜାରୀ ଥିଲେ । ସାଧୁ ତାମ୍ରଚୂଡ଼ ଭିକ୍ଷା କରି ଚଳୁଥିଲେ ।ପ୍ରତିଦିନ ସେ ଭିକ୍ଷା କରି ଫେରିଲା ପରେ ତାଙ୍କର ଭିକ୍ଷାପାତ୍ର ଓ ଭିକ୍ଷାଚାଉଳ ଶିକାରେ ରଖୁଥିଲେ। ଶିକାଟି ବହୁ ଉଚ୍ଚରେ ବନ୍ଧା ହୋଇଥାଏ ।ସାଧୁ ତାମ୍ରଚୂଡ଼ ସକାଳୁ ଉଠି ତାଙ୍କର ଦୈନନ୍ଦିନ କାର୍ଯ୍ୟାରମ୍ଭ ପୂର୍ବରୁ ସଂଗୃହୀତ ଭିକ୍ଷା ଚାଉଳତକ ଭିଖାରିମାନଙ୍କ ମଧ୍ୟରେ ବାଣ୍ଟି ସାରଲିପରେ ଦେବ ମନ୍ଦିର ପରିଷ୍କାର ପରିଚ୍ଛନ୍ନ ଓ ଧୁଆଧୋଇ କରୁଥିଲେ ।

Image

ସେତେବେଳେ ମୁଁ ଅନେକ ବନ୍ଧୁବାନ୍ଧବ ଓ ଅନୁଚରମାନଙ୍କୁ ନେଇ ଗୋଟିଏ ସୁନ୍ଦର ଦୁର୍ଗରେ ରହୁଥିଲି । ଦିନେ ମୋର ଅନୁଗତ ମୂଷାମାନେ ଆସି କହିଲେ, ‘‘ପ୍ରଭୁ, ସାଧୁ ତାମ୍ରଚୂଡ଼ ତାଙ୍କର ଭିକ୍ଷାପାତ୍ରକୁ ଏତେ ଉଚ୍ଚ ଶିକାରେ ଟାଙ୍ଗୁଛନ୍ତି ଯେ ଆମେ ଶତଚେଷ୍ଟା କଲେ ବି ଶିକା ପାଖରେ ପହଁଞ୍ଚିପାରୁନାହିଁ । ସେଠାରେ ଖାଦ୍ୟ ଥାଉ ଥାଉ ଆମେ ଅନ୍ୟ ଜାଗାକୁ ଯିବୁ କାହିଁକି ? ପ୍ରଭୃଙ୍କ ପକ୍ଷରେ ତ ଅଗମ୍ୟ ସ୍ଥାନ ନାହିଁ ! ଯେପରି ହେଉ, ହଜୁର ଗୋଟିଏ କିଛି ଉପାୟ କରନ୍ତୁ ।

 

ସେହିଦିନ ଠାରୁ ମଁ ପ୍ରତିଦିନ ରାତିରେ ସାଧୁ ତାମ୍ର ଚୂଡ଼ଙ୍କର ଭିକ୍ଷାଚାରଉଳ ଖାଏ ଏବଂ ଅନୁଚରମାନେ ଖାଇବା ପାଇଁ ଚାଉଳ ତଳକୁ ବିଞ୍ଚିଦିଏ । ଅନ୍ୟ କୌଣସି ଉପାୟ ନ ପାଇ ସାଧୁ ତାମ୍ରଚୂଡ଼ ରାତିରେ ବାଡ଼ିଧରି ଶୁଅନ୍ତି । ମୋର ଆସିବା ସୁରାକ ପାଇଲାମାତ୍ରେ ସାଧୁ ତାମ୍ରଚୂଡ଼ ବାଡି ଖଡ଼ ଖଡ଼ କରନ୍ତି ।

 

ଦିନେ ଜଣେ ସାଧୁ ତୀର୍ଥଯାତ୍ରାରେ ଯିବା ବାଟରେ ସେହି ଶିବମନ୍ଦିରରେ ପହଞ୍ଚିଲେ । ସାଧୁ ତାମ୍ରଚୂଡ଼ ଆଗନ୍ତୁକ ସାଧୁଙ୍କୁ ଶିବମନ୍ଦିରରେ ରହିବା ପାଇଁ ଅନୁରୋଧ କଲେ । ତାମ୍ରଚୂଡ଼ଙ୍କ ଅନୁରୋଧ ଏଡ଼େଇ ନ ପାରି ଆଗନ୍ତୁକ ସାଧୁ ଶିବମନ୍ଦିରରେ ରହିଲେ । ରାତିରେ କୁଶଶଯ୍ୟରେ ଶୋଇବାବେଳେ ଆଗନ୍ତୁକ ସାଧୁ ଧର୍ମ ବିଷୟରେ ନାନା ଗଳ୍ପ କୁହନ୍ତି ଏବଂ ତାମ୍ରଚୂଡ଼ ଶୁଣନ୍ତି । କିନ୍ତୁ ତାମ୍ରଚୁଡ଼ ଗଳ୍ପ ଶୁଣିଲାବେଳେ ମୋତେ ମାରିବା ପାଇଁ ସତର୍କ ଦୃଷ୍ଟି ରଖୁଥାନ୍ତି ।

 

ଅନ୍ୟମନସ୍କତା ହେତୁ ଆଗନ୍ତୁକ ସାଧୁଙ୍କର ବିଭିନ୍ନ ପ୍ରଶ୍ନର ଆଲତୁ-ପାଲତୁ ଉତ୍ତର ଦେଉଥାନ୍ତି ତାମ୍ରଚୂଡ଼ । ତାମ୍ରଚୂଡ଼ଙ୍କର ଅନ୍ୟମନସ୍କତାକୁ ଲକ୍ଷ୍ୟ କରି ଆଗନ୍ତୁକ ସାଧୁ ରାଗିଯାଇ କହିଲେ, “ତାମ୍ରଚୂଡ଼, ତୁମେ ମୋ’ ପ୍ରତି ଅମନୋଯୋଗୀ ହୋଇ ମୋତେ ଅପମାନିତ କରୁଛି ।”

 

ତାମ୍ରଚୁଡ଼ ବିନୀତଭାବେ କହିଲେ, “ମହାଶୟ, ଆପଣଙ୍କ ପ୍ରତି ଅମନୋଯୋଗୀ ହୋଇ ମୁଁ ଅତ୍ୟନ୍ତ ଲଜ୍ଜିତ । କିନ୍ତୁ ଆପଣ ଏଇ ମୂଷାମାନଙ୍କର କାଣ୍ଡକାରଖାନା ଦେଖନ୍ତୁ । ଏମାନଙ୍କର ଜ୍ୱାଳାରେ ମୁଁ ରାତିରେ ଶୋଇପାରୁ ନାହିଁ । ଏତେ ଉଚ୍ଚ ଶିକାରେ ମୁଁ ଭିକ୍ଷାଚାଉଳ ରଖୁଛି, ଅଥଚ ଏଇ ମୂଷା, କୁକୁର ବିଲେଇକୁ ଖାତିର ନ କରି ଡେଇଁକରି ଖାଉଛି । ତାରି ଲାଗି ମୁଁ ଏପରି ଅନ୍ୟମନସ୍କ ହେଉଛି ।”

 

ଆଗନ୍ତୁକ ସାଧୁ ତାମ୍ରଚୂଡ଼ଙ୍କ କଥାରେ ପ୍ରୀତ ହୋଇ କହିଲେ, “ତାମ୍ରଚୂଡ଼, ମୋର ମନେହୁଏ ଧନର ବାହୁଲ୍ୟ ଯୋଗୁଁ ଏହି ମୂଷାର ବଳ ବଢ଼ିଯାଇଛି । କାରଣ ଧନଯୋଗେ ଯେଉଁ ଉଷ୍ମତା ବା ଗର୍ବ ଜନ୍ମେ, ସେଥିପାଇଁ ପ୍ରାଣୀମାନଙ୍କର ତେଜ ବୃଦ୍ଧି ପାଇଥାଏ ।

 

ଲୋଭରୁ ପାପ, ପାପରୁ ମୃତ୍ୟୁ ସଂପର୍କରେ ଗୋଟିଏ ଗଳ୍ପ କହୁଛି, ଶୁଣ ।

Image

 

ଲୋଭରୁ ପାପ, ପାପରୁ ମୃତ୍ୟୁ

 

Image

ଶିକାର କରିବା ପାଇଁ ଜଣେ ବ୍ୟାଧର ପୁଅ ଦିନସାରା ବଣରେ ବୁଲି ବୁଲି କୌଣସି ଶିକାର ପାଇଲା ନାହିଁ । ଦିନସାରା ଘୂରି ଘୂରି ସେ ବଡ଼ କ୍ଲାନ୍ତ ହୋଇପଡ଼ିଲା। ଶିକାର ନ ମିଳିବାରୁ ମନ ବହୁତ କଷ୍ଟ ହେଲା । ଏଣେ ସୂର୍ଯ୍ୟ ଅସ୍ତହେବାକୁ ବସିଲେଣି । ଅସ୍ତଗାମୀ ସୂର୍ଯ୍ୟଙ୍କୁ ଦେଖି ବ୍ୟାଧପୁତ୍ର ମନକୁ ମନ କହିଲା, “ଆଉ ବେଳ ନାହିଁ । ଏଥର ଘରକୁ ଫେରିବାକୁ ହେବ ।’’

 

ଏହି ସମୟରେ ଘଷ ଘଷ ଶବ୍ଦ କରି ମାଡ଼ିଆସିଲା ଗୋଟିଏ ବଣୁଆ। ବାର୍‌ହା ।. ବାର୍‌ହାଟି ଅତର୍କିତଭାବରେ ତା’ର ଗୋଟିଏ ମୁନିଆ ଦାନ୍ତରେ ବ୍ୟାଧପୁତ୍ରକୁ ଭୁସିଦେଲା । ଆଘାତ ପାଇ ସେ ଯନ୍ତ୍ରଣାରେ ଚିତ୍କାର କଲା ।

 

ବ୍ୟାଧପୁତ୍ର ସାମାନ୍ୟ ଗୋଟିଏ ବଣୁଆ ବାର୍‌ହାଠାରୁ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲା । ସେ ଭୀଷଣ ରାଗିଯାଇ ବାର୍‍ହାକୁ ଲକ୍ଷ୍ୟ କରି ଆଖିପିଛୁଳାକେ ଗୋଟିଏ ତୀର ମାରିଲା । ବାର୍‌ହାଟି ଛଟପଟ ହୋଇ, ଗାଁ-ଗାଁ ଶବ୍ଦ କରି ମରିଗଲା ।

 

ଏଣେ, ଯନ୍ତ୍ରଣା ହେତୁ ବ୍ୟାଧପୁତ୍ର ଠିଆହୋଇ ରହିବା କଷ୍ଟ ହେଲା । ତା’ର ଶରୀରରୁ ବହୁତ ରକ୍ତ ବୋହିଲା। ତା’ର ଦେହ ଝିମ୍ ଝିମ୍ କଲା । ମୁଣ୍ଡ ବୁଲେଇଲା । ଧନୁକୁ ମୁଣ୍ଡତଳେ ଦେଇ ସେ ମାଟିରେ ଶୋଇପଡ଼ିଲା । ବ୍ୟାଧପୁତ୍ର ଆଉ ଉଠିଲା ନାହିଁ । ସୂର୍ଯ୍ୟ ଅସ୍ତଗଲେ ।

 

ସନ୍ଧ୍ୟା ହେଲା । ଗୋଟିଏ ବିଲୁଆ କୁଆଡୁ ବୁଲି ବୁଲି ଆସି ସେଠାରେ ପହଁଞ୍ଚିଲା । ବ୍ୟାଧପୁତ୍ର ଓ ବାର୍‌ହା ମୃତଶରୀର ଦୁଇଟିକୁ ଦେଖ୍ ତା’ର ଆନନ୍ଦ କହିଲେ ନ ସରେ । ବିଲୁଆ ଆନନ୍ଦରେ ବିହ୍ୱଳ ହୋଇ ଧେଇ ଧେଇ ନାଚିଲା ଓ କୁଦିଲା । ସେ ମନକୁ ମନ କହିଲା, “ଯାହାହେଉ, ଅଦିନରେ ମେଘ ! କେତେଦିନ ହେଲା ନ ଖାଇ କେତେ କଷ୍ଟ ଭୋଗୁଥଲି । ଏତେଦିନକେ ଭଗବାନ୍ ଶୁଭଦୃଷ୍ଟିରେ ଅନାଇଲେ ।”

 

ଉତ୍‍ଫୁଲ୍ଲିତ ବିଲୁଆ ପ୍ରଥମେ ବାର୍‌ହା, ତା’ପରେ ବ୍ୟାଧପୁତ୍ର, ଶେଷରେ ଧନୁରେ ଲାଗିଥିବା ଚମଡ଼ାକୁ ଶୁଙ୍ଘିବାକୁ ଲାଗିଲା ତା’ ଜିଭରୁ ଲାଳ ଗଡ଼ିଲା । ସେ ମନେ ମନେ ଭାବିଲା, ‘‘ଆହାଃ, ଅନେକ ଦିନ ଧରି ଏମାନଙ୍କୁ ଖାଇବି । ଏମାନଙ୍କୁ ଗୋଟି ଗୋଟି କରି ଖଇବି । ଏଥିରୁ କାହାରିକୁ ଭାଗ ଦେବି ନାହିଁ । ଆଜି କାହାକୁ ଖାଇବି ? କାହାକୁ ଖାଇବି ? ମଣିଷଟାକୁ ?... ନା, ତା’ର ନରମ ମାଂସକୁ କାଲି ସକାଳେ ଆରାମରେ ଖାଇବି । ବାର୍‍ହାଟାକୁ ଆଜି ରାତିରେ ଖାଇବି-? ନା, ଏହାକୁ ରାତିରେ ଖାଇବି ନାହିଁ, ଏହାର ଚମଡ଼ା ଖୁବ୍ ଟାଣ । ରାତିରେ ଛିଣ୍ଡାଇବା ବଡ଼ କଷ୍ଟ ହେବ । ତା ଛଡ଼ା, ରାତିରେ ସେତେ ଭୋକ ନାହିଁ । ଅତଏବ, ଧନୁରେ ଲାଗିଥିବା ହରିଣଚମଡ଼ାକୁ ଖାଇବି । ଆହାଃ, କି ବଢ଼ିଆ ବାସନା ! ମନେ ମନେ ଯୁକ୍ତିତର୍କ କରି ବିଲୁଆଟି ଧନୁରେ ଲାଗିଥିବା ହରିଣ-ଚମଡ଼ାଟିକୁ ଖାଇବା ପାଇଁ ସ୍ଥିର କଲା । ପ୍ରଥମେ ସେ ଚମଡ଼ାଟାକୁ ଚାଟିଲା । ତା ପରେ କାମୁଡ଼ିଲା । ଥରେ କାମୁଡ଼ିଲା । ଦୁଇଥର କାମୁଡ଼ିଲା । ବାସ୍, ଚମଡ଼ାଟା ଫଟଫଟ ଶବ୍ଦ କରି ଛିଣ୍ଡିଗଲା । ଧନୁର ଅଗ୍ରଭାଗ ଛିଟିକିଯାଇ ବିଲୁଆ ଛାତିରେ ଗଳିଗଲା । ବିଲୁଆ ବିଚରା ମଲା ।

 

ଆଗନ୍ତୁକ ସାଧୁ ଗଳ୍ପ ଶେଷକରି କହିଲେ, ତାମ୍ରଚୂଡ଼, ମୂଷାର ଯିବାଆସିବା ରାସ୍ତାଟା ଜାଣିଛ କି ? ମୂଷାର ଗାତଟା କେଉଁଠି, ଦେଖିଛ’’ ।

 

ତାମ୍ରଚୂଡ଼ ଉତ୍ତର ଦେଲେ, “ନା, ମୁଁ ଠିକ୍ ଭାବେ ଜାଣିନି । ତେବେ, ଏହି ମୂଷାସର୍ଦାର କେବେ ଏକୁଟିଆ ଆସେ ନାହିଁ । ତା ସାଙ୍ଗରେ ବହୁ ଅନୁଚର ଆସନ୍ତି । ତା’ର ମୋ’ ପ୍ରତି ଖାତିର ନାହିଁ ।”

 

ତା ପରେ ତାମ୍ରଚୂଡ଼ ଓ ଆଗନ୍ତୁକ ସାଧୁ ଉଣ୍ଡି ଉଣ୍ଡି ମୋର ଗାତ ପାଖକୁ ଆସିଲେ । ବିପଦ ଦେଖି ମୁଁ ଅନୁଚରମାନଙ୍କୁ ସାଙ୍ଗରେ ଧରି ଅନ୍ୟ ରାସ୍ତା ଧରିଲି । କିନ୍ତୁ, ବିପଦ କେବେହେଲେ ଏକାକୀ ଆସେ ନାହିଁ । ଆମେ କିଛି ବାଟ ଆସିଲା, ପରେ ଗୋଟେ ବିଲେଇ ହାବୁଡ଼ରେ ପଡ଼ିଲୁ । ବିରାଡ଼ିଟା ମୋର କେତେକ ଅନୁଚରଙ୍କୁ ମାରି ଖାଇଦେଲା । ତେଣେ, ତାମ୍ରଚୁଡ଼ ଓ ଆଗନ୍ତୁକ ସାଧୁ ମୋର ଗାତକୁ ଖୋଳି ସେହି ମୂଲ୍ୟବାନ୍ ରତ୍ନକୁ ନେଇଗଲେ । ବିରାଡ଼ି କବଳରୁ ବଞ୍ଚିଯାଇଥିବା ମୂଷାମାନଙ୍କୁ ସାଙ୍ଗରେ ଧରି ମୁଁ ପୁଣିଥରେ ସେହି ରାତିରେ ମନ୍ଦିରକୁ ଗଲି । ମୁଁ ଶିକାରେ ଥିବା ତାମ୍ରଚୂଡ଼ଙ୍କ ଭିକ୍ଷାପାତ୍ର ପାଖକୁ ଯିବାକୁ ବହୁ ଚେଷ୍ଟା କଲି, କିନ୍ତୁ ପାରିଲି ନାହିଁ । ତାମ୍ରଚୂଡ଼ ପୂର୍ବ ଅଭ୍ୟାସ ବଶତଃ ପାଟି କଲେ ଓ ବାଡ଼ି ଠକ୍ ଠକ୍ କଲେ ।

 

ଆଗନ୍ତୁକ ସାଧୁ କହିଲେ, ତାମ୍ରଚୂଡ଼, ତୁମେ ଅଯଥା ଭୟ କରୁଛି । ଆଜି ସେହି ମୂଷାର ପୂର୍ବଶକ୍ତି ନାହିଁ । କାରଣ, ରତ୍ନଟି ଏବେ ମୋର ତକିଆ ତଳେ ଅଛି । ରତ୍ନ ବଳରେ ସେ ବଳୀୟାନ୍ ଥିଲା ! ଆଜି ଆଉ ତା’ର ପୂର୍ବ ଶକ୍ତି ନାହିଁ । ସେ । ଭିକ୍ଷାପାତ୍ର ଉପରକୁ ଡେଇଁପାରିବ ନାହିଁ ।”

 

ସତକୁ ସତ ମୁଁ ବିଫଳ ହୋଇ ଫେରିଆସିଲି । ମୋର ଅନୁଚରମାନେ କୁହାକୁହି ହେଲେ, “ଆମ୍ଭମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏବେ ଆମର ଦଳପତି ହିରଣ୍ୟକଙ୍କର ଶକ୍ତି ସାମର୍ଥ୍ୟ ନାହିଁ । ଏବେ ଆମେ ଆଉ କେଉଁଠାକୁ ପଳାଇବା ।’’

 

ଶେଷରେ ଅନୁଚରମାନେ ମୋତେ ତ୍ୟାଗ କଲେ । ମୁଁ ମୋର ଦରିଦ୍ରତାକୁ ଧିକ୍କାର କରିବାକୁ ଲାଗିଲେ । କାରଣ ଧନହୀନ ପୁରୁଷ, ବ୍ରାହ୍ମଣ ବିହୀନ ଶ୍ରାଦ୍ଧ ଓ ଦକ୍ଷିଣାବିହୀନ ଯଜ୍ଞ–ଏହାର କିଛି ମୂଲ୍ୟ ନାହିଁ ।

 

ପରଦିନ ରାତିରେ ପୁଣିଥରେ ମୁଁ ସେହି ମନ୍ଦିରକୁ ଗଲି । ଯେଉଁ ରତ୍ନ ବିନା । ମୋର ଏହି ଦୁର୍ଦ୍ଦଶା, ସେହି ରତ୍ନଟିକୁ ସାଧୁଙ୍କ କବଳରୁ ଉଦ୍ଧାର କରିବାଥିଲା ମୋର ଏକାନ୍ତ ଇଚ୍ଛା । କିନ୍ତୁ ଚତୁର ତାମ୍ରଚୂଡ଼ ମୋର ଆସିବାର ସୁରାକ୍ ପାଇଁ ମୋର ମୁଣ୍ଡ ଉପରକୁ ଦେଲେ ଶକ୍ତ ଏକ ପ୍ରହାର-। ଆୟୁ ବଳରୁ ମୁଁ କୌଣସିମତେ ବଞ୍ଚିଗଲି । ଧନ ପାଇଁ ମୁଁ ବ୍ୟାକୁଳ ନୁହେଁ । କିନ୍ତୁ କିପରି ଭାବରେ ଧନ ନଷ୍ଟ ହେଲା ଏବଂ କାହିଁକି ମୋର ରତ୍ନ ଫେରିପାଇଲି ନାହିଁ, ଏହି ସମସ୍ତ କଥା ମୁଁ ଭୁଲିପାରୁ ନାହିଁ ।

 

ନିଜ ଅତୀତ ଜୀବନର କାହାଣୀ ଶୁଣାଇ ସାରି ହିରଣ୍ୟକ କହିଲା, ‘ବୁଝିଲ ବନ୍ଧୁଗଣ, ଏହାହିଁ ମୋର ବୈରାଗ୍ୟର କାରଣ ।

 

ମନ୍ଥରକ ନାମକ କଇଁଛ କହିଲା, ବନ୍ଧୁ ହିରଣ୍ୟକ, ତୁମେ ଠିକ୍ ହିଁ କହିଛି । । ଯାହା କପାଳରେ ନାହିଁ, ତାହା କେବେ ହେବ ନାହିଁ । ତା ଛଡ଼ା, ଯେଉଁ ଧନ ତୁମେ ଭୋଗ କରୁ ନ ଥିଲ, ସେ ଧନରେ ତୁମର କି ପ୍ରୟୋଜନ ? ସୋମିଳକ ଟଙ୍କା ପାଇ ମଧ୍ୟ ରଖିପାରିଲା ନାହିଁ ।

 

ହିରଣ୍ୟକ ପଚାରିଲା, “କେଉଁ ଟଙ୍କା ସୋମିଳକ ରଖିପାରିଲା ନାହିଁ ?

 

ତା ପରେ ମନ୍ଥରକ ନାମକ କଇଁଛ ‘ସୋମିଳକର କାହାଣୀ’ କହିବାକୁ ଆରମ୍ଭ କଲା ।

Image

 

ସୋମିଳକର କାହାଣୀ

Image

ସୋମିଳକ ନାମରେ ଜଣେ ତନ୍ତୀ ଥିଲା । ତନ୍ତ ଚଳାଇବାରେ ସେ ଥିଲା ସିଦ୍ଧହସ୍ତ । ତା ପରି ତନ୍ତୀ ସେ ଖଣ୍ଡମଣ୍ଡଳରେ କେହି ନଥିଲେ । ସୋମିଳକ ଚମତ୍‌କାର ସରୁ ଲୁଗା ବୁଣିପାରୁଥିଲା। ମଠାଲୁଗା ବୁଣିବାରେ ସେ ଥିଲା ଅଦ୍ୱିତୀୟ ।

 

ସାଧାରଣତଃ ମଠା ଲୁଗାପଟାର ଚାହିଦା କମ୍ । ତେଣୁ ତା’ର ବିଶେଷ ରୋଜଗାର ହେଉ ନ ଥିଲା କି ତା’ର ଗରିବୀ ଘୁଞ୍ଚୁ ନଥୁଲା । ଯାହାକୁ କହନ୍ତି, ତାର ସବୁବେଳେ ଦାଣ୍ଡରୁ ଆସେ ହାଣ୍ଡିରେ ପଶେ ।

 

ବହୁ ଭାବିଚିନ୍ତି ଦିନେ ସୋମିଳକ ତା’ର ସ୍ତ୍ରୀକୁ କହିଲା, “ଦେଖ, ମୁଁ ବିଦେଶ ଯିବି । ସେଠାରେ ମୋର ଭାଗ୍ୟ ପରୀକ୍ଷା କରିବି ।

 

ସୋମିଳକର ସ୍ତ୍ରୀ କହିଲା, ତୁମେ ସେ ପାଗଳାମି ଛାଡ଼ । ଭାଗ୍ୟରେ ନ ଥିଲେ କ’ଣ ତୁମେ ବିଦେଶ ଗଲେ ରୋଜଗାର ହେବ ?’

 

ସୋମିଳକ କହିଲା, “ଶାସ୍ତ୍ରରେ ଲେଖାଅଛି, ସ୍ତ୍ରୀବୁଦ୍ଧି ପ୍ରଳୟଙ୍କରୀ । ଦେଖ, ଉଦ୍ୟୋଗୀ ପୁରୁଷମାନେ ହିଁ ଲକ୍ଷ୍ମୀ ପ୍ରାପ୍ତ ହୁଅନ୍ତି । ଯିଏ କହେ, ଯାହା ହେବାର ଥିବ ହେବ, ତା’ର କିଛି ହୁଏ ନାହିଁ ।”

 

ସ୍ତ୍ରୀ କହିଲା, ‘ତା ହେଲେ ଠିକ୍ ଅଛି । ତୁମେ ଏବେ ଚେଷ୍ଟାକରି ଦେଖ ।

 

ସୋମିଳକ ବିଦେଶ ଗଲା । ବିଦେଶରେ ସୋମିଳକର ଲୁଗାର ଚାହିଦା ବଢ଼ିଲା । ସେ ବର୍ଷକରେ ତିନିଶହ ମୋହର ପାଇଲା । ମୋହରତକୁ ଧରି ସେ ଗାଁ-ରାସ୍ତା ଧରିଲା । ରାସ୍ତା ଚାଲୁ ଚାଲୁ ସେ ଭାବିଲା ମୋହରତକ ସ୍ତ୍ରୀ ପାଖରେ ରଖିଦେଇ ପୁଣି ବିଦେଶକୁ ଫେରିଆସିବ । ବ୍ୟବସାୟରେ ପୁଣି ଅଧିକ ଲାଭ କରି ମୋହର ନେଇ ସ୍ତ୍ରୀପାଖକୁ ଯିବ । ଏହିପରି ସଞ୍ଚୟ ଅଧିକରୁ ଅଧିକ ହେବ । ସଞ୍ଚୟ କଥା ଭାବି ଭାବି ଉତ୍‍ଫୁଲ୍ଲିତ ସୋମିଳକ ରାସ୍ତା ଚାଲୁଥାଏ । କେତେବେଳେ ଯେ ସନ୍ଧ୍ୟା ହୋଇଗଲା, ସୋମିଳକ ଜାଣିପାରିଲା ନାହିଁ । ଯେତେବେଳେ ତା’ର ଖିଆଲ ହେଲା, ସେତେବେଳକୁ ଆଗରେ ମସ୍ତ ଏକ ଜଙ୍ଗଲ । ଏତେଗୁଡ଼ିଏ ମୋହର ଧରି ଜଙ୍ଗଲ ଭିତର ଦେଇ ସେ କିପରି ଯିବ, ସେଥିପାଇଁ ସେ ଚିନ୍ତିତ ହେଲା । ଜଙ୍ଗଲରେ ଚୋରିଭୟ ଅପେକ୍ଷା ବାଘ ଭାଲୁଙ୍କ ଭୟ ବେଶି । ଅନେକ ଭାବିଚିନ୍ତି ସେ ଗୋଟିଏ ଗଛ ଉପରକୁ ଚଢ଼ିଗଲା ।

 

ଗଛ ଉପରେ ଶୋଇବା ଯଦିଓ ସମ୍ଭବ ନୁହେଁ, କିନ୍ତୁ ବାଟଚଲା ବାଧାହେତୁ ସୋମିଳକର ଆଖୁ ବୁଜି ହୋଇଗଲା । କୁଆ କା କରିବା ପୂର୍ବରୁ ତା’ର ନିଦ ଭାଙ୍ଗିଗଲା । ଅଭ୍ୟାସବଶତଃ ସେ ଅଣ୍ଟାରେ ହାତମାରି ଦେଖିଲା ଟଙ୍କା ନାହିଁ । ସୋମିଳକ ମୁଣ୍ଡକୋଡ଼ି କାନ୍ଦି କାନ୍ଦି କହିଲା, “ମୋର ମୋହରତକ କୁଆଡ଼େ ଗଲା ?

 

ମୋର ଝାଳବୁହା ଧନ କିଏ ଚୋରି କଲା ?" କିନ୍ତୁ, କିଏ ବା ଉତ୍ତର ଦେବ ? ସେ କିଛି ସଦୁତ୍ତର ପାଇଲା ନାହିଁ ।

 

ସୋମିଳକ ଅତ୍ୟନ୍ତ ଦୁଃଖରେ ଭାଙ୍ଗିପଡ଼ିଲା । ମୁଣ୍ଡରେ ହାତଦେଇ ସେ । ବସି ରହିଲା-। କିଛି ସମୟ ପରେ ସେ ଠିଆହୋଇ ମନକୁମନ କହିଲା, “ମୁଁ ପୁଣି ବିଦେଶ ଯିବି । ପୁଣି ମୁଁ ଲାଭ କରିବି । ବହୁତ ମୋହର ପାଇବି, ତେବେ ଯାଇ । ଘରକୁ ଫେରିବି ।”

 

ସୋମିଳକ ପୁଣି ବିଦେଶକୁ ଫେରିଲା । ବର୍ଷେକାଳ ସହରରେ ରହି କଠୋର ପରିଶ୍ରମ କଲ। ଏବଂ ଶ୍ରମର ଉପଯୁକ୍ତ ମୁଲ୍ୟ ପାଇଲା। ସେହିବର୍ଷ ସେ ପାଞ୍ଚଶତ ମୋହର ପାଇଲା । ଏଥର ସେ ଜଙ୍ଗଲରାସ୍ତା ଦେଇ ଫେରିଲା ନାହିଁ ।

 

ଦିନେ ସେ ବାଟ ଚାଲୁ ଚାଲୁ ଦେଖିଲା ଯେ, ତା ଆଗେ ଆଗେ ଦୁଇଜଣ ଲୋକ ଚାଲିଛନ୍ତି । ସେମାନଙ୍କୁ ସେ ସ୍ପଷ୍ଟ ଦେଖୁପାରୁ ନ ଥିଲା । କିନ୍ତୁ ସେମାନଙ୍କର କଥାବାର୍ତ୍ତା ପରିଷ୍କାର ଶୁଣିପାରୁଥିଲା । ସୋମିଳକ ସେମାନଙ୍କୁ ଚୋର ଭାବି ତା’ର ମୋହର ମୁଣ୍ଡିଟାକୁ ଜୋରେ ଚାପି ଧରିଲା ।

 

ସେମାନେ ଥିଲେ ଜଣେ କର୍ମପୁରୁଷ ଓ ଅନ୍ୟ ଜଣେ ଭାଗ୍ୟପୁରୁଷ । କର୍ମପୁରୁଷ କର୍ମର ପୁରସ୍କାର ଦିଅନ୍ତି ଏବଂ ଭାଗ୍ୟପୁରୁଷ ଯାହାର ଯେତିକି ପ୍ରାପ୍ୟ, ତାହାହିଁ ଦିଅନ୍ତି । ଅଧିକ ହେଲେ କାଢ଼ି ନିଅନ୍ତି ଏବଂ କମ୍ ହେଲେ ପୁଣି ଦେଇଥାନ୍ତି । ସୋମିଳକ ଶୁଣିବାକୁ ପାଇଲା, ଭାଗ୍ୟପୁରୁଷ କହୁଛନ୍ତି, ହେ କର୍ମପୁରୁଷ, ଆପଣ ସୋମିଳକକୁ ଏତେ ମୋହର ଦେଲେ କାହିଁକି ? ଯେଉଁ ଧନକୁ ସେ ଭୋଗ କରିପାରିବ ନାହିଁ, ସେଥିରେ ତା’ର ଅଧିକାର ନାହିଁ ।

 

କର୍ମପୁରୁଷ କହିଲେ, “ହେ ଭାଗ୍ୟପୁରୁଷ, କର୍ମୀକୁ ମୁଁ ତା’ର କର୍ମପାଇଁ ପୁରସ୍କାର ନିଶ୍ଚୟ ଦେବି ଭୋଗ କରିବା ନ କରିବା ତା ଉପରେ ।"

 

ସେମାନଙ୍କର କଥା ଶୁଣି ସୋମିଳକ ଭୟରେ ଜଡ଼ସଡ଼ ହୋଇଗଲା । ତା’ର ମନେହେଲା, କିଏ ଯେପରି ତା’ର ମୁଣିରୁ ମୋହରଗୁଡ଼ିକୁ ବାହାରକରି ନେଉଛି । ସେ ଚୋର ଚୋର ବୋଲି ପାଟି କଲା । ତା’ର ମୁଣିରେ ମାତ୍ର ପଚାଶଟି ମୋହର । ଯିବାର ଦେଖିଲା, ସାଢ଼େ ଚାରିଶହ ମୋହର ମୁଣିରୁ କିଏ ନେଇଯାଇଛି । ଭାଗ୍ୟପୁରୁଷ ତାକୁ ଦେଖାଦେଇ କହିଲେ, “ସୋମିଳକ, ତୁମର ଖର୍ଚ୍ଚ ଭରଣା ପରେ ଯେଉଁ ଅର୍ଥ ନେଉଥୁଲ, ତାହା କେବଳ ସଞ୍ଚୟ ପାଇଁ । ସେହି ସଞ୍ଚୟ ଅର୍ଥରୁ ନା ତୁମେ ଭୋଗ କରିବ ନା ଦାନ କରିବ । ଯେହେତୁ ସେହି ଅର୍ଥ ତୁମର କାମରେ ଲାଗିବ ନାହିଁ କିମ୍ବା ଅନ୍ୟ କାହାରି କାମରେ ଲାଗିବ ନାହିଁ ତେଣୁ ମୁଁ ତାକୁ ନେଇଯାଇଛି । ତୁମେ ଦୁଖଃ କରନାହିଁ । ଏବେ ତୁମେ ବର୍ଦ୍ଧମାନ ନଗରୀକୁ ଯାଅ । ସେଠାରେ ଗୁପ୍ତଧନ ଓ ଉପଗୁପ୍ତଧନ ନାମରେ ଦୁଇଜଣ ଭଦ୍ରଲୋକ ଅଛନ୍ତି । ତୁମେ ସେଠାକୁ ଯାଇ ସେହି ଦୁଇଜଣଙ୍କୁ ସାକ୍ଷାତ୍ କର । ତୁମର ଦୁଃଖ ଦୂର ହେବ ।

 

ବର୍ଦ୍ଧମାନ ନଗରୀରେ ଗୁପ୍ତଧନଙ୍କୁ ଖୋଜି ବାହାର କରିବା ପାଇଁ ସୋମିଳକଙ୍କୁ କଷ୍ଟ ହେଲା ନାହିଁ । ସନ୍ଧ୍ୟା ସମୟ । ସୋମିଳକ ଗୁପ୍ତଧନଙ୍କୁ ସାକ୍ଷାତ୍ କଲା ।

 

ସୋମିଳକ ଗୁପ୍ତଧନଙ୍କୁ ପ୍ରଣାମ କରି କହିଲା, “ମହାଶୟ, ମୁଁ ବିଦେଶୀ । କ୍ଷୁଧା ଓ ବାଟଚଲା ବାଧା ହେତୁ ମୁଁ ଅତ୍ୟନ୍ତ କ୍ଲାନ୍ତ । ତା ଛଡ଼ା ଦିନସାରା ବର୍ଷାରେ ଓଦା ହୋଇ ମୁଁ ଅସୁସ୍ଥ । ଦୟାକରି ଆଜି ରାତିକ ଆପଣଙ୍କ ଘରେ ଆଶ୍ରୟ ଦେଇ ମୋତେ ବଞ୍ଚାନ୍ତୁ ।

 

ଗୁପ୍ତଧନ କହିଲେ, “ମୁଁ ଅତିଥିଙ୍କୁ ପସନ୍ଦ କରେ ନାହିଁ । ତୁମେ ଅନ୍ୟ ରାସ୍ତା ଦେଖ । ସୋମିଳକ କହିଲା, “ଏଭଳି ଝଡ଼ ବର୍ଷାରେ ମୁଁ କୁଆଡ଼େ ଯିବି ? ମୁଁ ବିଦେଶୀ, ଏହି ନଗରୀରେ ମୋତେ କିଏ ବା ଆଶ୍ରୟ ଦେବ ?

 

କଥାବାର୍ତ୍ତା ଶୁଣି ଗୁପ୍ତଧନଙ୍କ ସ୍ତ୍ରୀ ଆସି ପହଞ୍ଚି କହିଲେ, “ଆମେ ସ୍ଥାନ ଦେଇପାରିବୁ ନାହିଁ । କିଏ ନା କିଏ, କିଛି ଠିକଣା ନାହିଁ, ତା ଛଡ଼ା ଆମର ରନ୍ଧାବଢ଼ା ବି ସରିଛି । ଏଇ ଝଡ଼ ବର୍ଷାରେ ପୁଣିଥରେ କିଏ ବା ରାନ୍ଧିବ ?

 

ନିରୁପାୟ ହୋଇ ସୋମିଳକ ବିନୀତ ଭାବରେ କହିଲା, “ଯାହାହେଉ, ମୋତେ କିଛି ଖାଇବାକୁ ଦିଅନ୍ତୁ ଏବଂ ଶୋଇବାକୁ ଟିକିଏ ସ୍ଥାନ ! ସେତିକି ଯଥେଷ୍ଟ ।

 

ଅଗତ୍ୟା ଗୁପ୍ତଧନ ଓ ତାଙ୍କ ସ୍ତ୍ରୀ ବାଧ୍ୟ ହୋଇ ସୋମିଳକକୁ ବାସିଭାତ ଓ ଲୁଣ ଖାଇବାକୁ ଦେଲେ । ଗୁହାଳଘରେ ନଡ଼ା ଉପରେ ଶୋଇବାର ବ୍ୟବସ୍ଥା କଲେ । ବିଚରା ସୋମିଳକ ବିନା ଆପତି ଓଜରରେ ଖାଇଲା ଓ ଶୋଇ ଶୋଇ ଗୁପ୍ତଧନ କଥା ଭାବିବାକୁ ଲାଗିଲା-। ଗୁପ୍ତଧନ ବେଶ୍ ଧନୀଲୋକ, ଅଥଚ ଅତିଥି ଅଭ୍ୟାଗତଙ୍କ ପାଇଁ ପଇସାଟିଏ ଖର୍ଚ୍ଚ କରିବାକୁ ରାଜି ନୁହେଁ । ଏହିପରି ଭାବି ଭାବି ସୋମିଳକ ଗଭୀର ନିଦରେ ଶୋଇଗଲା । ହଠାତ୍ କନ୍ଦାକଟା ଶୁଣି ସୋମିଳକର ନିଦ ଭାଙ୍ଗିଗଲା । କନ୍ଦାକଟାର କାରଣ ଜାଣିବାକୁ ସେ ଚେଷ୍ଟାକଲା । ସେ ଜାଣିବାକୁ ପାଇଲା ଯେ, ଗୁପ୍ତଧନଙ୍କ ସ୍ତ୍ରୀର ବାନ୍ତି ହେଉଛି । ଭୋର ହେଉ ନ ହେଉଣୁ–ଗୁପ୍ତଧନଙ୍କ ଘର ଛାଡ଼ି ସୋମିଳକ ପଳାଇଲା ।

 

ଗୁପ୍ତଧନଙ୍କ ଘରୁ ଫେରି ସୋମିଳକ ସାରାଦିନ ବୁଲି ବୁଲି କଟାଇଦେଲା । ବୁଲି ବୁଲି ସନ୍ଧ୍ୟାବେଳକୁ ସେ ପହଞ୍ଚିଲା ଉପଗୁପ୍ତଧନଙ୍କ ଘରେ । ସେ ଉପଗୁପ୍ତଧନଙ୍କୁ କହିଲା, “ମହାଶୟ, ମୁଁ ବିଦେଶୀ ଲୋକ । ବହୁ ଦୂରରୁ ଆପଣଙ୍କ ନିକଟକୁ ଆସିଛି । ଆଜି ଗୋଟିଏ ରାତି ଆପଣଙ୍କ ଘରେ ମୋତେ ଆଶ୍ରୟ ଦିଅନ୍ତୁ ।

 

ଉପଗୁପ୍ତଧନ ବହୁତ ଖୁସି ହୋଇ କହିଲେ, "ମୋର କି ସୌଭାଗ୍ୟ ! ଆପଣ ଘର ଭିତରକୁ ଆସନ୍ତୁ । ବିଦେଶୀ ଅତିଥି, ପୁଣି ସନ୍ଧ୍ୟାର ଅତିଥି ହିଁ ଶ୍ରେଷ୍ଠ ଅତିଥି । ମୋର କି ଭାଗ୍ୟ ! ମୁଁ ଆପଣଙ୍କ ପରି ଅତିଥି ଆଜି ପାଇଛି । ଆପଣ ବସନ୍ତୁ । ମୁଁ ମୋର ସ୍ତ୍ରୀକୁ ଖବର ଦେଉଛି ।”

 

ଏତେଗୁଡ଼ାଏ କଥା ଏକ ନିଃଶ୍ୱାସରେ କହି ଉପଗୁପ୍ତଧନ ସ୍ତ୍ରୀଙ୍କୁ ଡାକି ଡାକି ଘର ଭିତରକୁ ଗଲେ ।

 

ଉପଗୁପ୍ତଧନ ଭିତରକୁ ଗଲାପରେ ସୋମିଳକ ଚାରିଆଡ଼କୁ ଦୃଷ୍ଟିପକାଇ ଜାଣିଲା ଯେ ଏମାନେ ଗରିବ, ଅଥଚ ଅତିଥିଙ୍କୁ ପାଇ ଏମାନଙ୍କର କି ଆନନ୍ଦ !

 

ସୋମିଳକ ଏକା ବସି ବସି ଏମାନଙ୍କର ଅବସ୍ଥା ବିଷୟରେ ଭାବୁଥାଏ । ଏହିସମୟରେ ଉପଗୁପ୍ତଧନଙ୍କ ସ୍ତ୍ରୀ ଆସି ନମସ୍କାର କରି କହିଲେ, “ଅତିଥି ସାକ୍ଷାତ୍ ନାରାୟଣ । ହେ ଅତିଥି, ଆପଣ ଆଜି ରାତିରେ ଏଠାରେ ରୁହନ୍ତୁ । ଆପଣଙ୍କ ପାଦ ଧୋଇବା ପାଇଁ ପାଣି ଆଣିଛି । ହାତ ପାଦ ପରିଷ୍କାର କରି ଆପଣ ବିଶ୍ରାମ କରନ୍ତୁ । ମୁଁ ଆପଣଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଛି ।”

 

ଉପଗୁପ୍ତଧନଙ୍କ ନିରାଭରଣା ସ୍ତ୍ରୀଙ୍କୁ ଦେଖି ସୋମିଳିକ ମୁଗ୍ଧ ହେଲା । ତା’ର ମନେହେଲା, ସତେ ଯେପରି ସାକ୍ଷାତ୍ ମା’ଲକ୍ଷ୍ମୀ ତା ସହିତ କଥା କହୁଛନ୍ତି ।

 

ସେହି ରାତିରେ ଅନେକ ପ୍ରକାରର ଖାଦ୍ୟଦ୍ରବ୍ୟ ସୋମିଳକ ପାଇଁ ପ୍ରସ୍ତୁତ ହେଲା । ସୋମିଳକ ସେପରି ସ୍ୱାଦିଷ୍ଟ ଖାଦ୍ୟ କେବେହେଲେ ଜୀବନରେ ଖାଇ ନ ଥିଲା । ସେ ଭାବୁଥାଏ, ଏମାନଙ୍କର ଅବସ୍ଥା ସ୍ୱଚ୍ଛଳ ନୁହେଁ, ମୋ ପାଇଁ ଏତେ ପ୍ରକାରର ଖାଦ୍ୟଦ୍ରବ୍ୟ ନ କରିଥିଲେ ଚଳିଥାନ୍ତା ।

 

ସେଦିନ ରାତିରେ ସୋମିଳକର ଗଭୀର ନିଦ ହେଲା । ସକାଳୁ ଉଠିବା ପାଇଁ ବହୁ ବିଳମ୍ବ ହେଲା । ସୋମିଳକ ଶେଯରୁ ଉଠୁ ଉଠୁ ମୁହଁ ଧୋଇବା ପାଇଁ ପାଣି ଆଣି ଥୋଇଲେ ଉପଗୁପ୍ତଧନଙ୍କ ସ୍ତ୍ରୀ ଏବଂ ସୋମିଳକକୁ କହିଲେ, “ମହାଶୟ, କାଲି ରାତିରେ ଆପଣଙ୍କ ପାଇଁ ଭଲ ଖାଦ୍ୟର ବ୍ୟବସ୍ଥା କରିପାରି ନ ଥିଲି । ଶୋଇବା ପାଇଁ ଭଲ ବିଛଣା ବି ଦେଇପାରି ନ ଥିଲି । ହୁଏତ ରାତିରେ ଭଲ ନିଦ ହୋଇ ନ ଥିବ । ମୋର ଅନୁରୋଧ, ଆଜି ଦିନଟା ଆମଘରେ ରହିଯାଆନ୍ତୁ ।

 

ସୋମିଳକ ବିନୀତଭାବେ କହିଲା, କାଲିପରି ସୁସ୍ୱାଦୁ ଓ ତୃପ୍ତିକର ଖାଦ୍ୟ ମୁଁ ଜୀବନରେ ଖାଇନି । କାଲି ରାତିରେ ଯେପରି ଗଭୀର ନିଦରେ ଶୋଇଥିଲି, ସେପରି ଅନେକ ଦିନ ହେଲା ଶୋଇ ନଥିଲି। ଆପଣଙ୍କର କିଛି ତ୍ରୁଟି ନାହିଁ । ବରଂ ମୁଁ ଅସମୟରେ ଆସି ଆପଣଙ୍କୁ ବିରକ୍ତ କରିଛି-

 

ସେହି ଅତିଥ୍ୟପରାୟଣ ସ୍ତ୍ରୀ କହିଲେ, “ମହାଶୟ, ଆପଣ ଏପରି କଥା କହିଲେ । ଆମର ପାପ ହେବ । ଆପଣ ଆଗେ ମୁହଁ ହାତ ଧୁଅନ୍ତୁ, ମୁଁ ଖାଇବା ଆଣୁଛି ।”

 

ଗୃହକର୍ତ୍ତା ଚାଲିଯିବା ପରେ ସୋମିଳକ ଶୁଣିପାରିଲା–ଗୃହସ୍ୱାମୀ ଉପଗୁପ୍ତଧନ କାହାରି ସାଙ୍ଗରେ କଥା ହେଉଛନ୍ତି । ଅପରିଚିତ ଆଗନ୍ତୁକ ବ୍ୟକ୍ତି ଉପଗୁପ୍ତଧନଙ୍କୁ କହୁଥାନ୍ତି, “ମହାଶୟ, ଆପଣଙ୍କଠାରୁ ମୁଁ ଅନେକ ଟଙ୍କା ପାଇବାକୁ ଅଛି । ମାସ ପରେ ମାସ ଆପଣ ଧାରରେ ଜିନିଷପତ୍ର ଆଣିଛନ୍ତି । କାଲି ରାତିରେ ଅତିଥିଙ୍କ ନାମ କହି ପୁଣି ଅନେକ ଟଙ୍କାର ଜିନିଷପତ୍ର ଆଣିଛନ୍ତି । ଆପଣ ତ ସବୁବେଳେ ଆତିଥ୍ୟସେବା କରୁଛନ୍ତି । ଛାଡ଼ନ୍ତୁ ସେକଥା, ଏଣିକ ଆଉ ଆପଣଙ୍କୁ ମୁଁ ଧାରରେ ଜିନିଷପତ୍ର ଦେଇପାରିବି ନାହିଁ ।”

 

ଉପଗୁପ୍ତଧନ କହିଲେ, “ଭାଇ, ଟିକିଏ ଆସ୍ତେ କୁହ । ଅତିଥି ଶୋଇଛନ୍ତି ପରା । ଅତିଥି ଯଦି ଶୁଣିବେ, ମୋର ଇଜତ୍ ଦି’କଡ଼ାର ହେବ, ଲଜ୍ଜାରେ ମୁଁ ମୁଣ୍ଡ ଟେକିପାରିବି ନାହିଁ । ଦେଖ ଭାଇ, ଯଦି ଚାହିଁବ ମୋର ଏଇ ଭିଟାମାଟି ଖଣ୍ଡିକ ବନ୍ଧକ ରଖିପାର । କିନ୍ତୁ ମୋର ଅତିଥିଙ୍କର କିଛି ଅସୁବିଧା କର ନାହିଁ । କାଲି ରାତିରେ ମୁଁ କ’ଣ ବା ତାଙ୍କ ପାଇଁ କରିପାରିଛି ?’’

 

ସେମାନଙ୍କର କଥାବାର୍ତ୍ତା ଶୁଣି ସୋମିଳକର ଲଜ୍ଜାର ସୀମା ରହିଲା ନାହିଁ । ସେ ନିଜକୁ ଧିକ୍କାର କରି ମନକୁ ମନ କହିଲା, “ହେ ଭଗବାନ୍, ଏମାନଙ୍କର ଏପରି ଦୁରବସ୍ଥା ! ମୁଁ ଏବେ ରହିଲେ ଏମାନଙ୍କର ରଣର ବୋଝ ଆହୁରି ବଢ଼ିଯିବ ।”

 

ଉପଗୁପ୍ତଧନ ଓ ତାଙ୍କର ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇ ବାଡ଼ିଦୁଆର ବାଟେ ସୋମିଳକ ବାହାରିପଡ଼ିଲା । ଆଖପାଖରେ କାଳେ କିଏ ଦେଖି ନେବ, ସେଥିପାଇଁ ସୋମିଳକ ଜୋର୍‍ରେ ଜୋର୍‍ରେ ଚାଲିବାକୁ ଲାଗିଲା ।

 

ସୋମିଳିକ ଅଳ୍ପ କିଛିଦୂର ଗଲାପରେ ପାଞ୍ଚ ଛଅ ଜଣ ବଳିଷ୍ଠ ଲୋକ ଆସି ତାକୁ ପଚାରିଲେ, “ମହାଶୟ, ଉପଗୁପ୍ତଧନଙ୍କ ଘରଟା କେଉଁଠି କହିପାରିବେ କି ? ରାଜା ଉପଗୁପ୍ତଧନଙ୍କ ପାଇଁ ଚାଉଳ, ଡାଲି, ଅଟା, ଘିଅ ଇତ୍ୟାଦି ମସିକ ଖର୍ଚ୍ଚ ନିମନ୍ତେ ପଠାଇଛନ୍ତି ।

 

ସୋମିଳକ ଆଶ୍ଚର୍ଯ୍ୟ ହେଲା । ଉପଗୁପ୍ତଧନଙ୍କ ଘରକୁ ଆଙ୍ଗୁଠି ଦେଖାଇ ସୋମିଳକ ସେମାନଙ୍କୁ ପଚାରିଲା, “ରାଜା ଏଇସବୁ ଜିନିଷ କାହିଁକି ପଠାଇଛନ୍ତି ?

 

ସେହି ଲୋକମାନେ କହିଲେ, “ରାଜା ଏହିପରି ପ୍ରତି ମାସରେ ଅତିଥି ଅଭ୍ୟାଗତଙ୍କର ଚର୍ଚ୍ଚାବାର୍ଚ୍ଚା ପାଇଁ ପଠାନ୍ତି । ଏହା ଏଇ ମାସ ପାଇଁ ।”

 

ଏହି ସମସ୍ତ କଥା ଭାବୁ ଭାବୁ ସୋମିଳକ ଆଉ କିଛି ବାଟ ଆଗେଇଗଲା । ଏଇ ସମୟରେ କର୍ମପୁରୁଷ ଓ ଭାଗ୍ୟପୁରୁଷ ସୋମିଳକକୁ ଦେଖାଦେଇ କହିଲେ, ‘‘ସୋମିଳକ, ଏବେ ତୁମେ କି ଶିକ୍ଷା ପାଇଲ ?”

 

ସୋମିଳକ କହିଲା, “ଦାନପରି ବସ୍ତୁ ଦୁନିଆରେ ନାହିଁ । ତା ଛଡ଼ା, ଅର୍ଥ ସଞ୍ଚୟ ଅପେକ୍ଷା ଖର୍ଚ୍ଚ କରିବା ଭଲ ।

 

ଭାଗ୍ୟପୁରୁଷ ପଚାରିଲେ, “ସୋମିଳକ, ଧନ ପାଇଲେ ତୁମେ କ’ଣ କରିବ ?’

 

ସୋମିଳକ ଉତ୍ତର ଦେଲା, “ଦାନ କରିବି, ଭୋଗ କରିବି ।” ଭାଗ୍ୟପୁରୁଷ କହିଲେ, “ତା ହେଲେ ତୁମେ ଏବେ ତୁମର ମୋହରଗୁଡ଼ିକ ନିଅ ।”

 

ଗଳ୍ପ ଶେଷକରି ମନ୍ଥରକ କହିଲା, ‘‘ବନ୍ଧୁ ହିରଣ୍ୟକ, ତୁମେ ଧନପାଇଁ ଦୁଃଖ କରନାହିଁ । ଧନ ଥାଇ ଯଦି ଭୋଗ କରିପାରିବ ନାହିଁ, ତେବେ ସେ ଧନର ମୂଲ୍ୟ କ’ଣ ? ଧନର ଗତି ତିନି ପ୍ରକାରର–ଦାନ, ଭୋଗ ଓ କ୍ଷତି ! ଯିଏ ଧନ ଭୋଗ କରେ ନାହିଁ, ଦାନ କରେ ନାହିଁ, ତାର ଶେଷ ପରିଣାମ କ୍ଷତି । ଏହି ସଂସାରରେ ଦାନପରି ଧର୍ମ ନାହିଁ, ସନ୍ତୁଷ୍ଟ ହେବାପରି ସୁଖ ନାହିଁ ।

 

ହିରଣ୍ୟକ କହିଲେ, “ବନ୍ଧୁ ମନ୍ଥରକ, ତୁମର କଥା ଶୁଣି ମୁଁ ମନରେ ସାନ୍ତ୍ୱନା ପାଇଲି ।

 

ହିରଣ୍ୟର କଥା ଶେଷ ହେଉ ନହେଉଣୁ କୌଣସି ଏକ ଶବ୍ଦ ଶୁଣି ତିନିବନ୍ଧୁ ଚାହିଁ ଦେଖିଲେ, ଗୋଟିଏ ହରିଣ ଦୌଡ଼ି ଦୌଡ଼ି ଆସୁଛି । ହରିଣଟି ଦୌଡ଼ି ଦୌଡ଼ି ଆସି ସେମାନଙ୍କ ନିକଟରେ ଧଇଁସଇଁ ହେବାକୁ ଲାଗିଲା । ଲଘୁପତନକ, ହିରଣ୍ୟକ ଓ ମନ୍ଥରକ କୁହାକୁହି ହେଲେ, “ଏହି ହରିଣ ନିଶ୍ଚୟ ଭୟଭୀତ ହୋଇଛି । ଆମ୍ଭେମାନେ ତାକୁ ଅଭୟ ଦେବା ଉଚିତ ।”

 

ଲଘୁପତନକ, ହରିଣକୁ ଡାକି କହିଲା, “କଣ ହେଲା ଭାଇ ? ଏତେ ଧଇଁସଇଁ କାହିଁକି ହେଉଛି ?

 

ହରିଣ କହିଲା, “ପ୍ରାଣଟା ରହିଗଲା, ତାହାହିଁ ଭାଗ୍ୟ । ଦଳେ ବ୍ୟାଧି ଆସି ମୋତେ ଆକ୍ରମଣ କରୁଥିଲେ । ମୁଁ କୌଣସିମତେ ପଳାଇ ଆସିଲି । ମୋର ସାଙ୍ଗମାନଙ୍କର ଅବସ୍ଥା କ’ଣ ହେଲା କିଏ ଜାଣେ ?”

 

ଲଘୁପତନକ ନାମକ କୁଆସର୍ଦାର କହିଲା, “ବ୍ୟାଧମାନେ କେତେଗୁଡ଼ିଏ ହରିଣ ଧରି ଗାଁ ଆଡ଼କୁ ଯାଉଥିବାର ମୁଁ ଦେଖିଛି ।”

 

ହରିଣ ଦୀର୍ଘଶ୍ୱାସ ପକାଇ କହିଲା, “ବ୍ୟାଧମାନେ ଚାଲିଗଲେ । ତାହେଲେ ମୁଁ ବଞ୍ଚିଗଲି-।”

 

ମନ୍ଥରକ ନାମକ କଇଁଛ କହିଲା, “ଭଲ ହେଲା, ଆଜିଠାରୁ ତୁମେ । ଆମ୍ଭମାନଙ୍କର ବନ୍ଧୁ-। ତୁମେ ଏଇଠି ବୁଦାମୂଳେ ରହିବ । ଆମେ ଚାରିବନ୍ଧୁ ସାଙ୍ଗ ହୋଇ ସୁଖରେ ରହିବା । ଭାଇ, ତୁମର ନାମ କ’ଣ ? ଆମେ ତୁମକୁ କ’ଣ ବୋଲି ଡାକିବୁ ?”

 

ହିରଣ୍ୟକ କହିଲା, “ନିଶ୍ଚୟ, ନିଶ୍ଚୟ । ଆମେ ଚାରିବନ୍ଧୁ–ଏକ ମନ, ଏକପ୍ରାଣ ହୋଇ ଚଳିବା ।”

 

ହରିଣ କହିଲା, "ବନ୍ଧୁଗଣ, ତୁମ୍ଭମାନଙ୍କର ବ୍ୟବହାରରେ ମୁଁ ମୁଗ୍ଧ । ଆଜିଠାରୁ ମୁଁ ତୁମ୍ଭମାନଙ୍କର ବନ୍ଧୁ । ଆମେ ସାଙ୍ଗ ହୋଇ ରହିବା । ମୋର ନାମ ଚିତ୍ରାଙ୍ଗ ।

 

ସେହିଦିନଠାରୁ ଲଘୁପତନ, ହିରଣ୍ୟକ, ମନ୍ଥରକ ଓ ଚିତ୍ରାଙ୍ଗ ସାଙ୍ଗ ହୋଇ ସୁଖରେ ରହିଲେ । ଖାଇପିଇ ଏବଂ ଗପସପ କରି ସେମାନେ ଦିନ କାଟିଲେ ।

 

କେତେଦିନ ପରର କଥା । ଦିନେ ଭୋର୍‌ରୁ ଚିତ୍ରାଙ୍ଗ କଞ୍ଚାଘାସ ଖାଇବାପାଇଁ ବଣ ଆଡ଼କୁ ଗଲା । ଦ୍ୱିପ୍ରହର ଗଡ଼ିଗଲା, ସନ୍ଧ୍ୟା ହୋଇଆସିଲା, ତେବେବି ଚିତ୍ରାଙ୍ଗର ଦେଖା ନାହିଁ । ତିନିବନ୍ଧୁ ଚିତ୍ରାଙ୍ଗ ନାମକ ହରିଣ ପାଇଁ ଚିନ୍ତିତ ହେଲେ । ହିରଣ୍ୟକ ଓ ମନ୍ଥରକ କହିଲେ, “ବୋଧହୁଏ, ତା’ର କିଛି ବିପଦ ପଡ଼ିଛି ।

 

ଲଘୁପତନକ ସଙ୍ଗେ ସଙ୍ଗେ କହିଲା, ମୁଁ ଉଡ଼ି ଉଡ଼ି ଦେଖୁଛି ହରିଣର କିଛି ସନ୍ଧାନ ମିଳୁଛି କି ନାହିଁ ।”

 

ଏହା କହି ଲଘୁପତନକ ଉଡ଼ିଗଲା । କା, କା, କା... ବୋଲି ହରିଣକୁ ଡାକି ଡାକି କୁଆ ଉଡ଼ିଚାଲିଥାଏ । ହଠାତ୍ ସେ ତାର ବନ୍ଧୁ ହରିଣକୁ ଦେଖିଲା । ଓଃ-ଓଃ । ତାର ଏ କି ଅବସ୍ଥା ! ଚିତ୍ରାଙ୍ଗର ଅବସ୍ଥା ଦେଖି କୁଆ କାନ୍ଦିପକାଇଲା । ସେ ହରିଣ ମୁହଁ ପାଖରେ ବସି ପଚାରିଲା, ବନ୍ଧୁ, ଏ କ’ଣ ହେଲା ?” କୁଆକୁ ଦେଖି ଚିତ୍ରାଙ୍ଗ କହିଲା, “ବନ୍ଧୁ ଲଘୁପତନକ, ତୁମକୁ ଦେଖି ଖୁସି ହେଲି-। ବ୍ୟାଧର ଜାଲରୁ ମୁକ୍ତ ହେବା କଷ୍ଟ । ଏବେ ବ୍ୟାଧି ଆସି ମୋତେ ମାରିଦେବ । ଅନ୍ତତଃପକ୍ଷେ ମରିବା ସମୟରେ ବନ୍ଧୁର ମୁହଁ ଦେଖି ମରିବି–ଏଇ ସାନ୍ତ୍ୱନା ।”

 

ଲଘୁପତନକ କହିଲା, “ଏପରି କଥା ମୁହଁରେ ଧରନା ବନ୍ଧୁ । ମୁଁ ଏବେ ଯାଇ ହିରଣ୍ୟକୁ ନେଇ ଆସିବି । ସେ ଆସିଲେ, ଜାଲ କାଟି ତୁମକୁ ମୁକ୍ତ କରିବ ।’’

 

ଚିତ୍ରାଙ୍ଗ କହିଲା, ‘‘ବ୍ୟାଧ ଏବେ ଆସିଯିବ । ସେପରି ଚେଷ୍ଟା କରି କିଛି ଲାଭ ନାହିଁ । ବରଂ ତୁମ ଉପରକୁ ବିପଦ ଆସିପାରେ । ତୁମେ ଯାଇ ହିରଣ୍ୟକ ଓ ମନ୍ଥରକକୁ ମୋର ଶ୍ରଦ୍ଧା ଜଣାଇବ । କୌଣସି ଦିନ ଯଦି ସେମାନଙ୍କର ମନରେ କିଛି କଷ୍ଟ ଦେଇଥିବି, ତେବେ ମୋତେ କ୍ଷମା ଦେବେ ।

 

ଚିତ୍ରାଙ୍ଗର କଥା ଶେଷ ନ ହେଉଣୁ ଚିଁ ଚିଁ ଶବ୍ଦ ଶୁଭିଲା । ସେମାନେ ଦେଖିଲାବେଳକୁ ହିରଣ୍ୟକ ସେଇ ଦିଗକୁ ଆସୁଛି । ଲଘୁପତନକ କହିଲା, "ବନ୍ଧୁ ଚିତ୍ରାଙ୍ଗ, ଏଇ ଦେଖ, କହୁ କହୁ ହିରଣ୍ୟକ ଆସିଲାଣି ।

 

ହିରଣ୍ୟକ ଆସି କହିଲା, “ବନ୍ଧୁ ପାଇଁ ମନଟା ଭଲ ଲାଗିଲା ନାହିଁ । ସେଥିପାଇଁ ମନ୍ଥରକକୁ ରଖି ପଳାଇ ଆସିଲି । ଏବେ କିଛି ଭୟ ନାହିଁ ବନ୍ଧୁ ଚିତ୍ରାଙ୍ଗ । ଏଇ ଦେଖ, ମୁଁ ଏବେ ଜାଲ କାଟିଦେଉଛି ।”

 

ଏହା କହି ହିରଣ୍ୟକ ଜାଲ କାଟି ଚିତ୍ରାଙ୍ଗକୁ ମୁକ୍ତ କଲା । ଏହି ସମୟରେ ମନ୍ଦିରକୁ ଆସି ପହଞ୍ଚିଲା । ସେ କହିଲା, ମୁଁ ତୁମ୍ଭମାନଙ୍କର ବିଳମ୍ବ ଦେଖି ଆଉ ସମ୍ଭାଳିପାରିଲି ନାହିଁ, ଚାଲି ଆସିଲି । । ଚିତ୍ରାଙ୍ଗ ମନ୍ଥରକକୁ କହିଲା, ବନ୍ଧୁ, ତୁମ୍ଭମାନଙ୍କ ପାଇଁ ମୁଁ ମୃତ୍ୟୁମୁଖରୁ ବଞ୍ଚିଗଲି । ଦିନସାରା ଜାଲରେ ପଡ଼ିରହିଁ କେବଳ ତୁମରିମାନଙ୍କ କଥା ଭାବୁଥିଲି । କିନ୍ତୁ ତୁମେ ଏଠାକୁ ଆସି ଭଲ କଲନି । ଯଦି ବ୍ୟାଧ ଆସିଯିବ, ତୁମେ ତ’ ଦୌଡ଼ିପାରିବ ନାହିଁ ।

 

ହିରଣ୍ୟକ କହିଲା, “ଆଉ ଡେରି କରି ଲାଭ ନାହିଁ । ଚାଲ, ଶୀଘ୍ର ଘରକୁ ଯିବା । ବନ୍ଧୁ ଲଘୁପତନକ, ତୁମେ ଟିକିଏ ଉଡ଼ି ଦେଖ ତ କିଛି ବିପଦର ଆଶଙ୍କା ଅଛି କି ନା ।”

 

ହିରଣ୍ୟକ କଥା ଶୁଣି ଲଘୁପତକ ଗୋଟିଏ ଉଚ୍ଚ ଡାଳରେ ବସି ଚାରିଆଡ଼କୁ ଅନାଇ ହଠାତ୍ ପାଟିକଲା, ପଳାଅ, ପଳାଅ, ବ୍ୟାଧି ଆସୁଛି ।

 

ବିପଦକଥା ଶୁଣି ହିରଣ୍ୟକ ଗୋଟିଏ ଗାତରେ ପଶିଗଲା । ଚିତ୍ରାଙ୍ଗ ମାରିଲା ଡିଆଁ । ବିଚରା ମନ୍ଥରକ ନାମକ କଇଁଛଟି ନିରୁପାୟ ହୋଇ ସେହିଠାରେ ପଡ଼ିରହିଲା । କାରଣ ପଳାଇବାକୁ ଚେଷ୍ଟା କଲେ ଯେ ତା’ର ବିପଦ ବେଶି । । ହରିଣ ପଳାଇବାର ଦେଖି ବ୍ୟାଧ ଦୌଡ଼ିଆସିଲା । କିନ୍ତୁ ହରିଣକୁ ଧରିପାରିଲା ନାହିଁ ! ହଠାତ୍ ତା’ର ନଜର ପଡ଼ିଲା ମନ୍ଥରକ ଉପରେ । ସେ ମନକୁ ମନ କହିଲା, ଯା ହେଉ, ହରିଣ ବଦଳରେ କଇଁଛଟାଏ ମିଳିଲା ତ !” ‘କଇଁଛଟାକୁ ବାନ୍ଧି ବ୍ୟାଧି ଚାଲିଲା । ଗଛ ଉପରେ ବସି ଲଘୁପତନିକ ସବୁ ଲକ୍ଷ୍ୟ କରୁଥିଲା । ସେ ଭାବିଲା, ଏବେ କ’ଣ କରାଯିବ ? ମନ୍ଥରକକୁ କିପରି ବଞ୍ଚାଇବି ? ଏହି ସମୟରେ ଚିତ୍ରାଙ୍ଗ ଓ ହିରଣ୍ୟକ ଫେରିଆସି ପଚାରିଲେ, ମନ୍ଥରକ କାହିଁ ? ତାକୁ ତ ଦେଖୁନାହୁଁ

 

‘ବ୍ୟାଧ ତାକୁ ନେଇଯାଇଛି,’ ଲଘୁପତନକ କହିଲା ।

 

ଚିତ୍ରାଙ୍ଗ ଓ ହିରଣ୍ୟକ କାନ୍ଦିପକାଇଲେ । ଲଘୁପତନକ କହିଲା, “ଏବେ କାନ୍ଦିଲେ ଚଳିବ ନାହିଁ । ଗୋଟାଏ ଉପାୟ କରିବାକୁ ହେବ । ତୁମେମାନେ ରାଜି ହେଲେ ମୁଁ ଗୋଟିଏ ଉପାୟ ବତାଇବି ।” ।

 

ଲଘୁପତନକର ପରାମର୍ଶ ଅନୁସାରେ ଚିତ୍ରାଙ୍ଗ ବ୍ୟାଧର ଫେରିବା ରାସ୍ତାରେ ନିଃଶ୍ୱାସ ବନ୍ଦ କରି ପେଟ ପୁଲାଇ ମଲାପରି ପଡ଼ିରହିଲା । ଲଘୁପତନକ ତା ଉପରେ ବସିରହି ତାକୁ ଖୁମ୍ପିବାକୁ ଲାଗିଲା, ସତେ ଯେପରି ମଲା ହରିଣଟାଏ ପଡ଼ିଛି ।

 

କଇଁଛଟାକୁ ନେଇ ଯାଉ ଯାଉ ବ୍ୟାଧ ଦେଖିଲା–ହରିଣଟାଏ ମରି ପଡ଼ିଛି । ଭାବିଲା, ଏଇଟା ନିଶ୍ଚୟ ସେହି ହରିଣ । ଜାଲ ଛିଣ୍ଡାଇ ପକାଇଲାବେଳେ ଏଠାରେ ମରି ପଡ଼ିଛି । ବ୍ୟାଧ ଖୁସି ହେଲା । ଭାବିଲା, ଭଲ ହେଲା, କଇଁଛଟାଏ ପାଇଥିଲି, ଏବେ ପୁଣି ହରିଣଟାଏ ପାଇଲି । ଆନନ୍ଦରେ ଉତ୍‌ଫୁଲ୍ଲ ହୋଇ କଇଁଛଟାକୁ ମାଟି ଉପରେ ଥୋଇ ହରିଣଟାକୁ ଆଣିବାକୁ ଗଲା ।

Image

‘‘ଏଣେ ବ୍ୟାଧର ପଛେ ପଛେ ହିରଣ୍ୟକ ଆସୁଥିଲା । ଯେମିତି ବ୍ୟାଧ କଇଁଛକୁ ଛାଡ଼ିଯାଇଛି, ହିରଣ୍ୟକ ମନ୍ଥରକର ବନ୍ଧନ କାଟିଦେଲା ! ହିରଣ୍ୟକ କହିଲା, ‘‘ବନ୍ଧୁ ମନ୍ଥରକ, ତୁମେ ଏଇ ପାଖ ଗଡ଼ିଆ ଭିତରେ ଲୁଚିଯାଅ । ବ୍ୟାଧ ଚାଲିଗଲେ ଆମେ ତୁମକୁ ଡାକିଦେବୁ’’ ।

 

ଭୟରେ ମନ୍ଥରକର ହାତପାଦ ଥରୁଥାଏ । ତେବେ ବି ମନ୍ଥରକ ପ୍ରାଣବିକଳରେ ଦୌଡ଼ି ଦୌଡ଼ି ପାଖ ଗଡ଼ିଆରେ ଲୁଚିଗଲା । ନିକଟରେ ହିରଣ୍ୟକ ଛପି ରହିଲା ।

 

ଏଣେ ବ୍ୟାଧ ଚିତ୍ରାଙ୍ଗର ପାଖାପାଖୁ ହେଲାବେଳକୁ ଲଘୁପତକ କହିଲା, ‘ବନ୍ଧୁ ହିରଣ୍ୟକ ମନ୍ଥରକର ବନ୍ଧନ କାଟିଦେଇଛି । ସେ ଯାଇ ପାଖ ପଡ଼ିଆରେ ଲୁଚି ରହିଛି । ବ୍ୟାଧି ଏବେ ତୁମ ଆଡ଼କୁ ଆସୁଛି । ଆଉ ଡେରି କର ନାହିଁ । କା-କା-କା ?

 

କୁଆ ଉଡ଼ିଗଲା । ହରିଣ ଉଠି ଚାରିଦିଗକୁ ଟିକିଏ ଚାହିଁ ମାରିଲା ଡିଆଁ । ବ୍ୟାଧ ଏ ଦୃଶ୍ୟ ଦେଖି ହତାଶ ହୋଇ ଚାହିଁରହିଲା ! ସେ ନିଜ ମନକୁ ମନ କହିଲା, “ଆଜିକାଲି ହରିଣମାନେ ଏପରି ଚାଲାକ ଯେ, ସେମାନଙ୍କୁ ଧରିବା କଷ୍ଟ । ଯାହାହେଉ, ଆଜି କଇଁଛଟାକୁ ଖାଇ ଚଳିଯିବାକୁ ହେବ ।

 

କିନ୍ତୁ ସେଦିନ ଯେ ବ୍ୟାଧର କପାଳ ଫଟା । ସେ ଆସି ଦେଖିଲାବେଳକୁ କେବଳ ଜାଲଟା ପଡ଼ିଛି, କଇଁଛ ନାହିଁ । ହତାଶ ହୋଇ ବ୍ୟାଧ ଘରକୁ ଫେରିଗଲା ।

 

ଲଘୁପତନକର ସଂକେତ ପାଇ ଚାରିବନ୍ଧୁ ଏକାଠି ହେଲେ । ହିରଣ୍ୟକ କହିଲା, ବୋକା ବ୍ୟାଧକୁ ଆମେ ବେଶ୍ ଠକିଲେ ।

 

ଚିତ୍ରାଙ୍ଗ କହିଲା, “ଆମର ବନ୍ଧୁ ଲଘୁପତନକଙ୍କର ବୁଦ୍ଧି ଓ କୌଶଳ ପାଇଁ ଆମେ ବଞ୍ଚିଗଲେ । ସେଥିପାଇଁ ତାଙ୍କୁ ଧନ୍ୟବାଦ ।

 

ଲଘୁପତନିକ କହିଲା, “ଧନ୍ୟବାଦ ମୋର ଏକୁଟିଆ ପ୍ରାପ୍ୟ ନୁହେଁ । ଧନ୍ୟବାଦ ଆମର ବନ୍ଧୁତାକୁ, ଧନ୍ୟବାଦ ଆମର ଏକତାକୁ, ଧନ୍ୟବାଦ ଆମର ସବୁ ବନ୍ଧୁଙ୍କୁ । । ଚାରିବନ୍ଧୁ ମନ ଆନନ୍ଦରେ ଏକତ୍ର ବାସ କଲେ ।

Image

 

ପଞ୍ଚତନ୍ତ୍ର ଗଳ୍ପମାଳା

ତୃତୀୟ ତନ୍ତ୍ର : କାକୋଲୂକୀୟ

ମହାରାଜା ମେଘବର୍ଣ୍ଣ କଥା

 

Image

ସ୍ୱଭାବତଃ କୁଆ ଓ ପେଚା ପରସ୍ପରର ଶତ୍ରୁ । ସେମାନେ ଦୁଇଆଖିରେ ପରସ୍ପରକୁ ଦେଖିପାରନ୍ତି ନାହିଁ । ପରସ୍ପର ଦେଖା ହେଲାମାତ୍ରେ କଳି ଓ ମରାମରି । ବେଳେବେଳେ ସେମାନଙ୍କ ମଧ୍ୟରୁ କେତେକ ଖଣ୍ଡିଆଖାବରା ବି ହୁଅନ୍ତି ।

 

ନଈଟିଏ ବହିଯାଉଥାଏ । ନଈର ଗୋଟିଏ ପଟେ କଙ୍କଡ଼ାଗୁଡ଼ିଏ ଗାତକରି ରହିଥାନ୍ତି । ଅପର ପାର୍ଶ୍ଵ ଗଛଗୁଡ଼ିକରେ କୁଆମାନେ ବସ କରିଥାନ୍ତି । ସେମାନଙ୍କର ବସା ଗୋଟିଏ ଦୁର୍ଗ ପରି-। ସେମାନଙ୍କର ରାଜା ମେଘବର ଆଦେଶରେ ପ୍ରହରୀମାନେ ଦୁର୍ଗ ଦୁଆରେ ପହରା ଦେଉଥାନ୍ତି । ଏଣେ ନଈପାଖ ପାହାଡ଼ର ଗାତମାନଙ୍କରେ ଅସଂଖ୍ୟ ପେଚା ରହୁଥାନ୍ତି । ଦିନବେଳା ପେଚାମାନଙ୍କୁ ଦେଖାଯାଏ ନାହିଁ, ତେଣୁ ସେମାନେ ଗାତରୁ ବାହାରନ୍ତି ନାହିଁ । ସେମାନେ ରାତିରେ ଦଳବଳ ଧରି ବାହାରକୁ ବାହାରି ଖାଦ୍ୟ ଖୋଜି ବୁଲନ୍ତି । ସୁବିଧା ଦେଖି କୁଆଛୁଆମାନଙ୍କୁ ଚୋରି କରି ଖାଇଯାଆନ୍ତି ।

 

ଶତ୍ରୁତା କରିବାରେ କୁଆମାନେ ମଧ୍ୟ କମ୍ ନୁହଁନ୍ତି । ଦିନବେଳା କୁଆମାନେ ପାହାଡ଼ ଉପରକୁ ଯାଇ ଖୋଜି ଖୋଜି ପେଚାଛୁଆମାନଙ୍କୁ ଧରିଆଣି ଖାଇଦିଅନ୍ତି । ଏତେ କରି ମଧ୍ୟ ସେମାନେ ପେଚାମାନଙ୍କ ସାଙ୍ଗରେ ତାଳ ଦେଇପାରନ୍ତି ନାହିଁ । କାରଣ, ପେଚାମାନଙ୍କର ରାଜା ଅରିମର ଦୁର୍ଗ ଏପରି କୌଶଳରେ ତିଆରି ଯେ, କୁଆମାନେ ତା ଭିତରେ ପଶିପାରନ୍ତି ନାହିଁ । ଦିନେ କୁଆମାନେ ଆସି ରାଜା ମେଘଦଙ୍କ ନିକଟରେ ଅଭିଯୋଗ କଲେ–“ମହାରାଜ, ପେଚା ମାନଙ୍କ ଦାଉରୁ ଆମକୁ ବଞ୍ଚାନ୍ତୁ । ପ୍ରତିଦିନ ରାତିରେ ସେମାନେ ଆସି ଆମର ଛୁଆମାନଙ୍କୁ ଚୋରି କରୁଛନ୍ତି । । ମହାରାଜ ମେଘବର୍ଣ୍ଣ ପ୍ରଜାମାନଙ୍କର ଅଭିଯୋଗ ଶୁଣି ତାଙ୍କର ପାଞ୍ଚଜଣିଆ ମନ୍ତ୍ରି ପରିଷଦର ଗୋପନ ବୈଠକ ଡାକି ପରାମର୍ଶ କଲେ । ମହାରାଜା ମନ୍ତ୍ରିପରିଷଦକୁ ସମ୍ବୋଧନ କରି କହିଲେ, “ମନ୍ତ୍ରିଗଣ, ଆପଣମାନଙ୍କ ପରାମର୍ଶ ଅନୁସାରେ ମୁଁ ସଦାସର୍ବଦା ପରିଚାଳିତ । ବର୍ତ୍ତମାନ ପରିସ୍ଥିତିରେ ଏଇ ଦୁଷ୍ଟ ପେଚାମାନଙ୍କ କବଳରୁ ପ୍ରଜାମାନଙ୍କୁ କିପରି ରକ୍ଷା କରିବାକୁ ହେବ, ସେହି ବିଷୟରେ ଆପଣମାନଙ୍କର ସୁଚିନ୍ତିତ ପରାମର୍ଶ ପ୍ରଦାନ କରନ୍ତୁ ।”

 

ପ୍ରଥମ ମନ୍ତ୍ରୀ କହିଲେ, “ମହାରାଜ, ପେଚାମାନେ ଆମଠାରୁ ବଳବାନ୍ । ଅତଏବ ସେମାନଙ୍କ ସାଙ୍ଗରେ ସନ୍ଧି କରିବା ଉଚିତ ।

 

ଦ୍ୱିତୀୟ ମନ୍ତ୍ରୀ କହିଲେ, “ମହାରାଜ, ଶତ୍ରୁକୁ ବଳବାନ୍ ମନେକରିବା ଦୁର୍ବଳତାର ଲକ୍ଷଣ-। ଆମ୍ଭେମାନେ ପେଚାଙ୍କ ସହ ଯୁଦ୍ଧ କରିବା । ବୀରମାନେ ହିଁ ଏହି ପୃଥିବୀକୁ ଭୋଗ କରିବାକୁ ଯୋଗ୍ୟ ।”

 

ତୃତୀୟ ମନ୍ତ୍ରୀ କହିଲେ, “ଶତୃମାନେ ପ୍ରବଳ । ଚାଲନ୍ତୁ, ଆମ୍ଭେମାନେ କିଛିଦିନ ପାଇଁ ଏଠାରୁ ପଳାଇବା । ପାଣ୍ଡବମାନଙ୍କ ପରି ଶକ୍ତିବୃଦ୍ଧି କରି ଫେରି ଆସି ପେଚାମାନଙ୍କୁ ଏଠାରୁ ତଡ଼ିଦେବା ।”

 

ଚତୁର୍ଥ ମନ୍ତ୍ରୀ କହିଲେ, “ମହାରାଜ, ଯୁଦ୍ଧ କରିବାର ଆବଶ୍ୟକତା ନାହିଁ । ପଳାୟନ କରିବା ପ୍ରସ୍ତାବ ପସନ୍ଦ ହେଉନାହିଁ । ମୋର ମତରେ ଦୁର୍ଗଟାକୁ ମରାମତି କରି ଆହୁରି ମଜବୁତ କରିଦେବା । ପ୍ରହରୀମାନଙ୍କ ସଂଖ୍ୟା ବଢ଼ାଇଦେବା । ତା’ହେଲେ ଶତ୍ରୁର ଭୟ ରହିବ ନାହିଁ ।”

 

ପଞ୍ଚମ ମନ୍ତ୍ରୀ ବୃଦ୍ଧ । ସେ କହିଲେ–“ମହାରାଜ, ଯୁକ୍ତିଗୁଡ଼ିକ ମୋର ମନକୁ ପାଉନାହିଁ । ମୋର ମତରେ ଶତ୍ରୁକୁ ନିପାତ କରିବାକୁ ହେବ । ଯାହାକୁ ଶକ୍ତିରେ ପାରିହେବ ନାହିଁ, ତାକୁ କୌଶଳରେ ଧ୍ୱଂସ କରିବାକୁ ହେବ । ଏହାକୁ କହନ୍ତି ରାଜନୀତି । ତା’ ଛଡ଼ା ପେଚାମାନଙ୍କ ସହ ଶତ୍ରୁତା ଆଜିର ନୁହେଁ, ବହୁଦିନର । ସମସ୍ତ ପରାମର୍ଶ ଶୁଣି ରାଜା ମେଘବର୍ଣ୍ଣ ବୃଦ୍ଧ ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀ ମହାଶୟ, ଯଦି ଆପଣ କୁଆ ଓ ପେଚାଙ୍କ ମଧ୍ୟରେ ଶତ୍ରୁତାର କାରଣ ଜାଣନ୍ତି, ତେବେ କୁହନ୍ତୁ । ଶୁଣିବାକୁ ବଡ଼ ଆଗ୍ରହ ହେଉଛି” । ତା ପରେ ବୃଦ୍ଧମନ୍ତ୍ରୀ “ପେଚକ ରାଜା’ ଗଳ୍ପ ମହାରାଜା ମେଘବର୍ଣ୍ଣଙ୍କୁ କହିଲେ ।

Image

 

ପେଚକ ରାଜା

 

Image

ସେ ଅନେକ ଦିନ ତଳର କଥା । ଦିନେ ସୁବ ପକ୍ଷୀମାନେ ଏକାଠି ମିଳିତ ହୋଇ କହିଲେ–‘‘ଦେଖ ଆମ୍ଭମାନଙ୍କର ରାଜା ନାହାଁନ୍ତି । ଶୁଣାଯାଏ ଗରୁଡ଼ ଆମ୍ଭମାନଙ୍କର ରାଜା ଥିଲେ । ତାଙ୍କୁ କେହି ଆଖିରେ ଦେଖି ନାହିଁ । ତାଛଡ଼ା, ଆମର ଆବଶ୍ୟକତା ସମୟରେ ତାଙ୍କଠାରୁ କିଛି ସାହାର୍ଯ୍ୟ ମିଳେ ନାହିଁ । ଅତଏବେ ଆମେ ଆମ ଭିତରୁ ଜଣକ ରାଜା କରିବା ।’’

 

ସଭାରେ ଘମାଘୋଟ ଆଲୋଚନା ଚାଲିଲା । କିଏ ରାଜା ହେବ ? କାହାକୁ ରାଜା କରାଯିବ ? ରାଜା ଯିଏ ହେବ, ତାର କି କି ଗୁଣ ଥିବ ଇତ୍ୟାଦି ବିଷୟରେ ନାନା ଆଲୋଚନା ଓ ଯୁକ୍ତିତର୍କ ଚାଲିଲା । ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସ୍ଥିର ହେଲା, ସବୁଠାରୁ ଜ୍ଞାନୀ, ସଦାସର୍ବଦା ଗମ୍ଭୀର ତଥା ବୁଦ୍ଧିମାନ୍ ପେଚାକୁ ହିଁ ରାଜା କରାଯିବ।

 

ରାଜା ହେବା କଥା ଶୁଣି ପେଚା-ପେଚୀ ଆନନ୍ଦରେ ଗଦ୍‌ଗଦ ହୋଇ ସିଂହାସନରେ ବସି ପଡ଼ିଲେ । ରାଜା ରାଣୀଙ୍କର ଅଭିଷେକ ପାଇଁ ବ୍ୟାପକ ଆୟୋଜନ ଚାଲିଲା ।

 

ଏଇ ସମୟରେ କୁଆଟିଏ କୁଆଡୁ ଉଡ଼ି ଉଡ଼ି ଆସି ସେଠାରେ ପହଞ୍ଚି ପଚାରିଲା, “ଏଠାରେ ଏତେ ଆନନ୍ଦ ଓ କୋଳାହଳର କାରଣ କ’ଣ ?”

 

ଗହଳି ଭିତରୁ ସାରସପକ୍ଷୀ ବାହାରି କହିଲା, “କୁଆଭାଇ, ତୁମେ ଜାଣି ନାହିଁ କି, ଆଜିପରା ଆମର ନୂଆ ରାଜାରାଣୀ ପେଚା-ପେଚୀଙ୍କର ଅଭିଷେକ ।”

 

କୁଆ ଏ କଥା ଶୁଣି ଥଟ୍ଟା କରି କହିଲା, “ଆହା ଆହା, ପେଚାର କି ରାଜକୀୟ ଚେହେରା, କି ରାଜକୀୟ ଠାଣି ! ମୁହଁଟା କି ସୁନ୍ଦର ଦେଲେ ଯେ କେହି ହସିବ । ନାକ ଯେମିତି, ଆଖି ବି ସେମିତି । ପୁଣି ଦିନକଣା । ଦିନକଣାକୁ ରାଜା କରି କି ଲାଭ ? ଆମର ମହାମାନ୍ୟ ଗରୁଡ଼ଙ୍କ ପରି ରାଜା ଥାଉ ଥାଉ ପୁଣି ଅନ୍ୟ କାହାକୁ ରାଜା କରିବା କ’ଣ ଦରକାର ?

 

ପକ୍ଷୀମାନେ କହିଲେ, ତୁମର ଗରୁଡ଼ ରାଜାଙ୍କୁ ଆମେ ଦରକାର ସମୟରେ ପାଉନାହୁଁ । ତେଣୁ ଅନ୍ୟ ରାଜ୍ୟ ଆମେ ଠିକ୍ କରୁଛୁ ।"

 

କୁଆ କହିଲା–“ଭାଇମାନେ ଦେଖ, ରାଜା ଏପରି ଲୋକକୁ କରାଯାଏ, ଯାହାର ନାଁ ଶୁଣିଲେ ତୁ ବି ଭୟରେ କମ୍ପିଉଠିବ । ତା ଛଡ଼ା, ଆମେ ଅମୁକ ରାଜାଙ୍କର ପ୍ରଜା ବୋଲି କହିଲେ ବହୁ ବିପଦରୁ ରକ୍ଷା ମିଳେ । ଥରେ ଠେକୁଆମାନେ । ଏହିପରି ରକ୍ଷା ପାଇଥିଲେ ।

 

ପକ୍ଷୀମାନେ ପଚାରିଲେ, “କୁଆ ଭାଇ, ଠେକୁଆମାନେ କିପରି ରକ୍ଷା ପାଇଥିଲେ ? ତା ପରେ କୁଆ “ବୋକା ହାତୀ ଗଳ୍ପଟି ପକ୍ଷୀମାନଙ୍କୁ ଶୁଣାଇଲା ।

Image

 

ବୋକା ହାତୀ

 

Image

ଚତୁର୍ଦ୍ଦନ୍ତ ନାମରେ ହାତୀଟିଏ ଥିଲା । ସେ ଥିଲା ଗୋଟିଏ ହାତୀଦଳର ଦଳପତି । ସେହି ଦଳରେ ଅନେକଗୁଡ଼ିଏ ହାତୀ ଥିଲେ । ଚତୁର୍ଦ୍ଦନ୍ତ ତାର ଦଳବଳ ଧରି ଗୋଟିଏ ବଣରେ ରହୁଥିଲା । ବର୍ଷେ ଅନାବୃଷ୍ଟି ହେଲା । ହାତୀଦଳ ରହୁଥିବା ବଣରେ ଥିବା ଛୋଟ ହ୍ରଦଟି ଏବଂ ବଣର ସମସ୍ତ ପୋଖରୀଗୁଡ଼ିକ ଖୁଖିଗଲା । ପାଣି ବିନା ହାତୀମାନେ ଛଟପଟ ହେଲେ।

 

ହାତୀମାନଙ୍କର ଦଳପତି ଚତୁର୍ଦ୍ଦନ୍ତ ଜଳକଷ୍ଟ ବିଷୟରେ ବହୁ ଚିନ୍ତା କଲା । ଅନ୍ୟ କିଛି ଉପାୟ ନ ଦେଖି ଚତୁର୍ଦ୍ଦନ୍ତ ତାର ଦଳର ସମସ୍ତ ହାତୀମାନଙ୍କୁ ଧରି ଅନ୍ୟ ଏକ ବଣର ସନ୍ଧାନରେ ବାହାରିପଡ଼ିଲା । ସେମାନେ ଯାଉ ଯାଉ ବାଟରେ ଗୋଟିଏ ପାହାଡ଼ ଧାରରେ ପାଣି ଭରିଥିବା ଏକ ହ୍ରଦ ଦେଖିବାକୁ ପାଇଲେ । ହ୍ରଦର ପାଣି ଥିଲା ବେଶ୍ ସ୍ୱଚ୍ଛ ଓ ମଧୁର । ପାଣି ଦେଖି ହାତୀଦଳ ହ୍ରଦ ଭିତରେ ପଶି ମନଭରି ଗାଧୋଇଲେ ଏବଂ ପରସ୍ପର ଉପରକୁ ପାଣି ଫୋପଡ଼ା ଫୋପଡ଼ି । ହେଲେ । ପାଣି ଭିତରେ ହାତୀମାନେ ନାନା ରକମ ଖେଳ ଖେଳିଲେ । ଆନନ୍ଦରେ ହାତୀମାନେ ଦଳପତି ଚତୁର୍ଦ୍ଦନ୍ତକୁ କହିଲେ, “ଆମ୍ଭେମାନେ ଏଇଠାରେ ହିଁ ରହିବୁ । ଏହି ହ୍ରଦରେ ପ୍ରଚୁର ପାଣି ଅଛି ଏବଂ ହ୍ରଦ ଚାରିପଟେ ଡାଳପତ୍ର ପୂର୍ଣ୍ଣ ବହୁତ ଗଛ ଅଛି ଖାଇବା ପାଇଁ । ଏପରି ଏକ ସ୍ଥାନ ମିଳିବା ଅସମ୍ଭବ ।”

 

ସେହିଦିନଠାରୁ ଦଳପତି ଚତୁର୍ଦ୍ଦନ୍ତ ତାର ହାତୀଦଳ ସହ ସେହିଠାରେ ରହିଲା । ଏଣେ ସେହି ହ୍ରଦର କୂଳେ କୂଳେ ଗାତମାନଙ୍କରେ ହଜାର ହଜାର ଠେକୁଆ ରହୁଥାନ୍ତି । ସେମାନେ ଚଉଦପୁରୁଷ ଧରି ସେଠାରେ ରହୁଥାନ୍ତି । ଏବେ ହାତୀଦଳ ସେଠାରେ ଆସି ରହିବାରୁ ହାତୀମାନଙ୍କର ପାଦତଳେ ଚାପିହୋଇ ଅସଂଖ୍ୟ ଠେକୁଆ ମରିବାକୁ ଲାଗିଲେ । ଠେକୁଆମାନଙ୍କ ମନରେ ଚିନ୍ତା ପଶିଲା, ଏପରି ହେଲେ ତ ଆଉ କେତେଦିନ ଭିତରେ ସେମାନଙ୍କର ବଂଶ ଲୋପ ପାଇବ ।

 

ଏହି ସମସ୍ୟାର ସମାଧାନ ପାଇଁ ଦିନେ ରାତିରେ ଠେକୁଆମାନଙ୍କର ଏକ ଜରୁରୀ ସଭା ହେଲା । ହାତୀମାନଙ୍କର ଆକ୍ରମଣରୁ କିପରି ବଞ୍ଚିବାକୁ ହେବ, ଏପରି ଅବସ୍ଥାର କିପରି ମୁକାବିଲା କରିବାକୁ ହେବ, ସେହି ସମସ୍ତ ବିଷୟରେ ଘମାଘୋଟ ଆଲୋଚନା ହେଲା । ସଭାରେ ବହୁ ତର୍କ-ବିତର୍କ ହେଲା ସତ, କିନ୍ତୁ କିଛି ଫଳ ହେଲା ନାହିଁ । ସଭାରେ କେତେକ ଠେକୁଆ ପରାମର୍ଶ ଦେଲେ ସ୍ଥାନଟି ଛାଡ଼ି ଚାଲିଯିବା ପାଇଁ, କିନ୍ତୁ ଅଧିକ ସଂଖ୍ୟକ ଠେକୁଆ ଏପରି ପ୍ରସ୍ତାବରେ ରାଜି ହେଲେ ନାହିଁ ! ହାତୀମାନଙ୍କୁ ତଡ଼ିଦେବା ପାଇଁ କୌଣସି ଉପାୟ ସ୍ଥିର କରିବା ନିମନ୍ତେ ବହୁ ଠେକୁଆଁ ସଭାରେ ଦାବି କଲେ ।

 

ସଭାର ସଭାପତି କହିଲେ, "ବନ୍ଧୁଗଣ, ଆମେ ସମସ୍ୟା ବିଷୟରେ ବହୁ ଆଲୋଚନା କଲେ । ଆପଣମାନେ ମଧ୍ୟ ବହୁ ମୂଲ୍ୟବାନ ପ୍ରସ୍ତାବମାନ ଦେଲେ । ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଏବେ ଆପଣମାନଙ୍କ ସାମନାରେ ମୁଁ ଗୋଟିଏ ପ୍ରସ୍ତାବ ରଖୁଛି । ଜଣେ କେହି ସାହସୀ ଆଗଭର ହୋଇ ବାହାରିଲେ ।

 

ହାତୀମାନଙ୍କର ଦଳପତି ପାଖକୁ ଦୂତ ରୂପେ ଯିବାକୁ ରାଜି ହେଲେ ଗୋଟିଏ ଉପାୟ ମୁଁ ବତାଇଦେବି ।”

 

କିନ୍ତୁ ସଭାପତିଙ୍କର ଆହ୍ୱାନ ପରେ ସଭାରେ ଉପସ୍ଥିତ ସମସ୍ତ ଠେକୁଆ ପରସ୍ପର ମୁହଁକୁ ଅନାଇ ନୀରବରେ ମୁଣ୍ଡପୋତି ବସିରହିଲେ । କାହାର ମୁହଁରୁ କଥା ବାହାରିଲା ନାହିଁ ।

 

ଶେଷରେ ଧୋବ ଫରଫର ଲମ୍ବାକାନ-ବିଶିଷ୍ଟ ଲମ୍ବକର୍ଣ୍ଣ ନାମକ ଗୋଟିଏ ଠେକୁଆ ସଭାରେ ଠିଆହୋଇ କହିଲା, “ମାନନୀୟ ସଭାପତି ମହୋଦୟ, ମୋର ସମ୍ମାନୀୟ ଗୁରୁଜନବୃନ୍ଦ ଏବଂ ମୋର ପ୍ରିୟ ବନ୍ଧୁଗଣ । ଜାତିପାଇଁ ଯେତେ ଭୟଙ୍କର କାର୍ଯ୍ୟ ହେଲେ ବି ମୁଁ କରିବାକୁ ପ୍ରସ୍ତୁତ-। ଶାସ୍ତ୍ରରେ ଅଛି–କୁଳରକ୍ଷା ପାଇଁ କୁଳର କୌଣସି ବ୍ୟକ୍ତିକୁ, ଗ୍ରାମର ରକ୍ଷାପାଇଁ କୁଳକୁ, ଦେଶରକ୍ଷା ପାଇଁ ଗ୍ରାମକୁ ଏବଂ ଆତ୍ମରକ୍ଷା ପାଇଁ ଆବଶ୍ୟକ ପଡ଼ିଲେ ପୃଥିବୀକୁ ତ୍ୟାଗ କରିବା ଉଚିତ ।’’

 

ସଭାପତିଙ୍କ ପରାମର୍ଶକ୍ରମେ ଲମ୍ବକର୍ଣ୍ଣ ନାମକ ଠେକୁଆ ହାତୀଦଳର ଦଳପତି ଚତୁର୍ଦ୍ଦନ୍ତକୁ ସାକ୍ଷାତ୍ କରି କହିଲା, “ହେ ହାତୀସର୍ଦ୍ଦାର, ମୁଁ ଚନ୍ଦ୍ରଦେବଙ୍କ ଠେକୁଆ ! ମୋର ନାମ ଲମ୍ବକର୍ଣ୍ଣ । ଆମର ପ୍ରଭୁ ଚନ୍ଦ୍ରଦେବ ତୁମ ଉପରେ ଅତ୍ୟନ୍ତ କ୍ରୋଦ୍ଧ । ତେଣୁ ତୁମକୁ ସାବଧାନ କରିଦେବାକୁ ଆସିଛି ।

 

ହାତୀଦଳପତି ଚତୁର୍ଦ୍ଦନ୍ତ କହିଲା, “ଆମର ଅପରାଧ କ’ଣ କୁହତ ?

 

ଠେକୁଆମାନଙ୍କର ପ୍ରତିନିଧି ଲମ୍ବକର୍ଣ୍ଣ ନାମକ ଠେକୁଆ କହିଲା, “ଏହି ଅଞ୍ଚଳରେ ପ୍ରଭୁ ଚନ୍ଦ୍ରଦେବଙ୍କର ପ୍ରଜା ଠେକୁଆମାନଙ୍କର ବାସସ୍ଥାନ । ତୁମ୍ଭମାନଙ୍କର ପାଦତଳେ ଚାପିହୋଇ ଚନ୍ଦ୍ରଦେବଙ୍କର ବହୁ ପ୍ରଜା ମୃତ୍ୟୁବରଣ କଲେଣି । ତେଣୁ ପ୍ରଭୁ ଚନ୍ଦ୍ରଦେବ ଭୀଷଣ ରାଗିଛନ୍ତି । ତୁମ୍ଭମାନଙ୍କର ବଞ୍ଚିବାକୁ ଇଚ୍ଛା ଥିଲେ ତୁରନ୍ତ ଏହି ସ୍ଥାନ ଛାଡ଼ି ପଳାଇଯାଅ ।”

 

ହାତୀଦଳପତି ଚତୁର୍ଦ୍ଦନ୍ତ ପଚାରିଲା, “ହେ ଚନ୍ଦ୍ରଦେବଙ୍କ ଦୂତ, ଚନ୍ଦ୍ରଦେବ ଏବେ କେଉଁଠି, ତୁମେ କହିପାରିବ କି ? ମୁଁ ତାଙ୍କୁ ପ୍ରଣାମ ଜଣାଇବାକୁ ଯିବି ।”

 

ହାତୀଦଳପତି ଚତୁର୍ଦ୍ଦନ୍ତର ଏପରି ପ୍ରଶ୍ନ ଶୁଣି ଠେକୁଆମାନଙ୍କର ପ୍ରତିନିଧ୍ୟ ଓରଫ ଚନ୍ଦ୍ରଦେବଙ୍କର ଦୂତ ଲମ୍ବକର୍ଣ୍ଣ ଚିନ୍ତିତ ଓ ଇତସ୍ତତଃ ହେଲା । କିନ୍ତୁ ସଙ୍ଗେ ସଙ୍ଗେ ଉପସ୍ଥିତବୁଦ୍ଧି ପ୍ରୟୋଗ କରି ଲମ୍ବକର୍ଣ୍ଣ ଗମ୍ଭୀରଭାବରେ କହିଲା, “ତୁମକୁ ଉଚିତ ଦଣ୍ଡବିଧାନ କରିବାପାଇଁ ପ୍ରଭୁ ଚନ୍ଦ୍ରଦେବ ଏବେ ହ୍ରଦମଧ୍ୟରେ ବସିଛନ୍ତି । ଯଦି ବିଶ୍ୱାସ ନ ହେଉଛି, ତୁମେ ଯାଇ ନିଜ ଆଖିରେ ଦେଖିଆସ ।

 

ପୂର୍ଣ୍ଣିମା ରାତି । ମେଘମୁକ୍ତ ନିର୍ମଳ ଆକାଶରେ ପୂର୍ଣ୍ଣଚନ୍ଦ୍ର । ହ୍ରଦର ସ୍ଵଚ୍ଛ ଜଳରେ ଚନ୍ଦ୍ରଙ୍କର ପ୍ରତିବିମ୍ବ ପରିଷ୍କାର ଦେଖାଯାଉଥାଏ । ଲମ୍ବକର୍ଣ୍ଣ ନାମକ ଠେକୁଆ ହାତୀଦଳପତି ଚତୁର୍ଦ୍ଦନ୍ତକୁ ନେଇ ସେହି ପ୍ରତିବିମ୍ବକୁ ଦେଖାଇଲା । ହ୍ରଦଜଳର ଛୋଟ ଛୋଟ ଢେଉଦ୍ୱାରା ଚନ୍ଦ୍ରଙ୍କର ପ୍ରତିବିମ୍ବ ଢଳ ଢଳ ହେଉଥାଏ । ଲମ୍ବକର୍ଣ୍ଣ କହିଲା, “ଦେଖୁଛ, ତୁମକୁ ଦେଖି ପ୍ରଭୁ ରାଗରେ କମ୍ପୁଛନ୍ତି ।

ହାତୀଦଳପତି ଚତୁର୍ଦ୍ଦନ୍ତ ପ୍ରଣାମ ଜଣାଇ କହିଲା, ପ୍ରଭୁ ଚନ୍ଦ୍ରଦେବ, ଆମର ଅପରାଧ ଧରିବେ ନାହିଁ । ଶେଷରେ ଆଉଟୁ ପାଉଟୁ ହୋଇ ଜଳର ସନ୍ଧାନରେ ବାହାରି ଆମ୍ଭେମାନେ ଏଠାରେ ରହିଯାଇଛୁ । ଆମର ଅନ୍ୟାୟ ହୋଇଛି । ଆଜି ଆମ୍ଭେମାନେ ଚାଲିଯିବୁ । ପ୍ରଭୁ, ମୋର ପ୍ରଣାମ ଗ୍ରହଣ କରନ୍ତୁ । ଆମ୍ଭମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ । ତା ପରେ ଚତୁର୍ଦ୍ଦନ୍ତ ତା’ର ହାତୀଦଳକୁ ଧରି ସେହି ହ୍ରଦ ଛାଡ଼ି ଚାଲିଗଲା । ଠେକୁଆମାନେ ଆନନ୍ଦରେ ରହିଲେ । ଗଳ୍ପ ଶେଷକରି କୁଆ କହିଲା, “ସେଇଥିପାଇଁ କହୁଥିଲି, ଗରୁଡ଼ଙ୍କ ପରି । ରାଜା ଥାଉ ଥାଉ ଆମେ ଅନ୍ୟ ରାଜା ନିର୍ବାଚନ କରିବା ଉଚିତ ନୁହେଁ । ପେଚା ପରି ଏକ କ୍ଷୁଦ୍ର ପକ୍ଷୀକୁ ରାଜା କଲେ ବିଚାରକ ବିରାଡ଼ିର ଛଳନାରେ ଭୁଲି ଚଟକପକ୍ଷୀ ଏବଂ ଠେକୁଆର ଯେପରି ଦଶା ହୋଇଥିଲା, ସେହିପରି ଦଶା ହେବ ।’’

ପକ୍ଷୀମାନେ କହିଲେ, “କୁଆଭାଇ, ଆମ୍ଭେମାନେ ଏତେକଥା ଚିନ୍ତା ନ କରି ପେଚାକୁ ରାଜା କରିଥିଲୁ । ‘‘ବିଚାରକ ବିରାଡ଼ି’’ ଗଛଟା ଆମକୁ କୁହ ।

ତା ପରେ କୁଆ ‘‘ବିଚାରକ ବିରାଡ଼ି’’ ଗଳ୍ପଟି କହିଲା ।

Image

 

ବିଚାରକ ବିରାଡ଼ି

Image

କୁଆ କହିଲା, “ମୁଁ ଗୋଟିଏ ଗଛରେ ବସାଟିଏ ବାନ୍ଧି ରହୁଥିଲି । ସେହି ଗଛର ଗୋଟିଏ କୋରଡ଼ରେ ଚଟକ ଚଢ଼େଇଟିଏ ବସା ବାନ୍ଧି ରହୁଥିଲା । ମୋର ତା’ ସାଙ୍ଗରେ ଘନିଷ୍ଠ ବନ୍ଧୁତା ଥିଲା । ଦିନେ ଚଟକ ଚଢ଼େଇ ଖାଦ୍ୟ ଖୋଜିବାକୁ ଯାଇ ଫେରିଲା ସନ୍ଧ୍ୟାବେଳକୁ ।

 

ଏଇ ସମୟ ମଧ୍ୟରେ କୁଆଡୁ ଗୋଟିଏ ଠେକୁଆ ଆସି ଚଟକ ଚଢ଼େଇର କୋରଡ଼କୁ ଅଧିକାର କରିବସିଲା । ସନ୍ଧ୍ୟାବେଳକୁ ଚଟକ ଚଢ଼େଇ ଫେରିଆସି । କହିଲା, "ଠେକୁଆଭାଇ, ତୁମେ ବୋଧହୁଏ ଭୁଲରେ ମୋ’ ବସାରେ ରହିଛି । ଏହି କୋରଡ଼ରେ ମୁଁ ରହେ ।’’

 

ଚଟକ ଚଢ଼େଇକୁ କଟମଟ କରି ଅନାଇ ଠେକୁଆ କହିଲା, କ’ଣ କହିଲୁ ? ଏଇ କୋରଡ଼ରେ କ’ଣ ତୋର ନାଁ ଲେଖା ହୋଇଛି ? ଏଇ କୋରଡ଼ଟା ଯେ ତୋର, ଏକଥା ମୁଁ ସ୍ଵୀକାର କରିବି ନାହିଁ । ମୁଁ ଯେତେବେଳ ପର୍ଯ୍ୟନ୍ତ ଏଠି ଅଛି, ସେପର୍ଯ୍ୟନ୍ତ ଏଇ–କେରଡ଼ଟା ମୋର-

 

ଚଟକ ଚଢ଼େଇ କହିଲା, “ଆଛା ମୁସ୍‌କିଲ୍‌ରେ ପଡ଼ିଲି ! ଏଇ କୋରଡ଼ରେ ମୋର ନାମ ଲେଖା ନଥିଲେ ବି ଏଇଟା ଯେ ମୋର ବସା, ସେ ବିଷୟରେ ଅନେକ ସାକ୍ଷୀ ଅଛନ୍ତି । ଏଇ ଏଠାରେ କୁଆ ଭାଇ ଅଛି । ତାକୁ ପଚାର ।”

 

ଚଟକ ମୋତେ ଦେଖାଇଦେଲା । ମୁଁ ସତକଥା କହିଲି । ମୁଁ କହିଲି, “ଚଟକ ଚଢ଼େଇ ଏଇ ବସାରେ ଅନେକ ଦିନ ହେଲା ଅଛି । ମୁଁ ଏହା ଭଲଭାବରେ ଜାଣିଛି ।

 

ଠେକୁଆ ମୋତେ ଥଟ୍ଟାକରି କହିଲା, “ଓଃ, ଧର୍ମପୁତ୍ର ଆସିଗଲେ ସାକ୍ଷୀ ହେବାକୁ । ମୁଁ ତୁମର ସାକ୍ଷ୍ୟ ମାନିବି ନାହିଁ । ସକାଳୁ ମୁଁ ଏଇ ବସାରେ ଅଛି, ତେଣୁ ଏଇ ବସାଟା ମୋର ।

 

ଚଟକ କହିଲା, “ହଉ ହେଲା । କୁଆର ସାକ୍ଷ୍ୟକୁ ଯଦି ମାନିବ ନାହିଁ, ତେବେ କୌଣସି ବିଚାରକଙ୍କ ପାଖକୁ ଚାଲ ।”

 

ଠେକୁଆ ପ୍ରସ୍ତାବରେ ରାଜି ହୋଇ କହିଲା, ‘ଠିକ୍ ଅଛି, ଚାଲ ଯିବା । ଚଟକ ବଢ଼େଇ ଓ ଠେକୁଆ ବିଚାରକ ଖୋଜିବାକୁ ବାହାରିପଡ଼ିଲେ ।

 

କିଛି ଦୂର ଯାଉ ନ ଯାଉଣୁ ସେମାନେ ଜଣେ ତପସ୍ୱୀକୁ ଦେଖିଲେ । ସେହି ତପସ୍ଵୀ ଅନ୍ୟ କେହି ନୁହନ୍ତି, ଗୋଟିଏ ବୁଢ଼ା ବଣୁଆ ବିରାଡ଼ି । ପ୍ରାଣୀ ହତ୍ୟା ଛାଡ଼ି ଏବେ ଜପତପ ଏବଂ ଧର୍ମ କର୍ମ କରି ରହୁଥାଏ ।

 

ଠେକୁଆ କହିଲା, “ହେଇ ଇଏତ ଜଣେ ସତ୍‌ବ୍ୟକ୍ତି, ଦେହରେ ନାମାବଳୀ, ବେକରେ ମାଳା ପକାଇ ଜପତପ କରୁଛନ୍ତି । ଆମେ ତାଙ୍କୁ ବିଚାରର ଭାର ଦେବା ।”

 

ଚଟକ ପ୍ରସ୍ତାବରେ ରାଜି ହେବାରୁ ଠେକୁଆ ବଡ଼ପାଟିରେ କହିଲା, "ହେ ମୁନିବର, ହେ ତପସ୍ୱୀ, ଆପଣ ବିଚାର କରି କୁହନ୍ତୁ–ଆମ ଦୁହିଁଙ୍କ ମଧ୍ୟରୁ କିଏ ବସାଟାର ଅଧିକାରୀ ?

 

ଚଟକ ଚଢ଼େଇ କହିଲା, “ହେ ମୁନିବର, ହେ ଧର୍ମାବତାର, ମୋର ଗୋସେଇଁବାପାଙ୍କ ଅମଳର ବସାଟା ଆଜି କିପରି ଠେକୁଆର ହୋଇଗଲା, ସେହି ବିଷୟ ବିଚାର କରି ଆପଣ କୁହନ୍ତୁ-

 

ତପସ୍ୱରୂପୀ ଭଣ୍ଡ ବଣୁଆ ବିରାଡ଼ିଟି ମାଳ ଜପିବା ବନ୍ଦ ରଖି କହିଲା, “ବୋଧହୁଏ ତୁମ୍ଭେମାନେ କିଛି କହୁଛ । ବୟସ ବୃଦ୍ଧି ହେତୁ ମୋତେ ଏବେ ଟିକିଏ କମ୍ ଶୁଭୁଛି । ତୁମ୍ଭେମାନେ ମୋ’ପାଖକୁ ଆସ, କ’ଣ ହୋଇଛି କୁହ ।

 

ଯେତେ ତପସ୍ୱୀ ହେଲେ ବି ବଣୁଆ ବିରାଡ଼ି ହିଁ ବଣୁଆ ବିରାଡ଼ି । ବଣୁଆ ବିରାଡ଼ି ଠେକୁଆ ଓ ଚଟକ ଚଢ଼େଇ ଉଭୟଙ୍କର ଯମ । ତେଣୁ ବଣୁଆ ବିରାଡ଼ିର ଆହୁରି ନିକଟକୁ ଯିବା ଉଚିତ ହେବ କି ନାହିଁ, ଏହା ଭାବି ସେମାନେ ଇତସ୍ତତଃ ହେବାକୁ ଲାଗିଲେ ।

 

ଠେକୁଆ ଓ ଚଟକ ଚଢ଼େଇଙ୍କୁ ଇତସ୍ତତଃ ହେବାର ଦେଖି ତପସ୍ୱରୂପୀ ଭଣ୍ଡ ବଣୁଆ ବିରାଡ଼ି ଗମ୍ଭୀରଭାବେ କହିଲା, “ଦେଖ, ମୁଁ ବୁଢ଼ା । ବୁଢ଼ା ହେଲେ ଧର୍ମକର୍ମ ଆଡ଼କୁ ମନ ବଳେ । ତା ଛଡ଼ା, ମୁଁ ଅହିଂସାଧର ଦୀକ୍ଷା ନେଇଛି । ପ୍ରାଣୀ ହତ୍ୟା ମହାପାପ, ମୁଁ ବୁଝିଛି । ଯେଉଁମାନେ ଧର୍ମକର୍ମ ନାଁରେ ବଳି ପକାନ୍ତି, ସେମାନେ । ଭୁଲ୍‍ କରନ୍ତି । ତା ଛଡ଼ା ବୃକ୍ଷଛେଦନ କର, ପଶୁହତ୍ୟା କରି ଏବଂ ରକ୍ତର ବନ୍ୟା ଛୁଟାଇ ଯଦି କେହି ସ୍ଵର୍ଗକୁ ଯାଇପାରନ୍ତା, ତେବେ ନରକକୁ ଯିବ କିଏ ? ଯଦି ତୁମ୍ଭମାନଙ୍କର କିଛି କହିବାର ଥାଏ, ତେବେ ମୋ ପାଖକୁ ଆସି କୁହ । ତେଣେ ମୋର ଜପତପ କରିବାର ବେଳ ହୋଇଯାଉଛି ।

 

ତପସ୍ଵରୂପୀ ବଣୁଆ ବିରାଡ଼ିର କଥା ଶୁଣି ଠେକୁଆ ଓ ଚଟକ ଚଢ଼େଇ ଭାବିଲେ, ଯଥାର୍ଥରେ ଇଏ ହିଁ ଜଣେ ପ୍ରକୃତ ତପସ୍ୱୀ । ସେହି ବିଶ୍ୱାସରେ ଦୁଇଜଣଯାକ ନିଜ ନିଜ ଅଭିଯୋଗ ଜଣାଇବା ପାଇଁ ତପସ୍ୱରୂପୀ ବଣୁଆ ବିରାଡ଼ି ପାଖକୁ ଗଲେ । ପାଖରେ ପହଞ୍ଚିଲାମାତ୍ରେ ତପସ୍ୱରୂପୀ ଭଣ୍ଡ ବଣୁଆ ବିରାଡ଼ି ଗୋଟିଏ ହାତରେ ଠେକୁଆକୁ ଏବଂ ଅନ୍ୟ ହାତରେ ଚଟକ ଚଢ଼େଇକୁ ଧରି ଖାଇଦେଲ ।

 

କୁଆ ଏହିଠାରେ ଗଳ୍ପଟି ଶେଷକରି ସଭାରେ ସମବେତ ପକ୍ଷୀମାନଙ୍କୁ କହିଲା “ବୁଝିଲ ତ, ବୁଦ୍ଧିମାନେ ଯାହାକୁ ଇଚ୍ଛା ତାକୁ ରାଜା କରନ୍ତି ନାହିଁ । ଯାହାକୁ ଇଚ୍ଛା ତାକୁ ରାଜା କଲେ ବିପଦରେ ପଡ଼ିବା ହିଁ ନିଶ୍ଚିତ ।

 

କୁଆର କଥା ଶୁଣି ସମସ୍ତ ପକ୍ଷୀମାନେ କହିଲେ, “ଦେଖ, ଆମେ କି ବୋକାମି " କାମ କରୁଥିଲେ ! ଭାଗ୍ୟକୁ ସିନା କୁଆ ଆସିଗଲା । ମଣିଷ ଭିତରେ ଯେପରି ବାରିକ, ପଶୁମାନଙ୍କ ଭିତରେ ସେପରି ବିଲୁଆ, ସେହିପରି ପକ୍ଷୀମାନଙ୍କ ମଧ୍ୟରେ କୁଆ ହିଁ ଚତୁର । ତେଣୁ କୁଆର କଥା ଅନୁସାରେ କାମ କରିବା ହିଁ ଭଲ । ତା ପରେ ପକ୍ଷୀମାନେ ଗୋଟି ଗୋଟି କରି ପଳାଇଗଲେ । କେବଳ ରହିଗଲେ ସିଂହାସନରେ ରାଜ୍ୟାଭିଷେକ ପାଇଁ ବସିରହିଥିବା ପେଚା, ପେଚୀ ଏବଂ କୁଆ-

 

ଅନେକ ସମୟ ବସିରହିଲା ପରେ ପେଚା କହିଲା, “ପେଚୀ, ପକ୍ଷୀମାନଙ୍କର ପାଟିତୁଣ୍ଡ ତ କାଇଁ ମୁଁ ଶୁଣିପାରୁ ନାହିଁ ! ସେମାନେ ଗଲେ କୁଆଡ଼େ ? ଏ ପର୍ଯ୍ୟନ୍ତ ଆମ୍ଭମାନଙ୍କର ଅଭିଷେକ ଯେ ସରିନାହିଁ !

 

ପେଚୀ କାନ୍ଦି କାନ୍ଦି କହିଲା, “ହାୟ ମହାରାଜ, ଗୋଟିଏ ଦୁଷ୍ଟ କୁଆ। କଥାରେ ପଡ଼ି ଚଢ଼େଇମାନେ ଆମକୁ ଛାଡ଼ି ପଳାଇଲେ । ସେଇଦିନଠାରୁ ପେଚା ଓ କୁଆ ଦୁହିଁଙ୍କ ମଧ୍ୟରେ ଘୋର ଶତ୍ରୁତା !

 

ଗଳ୍ପ ଶେଷକରି ବୃଦ୍ଧମନ୍ତ୍ରୀ କହିଲେ, “ମହାରାଜ, ମୋର ପ୍ରସ୍ତାବ ହେଲା, ଶତ୍ରୁପକ୍ଷର ବଳ, କୌଶଳ, ଦୁର୍ବଳତା ଇତ୍ୟାଦି ଜାଣିଲା ପରେ ତାକୁ ନିପାତ କରିବା ସହଜ । ତା ଛଡ଼ା କୌଶଳରେ ଯାହା ସମ୍ଭବ, ଶକ୍ତିରେ ତାହା ସମ୍ଭବ ନୁହେଁ । କୌଶଳ କରି ଥରେ ତିନିଜଣ ଠକ ଜଣେ ବ୍ରାହ୍ମଣକୁ ଠକିଥିଲେ ।

 

ମେଘବର୍ଣ୍ଣ ପଚାରିଲେ, “କିପରି ? ବୃଦ୍ଧମନ୍ତ୍ରୀ “ତିନି ଠକଙ୍କ କାହାଣୀ’ କାକରାଜ ମେଘବର୍ଣ୍ଣଙ୍କୁ ଶୁଣାଇଲେ ।

Image

 

ତିନି ଠକଙ୍କ କାହାଣୀ

 

Image

ସଂସାରରେ ସାଧାରଣତଃ ସାଧୁଲୋକଙ୍କର ସାଧୁଙ୍କ ସାଙ୍ଗରେ ଏବଂ ଚୋରର ଚୋର ସାଙ୍ଗରେ ବେଶ୍ ବନ୍ଧୁତା ହୋଇଥାଏ । ସମଧର୍ମୀ ଲୋକଙ୍କ ମଧ୍ୟରେ ବେଶ୍ ମନ ମିଳେ । ସେହି ପରି ତିନିଜଣ ଠକଙ୍କ ମଧ୍ୟରେ ବେଶ୍ ବନ୍ଧୁତା ଥିଲା । ଲୋକମାନଙ୍କୁ ଠକିଠାକି ସେହି ତିନି ଠକବନ୍ଧୁ ଜୀବନ ନିର୍ବାହ କରୁଥିଲେ । ଲୋକମାନଙ୍କୁ ଠକିବା ପାଇଁ ପ୍ରତିଦିନ ନୂଆ ନୂଆ ଉପାୟ ଚିନ୍ତା କରୁଥିଲେ ।

 

ଶୀତଦିନ ଅପରାହ୍ନ । ତିନି ଠକ ବନ୍ଧୁ ରାସ୍ତାରେ ଯାଉଥିଲେ । ଯାଉ ଯାଉ ସେମାନେ ଜଣେ ବ୍ରାହ୍ମଣଙ୍କୁ କାନ୍ଧ ଉପରେ ଛେଳିଟେ ଧରି ଯାଉଥିବାର ଦେଖିଲେ । ବ୍ରାହ୍ମଣକୁ ଦେଖି ଜଣେ ଠିକ ତାର ଦୁଇ ବନ୍ଧୁଙ୍କୁ କହିଲା, "ହେଇ ଦେଖିଛୁ, ହେଇ ଦେଖିଛୁ ? ଜଣେ ବ୍ରାହ୍ମଣ ତାର ଯଜମାନ ମୁଣ୍ଡରେ ହାତ ବୋଳି ଗୋଟିଏ ଛେଳି ଧରି ଯାଉଛି । ଆମ ବୁଦ୍ଧି ପରା ବ୍ରାହ୍ମଣର ବୃଦ୍ଧିଠାରୁ ସରସ, ଆମକୁ କିଛି ଗୋଟାଏ କରିବାକୁ ହେବ ।’’

 

ଦ୍ୱିତୀୟ ଠକ କହିଲା, “ଆରେ ଭାଇ, ବ୍ରାହ୍ମଣର ଆଉ ବୁଦ୍ଧି କାହିଁ ? ସେ କେବଳ ହ୍ରୀଂ, ଶ୍ରୀଂ କ୍ରୀଂ କହି ଶାସ୍ତ୍ର ଆବୃତ୍ତି କରିପାରେ । ମୁଣ୍ଡରେ ଟିକିଏ ବି ମସଲା ନାହିଁ ।”

 

ତୃତୀୟ ଠକ କହିଲା, “ଏଇ କେତେଦିନ ହେଲା ଶୀତଟା ବେଶ୍ ପଡ଼ିଛି, ଖାସିମାଂସ ତରକାରିଟା ବେଶ୍ ଜମିବ । ଶରୀରଟା ବି ବେଶ୍ ଗରମ ହେବ ।’’

 

ଦ୍ୱିତୀୟ ଠକ କହିଲା, “ତାହେଲେ କଣ କହୁଛି ? ବୋକା ବ୍ରାହ୍ମଣଟା କ’ଣ ଛେଳିଟା ଆମ ଆଗରେ ନେଇ ଚାଲିଯିବ ? ସେଇଟା କଣ ଉଚିତ ହେବ ? ଗୁରୁଙ୍କୁ ସ୍ମରଣ କରି ଚେଷ୍ଟାକରି ଦେଖିବା ବ୍ରାହ୍ମଣକୁ ଠକିବା ସମ୍ଭବ ହେବ କି ନା ?’’

 

ତୃତୀୟ ଠକ କହିଲା, “ଏଇ ସାମାନ୍ୟ କାମ ଯଦି କରି ନ ପାରିବା, ତାହେଲେ ଆମେ କି ଠକ ?

 

ପ୍ରଥମ ଠକ କହିଲା, ଭାଇମାନେ, ମୋର ଆପତ୍ତି ନାହିଁ । ମୋତେ ମାଂସ ତରକାରି ବଡ଼ ବଢ଼ିଆ ଲାଗେ ।

 

ତା’ପରେ ତିନି ଠକ ପରସ୍ପର ମଧ୍ୟରେ ଠରାଠରି ହୋଇ କ’ଣ ସବୁ ଯୋଜନା କଲେ ଏବଂ ପ୍ରତ୍ୟେକେ କିଛି କିଛି ବାଟ ଅନ୍ତରରେ ଭିନ୍ନ ଭିନ୍ନ ଗଛମୂଳରେ ବସିରହିଲେ ।

 

କିଛିସମୟ ପରେ ବ୍ରାହ୍ମଣକୁ ଦେଖି ପ୍ରଥମ ଠକ କହିଲା, ପୁରୋହିତ ମହାଶୟ, ପ୍ରଣାମ-। କିନ୍ତୁ ଏ କ’ଣ ? ଆପଣ କୁକୁରଟାକୁ କାନ୍ଧରେ ପକାଇ କାହିଁକି ଚାଲିଛନ୍ତି ?”

 

"ତୁମର ଆଖ୍ ଖରାପ କି ? ଛେଳିଟାକୁ କୁକୁର କହୁଛ ? ବ୍ରାହ୍ମଣ କହିଲେ ।

 

ପ୍ରଥମ ଠକ କହିଲା, “ମୋର ଆଖି ତ ଠିକ୍ ଅଛି । ଆପଣଙ୍କର କ’ଣ ହୋଇଛି କିଏ ଜାଣେ ? ଗୋଟିଏ ଅପବିତ୍ର ଜୀବ କୁକୁରକୁ କାନ୍ଧରେ ପକାଇ ନେବା କଥା ମୁଁ ଜନ୍ମରୁ ଶୁଣି ନାହିଁ କି ଦେଖି ନାହିଁ ।

 

‘‘ମଣିଷ ଆଚ୍ଛା ପାଗଳ ହାବୁଡ଼ି ପଡ଼ିଲା । ଛେଳିଟାକୁ କହୁଛି କ’ଣ ନା କୁକୁର !’ ବ୍ରାହ୍ମଣ ବିରକ୍ତ ହୋଇ ଜୋର୍‍ରେ ଜୋର୍‍ରେ ଚାଲିବାକୁ ଲାଗିଲେ ।

 

ଚାଲି ଚାଲି ବ୍ରାହ୍ମଣ ଦ୍ୱିତୀୟ ଠକ ପାଖରେ ପହଞ୍ଚିଲା । ଦ୍ଵିତୀୟ ଠକି କହିଲା, ପ୍ରଣାମ ମହାଶୟ, ଏଇ ମୃତ ପଶୁଟାକୁ କାନ୍ଧରେ ପକାଇ କୁଆଡ଼େ ଯାଉଛନ୍ତି ?

 

ବ୍ରାହ୍ମଣ ରାଗିଯାଇ କହିଲେ, “ଯାଉଛି ଯମ ଘରକୁ । ଜିଅନ୍ତା ଛେଳିଟାକୁ ମୃତ ପଶୁ ବୋଲି କହୁଛ, ତୁମର କିଛି ଅକଲ ଅଛି ତ । ଦ୍ୱିତୀୟ ଠକ ନଛୋଡ଼ବନ୍ଧା । ସେ ହସି ହସି କହିଲା, “ମଲା ପଶୁଟା କିପରି ଜିଅନ୍ତା ହେବ, ମୁଁ ଜାଣିନି । ଠିକ୍ ଅଛି, ଆପଣ ଏହାକୁ ନେଇଯାଆନ୍ତୁ, କିନ୍ତୁ ଲୋକେ ଦେଖିଲେ ନିଶ୍ଚୟ ହସିବେ ।

 

ବ୍ରାହ୍ମଣ ମନେ ମନେ ଭାବିଲେ, ‘‘କିଏ ଜାଣେ ? ଯଜମାନ ମୋତେ ଠକିଦେଇନି ତ ? ଯାହାହେଉ, ଘରକୁ ଗଲେ କଥାଟା ଜଣାପଡ଼ିବ । ‘ ବ୍ରାହ୍ମଣ ଘରମୁହାଁ ଆଗକୁ ଆଗକୁ ଚାଲିଲେ ।

 

ବ୍ରାହ୍ମଣ କିଛିଦୂର ଗଲାପରେ ତୃତୀୟ ଠକ ସହ ଦେଖାହେଲା । ଠକଟି ବ୍ରାହ୍ମଣଙ୍କୁ ଦେଖୁ ଦେଖୁ ହୋ...ହୋ ହୋଇ ହସିବାକୁ ଲାଗିଲା । ହସି ହସି ଠକଟି କହିଲା, ‘‘ପୁରୋହିତ ମହାଶୟ, ଜୁହାର ଆଜ୍ଞା । ଆପଣ ଗଧଛୁଆଟାକୁ କାନ୍ଧରେ ରଖି ଚାଲିଛନ୍ତି କାହିଁକି ? ଏହା କହି ଠକଟି ପୁଣି ହୋ...ହୋ ହୋଇ ହସିଲା ।

 

ତୃତୀୟ ଠକ କଥା ଶୁଣି ବ୍ରାହ୍ମଣ ଛେଳିଛୁଆଟିକୁ ତୁରନ୍ତ କାନ୍ଧରୁ ଓହ୍ଲାଇଦେଲେ । ବ୍ରାହ୍ମଣ ଭାବିଲେ, ନିଶ୍ଚୟ କ’ଣ ଗୋଟାଏ ଗୋଳମାଳ ହୋଇଛି କିମ୍ବା କିଛି ଗୋଟାଏ ଭୌତିକ କାଣ୍ଡ ଘଟିଛି । ନଚେତ୍ ସମସ୍ତେ କାହିଁକି ଏପରି କହୁଛନ୍ତି ?” ବ୍ରାହ୍ମଣ ଆଉ ପଛକୁ ନ ଚାହିଁ ଗାଁ ଆଡ଼କୁ ଦୃତଗତିରେ ଚାଲିଲେ । ମନେ ମନେ ଭାବିଲେ, "ଶୀଘ୍ର ଘରେ ପହଞ୍ଚି ତୁରନ୍ତ ପ୍ରାୟଶ୍ଚିତ୍ତ କରିବାକୁ ହେବ । ମୋ’ପରି ଜଣେ ନୈଷ୍ଠିକ ଯାଞ୍ଜିକ ବ୍ରାହ୍ମଣ ଗୋଟାଏ ଅପବିତ୍ର ପଶୁକୁ କାନ୍ଧରେ ଧରିଥିଲା ! ଛି, ଛି, ଏପରି କାର୍ଯ୍ୟ କ’ଣ କେହି କରେ ? ମୋର ଭାଗ୍ୟ ଭଲ, ଗାଁ ଲୋକମାନେ ଦେଖିନାହାନ୍ତି ।

 

ତା ପରେ ସେହି ତିନି ଠକ ଛେଳିଟିକୁ କାଟି ମାଂସ ତରକାରି କରି ପରମ ତୃପ୍ତିରେ ଖାଇଲେ ।

 

ଗଳ୍ପ ଶେଷରେ ବୃଦ୍ଧ ମନ୍ତ୍ରୀ କହିଲେ, “ମହାରାଜ, ଏବେ ଆପଣ ବିଚାର କରନ୍ତୁ, କ’ଣ କରିବା ଉଚିତ ।

 

ମେଘବର୍ଣ୍ଣ କହିଲେ, ଆପଣଙ୍କ ପରାମର୍ଶ ଅନୁସାରେ ଚିରଦିନ ଚଳିଆସୁଛି, ଏବେ ଆପଣ ଖୋଲି କୁହନ୍ତୁ କ’ଣ କରିବାକୁ ହେବ ।

 

ବୃଦ୍ଧମନ୍ତ୍ରୀ କହିଲେ, “ମହାରାଜ, ଆପଣ ପ୍ରଜାମାନଙ୍କୁ ସାଙ୍ଗରେ ଧରି ଦୁର୍ଗ ଛାଡ଼ି ଚାଲିଯାଆନ୍ତୁ । ମୁଁ ଏଠାରେ ଅର୍ଦ୍ଧମୃତ ଅବସ୍ଥାରେ ପଡ଼ିରହିବି । ପରେ ପେଚାମାନଙ୍କର ବିଶ୍ଵାସ-ଭାଜନ ହୋଇ ସେମାନଙ୍କର ସର୍ବନାଶ କରିବି ।

 

କୁଆମାନେ ଦୁର୍ଗ ଛାଡ଼ି ପଳାଇବା ସମ୍ବାଦ ପେଚାମାନେ ଯଥା ସମୟରେ ପାଇଗଲେ । ସନ୍ଧ୍ୟା ହେଉ ନ ହେଉଣୁ ପେଚାମାନେ କୁଆମାନଙ୍କର ଦୁର୍ଗ ଦଖଲ କରି ଭାବିଲେ ଯେ, କୁଆମାନେ ସେମାନଙ୍କୁ ଭୟକରି ଦୁର୍ଗ ଛାଡ଼ି ପଳାଇଛନ୍ତି । ତେଣୁ ପେଚାମାନେ ବେଶ୍ ଆମୋଦ-ପ୍ରମୋଦରେ ମାତିଗଲେ ।

 

ଏଇ ସମୟରେ ପ୍ରହରୀମାନେ ଗୋଟିଏ ଅଧାମରା କୁଆକୁ ବନ୍ଦୀ କରି ପେଚକରାଜା ଅରିମର୍ଦ୍ଦଙ୍କ ସମ୍ମୁଖକୁ ଆଣିଲେ ! ପ୍ରହରୀମାନେ କହିଲେ, “ମହାରାଜ, ଏହି ଅର୍ଦ୍ଧମୃତ କୁଆଟା ଗୋଟିଏ ଗଛତଳେ ପଡ଼ିଥିଲା । ବୋଧହୁଏ ଇଏ ଶତ୍ରୁପକ୍ଷର ଗୁପ୍ତଚର ।’’

 

କୁଆଟି ଯୋଡ଼ହସ୍ତରେ କହିଲା, “ମହାରାଜ ଅରିମର୍ଦ୍ଦଙ୍କର ଜୟ ହେଉ । ମହାରାଜ, କୁଆମାନେ ଆଜି ଆପଣମାନଙ୍କୁ ଆକ୍ରମଣ କରିବାକୁ ଚାହିଁଥିଲେ । ମୁଁ ବାଧା ଦେବାରୁ ସେମାନେ ଆକ୍ରମଣ କରିପାରିଲେ ନାହିଁ । ମଣିମା ନିଜେ ଦେଖନ୍ତୁ, ମୁଁ ସେମାନଙ୍କୁ ବାଧା ଦେଇଥିଲି ବୋଲି ମୋତେ କିପରି ଅର୍ଦ୍ଧମୃତ ଅବସ୍ଥାରେ ପକାଇଦେଇ ପଳାଇଛନ୍ତି । ଏବେ ମୁଁ ଆପଣଙ୍କର ଶରଣାଗତ । ମୋର ଜ୍ଞାତିକୁଟୁମ୍ବ ମୋତେ ଅଧାମରା କରି ପଳାଇଛନ୍ତି ! ସୁବିଧା ପାଇଲେ ମୁଁ ଏହାର ପ୍ରତିଶୋଧ ନେବି ।

 

ପେଚକରାଜ ଅରିମର୍ଦ୍ଦଙ୍କ କିଛି ସମୟ ଶୂନ୍ୟକୁ ଅନାଇ ଗମ୍ଭୀର ଭାବେ ଆଦେଶ ଦେଲେ, ଏ ବିଷୟରେ ମନ୍ତ୍ରିସଭାର ବିନା ପରାମର୍ଶରେ କିଛି କରିବା ସମ୍ଭବ ନୁହେଁ । ସେତେବେଳ ପର୍ଯ୍ୟନ୍ତ ଏହାକୁ ବନ୍ଦୀ କରି ରଖ ?

 

କୁଆ ସମ୍ବନ୍ଧରେ କ’ଣ ବ୍ୟବସ୍ଥା କରାଯିବ, ସେ ବିଷୟରେ ମହାରାଜ ଅରିମର୍ଦ୍ଦ ମନ୍ତ୍ରୀମାନଙ୍କ ସହ ପରାମର୍ଶ କରିବାକୁ ଲାଗିଲେ ।

 

ପ୍ରଥମ ମନ୍ତ୍ରୀ କହିଲେ, “ମହାରାଜ, ଯେତେହେଲେ ଏହି କୁଆ ଆମର ଶତ୍ରୁ । ଶତ୍ରୁକୁ କୌଣସିମତେ ବିଶ୍ୱାସ କରିବା ଉଚିତ ନୁହେଁ । ଅବିଳମ୍ବେ ଏହାକୁ ବଧ କରାଯାଉ । ଆମର ଜଣାଶୁଣା ଶତ୍ରୁ ସାଙ୍ଗରେ ଏହାଠାରୁ ଆଉ ଅଧିକ ଭଲ ବ୍ୟବହାର କ’ଣ କରାଯାଇ ପାରେ ?

 

ଦ୍ୱିତୀୟ ମନ୍ତ୍ରୀ କହିଲେ, “ମହାରାଜ, ଏହି କୁଆ ଆମର ଶରଣାଗତ । ଏହାକୁ ମାରିଦେବା ଉଚିତ ନୁହେଁ । ମୁଁ ଭାବୁଛି, ଏହାକୁ ତଡ଼ିଦେବା ଉଚିତ ହେବ । କାରଣ, ଯାହା ସହିତ ଦିନେ ଶତ୍ରୁତା ଥିଲା, ତା ସହିତ ଏବେ ସନ୍ଧି ସ୍ଥାପନ କରି ପ୍ରୀତି ସ୍ଥାପନ କରିବା ସମ୍ଭବ ନୁହେଁ । ମୁଁ ଗୋଟିଏ ଗଳ୍ପ ଜାଣେ, ଯେଉଁ ଗଳ୍ପରେ ଗୋଟିଏ ସାପ ରହିଥିଲା–ହେ ବ୍ରାହ୍ମଣ, ପ୍ରୀତି ଥରେ ଭାଙ୍ଗିଗଲେ ସ୍ନେହଦ୍ୱାରା ତାହା ଯୋଡ଼ିବା ସମ୍ଭବ ନୁହେଁ ।

 

ମହାରାଜ ଅରିମର୍ଦ୍ଦ କହିଲେ, “ଗଳ୍ପଟା କୁହନ୍ତୁ । ଶୁଣିଲେ ଭଲ ହେବ ।’’ । ମନ୍ତ୍ରୀ ମହୋଦୟ ‘‘ସାପର ପୂଜା’’ ଗଳ୍ପଟି ମହାରାଜା ଅରିମର୍ଦ୍ଦଙ୍କୁ ଶୁଣାଇଲେ–

Image

 

ସାପର ପୂଜା

Image

ହରିଦତ୍ତ ଥିଲା ବ୍ରାହ୍ମଣସନ୍ତାନ । କିନ୍ତୁ, ସେ କିଛି ଲେଖାପଢ଼ା ଜାଣି ନ ଥିଲା । ବାଲ୍ୟକାଳରେ ଯିଏ ବିଦ୍ୟା ଶିକ୍ଷା କରି ନ ଥାଏ, ସିଏ ଯୌବନରେ ବହୁ କଷ୍ଟ ପାଇଥାଏ । ହରିଦତ୍ତର ମଧ୍ୟ କଷ୍ଟର ସୀମା ନ ଥିଲା । ସେ ଚାଷବାସ କରି ବହୁ କଷ୍ଟରେ ତାର ବୁଢ଼ା ବାପା-ମାଆଙ୍କୁ ପୋଷୁଥିଲା ।

ଗ୍ରୀଷ୍ମ, ବର୍ଷା, ଶୀତରେ ସେ ଭୋରରୁ ମଇ, ଲଙ୍ଗଳ ଇତ୍ୟାଦି ଧରି ଜମିକୁ ଯାଉଥିଲା । ପାଣି ପଙ୍କରେ ଘାଣ୍ଟି ହୋଇ ସେ ସାରାଦିନ କଠିନ ପରିଶ୍ରମ କରୁଥିଲା, ତଥାପି ସେ ଆଶାଜନକ ଫସଲ ପାଉ ନ ଥିଲା ।

 

ଦିନେ ଭୋରରୁ ହରିଦତ୍ତ ଆସି ନିଜ ଚାଷଜମିରେ ପହଞ୍ଚିଲାବେଳକୁ ସୂର୍ଯ୍ୟଦେବ ତାଙ୍କର ସାତଘୋଡ଼ା-ବିଶିଷ୍ଟ ରଥରେ ବିଜେ କରିସାରିଥିଲେ । ହରିଦତ୍ତ ମନେ ମନେ ସୂର୍ଯ୍ୟଦେବଙ୍କୁ ପ୍ରଣାମ ଜଣାଇ କାମରେ ଲାଗିଗଲା । ହଠାତ୍ ସେ ଜମିର ଗୋଟିଏ କଣକୁ ସାପଟିଏ ଦେଖିଲା । ସାପଟି ଚେକିମାରି ଶୋଇଥିଲା । ତାହା ଥିଲା ଗୋଟିଏ ବିଷଧର ସାପ । ସାପକୁ ଦେଖି ହରିଦତ୍ତ ପ୍ରଥମେ ଖୁବ ଭୟ ପାଇଲା । ପରେ ସେ ଭାବିଲା, ଏହି ସାପ ନିଶ୍ଚୟ ଏଇ କ୍ଷେତ୍ରର ଦେବତା ।

 

ହରିଦତ୍ତ ଘରକୁ ଯାଇ ଗୋଟିଏ ସରାରେ କିଛି ଦୁଧ ଓ କଦଳୀ ଆଣି ସାପକୁ ଦେଲା । ସାପଟି ଦୁଧ ଓ କଦଳୀ ଖାଇ ସରାରେ ଗୋଟିଏ ସ୍ଵର୍ଣ୍ଣମୋହର ରଖି ଗାତରେ ପଶିଗଲା ।

 

ମୋହର ପାଇ ହରିଦତ୍ତର ଖୁସି ଦେଖେ କିଏ ? ହରିଦତ୍ତ ପ୍ରତିଦିନ ଦୁଧ ଓ କଦଳୀ ଆଣି ସାପକୁ ଦିଏ । ସାପ ପ୍ରତିଦିନ ଗୋଟିଏ ମୋହର ହରିଦତ୍ତକୁ ଦିଏ ।

 

କିଛିଦିନ ଏହିପରି କଟିଗଲା । ଦିନେ ହରିଦତ୍ତ ଭାବିଲା, ସାପଗାତ ଭିତରେ ବହୁତ ମୋହର ଅଛି । ସାପଟାକୁ ମାରିଦେଲେ ମୋହରଗୁଡ଼ିକ ଏକାବେଳକେ ନେଇହେବ । ଶୁଭକାର୍ଯ୍ୟରେ ବିଳମ୍ବ ଉଚିତ ନୁହେଁ ଭାବି ହରିଦତ୍ତ ସେହିଦିନ ଗୋଟିଏ ବାଡ଼ି ଆଣି ସାପର ମୁଣ୍ଡକୁ ଲକ୍ଷ୍ୟ କରି ଦେଲା ଶକ୍ତ ଏକ ପ୍ରହାର । ହଠାତ୍ ଆଘାତ ପାଇ ସାପଟା ରାଗରେ ଜଳିଉଠିଲା । ପ୍ରକାଣ୍ଡ ଫଣା ବିସ୍ତାର କରି ହରିଦତ୍ତକୁ ମାରିଲା ଏକ ଚୋଟ । ହରିଦତ୍ତ ସେଇଠି ଟଳିପଡ଼ିଲା । ସେ ଆଉ ଉଠିଲା ନାହିଁ ।

 

ଖବର ପାଇ ହରିଦତ୍ତର ବାପା ବହୁତ ଦୁଃଖ କଲେ । ସେ କିନ୍ତୁ କାନ୍ଦିଲେ ନାହିଁ । ସେ କହିଲେ, ଶରଣାଗତକୁ ରକ୍ଷା କରିବା ଉଚିତ ଥିଲା । ହରିଦତ୍ତ ବିଶ୍ୱାସଘାତକତାର ଫଳ ପାଇଲା । ସାପକୁ ମୁଁ ଦୋଷ ଦେଇପାରିବି ନାହିଁ ।

 

ହରିଦତ୍ତ ବାପା ଆସି ସାପକୁ ପୂଜା ଦେଇ କହିଲେ, “ହେ କ୍ଷେତ୍ରପାଳ ସାପ, ଆପଣ ତୁଷ୍ଟ ହୁଅନ୍ତୁ ।

 

ସାପ କହିଲା, ମହାଶୟ, ଆପଣଙ୍କୁ ଗୋଟିଏ ମୋହର ଦେଉଛି । ମୋହରଟି ନେଇ ଆପଣ ଫେରିଯାଆନ୍ତୁ । ଦୟାକରି ପୁଣି ମୋ ନିକଟକୁ ଆସିବେ ନାହିଁ । କାରଣ, ମୋର ଭୟ ହେଉଛି, ହୁଏତ ଆପଣ କୌଣସି ଦିନ ପ୍ରତିହିଂସା ଆଚରଣ କରିପାରନ୍ତି । ତା ଛଡ଼ା, ହେ ବ୍ରାହ୍ମଣ, ଥରେ ପ୍ରୀତି ଭାଙ୍ଗିଗଲେ ସ୍ନେହ-ଶ୍ରଦ୍ଧା ଦ୍ଵାରା । ତାକୁ ଯୋଡ଼ିବା ସମ୍ଭବ ନୁହେଁ ।

 

ବ୍ରାହ୍ମଣ ପୁତ୍ର ହରିଦତ୍ତର ବିଶ୍ୱାସଘାତକତା ପାଇଁ ଦୁଃଖ ପ୍ରକାଶ କରି କହିଲେ, “ମୋର ପୁତ୍ର ଶରଣାଗତ.ସହ ବିଶ୍ୱାସଘାତକତା କରି ନିଜର ସର୍ବନାଶ କରିଛି । ଶରଣାଗତ ସହ ଏପରି ବ୍ୟବହାର କରିବା ଉଚିତ ହୋଇନାହିଁ । ଶୁଣିଛି, ଥରେ ଗୋଟିଏ କପୋତ ନିଜର ମାଂସ ଦେଇ ଶରଣାଗତ ଅତିଥି ବ୍ୟାଧର ଚର୍ଚ୍ଚା କରିଥିଲା ।

 

ସାପ କହିଲା, “ତାହା କିପରି ?” ବ୍ରାହ୍ମଣ ‘‘ଅପୂର୍ବ ଆତିଥେୟତା’ ଗଳ୍ପଟି କହିଲେ ।

Image

 

ଅପୂର୍ବ ଆତିଥେୟତା

Image

ବ୍ୟାଧଟିଏ ଥିଲା । ଅତ୍ୟନ୍ତ ନିଷ୍ଠୁର ଓ ସ୍ୱାର୍ଥପର । ନାନାଦି ନିଷ୍ଠୁର ଉପାୟରେ ସେ ପକ୍ଷୀମାନଙ୍କୁ ଧରି ତାର ଜୀବିକା ନିର୍ବାହ କରୁଥିଲା । ନିଜର ସ୍ତ୍ରୀ ବ୍ୟତୀତ ଅନ୍ୟ କାହାରିକୁ ସେ ବିଶ୍ୱାସ କରୁ ନଥିଲା । ସ୍ତ୍ରୀ ବ୍ୟତୀତ ସମସ୍ତଙ୍କ ପ୍ରତି ସେ କଠୋର ବ୍ୟବହାର କରୁଥିଲା ।

 

ସବୁଦିନ ପରି ଦିନେ ସେ ପକ୍ଷୀ ଧରିବାକୁ ବଣକୁ ଗଲା । ସାରା ଦିନ ଘୂରି ଘୂରି ସେ ଗୋଟିଏ ମାତ୍ର କପୋତ ଧରିଲା । ପୌଷ ମାସ । ସୂର୍ଯ୍ୟ ଶୀଘ୍ର ଅସ୍ତଗଲେ । ଅନ୍ଧକାର ଘୋଟିଆସିଲା । ତା ସାଙ୍ଗକୁ ତୀବ୍ର ଶୀତ ଅନୁଭୂତ ହେଲା । ବିଚରା କ୍ଲାନ୍ତ, କ୍ଷୁଧା ଏବଂ ଶୀତାର୍ତ୍ତ ସେହି ନିଷ୍ଠୁର ଓ ସ୍ଵାର୍ଥପର ବ୍ୟାଧଟି ନିରୁପାୟ ହୋଇ କୌଣସିମତେ ରାତିଟା କଟାଇ ଦେବାପାଇଁ ଧରିଥିବା କପୋତଟିକୁ ନେଇ ଗୋଟିଏ ଗଛ ଉପରକୁ ଚଢ଼ିଗଲା ।

 

ଦିନସାରା ଉପବାସ ରହିଥିବା ବ୍ୟାଧଟିର ଶରୀର କ୍ଷୁଧାରେ ଏତେ କ୍ଳାନ୍ତ ହୋଇପଡ଼ିଥିଲା ଯେ, ଗଛ ଉପରେ ବସି ରହିବା ତା ପକ୍ଷରେ ବଡ଼ କଷ୍ଟକର ହେଲା । ଶୀତ ଓ କ୍ଷୁଧା ତାକୁ ଏକସଙ୍ଗେ କାବୁ କରିନେଲେ । ତାର ରକ୍ତ ହିମକାକର ହୋଇଗଲା । ତାର ହାତ ପାଦ ଅସାଡ଼ ହୋଇଗଲା । ସେ କାତରଭାବରେ କହିଲା, “ହେ ବୃକ୍ଷଦେବତା, ମୁଁ କ୍ଷୁଧାର୍ତ୍ତ ଓ ଶୀତାର୍ତ୍ତ । ମୁଁ ତୁମର ଶରଣ ଗଲି । ତୁମେ ହିଁ ଶରଣାଗତକୁ ରକ୍ଷା କର ।”

 

ଅଦୃଷ୍ଟର ବିଧାନ ବଡ଼ ବିଚିତ୍ର। ସେଇ ଗଛରେ ଥିଲେ ଏକ କପୋତ-ଦମ୍ପତି । ସେତେବେଳେ କପୋତୀଟି ଏକୁଟିଆ ଗଛରେ ବସି କପୋତ କଥା ହିଁ ଭାବୁଥାଏ କୁଆଡ଼େ ଗଲେ, ଏତେବେଳଯାଏଁ କାହିଁକି ଫେରିଲେ ନାହିଁ, କେଉଁଠି ରହିଲେ, ତାଙ୍କର କିଛି ଅମଙ୍ଗଳ ହୋଇନାହିଁ ତ-?

 

ଏଣେ କପୋତଟି ଯେ ବନ୍ଦୀ ହୋଇ ବ୍ୟାଧି ସାଙ୍ଗରେ ସେହି ଗଛରେ ଆଶ୍ରୟ ନେଇଛି, ଏହି କପୋତୀଟି ଜାଣି ନ ଥାଏ । କପୋତୀଟିର ଦୀର୍ଘଶ୍ୱାସ ଶୁଣି ବ୍ୟାଧ ଦ୍ଵାରା ବନ୍ଦୀ ହୋଇଥିବା କପୋତିଟି କହିଲା, କପୋତୀ, ତୁ ମୋ ପାଇଁ ଚିନ୍ତା କରନା । ଆଜି ତୋ ଘରେ ଜଣେ କ୍ଷୁଧାର୍ତ୍ତ ଓ ଶୀତାର୍ତ୍ତ ଅତିଥି ଆଶ୍ରୟ ନେଇଛି । ତୁ ତାର ଚର୍ଚ୍ଚା କରିବାର ବ୍ୟବସ୍ଥା କର।’’

 

କପୋତୀଟି କହିଲା, “କପୋତ, ତୁମେ ଏହିଠାରେ ଅଛ ଜାଣି ଆଶ୍ଵସ୍ତ ହେଲି । ମୁଁ ବ୍ୟାଧର କଥା ଶୁଣିଛି । ମୁଁ ଗୃହସ୍ଥର ଧର୍ମ ପାଳନ କରିବି । ଶରଣାଗତକୁ ପ୍ରାଣ ଦେଇ ରକ୍ଷା କରିବି-।’’ ଏହା କହି କପୋତୀଟି କୁଟାକାଠି କିଛି ଏକାଠି କରି ସେଥିରେ ନିଆଁ ଲଗାଇ । କହିଲା, “ହେ ଅତିଥି ବ୍ୟାଧ, ଆପଣ ଏହି ନିଆଁରେ ହାତପାଦ ସେକି ଶୀତକଷ୍ଟ । ଦୂର କରନ୍ତୁ ।”

 

ନିଆଁରେ ହାତପାଦ ସେକିହୋଇ ବ୍ୟାଧ ଟିକିଏ ସୁସ୍ଥ ହେଲା । ତା ପରେ କପୋତୀଟି କହିଲା, “ହେ କ୍ଷୁଧାର୍ତ୍ତ ଅତିଥି, ମୁଁ ଗୋଟିଏ ସାମାନ୍ୟ ପକ୍ଷୀ ।

 

ଆପଣଙ୍କର ସେବାପାଇଁ ମୁଁ କ’ଣ ବା ଦେଇପାରିବି ? ମୋର ଯାହାକିଛି ଅଛି, ତାହା ହେଲା ମୋର ଏହି କ୍ଷୁଦ୍ର ଶରୀର । ବୋଧହୁଏ, ତାଦ୍ଵାରା ଆପଣଙ୍କର କ୍ଷୁଧା ସଂପୂର୍ଣ୍ଣ ଦୂର ହେବ ନାହିଁ । ସେଥିପାଇଁ ମୋର ଅପରାଧ କ୍ଷମା କରନ୍ତୁ । ଆଜି ପାଇଁ ମୋର ଶରୀରର ସାମାନ୍ୟ ମାଂସ ଟିକକ ଖାଇ ଆପଣଙ୍କର କ୍ଷୁଧା ନିବାରଣ କରନ୍ତୁ ।’’ ଏହା କହି କପୋତୀଟି ନିଆଁକୁ ଡେଇଁପଡ଼ିଲା ।

 

ସାମାନ୍ୟ ଗୋଟିଏ କପୋତୀର ଏହି ଅପୂର୍ବ ଆତିଥେୟତା ଦେଖି ସ୍ଵାର୍ଥପର ପାଷାଣହୃଦୟ ବ୍ୟାଧଟି ମୁଗ୍ଧ ହୋଇଗଲା । ସେ ମନେ ମନେ ଭାବିଲା, ମୁଁ ଜଣେ ନିର୍ଦ୍ଦୟ ବ୍ୟକ୍ତି, ନିଜର ଓ ସ୍ତ୍ରୀର ସୁଖ ଛଡ଼ା ଜୀବନରେ ଅନ୍ୟ କାହାରି ସୁଖ ବିଷୟରେ ଦିନେ ହେଲେ ଚିନ୍ତା କରିନାହିଁ । ଆଜି ଏହି କପୋତୀର ପ୍ରାଣ ଉତ୍ସର୍ଗରୁ ମୋତେ ଉପଯୁକ୍ତ ଶିକ୍ଷା ମିଳିଲା । ଜୀବନରେ ଆଉ କେବେହେଲେ କୁକର୍ମ କରିବି ନାହିଁ । ଏହା ଭାବି ସେ ବନ୍ଦୀ କରି ରଖିଥିବା କପୋତଟିକୁ ଛାଡ଼ିଦେଲା ।

 

ବନ୍ଦୀମୁକ୍ତ ହୋଇ କପୋତଟି କହିଲା, “ହେ ଅତିଥି, କପୋତୀଟିର ମାଂସରେ ଆପଣଙ୍କର କ୍ଷୁଧା ଦୂର ହେବ ନାହିଁ । ତେଣୁ ଅତିଥିଙ୍କର ସେବାପାଇଁ ମୁଁ ମୋର ପ୍ରାଣ ଉତ୍ସର୍ଗ କରୁଛି ।

 

ଚାହୁଁ ଚାହୁଁ କପୋତଟି ନିଆଁକୁ ଝାମ୍ପିପଡ଼ିଲା । କିନ୍ତୁ କି ଅପୂର୍ବ ଘଟଣା । ବ୍ୟାଧ ସାମନାରେ କପୋତ-କପୋତୀ ଦିବ୍ୟ ଦେହ ଧାରଣ କରି ସ୍ୱର୍ଗକୁ ଚାଲିଗଲେ ।

 

ପେଚକରାଜ ଅରିମର୍ଦ୍ଦଙ୍କର ଦ୍ୱିତୀୟ ମନ୍ତ୍ରୀ ଏହି ଗଛଟି ଶେଷକରି କହିଲେ, "ମହାରାଜ, ଏଇଥିପାଇଁ କହୁଛି, ଶରଣାଗତକୁ ରକ୍ଷା କରିବା ଉଚିତ ।

 

ତୃତୀୟ ମନ୍ତ୍ରୀଜଣକ କହିଲେ, “ମହାରାଜ, ଏହି ବନ୍ଦୀ କୁଆଟିକୁ ତଡ଼ିଦେବା ଉଚିତ ହେବ ନାହିଁ । ବରଂ ପରସ୍ପର ବିବଦମାନ ଶତ୍ରୁମାନେ ମିତ୍ରପରି କାର୍ଯ୍ୟ କରିଥାନ୍ତି । ଏହି କୁଆଟି ଆମ୍ଭମାନଙ୍କର ଶତ୍ରୁ ସତ, କିନ୍ତୁ ତାର ଜ୍ଞାତି ପରିଜନ ପ୍ରତି ବିମୁଖ । ତେଣୁ ଏହାର ସାହାଯ୍ୟରେ ଆମେ ଶତ୍ରୁ ଦମନ କରିପାରିବା । ଥରେ ଜଣେ ବ୍ରାହ୍ମଣ ଏହିପରି ରକ୍ଷା ପାଇଥିଲେ ।

 

ପେଚକରାଜଙ୍କ ଅନୁରୋଧ ଅନୁଯାୟୀ ତୃତୀୟ ମନ୍ତ୍ରୀ ‘ଚୋର ଓ ରାକ୍ଷସ’ ଗଳ୍ପ କହିଲେ-

Image

 

ଚୋର ଓ ରାକ୍ଷସ

Image

ଦ୍ରୋଣ ନାମରେ ଜଣେ ଗରିବ ବ୍ରାହ୍ମଣ ଥିଲେ । ଦାନ-ଧାନ, ଯାଗ-ଯଜ୍ଞ ଓ ବ୍ରତ-ଉପବାସ କରି ସେ ଦିନ କାଟୁଥିଲେ ।

 

ଥରେ ଜଣେ ଶିଷ୍ୟ ବ୍ରାହ୍ମଣଙ୍କୁ ଦୁଇଟି ଗାଈ ଦାନ ଦେଇଥିଲେ । ବ୍ରାହ୍ମଣ ବହୁ ଯତ୍ନରେ ଗାଈ ଦୁଇଟିଙ୍କୁ ପାଳିଥିଲେ । ଯଥାସମୟରେ ଦୁଇ ଗାଈଙ୍କର ଦୁଇଟି ବାଛୁରୀ ଜନ୍ମ ହେଲେ । ସଯତ୍ନେ ପାଳିତ ଗାଈ ଦୁଇଟି ପ୍ରଚୁର ଦୁଧ ଦେଲେ ।

 

ଗୋଟିଏ ଚୋର ଦିନେ ଗଭୀର ରାତିରେ ବ୍ରାହ୍ମଣଙ୍କର ଗାଈ ବାଛୁରୀ ଚୋରି କରିବାପାଇଁ ବ୍ରାହ୍ମଣଙ୍କର ବାଡ଼ିରେ ପଶିଲା । ହଠାତ୍ ଚୋର ନଜରରେ ପଡ଼ିଲା ଗୋଟିଏ ଭୀଷଣ ମୂର୍ତ୍ତି । ଚୋରକୁ ଡର ଲାଗିଲା । ସେ ଅତି ଧୀର ପଦକ୍ଷେପରେ ମୂର୍ତ୍ତି ଆଡ଼କୁ ଆଗେଇଲା । ଟିକିଏ ନିକଟକୁ ଆସି ଦେଖିଲା, ମୂର୍ତ୍ତି ନୁହେଁ, ଗୋଟିଏ ବିରାଟ ରାକ୍ଷସ । ରାକ୍ଷସର ଉଚ୍ଚା ନାକ । ଆଖି ଦୁଇଟି କମାରଶାଳ ଭାଟିପରି ଜଳୁଥାଏ । ଧାରୁଆ ଧାରୁଆ ଲମ୍ବାଦାନ୍ତ । ସାରା ଶରୀର ଓ ମୁଣ୍ଡବାଳ ପିଙ୍ଗଳ ଦଣ୍ଡି । ମୁହଁରେ ଦାଢ଼ି ଭର୍ତ୍ତି । ତାର ଶିରା-ପ୍ରଶିରା ସତେ ଯେପରି ବାହାରକୁ ବାହାରିପଡ଼ିଛି । । ଚୋର ଡରି ଡରି ପଚାରିଲା, “କିଏ ତୁମେ, କ’ଣ ଚାହଁ ?”

 

ରାକ୍ଷସ କହିଲା, ମୁଁ ରାକ୍ଷସ । ମୋର ନାମ ସତ୍ୟବାନ୍‌ । ମୁଁ ଆଜି ଏହି ବ୍ରାହ୍ମଣକୁ ଖାଇବାକୁ ଆସିଛି । ତୁମେ କିଏ ? କୁଆଡ଼େ ଆସିଛ ?” ଚୋର କହିଲା, “ମୁଁ ଚୋର । ମୁଁ ଏହି ବ୍ରାହ୍ମଣର ଗାଈ ବାଛୁରୀ ଚୋରି କରିବାକୁ ଆସିଛି । ‘‘

 

ରାକ୍ଷସ କହିଲା, “ବେଶ୍ ବେଶ୍ । ଆଉ ଚିନ୍ତା କ’ଣ ? ଆମେ ଏବେ ଦୁଇଜଣ ବନ୍ଧୁ । ମୁଁ ବ୍ରାହ୍ମଣକୁ ଖାଇବି । ତୁମେ ଗାଈ ବାଛୁରୀ ଚୋରି କରିବ ।

 

ଦୁଇଜଣ ଖୁସି ହୋଇ ବ୍ରାହ୍ମଣର ଭିତର ଅଗଣାରେ ପହଞ୍ଚିଲେ । ରାକ୍ଷସ କହିଲା, ଚୋରଭାଇ, ମୁଁ ଆଗେ ବ୍ରାହ୍ମଣକୁ ଖାଇବି । କାରଣ, ତୁମେ ପ୍ରଥମେ ଗାଈ ଚୋରି କଲେ ଗାଈମାନେ ରଡ଼ି ଛାଡ଼ିବେ । ତା ହେଲେ ବ୍ରାହ୍ମଣ ଉଠିପଡ଼ିବ । ମୁଁ ବ୍ରାହ୍ମଣକୁ ଖାଇପାରିବି ନାହିଁ ।’’

 

ଚୋର କହିଲା, “ତୁମେ ବ୍ରାହ୍ମଣକୁ ଆଗେ ଖାଇଲେ ସେ ଉଠିଯିବାର ଆଶଙ୍କା ଅଛି । ତେଣୁ ମୁଁ ଆଗେ ଗାଈ ଚୋରି କରିବି । କିଛି ଶବ୍ଦ ହେବ ନାହିଁ ।’’

 

ଏହିପରି ରାକ୍ଷସ କହୁଥାଏ ମୁଁ ଆଗ ଖାଇବି, ଚୋର କହୁଥାଏ ମୁଁ ଆମ ଗାଈ । ଚୋରି କରିବି, ଏହିପରି ଦୁଇଜଣଙ୍କର ତର୍କ ବିତର୍କରୁ ପାଟିତୁଣ୍ଡ ହେଲା । ପାଟିତୁଣ୍ଡ ଶୁଣି ବ୍ରାହ୍ମଣ ଉଠିପଡ଼ି ଠେଙ୍ଗା ଧରି ଚୋର ଓ ରାକ୍ଷସକୁ ତଡ଼ିଦେଲା । ଚୋର ଓ ରାକ୍ଷସ ଦୌଡ଼ି ପଳାଇଲେ ।

 

ଗଳ୍ପଟି ଶେଷକରି ତୃତୀୟ ମନ୍ତ୍ରୀ ପେଚକରାଜ ଅରିମର୍ଦ୍ଦଙ୍କୁ କହିଲେ, “ମହାରାଜ, ଏଇଥିପାଇଁ କହୁଥିଲିକି କୁଆଟିକୁ ରଖନ୍ତୁ । ଭବିଷ୍ୟରେ କାମରେ ଆସିବ ।’’

 

ମନ୍ତ୍ରୀମାନଙ୍କର ପରାମର୍ଶ ଶୁଣିଲାପରେ ପେଚକରାଜ ଅରିମର୍ଦ୍ଦ କୁଆକୁ ଡକାଇ କହିଲେ, “ହେ ସ୍ୱଜାତି-ପରିତ୍ୟକ୍ତ କୁଆ, ମୁଁ ତୁମକୁ ଅଭୟ ଦେଉଛି । ତୁମେ ମୋର ପ୍ରଜା ହୋଇ ଖୁସିରେ ରହିବ । ଆଉ ଯେତେଦିନ ପର୍ଯ୍ୟନ୍ତ ତୁମେ ଅସୁସ୍ଥ ଥିବ, ସେତେଦିନ ପର୍ଯ୍ୟନ୍ତ ପେଚାମାନେ ତୁମପାଇଁ ଖାଦ୍ୟ ଯୋଗାଇବେ ।

 

କୁଆ କହିଲା, “ମହାରାଜ ଅରିମର୍ଦ୍ଦଙ୍କର ଜୟ ହେଉ । ମହାରାଜ, ଆପଣ ମୋତେ ଆଶ୍ରୟ ଦେଇ ଯେଉଁ ଉପକାର କଲେ, ସେଥିପାଇଁ ମୋର ଇଚ୍ଛା ହେଉଛି ପେଚା ଜନ୍ମ ପାଇ କୁଆମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବାକୁ ।

 

ପେଚକରାଜା ଅରିମର୍ଦ୍ଦଙ୍କର ପ୍ରଥମ ମନ୍ତ୍ରୀ କୁଆକୁ ଆଶ୍ରୟ ଦେବା ପ୍ରସଙ୍ଗକୁ ପସନ୍ଦ କଲେ ନାହିଁ । ସେ କୁଆକୁ ଥଟ୍ଟା କରି କହିଲେ, "ହେ କୁଆ, ତୁମର ଆଉ ପେଚକ ଜନ୍ମର ଆବଶ୍ୟକତା ନାହିଁ । ତୁମର କାକ-ଜନ୍ମ ହିଁ ପ୍ରଶଂସାର ଯୋଗ୍ୟ । ତୁମେ ଯେପରି ଭାବରେ ଶତ୍ରୁପକ୍ଷର ବିଶ୍ୱାସଭାଜନ ହେଲା, ସେଥିପାଇଁ ପ୍ରଶଂସା ନ କରି ରହିପାରୁନି ! ଶୁଣାଯାଏ, ମୂଷାଟିଏ ସୂର୍ଯ୍ୟ, ମେଘ, ବାୟୁ ଓ ପର୍ବତକୁ ପରିତ୍ୟାଗ କରି ସ୍ୱଜାତିକୁ ପ୍ରାପ୍ତ ହୋଇଥିଲା । କାରଣ ସ୍ଵଜାତି ପରିତ୍ୟାଗ କରିବା ବଡ଼ କଠିନ ।’’

 

ମହାରାଜ ଅରିମର୍ଦ୍ଦ କହିଲେ, “ମୂଷା କଥାଟା କ’ଣ ଠିକ୍ ଭାବରେ ବୁଝିପାରିଲି । ନାହିଁ ।

 

ତା’ପରେ ପ୍ରଥମ ମନ୍ତ୍ରୀ “ସ୍ଵଭାବ ମଲେ ତୁଟେ’ ଗଳ୍ପଟି କହିବାକୁ ଲାଗିଲେ ।

Image

 

ସ୍ଵଭାବ ମଲେ ତୁଟେ

Image

ଜଣେ ମୁନି ଗଙ୍ଗାକୂଳରେ ରହୁଥିଲେ । ସେ ପ୍ରତିଦିନ ଗଙ୍ଗାସ୍ନାନ ସାରି ଆହ୍ନିକ କରୁଥିଲେ । ଦିନେ ଆହ୍ନିକ ଶେଷରେ ଇଷ୍ଟଦେବତାଙ୍କୁ ପ୍ରଣାମ ଜଣାଇ ଉଠିଲାବେଳକୁ ଗୋଟିଏ ଛଞ୍ଚାଣ ଥଣ୍ଟରୁ ଛୋଟ ମୂଷାଛୁଆଟିଏ ମୁନିଙ୍କ ସମ୍ମୁଖରେ ଖସିପଡ଼ିଲା । ମୁନି ଭାବିଲେ, ଇଷ୍ଟଦେବ ହିଁ ଏହି ମୂଷାଛୁଆଟିକୁ ପଠାଇଛନ୍ତି । ଏହାକୁ ମୁଁ ପାଳିବି ।

 

ମୁନି ମନ୍ତ୍ରବଳରେ ମୂଷାଛୁଆଟିକୁ ଛୋଟ ଏକ ଝିଅରେ ପରିଣତ କରିଦେଲେ । ଆଶ୍ରମକୁ ଫେରି ସ୍ତ୍ରୀଙ୍କୁ କହିଲେ, “ଦେଖ, ସନ୍ତାନ ନ ଥିବାରୁ ତୁମର ମନଦୁଃଖ ଥିଲା । ଏଇ ଟିକି ଝିଅଟିକୁ ତୁମେ ନିଅ’’ ।

 

ଟିକି ଝିଅଟିକୁ ପାଇ ମୁନିପତ୍ନୀ ଖୁସିରେ ଲାଳନ ପାଳନ କଲେ । ଦେଖୁ ଦେଖୁ ଷୋଳଟି ବସନ୍ତ ପାର ହୋଇ ସେହି ଟିକି ଝିଅଟି ବଡ଼ ହୋଇଗଲା । ମୁନିପତ୍ନୀ କହିଲେ, “ଶୁଣୁଛ, ଝିଅର ଏବେ ବାହାଘର କରିବାକୁ ହେବ । ଗୋଟିଏ ଭଲ ପ୍ରସ୍ତାବ ଦେଖ ।

 

ମୁନି କହିଲେ, “ସତେ, ବାହାଘର କରିବା ବିଷୟ ମୁଁ କେବେ ଚିନ୍ତା କରିନାହିଁ । ମୁଁ ଏବେ ବରପାତ୍ର ପାଇବି କେଉଁଠି ? ପାତ୍ର ଖୋଜି ପାଇବା ସହଜ କଥା ନୁହେଁ । ଶାସ୍ତ୍ରରେ ଅଛି–କୁଳ, ଶୀଳ, ସାହସ, ବିଦ୍ୟା, ଅର୍ଥ, ଚେହେରା ଓ ବୟସ ଦେଖି ପାତ୍ର ଠିକ୍ କରାଯାଏ । ଯାହାହେଉ, ଏବେ ଯେକୌଣସିମତେ ଗୋଟିଏ ପାତ୍ର ଠିକ୍ କରିବାକୁ ହେବ ।

 

ଭାବି ଭାବି ମୁନି ଗୋଟିଏ ପାତ୍ର ଠିକ୍ କଲେ । ମୁନି ଝିଅକୁ ପାଖକୁ ଡାକି ଆଦର କରି କହିଲେ, “ମା, ଯଦି ସୂର୍ଯ୍ୟଙ୍କ ସାଙ୍ଗରେ ତୋର ବିବାହ ଦିଏ, ତୋର କ’ଣ କିଛି ଆପତ୍ତି ଅଛି ?”

 

‘‘ତା ହେଲେ ତ ବଡ଼ ମୁସ୍କିଲ କଥା । ତାଙ୍କର କେତେ ତେଜ ! ତାଙ୍କୁ ବାହା ହେବି ନାହିଁ-। ଝିଅଟି ଉତ୍ତର ଦେଲା ।

 

ମୁନି ପଚାରିଲେ, “ତାହେଲେ ମା, ତୁ କାହାକୁ ବିବାହ କରିବୁ ?”

 

ସୂର୍ଯ୍ୟଙ୍କଠାରୁ ଯିଏ ବଡ଼, ତାଙ୍କୁ ବିବାହ କରିବି ।’’ ଝିଅଟି କହିଲା । ମୁନି–ସୂର୍ଯ୍ୟଙ୍କଠାରୁ ବଡ଼ କିଏ, ସୂର୍ଯ୍ୟଙ୍କୁ ପଚାରି ବୁଝୁଛି । ହେ ସୂର୍ଯ୍ୟଦେବ, ଆପଣଙ୍କ ଠାରୁ ବଡ଼ କିଏ ?

 

ସୂର୍ଯ୍ୟ–ମୋ’ଠାରୁ ବଡ଼ ମେଘ । ମେଘ ସମୟେ ସମୟେ ମୋତେ ଢାଙ୍କିପକାଏ ।

 

ସୂର୍ଯ୍ୟଙ୍କ କଥା ଶୁଣି ଝିଅଟି କହିଲା, “ନା, ନା, ମୁଁ ମେଘକୁ ବାହା ହେବି ନାହିଁ । ସେ ଭାରି କଳା । ମେଘଠାରୁ ବଡ଼ କାହାକୁ ହେଲେ ବାହାହେବି ।’’

 

ମୁନି ମେଘକୁ ଡାକି ପଚାରିଲେ, “ହେ ମେଘ, ତୁମଠାରୁ ବଡ଼ କିଏ ?

 

ମେଘ ଉତ୍ତର ଦେଲେ, “ମୋଠାରୁ ବଡ଼ ବାୟୁ । ବାୟୁ ଯୁଆଡ଼େ ଇଚ୍ଛା ସିଆଡ଼େ ମୋତେ ଉଡ଼ାଇନିଏ । ଏପରିକି ବାୟୁ ମୋତେ ଖଣ୍ଡ ଖଣ୍ଡ କରି ଭସାଇନିଏ ।’’

 

ଝିଅଟି ସବୁକଥା ଶୁଣି କହିଲା, “ଛି, ଛି । ବାୟୁକୁ କିଏ ବିଭା ହୁଏ ? ବାୟୁ ବଡ଼ ଚଞ୍ଚଳ । ତାଙ୍କର ନା ବୁଦ୍ଧି, ନା ମୁଣ୍ଡ ଠିକ୍ ଥାଏ । ବାୟୁଠାରୁ ଯିଏ ବଡ଼, ମୁଁ ତାଙ୍କୁ ବାହାହେବି ।’’

 

ମୁନି ବାୟୁଙ୍କୁ ପଚାରିଲେ, “ତୁମ୍ଭ ଠାରୁ ବଡ଼ କିଏ ? ବାୟୁ କହିଲେ, ମୋ’ଠାରୁ ପର୍ବତ ବଡ଼ । ପର୍ବତ ମୋତେ ବାଧା ଦିଏ ।”

 

ଝିଅଟି କହିଲା, “ମୁଁ ବୁଢ଼ା ପର୍ବତକୁ ବିବାହ କରିବି ନାହିଁ । ତାଙ୍କର ତ ହଲଚଲ ହେବାର ଶକ୍ତି ନାହିଁ ।

 

ମୁନି କହିଲେ, “କି ଆଶ୍ଚର୍ଯ୍ୟ ! ପର୍ବତଠାରୁ ବଡ଼ ପାତ୍ର ଦରକାର ନା କ’ଣ ? ଝିଅଟି କହିଲା, ହଁ ବାବା, ପର୍ବତଠାରୁ ବଡ଼ ପାତ୍ର ଆବଶ୍ୟକ ।

 

ମୁନି–ହେ ଆକାଶସ୍ପର୍ଶୀ ପର୍ବତ, ମୋ ଝିଅ ପାଇଁ ତୁମଠାରୁ ବଡ଼ ପାତ୍ର କିଏ ଅଛି, ତୁମେ ହିଁ କହିଦିଅ । । ପର୍ବତ-ହେ ମୁନିବର, ମୋଠାରୁ ବଡ଼ ହେଉଛି ମୁଷା । ମୂଷ। ମୋ ଦେହରେ ଗାତ କରି ମୋତେ ଅସ୍ତବ୍ୟସ୍ତ କରିଦିଏ । ମୋ’ ଦେହରେ ଏ ମୁଣ୍ଡରୁ ସେ ମୁଣ୍ଡଯାଏ । ଗାତ କରି ବାଟ ଖୋଲିଦିଏ ।

 

ମୁନି ଝିଅକୁ ପଚାରିଲେ, “ମୂଷା ସାଙ୍ଗରେ ତୋର ବିବାହ ହେଲେ କିଛି ଆପତ୍ତି ନାହିଁ ତ-?

 

ଝିଅଟି ହସି ହସି କହିଲା, “ହଁ ବାବା, ମୂଷା ସାଙ୍ଗରେ ମୋତେ ବାହା ଦିଅନ୍ତୁ । ମୋତେ ମୂଷା କରିଦିଅନ୍ତୁ ।’’

 

ମୁନି କନ୍ୟାକୁ ପୁଣି ମୂଷାରେ ପରିଣତ କରିଦେଲେ । ଅଗତ୍ୟା, ମୂଷା ସାଙ୍ଗରେ ତାର ବିବାହ ହେଲା

 

ଗଳ୍ପ ଶେଷକରି ପ୍ରଥମ ମନ୍ତ୍ରୀ କହିଲେ, “ମହାରାଜ, ଆପଣ ଶତ୍ରୁର ଗୁପ୍ତଚର ଏହି କୁଆ କଥାରେ ବିଶ୍ଵାସ କରି ନିଜର ଏବଂ ଆମ ସମସ୍ତଙ୍କର ବିପଦକୁ ବରଣ କରିଛନ୍ତି । ତେଣୁ ମୁଁ ମୋର ଦଳବଳ ନେଇ ଅନ୍ୟ ସ୍ଥାନକୁ ଚାଲିଯାଉଛି । ଏହିକଥା ରାଜାଙ୍କୁ କହି ସେହି ରାଜନୀତିଜ୍ଞ ମନ୍ତ୍ରୀ ତାଙ୍କର ଦଳବଳ ଧରି ଚାଲିଗଲେ ।

 

କୁଆଟି ମହାରାଜାଙ୍କର ଆଶ୍ୱାସନା ଲାଭକରି ସେହି ପେଚାଙ୍କ ଦଳରେ ରହିଲା । ସେ ମହାରାଜ ଅରିମର୍ଦ୍ଦଙ୍କର ଅନୁମତି ନେଇ ଦୁର୍ଗର ପ୍ରବେଶ ଦ୍ୱାର ନିକଟରେ ବସା ବାନ୍ଧି ରହିଲା ।

 

ଜ୍ଞାତିପରିଜନ-ପରିତ୍ୟକ୍ତ ସେହି ଆହତ କୁଆପାଇଁ ପେଚାମାନେ ବିଭିନ୍ନ ସମୟରେ ନାନା ରକମ ଖାଦ୍ୟ ଆଣି ଦେଉଥାନ୍ତି । କୁଆ ତାହା ଖାଇ ବେଶ୍ .. ଆନନ୍ଦରେ ଥାଏ । କ୍ରମେ ତାର ଶରୀର ବେଶ୍ ତାଜା ହୋଇଗଲା । ତା ପରଠାରୁ । ସେ ନିଜେ ନିଜର ଖାଦ୍ୟ ସଂଗ୍ରହ କରିବାକୁ ଲାଗିଲା । ଆସ୍ତେ ଆସ୍ତେ ପ୍ରଚୁର କାଠିକୁଟା ଆଣି ନିଜର ବସାଟାକୁ ଦୃଢ଼ କଲା । ଦେଖୁ ଦେଖୁ ତାର ବସାଟା ଗୋଟିଏ । ପ୍ରକାଣ୍ଡ ଆକୃତି ଧାରଣ କଲା ।

 

ପ୍ରଥମେ ପ୍ରଥମେ ପେଚାମାନେ ସେହି କୁଆ ଉପରେ କଡ଼ା ନଜର ରଖୁଥିଲେ । ଏବେ ତାକୁ ବିଶ୍ଵାସ କରି ସ୍ୱାଧୀନ ଭାବରେ ବିଚରଣ କରିବାକୁ ଛାଡ଼ିଦେଲେ । ସୁଯୋଗ ଦେଖି ଦିନେ ପେଚାମାନଙ୍କର ଆଶ୍ରିତ ସେହି ବୁଢ଼ା କୁଆଟି ଲୁଚି ଲୁଚି ଯାଇ କାକରାଜ ମେଘବର୍ଣ୍ଣଙ୍କୁ ଦେଖାକରି କହିଲା, “ମହାରାଜ, ସବୁ ଠିକ୍ ଠିକ୍ ବ୍ୟବସ୍ଥା କରିଦେଇଛି । କାର୍ଯ୍ୟ ପ୍ରାୟ ଶେଷ, ଆଉ ଯାହାକିଛି ବାକି ଅଛି, । ତାହା ଆପଣଙ୍କ ପାଇଁ ।’’

 

ମହାରାଜ ମେଘବର୍ଣ୍ଣ ପଚାରିଲେ, “ମନ୍ତ୍ରିବର, ଆପଣ କୁହନ୍ତୁ, ମୋତେ କ’ଣ କରିବାକୁ ହେବ ?’

 

ମନ୍ତ୍ରୀ କହିଲେ, “ମହାରାଜ, କାଲି ଦିନବେଳା ଯେତେବେଳେ ପେଚାମାନଙ୍କୁ ଭଲ ଦେଖାଯାଏ ନାହିଁ, ସେତିକିବେଳେ ଆପଣମାନେ ଯାଇ ଏକମୁଖୀ ଦୁର୍ଗର ‘ଦ୍ୱାରଦେଶରେ ମୁଁ ଯେଉଁ ବସାଟା ବାନ୍ଧିଛି, ସେଥିରେ ନିଆଁ ଲଗାଇଦେବେ । ତେବେ, ଗୋଟିଏ ହେଲେ ପେଚା ଜିଅନ୍ତା ବଞ୍ଚିବେ ନାହିଁ ।’’

 

ପରାମର୍ଶ ଅନୁସାରେ ପରଦିନ ପ୍ରତ୍ୟେକ କୁଆ ଖଣ୍ଡିଏ ଖଣ୍ଡିଏ ଜଳନ୍ତା କାଠି ଥଣ୍ଟରେ କାମୁଡ଼ିଧରି ଦୁର୍ଗର ପ୍ରବେଶ ପଥରେ ଥିବା କାକମନ୍ତ୍ରୀଙ୍କ ବସା ଉପରେ ପକାଇବାକୁ ଲାଗିଲେ । ଚାହୁଁ ଚାହୁଁ ଚାରିଆଡ଼େ ନିଆଁ ଖେଳିଗଲା । ସେତେବେଳେ ଦୁର୍ଗଭିତରେ ଥିଲେ ହଜାର ହଜାର ପେଚା । ତାଙ୍କ ଭିତରୁ କେହି ଜଣେ ହେଲେ ବଞ୍ଚିଲେ ନାହିଁ । ଶତ୍ରୁର ଛଳନାରେ ଭୁଲି ପେଚକରାଜ ଅରିମର୍ଦ୍ଦ ସବଂଶେ ପୋଡ଼ି ମଲେ । ମଲାବେଳେ ପେଚକରାଜ ଅରିମର୍ଦ୍ଦ କହିଲେ-“ମନ୍ତ୍ରୀମାନେ ଯଦି କୁପରାମର୍ଶ ଦେବେ, ତେବେ ରାଜା କ’ଣ ବା କରିପାରିବେ ?

 

ରାଜ୍ୟ ଫେରିପାଇ କୁଆମାନେ ଆନନ୍ଦ ଉତ୍ସବ କରିବାରେ ଲାଗିଗଲେ । କାକରାଜ ମେଘବର୍ଣ୍ଣ ସେହି ବୃଦ୍ଧମନ୍ତ୍ରୀଙ୍କୁ ଡାକି କହିଲେ, “ମନ୍ତ୍ରିବର, ଆପଣଙ୍କ ଯୋଗୁଁ ହିଁ ଆଜି ଆମର ଜୟ ହେଲା । ଆପଣଙ୍କ ପରି ସତ୍ ପରାମର୍ଶଦାତାଙ୍କ ପାଇଁ ଆମେ ଗର୍ବିତ । ଆପଣ ଏବେ ଆମକୁ ଗୋଟେ ଦୁଇଟା ତତ୍ତ୍ୱକଥା କୁହନ୍ତୁ, ଶୁଣିବା ।’’

 

କିଛିକ୍ଷଣ ଚିନ୍ତା କଲାପରେ ବୃଦ୍ଧମନ୍ତ୍ରୀ କହିଲେ, “ମହାରାଜ, ମୋର ବେଶି କିଛି କହିବାର ନାହିଁ । ତେବେ, ଗୋଟିଏ ଦୁଇଟି ଉପଦେଶ ଆପଣଙ୍କୁ ଦେଉଛି । ମହାରାଜ, ରାଜ୍ୟ ପାଇ ଅନେକେ ହିତାହିତ ଜ୍ଞାନ ଶୂନ୍ୟ ହୋଇପଡ଼ନ୍ତି । ସେତେବେଳେ ସେମାନେ କୁକର୍ମ କରିବାକୁ ପଛାନ୍ତି ନାହିଁ । ମନେ ରଖିବାକୁ ହେବ ଯେ, ଲକ୍ଷ୍ମୀ ବଡ଼ ଚଞ୍ଚଳା । ତାଙ୍କୁ ଚିରଦିନ ରକ୍ଷା କରିବା ଉଚିତ ।

 

“ମହାରାଜ, ଆଉ ଗୋଟିଏ କଥା ଆପଣଙ୍କୁ କହୁଛି, ଲୋଭୀର ଯଶ, ସ୍ୱାର୍ଥପର ଲୋକର ଧର୍ମ, ବିଳାସୀ ଲୋକର ବିଦ୍‌ବତ୍ତା, କୃପଣର ସୁଖସ୍ୱାଚ୍ଛନ୍ଦ୍ୟ, ଏ ସମସ୍ତ ନଷ୍ଟ ହୋଇଥାଏ ଏବଂ ଯେଉଁ ରାଜାଙ୍କର ମନ୍ତ୍ରୀ ଅସାବଧାନ ବା ଅବିବେକୀ, ସେହି ରାଜ୍ୟ ମଧ୍ୟ ନଷ୍ଟ ହୋଇଥାଏ । ପେଚକରାଜା ଅରିମର୍ଦ୍ଦ ଯଦି ତାଙ୍କର ବିଜ୍ଞ ପ୍ରଥମ ମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ମୋତେ ହତ୍ୟା କରି ଥାନ୍ତେ ବା ତଡ଼ିଦେଇଥାନ୍ତେ, ତେବେ ଉପଯୁକ୍ତ କାର୍ଯ୍ୟ ହୋଇଥାନ୍ତା । ସେମାନେ ସବଂଶେ ପୋଡ଼ି ମରି ନଥାନ୍ତେ । କିନ୍ତୁ ଅରିମର୍ଦ୍ଦଙ୍କର ଅନ୍ୟ ସମସ୍ତ ମନ୍ତ୍ରୀ ଥିଲେ ଅବିବେକୀ । ସେଇଥିପାଇଁ ସେମାନେ ଧ୍ୱଂସ ହେଲେ । ପୁଣି ମୁଁ ସେଠାକୁ ଯାଇ ହୀନମ୍ମନ୍ୟତା ସ୍ୱୀକାର କରି ରହିଲି, ତାର ମଧ୍ୟ ଉଦ୍ଦେଶ୍ୟ ଥିଲା । କୁହାଯାଇଛି ଯେ ବୁଦ୍ଧିମାନ୍ ଲୋକ ଦୁଃସମୟରେ ଶତ୍ରୁକୁ ମଧ୍ୟ କନ୍ଧରେ ବସାଇଥାଏ । ଯେପରି ଥରେ ଗୋଟିଏ ସାପ ବେଙ୍ଗକୁ ତା ଉପରେ ବସାଇଥିଲା ।

 

ମେଘବର୍ଣ୍ଣ ଆଶ୍ଚର୍ଯ୍ୟ ହୋଇ କହିଲେ, ଆଶ୍ଚର୍ଯ୍ୟ କଥା, ସାପ ବେଙ୍ଗକୁ ବହନ କରିଥିଲା-?

 

ମନ୍ତ୍ରୀ କହିଲେ, “ହଁ ମହାରାଜ, ତେବେ ଶୁଣନ୍ତୁ ଗୋଟିଏ ଗଳ୍ପ ।

 

ତା ପରେ ବୃଦ୍ଧ କାକମନ୍ତ୍ରୀ ‘ଛୋଟ ଛୋଟ ବେଙ୍ଗ ଖାଅ’’ ଗଟି କାକରାଜ ମେଘବର୍ଣ୍ଣଙ୍କୁ ଶୁଣାଇଲେ ।

Image

 

ଛୋଟ ଛୋଟ ବେଙ୍ଗ ଖାଅ

Image

ସାପର ସ୍ଵଭାବ ଯେପରି ହିଂସ୍ର, ସେହିପରି କୁଟିଳ । କୁଟିଳ ତଥା ହିଂସ୍ର ସ୍ଵଭାବ ସତ୍ତ୍ୱେ ଥରେ ଗୋଟିଏ ସାପ ବେଙ୍ଗରାଜାଙ୍କର ବିଶ୍ୱସ୍ତ ହୋଇପାରିଥିଲା ।

 

ସାପଟି ବୁଢ଼ା । ଏଣେ ତେଣେ ଚଲାବୁଲା କରିବା କିମ୍ବା ବେଙ୍ଗକୁ ଗୋଡ଼ାଇ ଧରି ଖାଇବା ତା ପକ୍ଷରେ ସମ୍ଭବ ନ ଥିଲା । ବୁଢ଼ାସାପଟି ମନେ ମନେ ଗୋଟିଏ ଉପାୟ ସ୍ଥିର କରି ବେଙ୍ଗମାନଙ୍କର ରାଜାଙ୍କୁ ସାକ୍ଷାତ୍ କରି କାନ୍ଦି କାନ୍ଦି କହିଲା, ‘‘ହେ ବେଙ୍ଗମହାରାଜ, ଜୀବନରେ ମୁଁ ବହୁତ ଭୟଙ୍କର ପାପମାନ କରିଛି । ଏବେ ମୋତେ ସେହି ପାପର ପ୍ରାୟଶ୍ଚିତ୍ତ କରିବାକୁ ଦିଅନ୍ତୁ । ନ ହେଲେ ମୋତେ ଅନନ୍ତକାଳ ପାଇଁ ନରକ ଭୋଗ କରିବାକୁ ପଡ଼ିବ ।’’

 

ସାପର କପଟ କାନ୍ଦଣାରେ ଭୁଲି ବେଙ୍ଗରାଜା କହିଲେ, “ଯଦିଓ ତୁମେ ଆମର ଚିରକାଳର ଶତ୍ରୁ, ତେବେ ସୁଦ୍ଧା ତୁମର ବୃଦ୍ଧାବସ୍ଥା କଥା ଚିନ୍ତା କରି ମୁଁ ତୁମକୁ ବିଶ୍ୱାସ କରୁଛି । ଏବେ ତୁମପାଇଁ ମୁଁ କ’ଣ କରିପାରିବି, ମୋତେ କୁହ ।

 

ବୁଢ଼ାସାପଟି କହିଲା, “ହେ ଦୟାର ସାଗର ବେଙ୍ଗମହାରାଜ, ଜଣେ ସିଦ୍ଧ । ମୁନି ମୋତେ କହିଥିଲେ ଯେ, ଯଦି ମୁଁ ବାକି ଜୀବନସାରା ବେଙ୍ଗମହାରାଜଙ୍କୁ ମୁଣ୍ଡରେ ମୁଣ୍ଡାଇ ବୁଲିବି, ତେବେ ମୋର ପ୍ରାୟଶ୍ଚିତ୍ତ ହେବ । ସାରା ଜୀବନ ମୁଁ ଯେତେ ବେଙ୍ଗ ହତ୍ୟା କରିଛି, ଏହି ଶାସ୍ତି ଗ୍ରହଣ କଲେ ପାପରୁ ମୁକ୍ତି ମିଳିବ । ମହାରାଜ, ଆପଣ ଏବେ ମୋର ମୁଣ୍ଡ ଉପରେ ଚଢ଼ି ମୋର ଜୀବନକୁ ଧନ୍ୟ କରନ୍ତୁ ।’’

 

ପରଦୁଃଖକାତର ଦୟାର ଅବତାର ସେହି ବେଙ୍ଗରାଜା ତା ପରଠାରୁ କପଟୀ ବୁଢ଼ାସାପ ମୁଣ୍ଡରେ ଚଢ଼ି ଘୂରିବୁଲିଲେ । ସାପପରି ଶତ୍ରୁ ମୁଣ୍ଡରେ ବସିବା ମଧ୍ୟ ବେଙ୍ଗରାଜାଙ୍କ ପକ୍ଷରେ କ’ଣ କମ୍ ଗୌରବର କଥା !

 

ଏଣେ ସାପ ବେଙ୍ଗକୁ ମୁଣ୍ଡରେ ବସାଇ ବୁଲୁଥିବା ଦେଖି ଅନ୍ୟ ସାପମାନେ କହିଲେ, “ରେ କୁଳାଙ୍ଗାର, ବେଙ୍ଗ ଆମର ଭକ୍ଷ୍ୟ । ତୁ ତାକୁ ମୁଣ୍ଡରେ ବସାଇ ଆମ ବଂଶରେ କାଳି ଲଗାଇଲୁ-?”

 

ବେଙ୍ଗକୁ ମୁଣ୍ଡାଇ ବୁଲୁଥୁବା ବୁଢ଼ାସାପଟି ତତ୍‌କ୍ଷାଣତ୍‌ ଉତ୍ତର ଦେଲା, ‘‘ଭାଇମାନେ, କାର୍ଯ୍ୟସିଦ୍ଧି ପାଇଁ ବହୁ ଅପମାନଜନକ କାର୍ଯ୍ୟ କରିବାକୁ ପଡ଼ିଥାଏ । ସେଥିରେ ଲାଜ କାହିଁକି ?

 

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ବୁଢ଼ାସାପଟି ବେଙ୍ଗରାଜାଙ୍କୁ ମୁଣ୍ଡାଇ ବୁଲିବାକୁ ଲାଗିଲା । ସନ୍ଧ୍ୟାବେଳକୁ ଯେତେବେଳେ ସେ କ୍ଳାନ୍ତ ହୋଇପଡ଼େ, ସେତେବେଳେ କହେ, ହେ ମହାମାନ୍ୟ ବେଙ୍ଗମହାରାଜ, ଭୋକରେ ମୁଁ ଆଉଟୁ ପାଉଟୁ ହେଉଛି । ଆଉ ଚାଲିପାରୁ ନାହିଁ ।

 

ବେଙ୍ଗରାଜ କହନ୍ତି, “ଠିକ୍ କଥାତ । ଦିନସାରା ବୁଲାବୁଲି କଲେ କାହାକୁ ବା ଭୋକ ଲାଗିବ ନାହିଁ ? ତୁମେ ଛୋଟ ଛୋଟ କେତେଟା ବେଙ୍ଗ ଧରି ଖାଅ ।’’

 

ଏହିପରି ଦିନ ଗଡ଼ିଚାଲିଲା । ଶେଷକୁ ଏପରି ହେଲା ଯେ, ବେଙ୍ଗରାଜା ତାଙ୍କ ନିଜର ପ୍ରଜା ବୋଲି କହିବାପାଇଁ କେହି ରହିଲେ ନାହିଁ । ଶେଷରେ ଦିନେ ବୁଢ଼ାସାପଟି ବେଙ୍ଗମହାରାଜଙ୍କୁ ଖାଇ ସକାଳର ଜଳଖିଆ ପର୍ବ ଶେଷ କଲା ।

 

ଗଳ୍ପ ଶେଷରେ କାକରାକ ମେଘବର୍ଣ୍ଣ କହିଲେ, “ମନ୍ତ୍ରିବର, ଆପଣଙ୍କର କୌଶଳ ଯୋଗୁଁ ମୋର ସମସ୍ତ ଶତ୍ରୁ ନିପାତ ହେଲେ । ଏବେ ମୁଁ ନିଷ୍କଣ୍ଟକ । ଶାସ୍ତ୍ରରେ ଅଛି–ଜ୍ଞାନୀ ଲୋକମାନେ ସର୍ବଦା ରଣଶେଷ, ଅଗ୍ନିଶେଷ, ଶତ୍ରୁଶେଷ ଏବଂ ରୋଗର ଶେଷ ରଖନ୍ତି ନାହିଁ । ଆପଣ ସତରେ ଜ୍ଞାନୀ । ଆପଣ ଧନ୍ୟ ।’’

 

ମନ୍ତ୍ରୀ କହିଲେ, “ମହାରାଜ, ମନ୍ତ୍ରୀ ହିସାବରେ ମୁଁ ମୋର କର୍ତ୍ତବ୍ୟ କରିଛି । ଅଧିକ କିଛି କରିନାହିଁ । ତା ଛଡ଼ା ମୁଁ ଆପଣଙ୍କୁ ପୂର୍ବରୁ କହିଛି–ମହାରାଜ, ମୁଁ ରାଜା, ଏହା ଭାବି ଆପଣ କେବେହେଲେ ଗର୍ବ କରିବେ ନାହିଁ । କାରଣ, କାଳ ସମସ୍ତଙ୍କୁ ବିନାଶ କରିଥାଏ । ନହେଲେ ଇନ୍ଦ୍ରସଦୃଶ ରାଜା ଦଶରଥ ଆଜି କାହାନ୍ତି ? ମହାରାଜ ସଗର କାହାନ୍ତି ? ସୂର୍ଯ୍ୟଙ୍କର ପୁତ୍ର ମନୁ ଆଜି କାହାନ୍ତି ? ମହାରାଜ, ଏ ସମସ୍ତ ବିଷୟ ଆପଣ ଟିକିଏ ଚିନ୍ତା କରିବେ । ଯେଉଁ ରାଜା ନହୁଷ ଦେବତାମାନଙ୍କ ଉପରେ ମଧ୍ୟ ଆଧିପତ୍ୟ ବିସ୍ତାର କରିଥିଲେ, ସେ ଆଜି କାହାନ୍ତି ? କାଳ ସମସ୍ତଙ୍କୁ ସୃଷ୍ଟି କରେ ଏବଂ ସମସ୍ତଙ୍କୁ ହରଣ କରିନିଏ ।

 

ମେଘବର୍ଣ୍ଣ କହିଲେ, “ହେ ନୀତିଶାସ୍ତ୍ରଜ୍ଞ ମନ୍ତ୍ରିପ୍ରବର, ଆପଣଙ୍କ କଥା ଶୁଣି ମନରେ ଅତ୍ୟନ୍ତ ଶାନ୍ତି ଲାଭ କଲି ।’’

Image

 

ବୋକା କୁମ୍ଭୀର

Image

ଯମୁନାନଦୀକୂଳରେ ଗୋଟିଏ ପ୍ରକାଣ୍ଡ ଜାମୁକୋଳିଗଛ ଥିଲା । ଗଛଟି ବହୁକାଳର ଏବଂ ବାରମାସୀ । ସେହି ଗଛରେ ବଡ଼ ବଡ଼ ଜାମୁକୋଳି ବର୍ଷସାରା ସବୁ ଋତୁରେ ଫଳୁଥିଲା । କୋଳିଗୁଡ଼ିକ ଖୁବ୍ ମିଠା ଓ ସୁସ୍ୱାଦୁ, ସତେ ଯେମିତି ଅମୃତ ।

 

ସେହି ଜାମୁଗଛରେ ଗୋଟିଏ ମାଙ୍କଡ଼ ରହୁଥିଲା । ମାଙ୍କଡ଼ଟି ବର୍ଷସାରା ଜାମୁକୋଳି ଖାଇ ବଞ୍ଚିଥିଲା । ମାଙ୍କଡ଼ଟି ସେହି ଗଛରେ ଏକୁଟିଆ ରହୁଥିଲା ।

 

ତା’ର ନିଜର କେହି ଜ୍ଞାତି-ପରିଜନ ନ ଥିଲେ । କେବଳ ମାତ୍ର ଗୋଟିଏ କୁମ୍ଭୀର ତା’ର ବନ୍ଧୁ ଥିଲା । ଦୁହିଁଙ୍କ ଭିତରେ ବଡ଼ ଭାବ । ପ୍ରତିଦିନ କୁମ୍ଭୀର ଜାମୁଗଛ ପାଖକୁ ଆସେ, ଖରା ପୁଏଁ ଏବଂ ମାଙ୍କଡ଼ ବନ୍ଧୁ ସାଙ୍ଗରେ ଗପସପ କରି ସନ୍ଧ୍ୟାବେଳକୁ ଫେରିଯାଏ ।

 

କୁମ୍ଭୀର ଫେରିଲାବେଳକୁ ମାଙ୍କଡ଼ କହେ, “ବନ୍ଧୁ, ଏତକ ଜାମୁକୋଳି ନେଇଯାଅ, ବନ୍ଧୁପତ୍ନୀ ଖାଇବେ ।

 

କୁମ୍ଭୀରର ସ୍ତ୍ରୀ ବଡ଼ ଲୋଭୀ । ସେ ଦିନେ କୁମ୍ଭୀରକୁ କହିଲା, “ଦେଖ, ଯଦି କଥା ରଖିବ, ତେବେ ଗୋଟିଏ କଥା କହିବି ।”

 

କୁମ୍ଭୀର କହିଲା, “ପ୍ରିୟେ, କେବେ ତୁମର କଥା ରଖିନି ଯେ ଆଜି ଏପରି ଅଭିମାନିଆ କଥା କହୁଛ ? ତୁମ କଥାରେ ମୁଁ ରାଜି । କୁହ, କ’ଣ କହିବ ।’’

 

କୁମ୍ଭୀରର ସ୍ତ୍ରୀ ଗେହ୍ଲେଇ ହୋଇ କହିଲା, “ମୋର ମନେହୁଏ, ତୁମର ମାଙ୍କଡ଼ବନ୍ଧୁ ଦିନରାତି ଜାମୁକୋଳି ଖାଇ ଖାଇ ତାଙ୍କର ହୃତ୍ପିଣ୍ଡଟା ଅମୃତପରି ରସାଳ ଓ ସୁସ୍ୱାଦୁ ହୋଇଥିବ । ତାଙ୍କର ହୃତ୍ପିଣ୍ଡଟା ଖାଇବାକୁ ମୋର ଭାରି ରଚ୍ଛା । ତୁମେ ତାଙ୍କୁ ଆମ ଘରକୁ ନେଇଆସ ।

 

କୁମ୍ଭୀର ବଡ଼ ବ୍ୟସ୍ତ ହୋଇ କହିଲା, “ପ୍ରିୟେ, ଏ କି କଥା କହୁଛି ! ମାଙ୍କଡ଼ ମୋର ଅତି ଘନିଷ୍ଠ ବନ୍ଧୁ । ମୁଁ ତାଙ୍କର କିଛି ଅନିଷ୍ଟ କରିପାରିବି ନାହିଁ ।”

 

କୁମ୍ଭୀରର ସ୍ତ୍ରୀ ସକେଇ ସକେଇ କହିଲା, “ହେଇ ଦେଖ, ତୁମେ ଯଦି ଆଜି ତୁମର ମାଙ୍କଡ଼ବନ୍ଧୁଙ୍କୁ ନ ଆଣି ଆସିବ, ତା’ହେଲେ ମୁଁ ଆଜି ମୁଣ୍ଡ ପିଟି ମରିବି ।’’

 

କୁମ୍ଭୀରର ବା ଉପାୟ କ’ଣ ? ସ୍ତ୍ରୀକୁ ସନ୍ତୁଷ୍ଟ କରିବାକୁ ସେ କହିଲା, ‘କିଛି ଚିନ୍ତା କର ନାହିଁ । ତୁମର ମୁଣ୍ଡ ପିଟି ମରିବା ଦରକାର ନାହିଁ । ମୁଁ ଦେଖୁଛି, କ’ଣ କରାଯାଇପାରେ ।

 

ସବୁଦିନ ପରି କୁମ୍ଭୀର ଜାମୁଗଛ ତଳକୁ ଯାଇ ମାଙ୍କଡ଼ ସାଙ୍ଗରେ ଗପସପ କଲା । ସୁଯୋଗ ଦେଖି କୁମ୍ଭୀର କହିଲା, “ବନ୍ଧୁ, ତୁମକୁ ଆଜି ଗୋଟିଏ କଥା କହିବି, ରଖିବାକୁ ହେବ । ତୁମ ସାଙ୍ଗରେ ମୋର ବହୁଦିନର ବନ୍ଧୁତା । କୁହ, କଥା ରଖିବ କି ନାହିଁ ?

 

ମାଙ୍କଡ଼ କହିଲା, “‘ବନ୍ଧୁ, କଥାଟା ଯଦି ଅସମ୍ଭବ ନ ହୁଏ, ମୁଁ ନିଶ୍ଚୟ ତୁମ କଥା ମାନିବି-।”

 

କୁମ୍ଭୀର କହିଲା, ଆମ ଭିତରେ ଏତେ ଦିନର ବନ୍ଧୁତା, ଅଥଚ କୁହତ ତୁମେ ଦିନେହେଲେ ଆମ ଘରକୁ ଯାଇଛି କି ? ମୁଁ ସବୁଦିନ ତୁମ ଘରକୁ ଆସୁଛି । ତୁମ ଭାଉଜ ମୋତେ ଆଜି ଥଟ୍ଟା କରି କହିଲେ, ‘ତୁମ ଦୁହିଁଙ୍କର କିପ୍ରକାର ବନ୍ଧୁତ୍ୱ ? ଦିନେହେଲେ ତୁମେ ବନ୍ଧୁଙ୍କୁ ନିମନ୍ତ୍ରଣ କରି ଘରକୁ ଆଣିଲି ନାହିଁ । ଆଜି ଯେକୌଣସିମତେ ତୁମର ବନ୍ଧୁଙ୍କୁ ନିଶ୍ଚୟ ଆମ ଘରକୁ ଆଣିବ । ମୁଁ ତାଙ୍କପାଇଁ ସୁସ୍ୱାଦୁ ପିଠା ଓ ଖିରି ତିଆରି କରି ରଖିଥିବି ।” ବନ୍ଧୁ, ତୁମକୁ ଆଜି ଆମ ଘରକୁ ନିଶ୍ଚୟ ଯିବାକୁ ପଡ଼ିବ ।

 

ମାଙ୍କଡ଼ କହିଲା, ଭାଉଜଙ୍କୁ ମୋର ନମସ୍କାର ଜଣାଇ କହିବ ଯେ, ମୁଁ ତାଙ୍କର ନିମନ୍ତ୍ରଣ ପାଇ ବଡ଼ ଖୁସି । କିନ୍ତୁ ଭାଉଜ ରହୁଛନ୍ତି ନଈମଝିରେ ଥିବା ପଠାରେ । ମୁଁ ସେଠାକୁ ଯିବି କିପରି ? ମାଙ୍କଡ଼ମାନେ ପହଁରି ଜାଣନ୍ତି ନାହିଁ । ଏହା ଭାଉଜ ବୋଧହୁଏ ଜାଣି ନାହାନ୍ତି !’’

 

କୁମ୍ଭୀର କହିଲା, “ମୁଁ ତୁମକୁ ପିଠିରେ ବସାଇ ନେଇଯିବି । ତୁମର କିଛି ଅସୁବିଧା ହେବ ନାହିଁ । ତୁମପାଇଁ ଖିରିପିଠା ତିଆରି ହୋଇଥିବ, ତୁମକୁ ନ ନେଇ ଘରକୁ ଗଲେ ତୁମ ଭାଉଜ କାନ୍ଦି କାନ୍ଦି ଲୁହରେ ଘର ଭସାଇଦେବେ ।”

 

ସରଳ ନିଷ୍କପଟ ମାଙ୍କଡ଼ଟି କୁମ୍ଭୀରର କପଟ କଥାରେ ବିଶ୍ୱାସ କରି କୁମ୍ଭୀର ପିଠିରେ ବସି ଚାଲିଲା । ମାଙ୍କଡ଼କୁ ପିଠିରେ ବସାଇ କୁମ୍ଭୀର ଗଭୀର ଜଳରେ କେତେ ଢେଉ କାଟି ଆଗକୁ ଆଗକୁ ଚାଲିଥାଏ । ମାଙ୍କଡ଼କୁ ବଡ଼ ଭୟ ଲାଗୁଥାଏ । କୁମ୍ଭୀର ପିଠିରେ ବସି ମାଙ୍କଡ଼ ଇଷ୍ଟନାମ ଜପିଲାଗିଥାଏ । ଭୟରେ ଜଡ଼ସଡ଼ ହୋଇ କୁମ୍ଭୀରକୁ ଡାକି ମାଙ୍କଡ଼ କହିଲା, “‘ବନ୍ଧୁ, ମୋତେ ବଡ଼ ଭୟ ଲାଗୁଛି । ଖୁବ୍ ସାବଧାନରେ ଚାଲ । ମୋତେ ପହଁରିବା ଜଣା ନାହିଁ ।’’

 

କୁମ୍ଭୀର କହିଲା, ‘‘ଭୟ କ’ଣ ବନ୍ଧୁ ? ଏଇ ତ ଆମେ ଆସି ପ୍ରାୟ ପହଞ୍ଚିଗଲେଣି ।

 

କୁମ୍ଭୀର ମନେ ମନେ ଭାବିଲା, ଏବେ ମାଙ୍କଡ଼କୁ ଅସଲ କଥାଟା ଶୁଣାଇଦେଲେ ଭଲ । ଏବେ ତ ମାଙ୍କଡ଼ କୁଆଡ଼େ ପଳାଇଯିବାର ସମ୍ଭାବନା ନାହିଁ । ଅସଲ କଥାଟା କହି ଦେଖେଁ, ମାଙ୍କଡ଼ କ’ଣ କହୁଛି । ଏହା ଭାବି କୁମ୍ଭୀର କହିଲା, ‘‘ବନ୍ଧୁ ମାଙ୍କଡ଼, ତୁମକୁ କାହିଁକି ନେଇଯାଉଛି, ଜାଣିଛି ତ-?

 

ଅଜଣା ଆଶଙ୍କାରେ ମାଙ୍କଡ଼ର ବୁକୁ ଜୋରରେ ଦକ ଦକ ହେବାକୁ ଲାଗିଲା । ତା’ସତ୍ତ୍ୱେ ମାଙ୍କଡ଼ କହିଲା, “ଜାଣିବି କ’ଣ ? ଭାଉଜ ଖିରିପିଠା ଖାଇବାକୁ ନିମନ୍ତ୍ରଣ କରିଛନ୍ତି । ସେଇଥିପାଇଁ ପରା ତୁମେ ମୋତେ ତୁମ ଘରକୁ ନେଇ ଯାଉଛି ।’’

 

କୁମ୍ଭୀର କହିଲା, “ହାୟ ପୋଡ଼ାକପାଳ, କାହିଁକି ନେଇ ଯାଉଛି ଜାଣିଥିଲେ । ତୁମେ କ’ଣ କେବେହେଲେ ମୋ ସାଙ୍ଗରେ ଆସିଥାଆନ୍ତି ? ବନ୍ଧୁ, ପ୍ରକୃତ କଥା ହେଲା, ତୁମ ଭାଉଜଙ୍କର ଇଚ୍ଛା ତୁମର ହୃତ୍ପିଣ୍ଡଟା ଖାଇବାପାଇଁ । ସେଇଥିପାଇଁ ମିଛି କଥା କହି ତୁମକୁ ନେଇ ଆସିଲି । ଏବେ ତୁମେ ତୁମର ଇଷ୍ଟଦେବଙ୍କୁ ସ୍ମରଣ କର ।”

 

କୁମ୍ଭୀରର କଥା ଶୁଣି ମାଙ୍କଡ଼ର ମୁଣ୍ଡ ଘୂରିଗଲା । ତା’ର ବୁକୁର ସ୍ପନ୍ଦନ ବନ୍ଦ ହୋଇଗଲା-। ସେ ସ୍ତବ୍ଧ ହୋଇଗଲା । ତେବେ ବିପଦ ସମୟରେ ସାହସ ହରାଇବା ଉଚିତ ନୁହେଁ ଭାବି ମାଙ୍କଡ଼ କହିଲା, “ଛି ଛି ବନ୍ଧୁ । କଥାଟା କାହିଁକି ଆଗରୁ କହିଲ ନାହିଁ ? ଦେଖୁଛି ଭାଉଜ ଆଜି ହତାଶ ହେବେ । ହୃତ୍ପିଣ୍ଡଟାକୁ ମୁଁ ଜାମୁଗଛ କୋରଡ଼ରେ ରଖିଦେଇ ଆସିଛି ।

 

କୁମ୍ଭୀରର ବୁଦ୍ଧି ଟିକିଏ ମୋଟା ସେ କହିଲା, ତା’ହେଲେ ଉପାୟ ? ମୋ’ ସ୍ତ୍ରୀ ଯେ ଭୀଷଣ ରାଗିବ ।’’

 

ମାଙ୍କଡ଼ ସହଜ ଭାବରେ କହିଲା, “ଉପାୟ ଆଉ କ’ଣ ? ଏତେ ବ୍ୟସ୍ତ । ହେବାର କ’ଣ ଅଛି ? ବରଂ ଆଜି ଶୀଘ୍ର ଘରକୁ ଚାଲ । ଭାଉଜ ତେଣେ ମୋ’ପାଇଁ ଖିରିପିଠା କରି ଅପେକ୍ଷା କରିଥିବେ । ଆଜି ତ ଆଉ ଫେରି ଯାଇ ହେବନି । ଅନ୍ୟ କେଉଁଦିନ ହୃତ୍ପିଣ୍ଡଟା ନେଇକରି ଯିବି ।”

 

କୁମ୍ଭୀର କହିଲା, ତା’ ହେବ ନାହିଁ । ଏବେ ଚାଲ ଯିବା, ହୃତ୍ପିଣ୍ଡଟା ଆଣି ଫେରିଆସିବା । ମୁଁ ଯଥାଶୀଘ୍ର ସ୍ରୋତ କାଟି ଯିବି ଆସିବି ।’’ ।

 

ମାଙ୍କଡ଼ କହିଲା, କୁମ୍ଭିରଭାଇ, ତୁମର ଯାହା ଇଚ୍ଛା ।”

 

ମାଙ୍କଡ଼ର ହୃତ୍ପିଣ୍ଡଟା ଆଣିବାପାଇଁ କୁମ୍ଭୀର ପୁଣି ଜାମୁଗଛ ଦିଗରେ ଫେରିଲ । କୁମ୍ଭୀର ପିଠିରେ ବସି ବିଚରା ମାଙ୍କଡ଼ ମା’ ଦୁର୍ଗାଙ୍କୁ ସ୍ମରଣ କରି ଜାମୁଗଛ ଦିଗକୁ ନିର୍ନିମେଷ ନୟନରେ ଚାହିଁଥାଏ । ତା’ ଆଖିରେ ପଲକ ପଡ଼ୁ ନ ଥାଏ । କୁମ୍ଭୀର ଖୁବ୍ ଶୀଘ୍ର ଜାମୁଗଛ ପାଖାପାଖି ହେଲା-। ଆଖି ସାମନାରେ ଜାମୁଗଛ ଓ ସ୍ଥଳଭାଗ ଦେଖି ମାଙ୍କଡ଼ର ମନେହେଲା, ସତେ ଯେପରି ସେ ସ୍ୱର୍ଗକୁ ହାତରେ ଧରିଛି । ମାଙ୍କଡ଼ ଏକା ଡିଆଁକେ ଯାଇ ଜାମୁଡାଳକୁ ଧରିପକାଇଲା। ମାଙ୍କଡ଼ ଜାମୁଗଛରେ ବସି ଭଗବାନଙ୍କୁ କୃତଜ୍ଞତା ଓ ପ୍ରଣାମ ଜଣାଇ ନିଜର ଭାଗ୍ୟ କଥା ଚିନ୍ତା କଲା ।

 

ବିଳମ୍ବ ହେବାରୁ କୁମ୍ଭୀର ମାଙ୍କଡ଼କୁ ଡାକି କହିଲା, ‘ଏ କଣ ବନ୍ଧୁ ବିଳମ୍ବ କାହିଁକି ? ତେଣେ ତୁମ ଭାଉଜ ତୁମ ବାଟ ଚାହିଁ ବସିଥିବେ ।’’

 

ମାଙ୍କଡ଼ କହିଲା, “ଆରେ ମୂର୍ଖ କୁମ୍ଭୀର, ହୃତ୍ପିଣ୍ଡ ସବୁ ପ୍ରାଣୀଙ୍କର ଗୋଟିଏ ଥାଏ । ହୃତ୍ପିଣ୍ଡକୁ କେହି ଗଛରେ ଝୁଲାଇ ରଖେ ନାହିଁ । ଯାହା ହେଉ, ତୋର ବୋକାମିରୁ ମୁଁ ପ୍ରାଣ ରକ୍ଷା କରିପାରିଲି ।”

 

କୁମ୍ଭୀର ମନେ ମନେ ଚିନ୍ତା କଲା, ସତେ ତ ! ବଡ଼ ବୋକାମି କଲି । ଏହା ଭାବି ମାଙ୍କଡ଼କୁ ଡାକି ସେ କହିଲା, ‘‘ବନ୍ଧୁ, ଏ ପର୍ଯ୍ୟନ୍ତ ତୁମକୁ ପରୀକ୍ଷା କରୁଥିଲି । ନ ହେଲେ ତୁମେ କ’ଣ ଭାବିଛ ସବୁ ପ୍ରାଣୀଙ୍କର ଗୋଟିଏ ମାତ୍ର ହୃତ୍ପିଣ୍ଡ ? ଏତିକି ସାଧାରଣ ଜ୍ଞାନ ମୋର ନାହିଁ ? ହୃତ୍ପିଣ୍ଡକୁ କେହି କେବେ ଗଛରେ ରଖେ ନାହିଁ, ଏହା ମୁଁ ମଧ୍ୟ ଜାଣେ । ଥଟ୍ଟାରେ ମୁଁ ସେପରି କହିଥିଲି । ଅଥଚ ତୁମେ ଏତେ ଡରିଗଲ । ଏବେ ଆସ, ତେଣେ ତୁମର ଭାଉଜ ଖିରିପିଠା କରି ତୁମର ବାଟ ଚାହିଁ ବସିଥିବେ ।”

 

ମାଙ୍କଡ଼ କହିଲା, “ଆଉ ଏଣିକି ନେଡ଼ିଗୁଡ଼ କହୁଣିକୁ ବୋହିବ ନାହିଁ । ଗଙ୍ଗଦତ୍ତ କ’ଣ କେବେ ପୁଣି କୂଅକୁ ଫେରି ଆସିଥିଲା ?

 

କୁମ୍ଭୀର ପଚାରିଲା, ଗଙ୍ଗଦତ୍ତ କିଏ ? ସେ କ’ଣ କରିଥିଲା ? ମାଙ୍କଡ଼ “ଗଙ୍ଗଦତ୍ତ ବେଙ୍ଗ କଥା’ ଶୁଣାଇଲା ।

Image

 

ଗଙ୍ଗଦତ୍ତ କଥା

Image

ଗଙ୍ଗଦତ୍ତ ନାମରେ ଗୋଟିଏ ବେଙ୍ଗ ଥିଲା । ଅନେକ ଦିନରୁ ଜ୍ଞାତି ପରିଜନମାନଙ୍କ ସହ ଗଙ୍ଗଦତ୍ତର କଳି-ତକରାଳ ଲାଗି ରହିଥିଲା । ଶେଷକୁ ଜ୍ଞାତିମାନଙ୍କର ଅତ୍ୟାଚାର ସହି ନ ପାରି ଗଙ୍ଗଦତ୍ତ ତା’ର ଦଳବଳ ସହ ରହୁଥିବା କୂଅ ଛାଡ଼ି ପଳାଇଗଲା । କୂଅ ଛାଡ଼ି ଗଲାବେଳେ ଜ୍ଞାତିମାନଙ୍କୁ ଶୁଣାଇ ଗଙ୍ଗଦତ୍ତ କହିଲା, “ଯେନତେନ ପ୍ରକାରେଣ ତୁମ୍ଭମାନଙ୍କୁ ନିପାତ କରି ମୁଁ ଏହି କୂଅକୁ ଫେରିବି । ନ ହେଲେ ମୋ’ ନାଁ ଗଙ୍ଗଦତ୍ତ ନୁହେଁ । କୂଅ ଛାଡ଼ି ଆସିଲା ପରେ ଗଙ୍ଗଦତ୍ତ ନାନାଦି ଉପାୟ ଚିନ୍ତା କରିବାକୁ ଲାଗିଲା । ଏହି ସମୟରେ ଗୋଟିଏ ସାପକୁ ଟିକିରେ ଦୂରରେ ଯାଉଥିବାର ଦେଖିଲା । ସାପକୁ ଦେଖି ତା’, ମୁଣ୍ଡକୁ ଗୋଟିଏ ବୁଦ୍ଧି ଜୁଟିଗଲା । ସାପକୁ ଡାକି ଗଙ୍ଗଦତ୍ତ କହିଲା, ‘ହେ ବନ୍ଧୁ, କୁଆଡ଼େ ଯାଉଛ ?”

କିଏ ଡାକୁଛି, ସାପ ପ୍ରଥମେ ଜାଣିପାରିଲା ନାହିଁ । ପାଖକୁ ଆସି ଜାଣିଲା, ଗୋଟିଏ ବେଙ୍ଗ ତାକୁ ବନ୍ଧୁବୋଲି ସମ୍ବୋଧନ କରି ଡାକୁଛି ।

ସାପ କହିଲା, “ହେ ବେଙ୍ଗ, ତୁମେ ମୋତେ ବନ୍ଧୁ ବୋଲି ଡାକୁଚ କିପରି ? ମୁଁ ପୂର୍ବରୁ କେବେ ତୁମକୁ ଦେଖି ନାହିଁ, ଚିହ୍ନି ନାହିଁ । ସ୍ଵୟଂ ଦେବଗୁରୁ ବୃହସ୍ପତି କହିଛନ୍ତି, ଯାହାର କୁଳ, ସ୍ଵଭାବ ଏବଂ ବାସସ୍ଥାନ ଅଜ୍ଞାତ, ତା’ ସାଙ୍ଗରେ ଭୁଲରେ ବି ବନ୍ଧୁତା କରିବ ନାହିଁ ।’’

ଗଙ୍ଗଦତ୍ତ କପାଳରେ ହାତ ବାଡ଼େଇ କହିଲା, “ଦେବଗୁରୁ ବୃହସ୍ପତି ମୋର ନମସ୍ୟ । କିନ୍ତୁ, ମୁଁ ତୁମର ସାହାଯ୍ୟପ୍ରାର୍ଥୀ ବନ୍ଧୁ ତେଣୁ ତୁମେ ମୋତେ ସାହାଯ୍ୟ କରିବାକୁ ପଡ଼ିବ ।

ସାପ କହିଲା, କି ପ୍ରକାର ସାହାଯ୍ୟ ?

ଗଙ୍ଗଦତ୍ତ କହିଲା, “ଦେଖ ବନ୍ଧୁ, ମୋର ଜ୍ଞାତିମାନେ ମୋତେ ତଡ଼ିଦେଇଛନ୍ତି । ମୁଁ ପ୍ରତିଶୋଧ ନେବାକୁ ଚାହୁଛି ।”

ଟିକିଏ ରହିଯାଇ ଗଙ୍ଗଦତ୍ତ ପୁଣି କହିଲା, ତୁମେ ଖୁବ କ୍ଷୁଧାର୍ତ୍ତ ଜଣାପଡ଼ୁଛ। ଯଦି ମୁଁ ତୁମର ଖାଦ୍ୟବ୍ୟବସ୍ଥା କରିଦିଏଁ ?’’

 

ସାପ କହିଲା, “ଏବେ ତୁମର ମତଲବଟା ବୁଝିପାରିଲି । ତୁମର ଜ୍ଞାତିମାନଙ୍କୁ ଖାଇ ସାବାଡ଼୍‍ କରିବାକୁ ହେବ । ଏଇ କଥା ତ ? ମନ୍ଦ କ’ଣ ! ମୋର ଆପତ୍ତି କିଛି ନାହିଁ । ଚାଲ, କେଉଁଠାକୁ ଯିବା ?

 

କୁଳାଙ୍ଗାର ଗଙ୍ଗଦତ୍ତ ସେଇ ସାପଟାକୁ ନେଇ କୂଅଟା ଦେଖାଇଦେଲା । ସାପ ମନଖୁସିରେ ଗଙ୍ଗଦତ୍ତର ସବୁ ଜ୍ଞାତିମାନଙ୍କୁ ଗୋଟି ଗୋଟି କରି ଧରି ଖାଇବାକୁ ଲାଗିଲା । ଅଳ୍ପଦିନରେ ସାପ ସବୁ ବେଙ୍ଗମାନଙ୍କୁ ଖାଇଦେଲା ।

 

ଗଙ୍ଗଦତ୍ତ ଖୁସି ହୋଇ କହିଲା, ଭାଇ ସାପ, ତୁମର କାମ ଏବେ ସରିଗଲା, ତୁମେ ଏବେ ଯାଇପାର ।

 

ସାପ କହିଲା, “ଏ କ’ଣ ମିତ୍ରତାର କଥା ? ତୁମେ ମୋତେ ଏଠାକୁ ଆଣିଥିଲ । ତୁମରି କଥାରେ ତୁମର ଜ୍ଞାତିମାନଙ୍କୁ ସାବାଡ଼ କଲି । ଏବେ ମୋତେ ଖାଦ୍ୟ ଯୋଗାଇ ମୋର ଉପକାର କର । ପ୍ରତିଦିନ ଅନ୍ତତଃପକ୍ଷେ ମୋର ଗୋଟିଏ ଲେଖାଏଁ ବେଙ୍ଗ ଦରକାର ।’’

 

ନିରୁପାୟ ହୋଇ ଗଙ୍ଗଦତ୍ତ ଭାବିଲା, ମୁଁ ନିଜେ ଗାତ ଖୋଳିଥିଲି, ଏବେ ଉପାୟ କ’ଣ-? ସେଯେ ମୋତେ ଖାଇବ । ଯାହାହେଉ ପଣ୍ଡିତମାନେ କହିଛନ୍ତି, ବହୁଜନଙ୍କର ହିତପାଇଁ ପ୍ରୟୋଜନ ହେଲେ ଜଣକୁ ତ୍ୟାଗ କରିବାକୁ ହେବ ।”

 

ତେଣୁ ଗଙ୍ଗଦତ୍ତ ନାମକ ବେଙ୍ଗ ସାପକୁ କହିଲା, ତୁମେ ଏବେ ଆମ ଦଳର ବେଙ୍ଗମାନଙ୍କ ଭିତରୁ ଜଣ ଜଣ କରି ଖାଅ ।”

 

ସାପ କହିଲା, “ସାବାସ୍ ବନ୍ଧୁ, ସାବାସ୍ । ଉତ୍ତମ ପ୍ରସ୍ତାବ । ଏହାକୁ କହନ୍ତି ବନ୍ଧୁତା ।

 

ତା’ପରଠାରୁ ଅଳ୍ପଦିନ ମଧ୍ୟରେ ସେଇ ଉଦରସର୍ବସ୍ଵ ସାପଟି ଗଙ୍ଗଦତ୍ତର ଛୁଆପିଲାଙ୍କୁ ମଧ୍ୟ ଖାଇଦେଲା । ବାକି ରହିଲା ଏକ ଗଙ୍ଗଦତ୍ତ । ପରିସ୍ଥିତି ଦେଖି ଗଙ୍ଗଦତ୍ତ ସାପକୁ କହିଲା, “ବନ୍ଧୁ, ତୁମର ଖାଦ୍ୟ ଏବେ ଶେଷ । ମୁଁ ଅନ୍ୟ ଗୋଟିଏ କୂଅକୁ ଯାଇ ତୁମପାଇଁ ଖାଦ୍ୟ ଖୋଜି ଆଣୁଛି ।”

 

କ୍ଷୁଧାର୍ତ୍ତ ସାପ ଯେ କେଉଁ ମୁହୂର୍ତ୍ତରେ କ’ଣ କରିବ, ତା’ର ଠିକ୍ ଠିକଣା କ’ଣ ଅଛି ? ଏହା ଭାବି ଗଙ୍ଗଦଉ ନିଜର ପ୍ରାଣ ରକ୍ଷାପାଇଁ କୂଅ ଛାଡ଼ି ପଳାଇଗଲା ।

 

କିଛିଦିନ ଅପେକ୍ଷା କରି ଗଙ୍ଗଦତ୍ତ ନ ଫେରିବାରୁ ଦିନେ ସାପ ଗୋଟିଏ ଗୋଧିକୁ ଡାକି କହିଲା, “ଗଙ୍ଗଦତ୍ତକୁ ଦେଖିଲେ ମୋ’ ପାଖକୁ ପଠାଇଦେବ ।

 

ସେହି ଗୋଧିଟି ଗଙ୍ଗଦତ୍ତ ପାଖକୁ ଯାଇ କହିଲା,

 

"ତୁମର ବନ୍ଧୁ ସାପ ତୁମକୁ ଖୋଜୁଛନ୍ତି । ଥରେ ତାଙ୍କ ପାଖକୁ ଯାଅ ।”

 

ଗଙ୍ଗଦତ୍ତ କହିଲା, “ନା ଭାଇ ନା । ଗଙ୍ଗଦତ୍ତ ଆଉ ସେ ଦିଗକୁ ମୁହଁ ଫେରାଇବ ନାହିଁ ।

 

‘ଗଙ୍ଗଦତ୍ତ ବେଙ୍ଗ କଥା’ ଶେଷ କରି ମାଙ୍କଡ଼ କହିଲା, “ହେ ବୁଦ୍ଧିମାନ କୁମ୍ଭୀର, ତୁମର ବସାକୁ ଆଉ ମୁଁ ଯିବାର ନାହିଁ । ମୁଁ ଲମ୍ୱକର୍ଣ୍ଣ ପରି ବୋକା ନୁହେଁ ।’’

 

କୁମ୍ଭୀର ପଚାରିଲା, “ଲମ୍ୱକର୍ଣ୍ଣ ପୁଣି କିଏ ?’’

 

ତା’ପରେ ମାଙ୍କଡ଼, ‘‘ଗଧ ବାହାଘର’ ଗଳ୍ପଟି କୁମ୍ଭୀରକୁ ଶୁଣାଇଲା ।

Image

 

ଗଧ ବାହାଘର

Image

ସିଂହ ଓ ବିଲୁଆ ପରସ୍ପର ମାମୁ-ଭଣଜା । ସିଂହ ଶିକାର କରେ । ଭଣଜା ବିଲୁଆ ଆଗେ ଆଗେ ଯାଇ ସିଂହକୁ ବାଟ ଦେଖାଏ ଏବଂ ଶିକାରର କିଛି ବଳକା ଅଂଶ ପ୍ରସାଦ ପାଏ । ଏହିପରି ମାମୁ-ଭଣଜାଙ୍କର ଦିନ କଟିଯାଏ ।

 

ଦିନେ ମାମୁ-ଭଣଜା ଶିକାର ପାଇଁ ଯାଇ ଗୋଟିଏ ହାତୀକୁ ଦେଖିଲେ । ସିଂହ ଭାବିଲ, ହାତୀଟାକୁ ମାରିପାରିଲେ ବର୍ଷା ଦିନଟ ଘରେ ବସି ବସି ଖାଇହେବ ।

 

ଭଣଜାର ସାହସ ପାଇ ସିଂହ ଆଗେଇ ଯାଇ ହାତୀକୁ ଆକ୍ରମଣ କଲା । କିନ୍ତୁ ସିଂହର ଭାଗ୍ୟ ଖରାପ୍ । ହାତୀ ସାଙ୍ଗରେ ଲଢ଼ାଇ କରି ତା’ର ଅଣ୍ଟା ମୋଡ଼ି ହୋଇଯିବାରୁ ସେ ସସମ୍ମାନେ ପଳାଇଗଲା । ଅଣ୍ଟା ଯନ୍ତ୍ରଣାଯୋଗୁଁ ସିଂହ ହଲଚଲ ହୋଇପାରିଲା ନାହିଁ । ଯନ୍ତ୍ରଣାଯୋଗୁଁ ସିଂହ ଶିକାର କରିପାରିଲା ନାହିଁ । ଶିକାର ଅଭାବରୁ ମାମୁ-ଭଣଜା ଉପବାସରେ ଦିନ କାଟିଲେ । ଉପବାସରେ ଏପରି କେତେଦିନ କଟିଗଲା ।

 

କ୍ଷୁଧାର ଜ୍ୱଳ ସମ୍ଭାଳି ନ ପାରି ଦିନେ ସିଂହ କହିଲା, “ଭଣଜା, ତୁ ଗୋଟିଏ କାମ କର । କୌଣସି ପ୍ରକାରେ ତୁ ଗୋଟିଏ ନିରୀହ ପଶୁକୁ ମୋ’ ଗୁମ୍ଫା ପାଖକୁ ଡାକି ଆଣେ, ମୁଁ ତାକୁ ଯେ କୌଣସି ପ୍ରକାରେ ବଧ କରିବି ।” ବିଲୁଆ କହିଲା, ମାମାଶ୍ରୀ, ତୁମେ ବ୍ୟସ୍ତ ହୁଅ ନାହିଁ । ମୁଁ ଏବେ ଚାଲିଲି । ଦେଖେ, କ’ଣ କିଛି ମିଳୁଛି କି ନାହିଁ ।

 

ବିଲୁଆ ଚାରିଆଡ଼େ ବୁଲି ବୁଲି ଶେଷକୁ ଗୋଟିଏ ଧୋବାଘର ବାଡ଼ିପଟେ ପହଞ୍ଚିଲା । ବେଶ୍ ଗୋଟିଏ ଡଉଲ ଡାଉଲ ଗଧଟିଏ ଚରୁଥିବାର ଦେଖିଲା । ବିଲୁଆ ଭାବିଲା, ଏହାଠାରୁ ନିରୀହ ଓ ବୋକା ଜୀବଟିଏ କେଉଁଠୁ ପାଇବି ? ଏଇ ଗଧଟାକୁ କୌଣସିମତେ ମାମୁ ପାଖକୁ ନେଇଗଲେ କାମ ଫତେ ।

 

ଧୀର ପାଦରେ ବିଲୁଆ ଗଧ ପାଖକୁ ଯାଇ କହିଲା, “ନମସ୍କାର ଲମ୍ୱକର୍ଣ୍ଣଭାଇ, ଭଲ ଅଛତ ? ଅନେକ ଦିନ ପରେ ଦେଖା । ସବୁ କୁଶଳତ ? ଛୁଆପିଲାମାନେ ଭଲ ଅଛନ୍ତି ତ ?

 

ଭାଇ ଡାକ ଶୁଣି ଲମ୍ବକର୍ଣ୍ଣର ମନରେ ଟିକିଏ ଗର୍ବ ହେଲା । ଲମ୍ୱକର୍ଣ୍ଣ କହିଲା, “ହଁ ଭାଇ, ସେମିତି ଗୋଟିଏ ପ୍ରକାର ଅଛି । ତୁମର ସବୁ କୁଶଳ ତ ? ଛୁଆ ପିଲାଙ୍କ କଥା କଣ ପଚାରୁଛ ? ତୁମେ କ’ଣ ଜାଣିନ ଯେ ମୁଁ ଏପର୍ଯ୍ୟନ୍ତ ଅବିବାହିତ ?’’

 

ବିଲୁଆ କହିଲା, “ଏ କ’ଣ କହୁଛ ଭାଇ ! ମୁଁ ଦୁନିଆର ସମସ୍ତଙ୍କ ପାଇଁ ପ୍ରଜାପତି ଘଟସୂତ୍ର କାର୍ଯ୍ୟରେ ଘୂରି ବୁଲୁଛି, ଅଥଚ ଏପର୍ଯ୍ୟନ୍ତ ତୁମପାଇଁ ପାତ୍ରୀ ଜୁଟିନାହିଁ ? ମୋ’ ସାଙ୍ଗରେ ଚାଲ । ଆଜି ତୁମର ବାହାଘର କରିଦେବି । ସେପଟକୁ ଚାହଁ । ସେଇ ଯେଉଁ ପାହାଡ଼ ଦେଖୁଛ, ତା’ପାଖ ଜଙ୍ଗଲରେ ବହୁତଗୁଡ଼ିଏ ମାଈଗଧ ଅଛନ୍ତି । ସେମାନେ ଏକ ଆରକୁ ବଳି ଅପରୂପ ସୁନ୍ଦରୀ । ସ୍ଵୟମ୍ବର ହୋଇ ବାହାଘର ହେବା ସେମାନଙ୍କର ଇଚ୍ଛା । ସେଇଥିପାଇଁ ଆଜି ଶୁଭବେଳା ଦେଖି ପାତ୍ର ଖୋଜିବାକୁ ବାହାରିଛି । ତୁମ କଥାଟା ଆଗରୁ ମୋର ମନେ ନ ଥିଲା । ଏବେ ଶୀଘ୍ର ଚାଲ, ଆଉ ବେଶି ଡେରି କର ନାହିଁ ।

 

ବାହାଘର ନିଶାରେ ପାଗଳ ଲମ୍ୱକର୍ଣ୍ଣ ନାମକ ସେହି ଗଧଟି ବିଲୁଆର ଚାତୁର୍ଯ୍ୟପୂର୍ଣ୍ଣ କଥାରେ ସହଜରେ ରାଜି ହୋଇଗଲା। ବିଲୁଆ ତାକୁ ବାଟ କଢ଼ାଇ ନେଲା । ଚାଲି ଚାଲି ସେମାନେ ଆସି ସିଂହଗୁମ୍ଫା ପାଖରେ ପହଞ୍ଚିଗଲେ । ଅଣ୍ଟା ଭାଙ୍ଗି ପଡ଼ିରହିଥିବା ସିଂହମାମୁ ଗଧ ଉପରକୁ ଝାମ୍ପ ମାରିବାକୁ ପ୍ରସ୍ତୁତ ହେଉଥିବା ଦେଖି ଲମ୍ବକର୍ଣ୍ଣ ନାମକ ଗଧ ପ୍ରାଣ ବିକଳରେ ରଡ଼ି ଛାଡ଼ି, ଦେଲା ଦୌଡ଼ ।

 

ବିଲୁଆ କହିଲା, “ମାମାଶ୍ରୀ, ତୁମେ କଣ କଲ ? ସାମାନ୍ୟ ଗୋଟିଏ ଗଧକୁ ମାରିପାରିଲ ନାହିଁ । ଦେଖୁଛ, ଆମକୁ ଉପାସ ଭୋକରେ ଦିନ କଟାଇବାକୁ ହେବ ।

 

ସିଂହ କହିଲା, ତୁ ରାଗନା ଭଣଜା । ମୁଁ ଟିକିଏ ପ୍ରସ୍ତୁତ ନ ଥିଲି । ତେଣୁ ଝାମ୍ପ ମାରିପାରିଲି ନାହିଁ । ମୁଁ ଏବେ ପ୍ରସ୍ତୁତ ରହିଲି। ତୁ ଏବେ ଆଉଥରେ ଯାଆ, ଅନ୍ୟ ଗୋଟିଏ ପ୍ରାଣୀକୁ ଧରି ଆଣ ।”

 

ବିଲୁଆ କହିଲା, “ମାମାଶ୍ରୀ, ଠିକ୍ ଅଛି । ମୁଁ କେବଳ ଚେଷ୍ଟା କରିପାରିବି, କିନ୍ତୁ ଫଳାଫଳ ସେଇ ସର୍ବନିୟନ୍ତା ଭଗବାନଙ୍କ ହାତରେ ।’’ ବିଲୁଆ ପୁଣି ସେହି ଲମ୍ବକର୍ଣ୍ଣ ନାମକ ଗଧ ପାଖକୁ ଚାଲିଲା । ଦୂରରୁ ବିଲୁଆକୁ ଦେଖି ଲମ୍ବକର୍ଣ୍ଣ କହିଲା, “ବେଶ୍ ଭାଇ ବେଶ୍ ! ମୋତେ ତୁମେ କୁଆଡ଼େ ନେଇ ଯାଇଥିଲ ଶୁଣେ ? ସିଂହ ତ ମୋ’ ଉପରକୁ ଝାମ୍ପ ମାରିଥିଲା ଜାଣ, କେବଳ ଆୟୁଷ ଜୋରେ ମୁଁ କୌଣସିମତେ ବଞ୍ଚି ପଳାଇ ଆସିଲି ।

 

ବିଲୁଆ ବଡ଼ ଚତୁର । ସେ କହିଲା, ଭାଇ ଲମ୍ବକର୍ଣ୍ଣ, ତୁମପରି ବେରସିକ ମୁଁ ଦେଖି ନାହିଁ । ବାହା ହେବା ପାଇଁ କନ୍ୟା ହାତରେ ବରମାଳା ଧରି ବସିଛି । ତା’ର ସଖୀମାନେ ତୁମ ସହିତ ଟିକିଏ ଥଟ୍ଟା ହେବାକୁ ଆସିଲେ, ତାକୁ ଦେଖି ତୁମେ ପଳାଇ ଆସିଲ ? ସେମାନେ କ’ଣ ଭାବିବେ ? କହିବେ କ’ଣ ନା, ଇଏ କି ବର, ଥଟା-ତାମସା ବୁଝିପାରୁ ନାହିଁ । ଛି, ଛି ।’’

 

ଗଧ ତ ଗଧ । ଗଧ ଭାବିଲା, ହଁ ହୋଇଥିବ । ସେ ସାହସ କରି କହିଲା, ‘ମୁଁ କ’ଣ ଭୟରେ ପଳାଇ ଆସିଲି ? ବାହାଘରପାଇଁ ସମୟଟା ଭଲ ନ ଥିଲା । ସେଇଥିପାଇଁ ମୁଁ ପଳାଇ ଆସିଲି । ଚାଲ, ଏବେ ପୁଣି ଯିବା । ସତରେ ଝିଅମାନେ କ’ଣ ଭାବିବେ ? ବିଲୁଆ ଏବଂ ଗଧ ଉଭୟ ବିବାହ ବିଷୟରେ ନାନାଦି ରସରସିଆ କଥାବାର୍ତ୍ତା କରି କରି ପୁଣି ଆସି ସିଂହଗୁମ୍ଫା ପାଖରେ ପହଞ୍ଚି ଗଲେ ।

 

ଏଥର ସିଂହ ଆଗରୁ ପ୍ରସ୍ତୁତ ଥିଲା । ଗଧକୁ ଦେଖୁ ଦେଖୁ ସିଂହ ମାରିଲା ଏପରି ଏକ ଝାମ୍ପ ଯେ, ଲମ୍ବକର୍ଣ୍ଣ ନାମକ ସେହି ଗଧର ଜନ୍ମଜନ୍ମାନ୍ତରର ବିବାହନିଶା ତୁଟିଗଲା । ଛଟପଟ ହୋଇ ବିଚରା ବିବାହ-ପାଗଳ ନିରୀହ ଗଧଟି ମଲା । ସିଂହ କହିଲା, “ଭଣଜା, ଅନେକ ଦିନ ପରେ ଖାଦ୍ୟ ଯୋଗାଡ଼ ହୋଇଛି, ମୁଁ ସ୍ନାନ-ଆହ୍ନିକ କାର୍ଯ୍ୟ ଶେଷ କରି ଆସୁଛି । ତୁ ସେ ପର୍ଯ୍ୟନ୍ତ ଖାଦ୍ୟକୁ ଜଗି ବସିଥା ।

 

‘‘ଯେ ଆଜ୍ଞା’’ କହି ବିଲୁଆ ଗଧର ମୃତଦେହକୁ ପହରା ଦେବାରେ ଲାଗିଲା । ସିଂହ ଗଲା ସ୍ନାନ କରିବାକୁ । କିଛି ସମୟ ଏପରି କଟିଗଲା । ବିଲୁଆ ଆଉ ଲୋଭ ସମ୍ଭାଳିପାରିଲା ନାହିଁ-। ତାକୁ ଭୀଷଣ ଭୋକ ହେଉଥିଲା । ତେଣୁ ସେ କ’ଣ କଲା ନା, ପ୍ରଥମେ ମୃତ ଗଧଟାର କାନ ଦୁଇଟା, ତା’ପରେ ହୃତପିଣ୍ଡଟା ଖାଇଦେଲା

 

ସ୍ନାନ ଓ ଆହ୍ନିକ କାର୍ଯ୍ୟ ସାରି ଫେରିଆସି ସିଂହ ଦେଖିଲା, ଗଧଟାର କାନ ଦୁଇଟା ଓ ହୃତ୍ପିଣ୍ଡଟା କିଏ ଖାଇଦେଇଛି । ସେ ରାଗିଯାଇ ବିଲୁଆକୁ କହିଲା, “କିରେ ମୂର୍ଖ, ତୁ ମୋ’ ଖାଦ୍ୟକୁ ଅଇଁଠା କରିଦେଇଛୁ । ତୋର ଏଡ଼େ ସାହସ ?

 

ତୋତେ ଦଣ୍ଡ ଭୋଗ କରିବାକୁ ହେବ ।” ବିଲୁଆ କହିଲା, “ମାମାଶ୍ରୀ, ତୁମେ ମିଛରେ ମୋତେ ଦୋଷାରୋପ କରୁଛ । ବୋଧହୁଏ ଏହି ବୋକା ଗଧଟାର କାନ ଓ ହୃତ୍ପିଣ୍ଡ ନ ଥିଲା । ତା’ର କାନ ଓ ହୃତ୍ପିଣ୍ଡ ଯଦି ଥାଆନ୍ତା, ତା’ହେଲେ ସେ ଥରେ ବିପଦ ମୁହଁରୁ ଖସିଯାଇ ପୁଣି ଥରେ ମରଣ ମୁହଁକୁ ଆସିଥାନ୍ତା ?

 

ବିଲୁଆର ଯୁକ୍ତିକୁ ମାନିନେଇ ସିଂହ କହିଲା, ଭଣଜା, ବୋଧହୁଏ ତୁ ଠିକ୍ କହୁଛୁ ।”

 

ଗଳ୍ପ ଶେଷକରି ମାଙ୍କଡ଼ କୁମ୍ଭୀରକୁ କହିଲା, “ହେ କୁମ୍ଭୀର, ତୁ ମୋ ସାଙ୍ଗରେ କପଟାଚାର କରୁଥିଲୁ । ତୋ ସାଙ୍ଗରେ ଆଉ ବନ୍ଧୁତା କ’ଣ ? ତେବେ ଯାହାହେଉ, ତୋ ବୋକାମିରୁ ତୁ ତୋ’ ମନର କଥା ମୋ ପାଖରେ ପ୍ରକାଶ କରିଦେଲୁ ଓ ମୋର ମିଛକଥାକୁ ବିଶ୍ଵାସ କରି ମୋର ବହୁତ ଉପକାର କରିଛୁ । କଥିତ ଅଛି, ଯେ ମୂର୍ଖ, ପ୍ରତାରକ, ସେ ନିଜର ସ୍ୱାର୍ଥହାନି କରି ସତ୍ୟକଥା କହି ଯୁଧିଷ୍ଠିରଙ୍କ ପରି ତା’ର ସ୍ୱାର୍ଥହାନି କରିଥାଏ ।

 

କୁମ୍ଭୀର ପଚାରିଲା, ଯୁଧିଷ୍ଠିରଙ୍କର କ’ଣ ହୋଇଥିଲା ? ମାଙ୍କଡ଼ “ସତ୍ୟବାଦୀ ଯୁଧିଷ୍ଠିର ଗଳ୍ପଟି ଶୁଣାଇଲା ।

Image

 

ସତ୍ୟବାଦୀ ଯୁଧିଷ୍ଠିର

Image

ଯୁଧିଷ୍ଠିର କୁମ୍ଭାର ଘରେ କାମ କରୁଥିଲେ । କୁମ୍ଭାର ଘରେ ହାଣ୍ଡି, ମାଠିଆ, ସରା ପ୍ରଭୃତି ଚାରିଆଡ଼େ ଭର୍ତ୍ତି । ଦିନେ ଅନ୍ୟମନସ୍କ ଭାବରେ ଚାଲୁ ଚାଲୁ ଯୁଧିଷ୍ଠିର ସରା ଗଦା ଉପରେ ପଡ଼ିଗଲେ । ଭଙ୍ଗା ସରା ବାଜି ତାଙ୍କ କପାଳର ଖଣ୍ଡେ ଅଂଶ କଟିଯାଇ ରକ୍ତ ବୋହିଲା । ଔଷଧପତ୍ର ନ ଲଗାଇବାରୁ କ୍ଷତଟା ଘାଆ ହୋଇଗଲା । ଘା’ ଶୁଖିବାକୁ ଅନେକ ଦିନ ଲାଗିଲା । ବହୁତ ଦିନ ପରେ ଘା ଶୁଖିଲା ସତ, କିନ୍ତୁ କ୍ଷତସ୍ଥାନରେ ଗୋଟିଏ ବଡ଼ କଟାଚିହ୍ନ ରହିଗଲା ।

 

ସେଠାକାର ରାଜା କୁମ୍ଭାରକୁ ରାଜପ୍ରାସାଦରେ ବ୍ୟବହାର ପାଇଁ କେତେଗୁଡ଼ିଏ ହାଣ୍ଡି, ମାଠିଆ, ସରା ବରାଦ କରିଥିଲେ। କୁମ୍ଭାର ବରାଦ ମୁତାବକ ସମସ୍ତ କିନିଷପତ୍ର ତିଆରି କରି ଯୁଧିଷ୍ଠିରଙ୍କ ହାତରେ ରାଜପ୍ରାସାଦକୁ ପଠାଇଲା । ରାଜପ୍ରାସାଦରେ ବରାଦ ମୁତାବକ ହାଣ୍ଡି ପ୍ରଭୃତି ଦେବା ସମୟରେ ରାଜାଙ୍କର ନଜର ପଡ଼ିଲା ଯୁଧିଷ୍ଠିରଙ୍କ ଉପରେ । ଯୁଧିଷ୍ଠିରଙ୍କ କପାଳରେ କଟାଦାଗଟାକୁ ଦେଖି ରଜା ଭାବିଲେ, ନିଶ୍ଚୟ ଏହି ଲୋକଟା ବଡ଼ ବୀର ଏବଂ ଯୋଦ୍ଧା । ରାଜା ଏହା ଭାବି ଯୁଧିଷ୍ଠିରଙ୍କୁ ଡାକି କହିଲେ, “ହେ ବୀର, ମୁଁ ତୁମକୁ ରାଜପ୍ରାସାଦରେ ରଖିବାକୁ ଚାହୁଁଛି । ତୁମେ ଅନ୍ୟ ବୀରମାନଙ୍କ ସହ ଏଠାରେ ରୁହ । ରାଜାଙ୍କ ପ୍ରସ୍ତାବ ଶୁଣି ଯୁଧିଷ୍ଠିର ବହୁତ ଖୁସି ହେଲେ । ସେହିଦିନଠାରୁ ଯୁଧିଷ୍ଠିର ରାଜପ୍ରାସାଦରେ ରହିଲେ । ଅନ୍ୟ ବୀରମାନେ ଯୁଧିଷ୍ଠିରଙ୍କୁ ଈର୍ଷା କରିବାକୁ ଲାଗିଲେ । ସେମାନେ କୁହାକୁହିଁ ହେଲେ, ଏଇ ଲୋକଟା ତ ବୀରପରି ଦେଖାଯାଉନି, ବୀରପୁରୁଷର କିଛି ଲକ୍ଷଣ ମଧ୍ୟ ନାହିଁ । ଏହା ଚିନ୍ତା କରି ସେମାନେ ସମସ୍ତେ ମିଶି ସ୍ଥିର କଲେ ଯେ, ଗୋଟିଏ ନକଲ ଯୁଦ୍ଧର ବ୍ୟବସ୍ଥା କରି ଏଇ ଲୋକଟାର ବୀରତ୍ୱ ପରୀକ୍ଷା କରିବେ ।

 

ରାଜା ଯୁଧିଷ୍ଠିରଙ୍କୁ ଖୁବ୍ ଭଲପାଉଥିଲେ ଏବଂ ତାଙ୍କର ହିତୈଷୀ ଥିଲେ । ରାଜା ଭାବିଲେ, ଯୁଧିଷ୍ଠିରଙ୍କୁ ଡାକି ତାଙ୍କଠାରୁ ସମସ୍ତ ବୀରତ୍ୱର କାହାଣୀ ଶୁଣି ପ୍ରଚାର କରିଦେବେ, ନଚେତ୍ ଅନ୍ୟ ବୀରମାନେ ସହଜରେ ଯୁଧିଷ୍ଠିରଙ୍କୁ ଜିଣିଯିବେ । ରାଜା ତତ୍କ୍ଷଣାତ୍ ଯୁଧିଷ୍ଠିରଙ୍କୁ ଡକାଇ ପଚାରିଲେ, "ବୀର ଯୁଧିଷ୍ଠିର, ତୁମେ କି କି ଯୁଦ୍ଧ କରିଛି ? କେଉଁ କେଉଁ ଯୁଦ୍ଧରେ ତୁମେ ଜୟଲାଭ କରିଛି ? । ଯୁଧିଷ୍ଠିର କହିଲେ, “ମହାରାଜ, ମୁଁ କସ୍ମିନକାଳେ ଯୁଦ୍ଧ କରି ନାହିଁ ।

 

ରାଜା ବିସ୍ମିତ ହୋଇ କହିଲେ, “କ’ଣ କହିଲ, କେବେହେଲେ ଯୁଦ୍ଧ କରି ଚାହଁ ? ଅଥଚ, ମୁଁ ତୁମକୁ ଜଣେ ବଡ଼ ବୀରପୁରୁଷ ଭାବି ରାଜପ୍ରାସାଦରେ ରଖିଛି । ଆଛା, ତୁମ କପାଳରେ ଏଇ କଟା ଦାଗଟା କ’ଣ ? ମୁଁ ଭାବୁଛି, କୌଣସି ଯୁଦ୍ଧରେ ତୁମେ ବୋଧହୁଏ ଆହତ ହୋଇଥିଲ ।’’

 

ଯୁଧିଷ୍ଠିର କହିଲେ, “ମହାରାଜ, ଥରେ ମାଟିର ସରାଗଦା ଉପରେ ପଡ଼ିଯାଇ ମୋର କପାଳ କଟିଯାଇଥିଲା । ଏଇଟା ସେଇ ଦାଗ ।’’

 

ରାଜା ଲଜ୍ଜିତ ହୋଇ କହିଲେ, “ଓଃ, ତୁମକୁ ଜଣେ ବଡ଼ ବୀର ଭାବି କି ଭୁଲ୍ ହୋଇଗଲା । ଯାହା ହେବାର ହେଲାଣି, ତୁମେ ଏବେ ରାଜପ୍ରାସାଦ ଛାଡ଼ି ପଳାଇଯାଅ । ତୁମ ବିଷୟରେ ସତ୍ୟକଥା ଜାଣିଲା ପରେ ଅନ୍ୟ ବୀର ଓ ଯୋଦ୍ଧାମାନେ ତୁମକୁ ମାରିପକାଇବେ ।

 

ଯୁଧିଷ୍ଠିର ମନେ ମନେ ଭାବିଲେ, ସତ୍ୟକଥା କହି ନ ଥିଲେ ଭଲ ହୋଇଥାନ୍ତା । ତେବେ ସେ ପୁଣି ସାହସ ସଞ୍ଚୟ କରି କହିଲେ, “ମହାରାଜ, ମୁଁ ଜଣେ ବଡ଼ ବୀର । ହଜୁର ମୋତେ ଥରେ ପରୀକ୍ଷା କରି ଦେଖନ୍ତୁ ।

 

ରାଜା କହିଲେ, “ଯୁଧିଷ୍ଠିର, ତୁମର ପରିଚୟ ଯାହା ପାଇଛି, ତାହା ଯଥେଷ୍ଟ । ବୀରତ୍ୱର ପରୀକ୍ଷା ନେଇ ଆଉ କିଛି ଲାଭ ନାହିଁ । ଏବେ ତୁମେ ସସମ୍ମାନେ ପଳାଇଯାଅ । କାରଣ ସିଂହଛୁଆ ସାଙ୍ଗରେ ବିଲୁଆଛୁଆ କ’ଣ ରହିପାରିଥିଲା ? ବିଲୁଆଛୁଆକୁ ମଧ୍ୟ ପଳାଇବାକୁ ପଡ଼ିଥିଲା ।

 

ଯୁଧିଷ୍ଠିର ପଚାରିଲେ, “ସେ ପୁଣି କେଉଁ ଘଟଣା ମହାରାଜ ?

 

ରାଜା ‘‘ବିଲୁଆ ଛୁଆର ବଡ଼ାଇ’ ଗଳ୍ପ ଯୁଧିଷ୍ଠିରଙ୍କୁ ଶୁଣାଇଲେ ।

Image

 

ବିଲୁଆଛୁଆର ବଡ଼ାଇ

Image

ଥରେ ଗୋଟିଏ ସିଂହ ସକାକୁ ଶିକାର କରିବାକୁ ଯାଇ ଦିନସାରା ଘୂରି ଘୂରି କୌଣସି ଶିକାର ପାଇଲା ନାହିଁ । ସନ୍ଧ୍ୟାବେଳକୁ କ୍ଳାନ୍ତ, ଶ୍ରାନ୍ତହୋଇ ଫେରି ଆସିଲାବେଳେ ନିଜର ଗୁମ୍ଫା ପାଖାପାଖି ଅତି ସୁନ୍ଦର ଏକ ଡଉଲ ଡାଉଲ ବିଲୁଆଛୁଆଟିଏ ଦେଖିଲା । ସିଂହ ବିଲୁଆଛୁଆକୁ ଧରି ଗୁମ୍ଫାକୁ ଫେରିଲା ।

 

ସିଂହୀ ପଚାରିଲା, “ଇଏ କ’ଣ ଆଣିଛ ? ଇଏ ଯେ ଗୋଟିଏ ବିଲୁଆଛୁଆ ବେଶ୍ ସୁନ୍ଦର ହୋଇଛି ତ !’’

 

ସିଂହ କହିଲା, ‘‘ଛୁଆଟା ସୁନ୍ଦର ବୋଲି ତ ମାରିଲି ନାହିଁ । ତା’ଛଡ଼ା ଶାସ୍ତ୍ରରେ ଅଛି, ସ୍ତ୍ରୀଲୋକ, ବ୍ରାହ୍ମଣ ଓ ଶିଶୁ ଏମାନଙ୍କୁ କେବେହେଲେ ବଧ କରିବା ଉଚିତ ନୁହେଁ ।” .

 

ସିଂହୀ କହିଲା, “ଛୁଆଟାକୁ ମୁଁ ପାଳିବି । ମୋର ଦୁଇପିଲାଙ୍କର ସେ ବଡ଼ଭାଇପରି ଚଳିବ । ମୁଁ ସମସ୍ତଙ୍କୁ ଏକସଙ୍ଗରେ ଲାଳନପାଳନ କରିବି ।’’

 

ସିଂହୀ କୋଳରେ ତିନୋଟି ଛୁଆ ଏକସଙ୍ଗରେ ବଢ଼ିବାକୁ ଲାଗିଲେ । କ୍ରମେ ସେମାନେ ମାଆକୋଳ ଛାଡ଼ି ଗୁମ୍ଫା ବାହାରକୁ, ଗୁମ୍ଫାଠାରୁ ଟିକିଏ ଦୂରକୁ ପରେ ବଣ ଭିତରକୁ ଯାଇ ଖେଳାଖେଳି କଲେ । ଛୋଟକାଟର ଶିକାର ହାବୁଡ଼େ ପଡ଼ିଗଲେ ସେମାନେ ଶିକାର ଉପରକୁ ଝାମ୍ପିପଡ଼ିବାକୁ ଆରମ୍ଭ ବି କଲେ ।

 

ଦିନେ ସିଂହଛୁଆ ଦୁହେଁ ଗୋଟିଏ ହାତୀକୁ ଆକ୍ରମଣ କରିବାକୁ ବସିଲେ । ବିଲୁଆ ଛୁଆ କହିଲା, “ଆରେ ତୁମେ ସବୁ ପଳାଇଆସ । ହାତୀକୁ ଆକ୍ରମଣ କରନି, ହାତୀ ମାରିପକାଇବ ।”

 

ବଡ଼ଭାଇର କଥା ଶୁଣି ସିଂହଛୁଆ ଦୁହେଁ ରାଗରେ ଗରଗର ହୋଇ ପଳାଇ ଆସିଲେ । ଗୁମ୍ଫାକୁ ଫେରି ମାଆ ପାଖରେ ନାଲିସ୍ କରି କହିଲେ, “ବଡ଼ଭାଇ ପାଇଁ ଆଜି ଏଡ଼େବଡ଼ ଶିକାରଟା ହାତରୁ ଖସିଗଲା । ଆମେ ଏଣିକି ବଡ଼ଭାଇକୁ ଆଉ ସାଙ୍ଗରେ ନେଇ ଶିକାରକୁ ଯିବୁ ନାହିଁ ।

 

ସିଂହୀ ସବୁ ଶୁଣି ବିଲୁଆଛୁଆକୁ ଡାକି କହିଲା, “ତୁ ଏଣିକି ସେମାନଙ୍କୁ ଶିକାର କରିବାରେ ବାଧା ଦେବୁ ନାହିଁ । ତୁ ନ ପାରିଲେ ଦୂରେଇ ରହିବୁ ।” ସିଂହୀ କଥା ଶୁଣି ବିଲୁଅଛୁଆର ପୌରୁଷରେ ଆଘାତ ଲାଗିଲା । ସେ କହିଲା, "ମୁଁ ସେମାନଙ୍କଠାରୁ କ’ଣ କମ୍ ଶିକାରୀ ? ମୁଁ କ’ଣ ଶିକାର କରିପାରିବି ନାହିଁ, ନା ଶିକାର କରି ଜାଣି ନାହିଁ ?

 

ସିଂହୀ କହିଲା, “ସେ ସବୁ କଥା ଛାଡ଼ । ତୁ ଦେଖିବାକୁ ସୁନ୍ଦର । ତୋର ଉତ୍ତମ ବୁଦ୍ଧି । ତେବେ, ତୁମ ବଂଶରେ କେହି ହାତୀ ଶିକାର କରନ୍ତି ନାହିଁ । ଏବେ ତୁ ତୋର ସ୍ୱଜାତିଙ୍କ ପାଖକୁ ଫେରିଯା, ନଚେତ୍ ବିପଦରେ ପଡ଼ିପାରୁ ।

 

ଗଳ୍ପ ଶେଷ କରି ମାଙ୍କଡ଼ କହିଲା, “ଏଇଥିପାଇଁ କହୁଛି ଯେ, ଯେଉଁ ବ୍ୟକ୍ତି ନିଜର ସ୍ୱାର୍ଥ ବିରୋଧରେ ସତ୍ୟ କଥା କହେ, ତା’ର ପରିଣାମ ଏହିପରି ହୋଇଥାଏ । ତୁ ଯଦି ତୋର ମନର କଥା କହି ନ ଥାନ୍ତୁ, ତେବେ ସହଜରେ ମୋର ହୃତ୍ପିଣ୍ଡଟାକୁ ଖାଇଥାନ୍ତୁ । ଗଧପରି ବୋକାମି ତୁ କରିଛୁ ।

 

ଗଧ କ’ଣ ବୋକାମି କରିଥିଲା, କୁମ୍ଭୀର ଜାଣିବାକୁ ଚାହିଁଲା ।

 

ମାଙ୍କଡ଼ “ସିଂହ ନା ଗଧ।” ଗଳ୍ପଟି କହିବାକୁ ଆରମ୍ଭ କଲା ।

Image

 

ସିଂହ ନା ଗଧ

Image

ଗଧ ବିନା ଧୋବାମାନଙ୍କର କାମ ଚଳିବା ବଡ଼ କଷ୍ଟ । ଗଧ ଯେପରି ମଇଳା ଲୁଗା ବୋଝ ବୋହିପାରେ, ସେପରି ଅନ୍ୟ କେହି ପଶୁ ପାରନ୍ତି ନାହିଁ । ତେଣୁ ଅଧିକାଂଶ ଧୋବା କେତେଟା ଗଧ ପୋଷିଥାଆନ୍ତି ।

 

ଗୋଟିଏ ଗାଁରେ ଗରିବ ଧୋବାଟିଏ ଥିଲା । ତା’ର ଗୋଟିଏ ଗଧ ଥିଲା । ଗଧଟିକୁ ପୋଷିବା ତା’ ପକ୍ଷରେ ବଡ଼ କଷ୍ଟ ହେଉଥିଲା । ଗଧଟ। ବହୁତ ଖଟୁଥିଲା, କିନ୍ତୁ ଖଟଣି ତୁଳନାରେ ତାକୁ ଉପଯୁକ୍ତ ଖାଦ୍ୟ ଜୁଟୁ ନ ଥିଲା ।

 

ଗଧଟା ଚରିବୁଲି ଖାଇବାପାଇଁ ଧୋବାର ସେପରି କିଛି ଜମିବାଡ଼ି ନ ଥିଲା । ତେଣୁ ବିଚରା ଗଧ ଲୁଚି ଲୁଚି ଅନ୍ୟମାନଙ୍କ ଜମିରେ ଚରି ବୁଲି ଅଳ୍ପ କିଛି ଖାଇବାକୁ ପାଉଥିଲା ।

 

ଖାଦ୍ୟ ଅଭାବରୁ ଗଧଟା ଶୁଖି ଶୁଖି ଗଲା ଏବଂ ରୋଗ ହୋଇଗଲା । ଧୋବା ଚିନ୍ତିତ ହୋଇ ଭାବିଲା, ମୋର ଗୋଟିଏ ମାତ୍ର ଗଧ । ସେ ଯଦି ଶୁଖି ଶୁଖି ମରିଯିବ, ତା’ହେଲେ ମୁଁ କଣ କରିବି ? ଲୋକମାନଙ୍କ ଘରୁ ମଇଳା ଲୁଗାପଟା କିଏ ବୋହିକରି ଆଣିବ ?

 

ଏହିପରି ବହୁ ଚିନ୍ତା କରି ଧୋବା ଗୋଟିଏ ଚମତ୍କାର ଉପାୟ ପାଞ୍ଚିଲା । ଧୋବା ପାଖରେ ଗୋଟିଏ ସିଂହଚମଡ଼ା ଥିଲା । ପ୍ରତିଦିନ ସନ୍ଧ୍ୟାବେଳେ ସେ ସିଂହଚମଡ଼ାଟାକୁ ଗଧ ଦେହରେ ବାନ୍ଧିଦେଇ ଗଧକୁ ଅନ୍ୟମାନଙ୍କ ଜମିରେ ଫସଲ ଖାଇବାପାଇଁ ଛାଡ଼ିଦେଇ ଆସେ । ଚାଷୀମାନେ ଗଧକୁ ପ୍ରକୃତ ସିଂହ ଭାବି ଭୟରେ ତା’ ପାଖ ପଶନ୍ତି ନାହିଁ । ସିଂହଚମଡ଼ା-ଆବୃତ ଗଧଟି ଆରାମରେ ରାତିସାରା ମନବୋଧ କରି ଫସଲ ଖାଏ ! ଭୋର ହେଲାବେଳକୁ ଧୋବା ଗଧକୁ ନେଇଆସେ ।

 

ଏହିପରି କେତେଦିନ, ଦିନ ପରେ କେତେ ମାସ ବି କଟିଗଲା । ଗଧଟି ଖାଇପିଇ ବେଶ୍ ମୋଟାମୋଟି ହୋଇଗଲା । ଡଉଲ ଡାଉଲ ଦେଖାଗଲା ।

 

ଦିନେ ସିଂହବେଶୀ ଗଧଟି ଜଣକ ଜମିରେ ପଶି ଫସଲ ଖାଉଥିଲା । ଏହି ସମୟରେ ଦୂର ଏକ ଜମିରେ ଚରୁଥିବା କେତେଗୁଡ଼ିଏ ଗଧ ବୋବେଇବାକୁ ଆରମ୍ଭ । କଲେ । ସେମାନଙ୍କର ସ୍ଵର ଶୁଣି ନିଜ ଜାତିର ସ୍ଵଭାବ ମୁତାବକ ସିଂହରୂପୀ ଗଧଟି ଜ୍ଞାତିଭାଇମାନଙ୍କର ସ୍ଵର ସହିତ ସ୍ୱର ମିଳାଇ ବୋବେଇବାକୁ ଲାଗିଲା ।

 

ତା’ ପରେ ସିଂହରୂପୀ ଗଧ ଯାଏ କୁଆଡ଼େ ? ପାଖରେ ଜମି ମାଲିକର ଘର ଥିଲା । ଗଧ ବୋବେଇବା ଶବ୍ଦ ଶୁଣି ଚାଷୀ ଜମିକୁ ଆସି ଦେଖିଲା, ସିଂହଟା । ଗଧପରି ବୋବାଉଅଛି । ପ୍ରକୃତ ଘଟଣାଟା ଜାଣିବାପାଇଁ ବୁଦ୍ଧିମାନ୍ ଚାଷୀକୁ ଡେରି ହେଲା ନାହିଁ । ଚାଷୀଟି ରାଗରେ ନିର୍ଘାତ ପିଟିଲା। ପିଟି ପିଟି ସିଂହଚର୍ମ ଆବୃତ ଗଧଟିକୁ ମାରିଦେଲି ।

 

ମାଙ୍କଡ଼ ତା’ର ଗଳ୍ପ ଶେଷ କଲା ଏହି ସମୟରେ ଅନ୍ୟ ଗୋଟିଏ କୁମ୍ଭୀର ଆସି ସେଠାରେ ପହଞ୍ଚି ପୂର୍ବୋକ୍ତ ସେହି ବୋକା କୁମ୍ଭୀରକୁ କହିଲା, “ହେ ଭାଇ, ତୁ ଏଠାରେ ଆସି ବସିଛି-। ତେଣେ ତୋର ସ୍ତ୍ରୀ ଅଭିମାନରେ କାନ୍ଦି କାନ୍ଦି ମଲାଣି । ପୁଣି ଅନ୍ୟ ଗୋଟିଏ ଜନ୍ତୁ ତୋର ଘରକୁ ଦଖଲ କରି ବସିଛି ।

 

ଖବରଟା ଶୁଣି ବୋକା କୁମ୍ଭୀରଟି କାନ୍ଦିପକାଇଲା । ଅନେକ ସମୟ କାନ୍ଦିଲା ପରେ ଜାମୁକୋଳି ଗଛ ଉପରେ ରହୁଥିବା ମାଙ୍କଡ଼ ମନରେ ବି ଦୁଃଖ ହେଲା । ମାଙ୍କଡ଼ କୁମ୍ଭୀରକୁ ନାନାଦି କଥା କହି ସାନ୍ତ୍ୱନା ଦେବାକୁ ଲାଗିଲା ।

 

କୁମ୍ଭୀର କହିଲା, ବନ୍ଧୁ ମାଙ୍କଡ଼, ଏବେ ମୁଁ କ’ଣ କରିବି ? ମୁଁ କ’ଣ କରିବା ଉଚିତ, ତୁମେ ମୋତେ ବତାଇଦିଅ ।”

 

ମାଙ୍କଡ଼ କହିଲା, “ମୋ କଥା ଯଦି ମାନିବ, ତେବେ କହୁଛି ଶୁଣ । କନ୍ଦାକଟା ଛାଡ଼ି ଆଗେ ଯାଇ ଘରଟା ଦଖଲ କର । ସେହି ଜନ୍ତୁଟା ସାଙ୍ଗରେ ଯାଇ ଯୁଦ୍ଧ କର । ଯୁଦ୍ଧରେ ମରିଗଲେ ସ୍ଵର୍ଗକୁ ଯିବୁ । ଯଦି ଯୁଦ୍ଧରେ ବିଞ୍ଚିଯିବୁ, ତେବେ ପ୍ରାଣ, ଘର ଓ ଯଶ ଲାଭ କରିବୁ । ଶତ୍ରୁକୁ ଜୟ କରିବାପାଇଁ ଅନେକ କୌଶଳ ଅଛି । ପଣ୍ଡିତମାନେ କହିଛନ୍ତି ଉତ୍ତମକୁ ପ୍ରଣିପାତ, ବଳବାନକୁ ଭେଦନୀତି ଦ୍ଵାରା, ନୀଚ ବ୍ୟକ୍ତିକୁ ସାମାନ୍ୟ ଅର୍ଥ ଦେଇ ଏବଂ ସମକକ୍ଷ ଶତ୍ରୁକୁ ନିଜର ଶକ୍ତିଦ୍ଵାରା ଆୟତ କରାଯାଏ । ଏହି ଉପାୟରେ ଚତୁର ବିଲୁଆ ସମସ୍ତଙ୍କୁ ଆୟତ୍ତ କରିଥିଲା ।

 

କୁମ୍ଭୀର ପଚାରିଲା, ତାହା କିପରି ସମ୍ଭବ ହୋଇଥିଲା ?

 

ମାଙ୍କଡ଼ କହିଲା, “ତା’ହେଲେ ଗଳ୍ପଟା କହୁଛି, ଶୁଣ ।”

 

ମାଙ୍କଡ଼ ଚତୁର ବିଲୁଆ’ ଗଳ୍ପ କହିଲା ।

Image

 

ଚତୁର ବିଲୁଆ

Image

ଦୁର୍ଗମ ଅରଣ୍ୟ ଭିତରେ ଗୋଟିଏ ବୁଢ଼ା ହାତୀ ମରି ପଡିଥିଲା । ଗୋଟିଏ ବିଲୁଆ ମଲା ହାତୀର ସନ୍ଧାନ ପାଇ ସେଠାରେ ଆସି ପହଁଞ୍ଚିଲା । ମୃତ ହାତୀଟିର ଅନ କେହି ଦାବିଦାର ନ ଥିବା ଦେଖି ବିଲୁଆଟି ଏକା ଡିଆଁକେ ଯାଇ ହାତୀ ଉପରେ ଠିଆ ହେଲା ।

 

ବିଲୁଆ ଭାବିଲା, ହାତୀର ମୁଣ୍ଡଟା ଖୁବ୍ ସୁସ୍ୱାଦୁ । ତେଣୁ ପ୍ରଥମେ ହାତୀମୁଣ୍ଡଟାକୁ ଖାଇବି । ଏହା ଭାବି ମଲା ହାତୀଟାର ମୁଣ୍ଡକୁ ବିଲୁଆ ଜୋର୍ରେ କାମୁଡ଼ିଲା । କିନ୍ତୁ ବିଲୁଆର ଦାନ୍ତଗୁଡ଼ିକ କଡ଼ମଡ଼ ହୋଇ ହଲିଗଲା ସିନା, ହାତୀ ଚମଡ଼ାରେ ଗୋଟିଏ ବି କଣା ହେଲା ନାହିଁ ।

 

ବିଲୁଆ ଦେଖିଲା, ବୁଢ଼ା ହାତୀଟାର ମୋଟା ଚମଡ଼ାକୁ କାମୁଡ଼ି ଛିଣ୍ଡାଇବା ତା’ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଅନ୍ୟ କୌଣସି ଜନ୍ତୁ ଦ୍ଵାରା କୌଶଳରେ ଚମଡ଼ାଟା ଛିଣ୍ଡାଇବା ପାଇଁ ବିଲୁଆ ଉପାୟ ଚିନ୍ତା କରିବାକୁ ଲାଗିଲା ।

 

ଏଇ ସମୟରେ ପଛପଟୁ ଭୀଷଣ ଗର୍ଜନ ଶୁଣାଗଲା । ବିଲୁଆ କାନ ପାତିଲା । ଟିକିଏ ସମୟ ପରେ ଗୋଟାଏ ଭୀଷଣକାୟ ସିଂହ ସେହି ଆଡ଼କୁ ଆସୁଥିବାର ଦେଖିଲା । ସିଂହକୁ ଦେଖି ବିଲୁଆ ପ୍ରଣାମ କରି କହିଲା, “ମହାରାଜ, ଦାସ ଗୋଟିଏ ପ୍ରାଣୀ ବଧ କରିଛି । ହଜୁରଙ୍କର ସେବାରେ ଲାଗିଲେ ଅଧୀନ ଉପକୃତ ହେବ ।’’

 

ସିଂହ କହିଲା, “ତୋ କଥା ଶୁଣି ଖୁସି ହେଲି । କିନ୍ତୁ ଅନ୍ୟଦ୍ଵାରା ବଧ ହୋଇଥିବା ପଶୁକୁ ମୁଁ ଛୁଏଁ ନାହିଁ । ଏହା କହି ସିଂହ ଚାଲିଗଲା । ବିଲୁଆ ସ୍ଵସ୍ତିର ନିଃଶ୍ୱାସ ନେଲା ।

 

କିଛି ସମୟ ପରେ ଥମ-ଥମ-ଥମ ଶବ୍ଦ ଶୁଭିଲା । ବିଲୁଆ ଚମକିପଡ଼ି ଶବ୍ଦ ଆସୁଥିବା ଦିଗକୁ ଅନାଇଲା । ବିଲୁଆ ଦେଖୁଲା, ପାଦ ଚିପି ଚିପି ତା’ରି ଆଡ଼କୁ ଗୋଟାଏ ବାଘ ଆସୁଛି । ବିଲୁଆ ଭାବିଲା, ଏଇ ବାଘଟା ବଡ଼ ଲୋଭୀ । ଏହାକୁ କୌଣସିମତେ ନ ତଡ଼ିଲେ ବାଘ ସବୁ ଖାଇ ଶେଷ କରିଦେବ ।

 

ବିଲୁଆ ବାଘକୁ ଦେଖୁ ଦେଖୁ କହିଲା, "ବାଘମାମୁ, ନମସ୍କାର । କୁଆଡ଼େ ଯାଉଛ ମାମୁ-? ସବୁ କୁଶଳ ତ ?

 

ବାଘ କହିଲା, “ଭଲ ଆଉ କ’ଣରେ ଭଣଜା ? କିରେ ବେଶ୍ ଗୋଟିଏ ବଡ଼ ଶିକାର ପାଇଛୁ, ଦେଖୁଛି ।”

 

ବାଘ ପାଟିରୁ ଲାଳ ଗଡ଼ିଲା । ସେ ପୁଣି କହିଲା, “ହାତୀର ମାଂସ ଖୁବ୍ ସ୍ଵାଦିଷ୍ଟ । ଗଲାସନ ହାତୀମାଂସ ଖାଇଥିଲି ।”

 

ବାଘ ଆଉ କ’ଣ କହିବାକୁ ଯାଉଥିଲା, କିନ୍ତୁ ବିଲୁଆ ବାଧା ଦେଇ କହିଲା, “ସେଇଥିପାଇଁ ତ ପହରା ଦେଉଛି । ସିଂହ ମହାରାଜ ହାତୀ ମାରିଦେଇ ଗାଧୋଇ ଯାଇଛନ୍ତି । ଆସିଲେ ମଣୋହି ବିଜେ କରିବେ । ପରେ ମୋତେ ଟିକିଏ ପ୍ରସାଦ ମିଳିବ ।

 

ବିଲୁଆ କଥା ଶୁଣି ବାଘ କହିଲା, “ସତେ ନା କ’ଣ ! ତା’ହେଲେ ଭଣଜା, ମୁଁ ଏବେ ଯାଉଛି । ସେ ଫେରିଆସି ମୋତେ ଦେଖିଲେ ସର୍ବନାଶ ।” ଏହା କହି ବାଘ ପଳାଇଗଲା ।

 

ବିଲୁଆ ମନକୁ ମନ କହିଲା, “ଦୁଇଟାକୁ ତଡ଼ିଲି । କିନ୍ତୁ ଏମିତି କେତେ ସମୟ ଯିବ ? ମଲା ହାତୀଟାର ଚମଡ଼ା ଛିଣ୍ଡାଇବି କିପରି ?’’

 

ଏଇ ସମୟରେ ଗୋଟିଏ ଗଧିଆ କାନ ଠିଆକରି ଚାରିଆଡ଼କୁ ଚାହିଁ ଚାହିଁ ଆସିଲା । ସେ ଭାରି ଭୋକିଲା ଦେଖାଯାଉଥିଲା । ବିଲୁଆ ଭାବିଲା, ଏହି ଗଧିଆ ଦ୍ୱାରା କାର୍ଯ୍ୟ ହାସଲ କରିବାକୁ ହେବ ।

 

ବିଲୁଆ ତାକୁ ଡାକ ପକାଇ କହିଲା, ଗଧିଆଭାଇ, କୁଆଡ଼େ ଯାଉଛ ? ଖାଦ୍ୟର ସନ୍ଧାନ କେଉଁଠି ପାଇଛି ବୋଧହୁଏ ?"

 

ଖାଇବା କଥା କହି ଆଉ ଭୋକର ଦାଉ ବଢ଼ାଇଦିଅ ନାହିଁ ଭାଇ । ସକାଳୁ ଘୂରି ଘୂରି ଏପର୍ଯ୍ୟନ୍ତ ଠେକୁଆଟିଏ ବି ପାଇନାହିଁ । ଦୀର୍ଘଶ୍ୱାସ ପକାଇ କହିଲା ଗଧିଆ ବିଲୁଆ କହିଲା, ଯାହା ଦିନକାଳ ହେଲାଣି, କ’ଣ ଖାଇ ଯେ ବଞ୍ଚିବା, ଭଗବାନ୍ ଜାଣନ୍ତି ।

 

ଗଧିଆ–ତୁମର ଭାଇ ଚିନ୍ତା କ’ଣ ? ବେଶ୍ ତ ବଡ଼ ଶିକାରଟିଏ ପାଇଛି ?

 

ବିଲୁଆ–ହାୟ, ହାୟ, ମୋର ପୋଡ଼ା କପାଳ । ସିଂହମହାରାଜ ଏହି ହାତୀଟାକୁ ମାରି ଗାଧୋଇ ଯାଇଛନ୍ତି । ଏବେ ଗାଧୋଇବେ, ଆହ୍ନିକ କରିବେ, କେତେ କ’ଣ ଜପତପ କରିବେ, ତା’ପରେ କେତେବେଳକୁ ଯେ ଫେରିବେ, ତା’ର କିଛି ଠିକଣା ଅଛି ? ସେ ଫେରିଲା ପରେ ମଣୋହି ବିଜେ କରିବେ । ତା’ପରେ ମୁଁ ଟିକିଏ ପ୍ରସାଦ ପାଇବି ।

 

ଗଧିଆ ଲୋଭାତୁର ଭାବରେ ମଲା ହାତୀଟାକୁ ଚାହିଁଥାଏ । ବିଲୁଆ ମନେ ମନେ ଭାବିଲା, ଏହା ହିଁ ସୁଯୋଗ । ପ୍ରକାଶ୍ୟରେ କହିଲା, "ଗଧିଆଭାଇ, ତୁମକୁ ବୋଧହୁଏ ଖୁବ୍ ଭୋକ ହେଉଛି ।

 

ଗଧିଆ କହିଲା, “ଭାଇ ପଚାରୁଛ କ’ଣ, ଭୋକରେ ପେଟ ଜଳିଲାଣି ।

 

ବିଲୁଆ କହିଲା, “ଗଧିଆଭାଇ, ତୁମେ ଗୋଟିଏ କାମ କର । ମୁଁ ଜଗିଛି । ତୁମେ ହାତୀଦେହରୁ କିଛି ଅଂଶ ଖାଇଦିଅ । ସିଂହମହାରାଜଙ୍କୁ ଆସିବାର ଦେଖିଲେ ମୁଁ ସାବଧାନ କରିଦେବି । ତୁମେ ପଳାଇବ । ତୁମେ ନ ଖାଇ କଷ୍ଟ ପାଉଛ, ମୁଁ ସହିପାରୁ ନାହିଁ ।

 

ଗଧିଆ କହିଲା, “ବିଲୁଆଭାଇ, ସିଂହର ଖାଦ୍ୟ ମୁଁ ଖାଇବି ? ଦରକାର ନାହିଁ ଭାଇ । ମୋର ତ ଦୁଈଟା ମୁଣ୍ଡ ନାହିଁ । ଶାସ୍ତ୍ରରେ ଅଛି ଯେଉଁ ଖାଦ୍ୟ ଖାଇବା ପାଇଁ ଶକ୍ତି ଅଛି, ଯାହା ଖାଇଲେ ହଜମ ହୋଇଯାଏ, ଯାହା ପୁଷ୍ଟିକର ଏବଂ ଖାଇଲେ କିଛି ବିପଦ ନାହିଁ, କଲ୍ୟାଣକାମୀ ଲୋକ ତାକୁହିଁ ଖାଇଥାଏ । ସିଂହ ମୁହଁରୁ ଆହାର ଖାଇ, କିଏ କେବେ ହଜମ କଲାଣି ?

 

ବିଲୁଆ କହିଲା, “ଦେଖ ଭାଇ, କହିବାକୁ ଗଲେ ତୁମେ ମୋର ଅତିଥି । ଅତିଥିକୁ ଅଖିଆ ଅପିଆ ଛାଡ଼ିଦେଇ ମୁଁ କ’ଣ ପାତକରେ ଭାଗୀ ହେବି ? ମୁଁ କହୁଛି ତୁମେ ନିଃସଙ୍କୋଚରେ ଖାଅ । ବିପଦ ମୁଁ ମୁଣ୍ଡାଇବି ।

 

ଗଧିଆ କହିଲା, “ଏତେକରି ଯଦି କହୁଛି, କ’ଣ ଟିକିଏ ଖାଇଦେଇ ଯିବି । କିନ୍ତୁ ଭାଇ, ସିଂହ ଆସିଲେ ମୋତେ ସଙ୍ଗେ ସଙ୍ଗେ ସତର୍କ କରିଦେବ ।’

 

ତା’ପରେ ଗଧିଆ ତା’ର ଶକ୍ତ ଓ ମୁନିଆ ଦାନ୍ତରେ ଟାଣି ଟାଣି ହାତୀର ଶକ୍ତ ଚମଡ଼ାକୁ ଛିଣ୍ଡାଇଦେଲା ।

 

ଏଣେ ବିଲୁଆ ପହରା ଦେବାର ବାହାନା କରି କଣେଇ କଣେଇ ଗଧିଆର କାର୍ଯ୍ୟକଳାପକୁ ଲକ୍ଷ୍ୟ କରୁଥାଏ ।

 

ଗଧିଆ ପ୍ରାଣପଣେ ଲାଗି ହାତୀପିଠିରୁ ଚମଡ଼ା ଉତାରି ମାଂସଖଣ୍ଡ ଟାଣି ଖାଇବାକୁ ଯାଉଛି, ବିଲୁଆ ଡାକ ପକାଇ କହିଲା, ‘ଭାଇ ପଳାଅ, ପଳାଅ । ସେ ଆସିଲାଣି... ?

 

ବିଲୁଆକଥା ଶୁଣି ଗଧିଆ ପଛକୁ ନ ଅନାଇ ପ୍ରାଣବିକଳରେ ଦୌଡ଼ିଲା । ଏକାଥରେ ସେହି ବଣ ଛାଡ଼ି ଅନ୍ୟ ବଣକୁ ପଳାଇଲା ।

Image

 

ପଞ୍ଚମ ତନ୍ତ୍ର : ଅପରୀକ୍ଷିତ କାରକ

ମଣିଭଦ୍ର କଥା

Image

ମଣିଭଦ୍ର ନାମକ ଜଣେ ବଣିକ ଥିଲେ । ତାଙ୍କର ପୂର୍ବପୁରୁଷ ଖୁବ୍ ବଡ଼ଲୋକ ଥିଲେ । କିନ୍ତୁ ମଣିଭଦ୍ରଙ୍କ ବେଳକୁ ପୂର୍ବପୁରୁଷଙ୍କର ଧନଦୌଲତ ଏବଂ ଜମିଜମା କିଛିହେଲେ ନ ଥିଲା । ମଣିଭଦ୍ର ବ୍ୟବସାୟ ବାଣିଜ୍ୟ କଲେ, ତଥାପି ତାଙ୍କର ବିଶେଷ କିଛି ଉନ୍ନତି ହେଲା ନାହିଁ । ଭାଗ୍ୟ ଯାହାପ୍ରତି ବିମୁଖ, ତା’ର ଜୀବନରେ ଉନ୍ନତିର ସମ୍ଭାବନା ବା କାହିଁ ?

 

ମଣିଭଦ୍ର ଯଦି ବଡ଼ଲୋକ ଘରେ ଜନ୍ମ ହୋଇ ନ ଥାନ୍ତେ, ତେବେ ସେ ତାଙ୍କର ବର୍ତ୍ତମାନକୁ ନେଇ ସନ୍ତୁଷ୍ଟ ରହିଥାନ୍ତେ । ମଣିଭଦ୍ର ତାଙ୍କର ଦୀନହୀନ ଅବସ୍ଥା ସହ୍ୟ କରି ନ ପାରି ଆତ୍ମହତ୍ୟା କରିବାକୁ ସ୍ଥିର କଲେ । ସେଦିନ ରାତିରେ ସେ ଏକ ଅପୂର୍ବ ସ୍ଵପ୍ନ ଦେଖିଲେ । ସ୍ଵୟଂ ଭଗବାନ୍ ତାଙ୍କୁ ସ୍ୱପ୍ନରେ କହୁଛନ୍ତି, “ବତ୍ସ ମଣିଭଦ୍ର, ଆତ୍ମହତ୍ୟା ମହାପାପ । ଆତ୍ମହତ୍ୟା କର ନାହିଁ-। ତୁମର ପୂର୍ବପୁରୁଷ ମୋର କୃପାଲାଭ କରିଥିଲେ । ସେମାନଙ୍କର ପୁଣ୍ୟବଳରୁ ତୁମେ ବି ମୋର କୃପାଲାଭ କରିବ । ଆସନ୍ତା କାଲି ସକାଳେ ଜଣେ ବୌଦ୍ଧଭିକ୍ଷୁର ବେଶରେ ମୁଁ ତୁମ ନିକଟକୁ ଯିବି-। ତୁମେ ଗୋଟିଏ ଠେଙ୍ଗାରେ ମୋର ମୁଣ୍ଡକୁ ଆଘାତ କରିବ । ଆଘାତ ପାଇଲାମାତ୍ରେ ମୁଁ ସୁନାରେ ପରିଣତ ହୋଇଯିବି । ତୁମେ ସେହି ସୁନାକୁ ବିକ୍ରି କରି ପୁଣି ଐଶ୍ଵର୍ଯ୍ୟବାନ୍ ହେବ । ଏତିକି କହି ଭଗବାନ୍ ଶୂନ୍ୟରେ ମିଳେଇଗଲେ । ସ୍ଵପ୍ନ ଭାଙ୍ଗିଗଲା ।

 

ମଣିଭଦ୍ର ନିଦରୁ ଉଠି ସ୍ଵପ୍ନକଥା ଭାବିବାକୁ ଲାଗିଲେ । ତାଙ୍କର ମନ ଆଶା ଓ ଆଶଙ୍କାରେ ଦୋଳାୟିତ ହେବାକୁ ଲାଗିଲା। ସତେ କ’ଣ ଏତେଦିନକେ ଭଗବାନ ମୋତେ ଶୁଭଦୃଷ୍ଟିରେ ଚାହିଁଲେ ? ନା ସ୍ଵପ୍ନ ଖାଲି ସ୍ୱପ୍ନରେ ରହିଯିବ ? ସ୍ଵପ୍ତ ତ ମାୟା । ସ୍ୱପ୍ନ ତ ମିଥ୍ୟ । ମଣିଭଦ୍ର ତାଙ୍କ ମନକୁ ବୁଝାଇଲେ, ଦୈବ ଅନୁକୂଳ ହେଲେ ସବୁ ସମ୍ଭବ । ଦୈବଠାରୁ ଆଉ ବଳ ନାହିଁ ।

 

ରାତି ପାହିଲା । ସକାଳ ହେଲା । ଅଧୀର ଆଗ୍ରହରେ ମଣିଭଦ୍ର ପ୍ରତିଟି ମୁହୂର୍ତ୍ତ ଗଣିବାକୁ ଲାଗିଲେ । ଟିକିଏ ଶବ୍ଦ ହେଲେ ସେ ଭାବନ୍ତି, ଏଇ ସେ ଆସିଗଲେ । କିନ୍ତୁ କାଇଁ, ବୌଦ୍ଧଭିକ୍ଷୁବେଶୀ ଭଗବାଙ୍କର ଯେ ଦେଖା ନାହିଁ । ବେଳ ଆସି ଘଡ଼ିଏ ହେଲା । ଏଇ ସମୟରେ ମଣି ଭଦ୍ରଙ୍କର ଦାଢ଼ି କାଟିବାକୁ ବାରିକ ଆସି ପହଞ୍ଚିଲା । ମଣିଭଦ୍ର ଦାଢ଼ି କାଟିବାକୁ ବସିଲେ । ବାରିକ ଦାଢ଼ି କାଟୁଥାଏ, କିନ୍ତୁ ମଣିଭଦ୍ର ଉତ୍କଣ୍ଠିତ ଭାବରେ ରାସ୍ତାକୁ ଚାହିଁଥାନ୍ତି । ଏଇ ସମୟରେ ମଣିଭଦ୍ର ଜଣେ ସନ୍ୟାସୀଙ୍କୁ ଆସୁଥିବାର ଦେଖିଲେ ।

 

ମଣିଭଦ୍ର ନିଜକୁ ବିଶ୍ୱାସ କରିପାରିଲେ ନାହିଁ । ସନ୍ୟାସୀ ତାଙ୍କ ଆଡ଼କୁ ଆଗେଇ ଆସୁଥିବାର ଦେଖି ମଣିଭଦ୍ର ଦୌଡ଼ିଯାଇ ଠେଙ୍ଗାରେ ସନ୍ନ୍ୟାସୀଙ୍କର ମୁଣ୍ଡକୁ ଜୋର୍ ରେ ଆଘାତ କଲେ । ଆଘାତ ପାଇ ସନ୍ୟାସୀ ସୁନାରେ ପରିଣତ ହୋଇଗଲେ ମଣିଭଦ୍ରଙ୍କ ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା ।

 

ବାରିକ ଆଶ୍ଚର୍ଯ୍ୟ ହୋଇ ଏହି ଆଚମ୍ବିତ ଦୃଶ୍ୟ ଦେଖୁଥାଏ । ତା’ ଜୀବନରେ ସେ ନା ଏପରି ଦୃଶ୍ୟ ଦେଖିଥିଲା ନା ଶୁଣିଥୁଲା । ବାରିକକୁ ବିସ୍ମିତ ହେବାର ଦେଖି । ମଣିଭଦ୍ର ତାକୁ କହିଲେ, “ବାରିକ ଭାଇ, ଏଇ ଘଟଣା ବିଷୟରେ ତୁମେ କାହାକୁ । କିଛି କହିବ ନାହିଁ । ମୁଁ ତୁମକୁ କିଛି ମୁଦ୍ରା ଦେଉଛି ।

 

ଘରକୁ ଫେରି ବାରିକର ଆଉ କୌଣସି କାମରେ ମନ ଲାଗିଲା ନାହିଁ । ତା’ ମନରେ ସବୁବେଳେ ଗୋଟିଏ ଚିନ୍ତା ଘାରିଲା–ସେ କଣ ଦେଖିଲା ? ବୌଦ୍ଧସନ୍ୟାସୀଙ୍କୁ ବାଡ଼େଇଲେ ସେ ସୁନାରେ ପରିଣତ ହେବେ । ସେ ଠିକ୍‍ କଲା, ସେ ମଧ୍ୟ ଜଣେ ସନ୍ୟାସୀଙ୍କୁ ବାଡ଼େଇ ସୁନା ତିଆରି କରିବ ।

 

ବୌଦ୍ଧ ସନ୍ୟାସୀମାନେ ଯେଉଁ ମଠରେ ରୁହନ୍ତି, ତାକୁ ‘ବିହାର’ କୁହାଯାଏ । ବାରିକ ନିକଟସ୍ଥ ବିହାରକୁ ଯାଇ ମୁଖ୍ୟ ସନ୍ୟାସୀଙ୍କୁ ପ୍ରଣାମ କରି କହିଲା, ‘ପ୍ରଭୁ, ମୁଁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି । ବୌଦ୍ଧ ସନ୍ନ୍ୟାସୀ କହିଲେ, “ବତ୍ସ, ସନ୍ନ୍ୟାସୀମାନେ ନିମନ୍ତ୍ରଣ ରକ୍ଷା କରି କାହାରି ଘରକୁ ଯାଆନ୍ତି ନାହିଁ ।

 

ଆମ୍ଭେ ପ୍ରୟୋଜନ ଅନୁସାରେ ଭିକ୍ଷା କରି ଜୀବନଧାରଣ କରୁ । ତା’ଠାରୁ ଅଧିକ କିଛି ଆବଶ୍ୟକ ନାହିଁ । ବାରିକ ବହୁ ଅନୁନୟ ବିନୟ ହୋଇ କହିଲା, “ପ୍ରଭୁ, ମୁଁ ସେ ସମସ୍ତ ବିଷୟ ଜାଣିଛି । ମୁଁ ଆପଣଙ୍କୁ ଦାନ କରିବା ପାଇଁ କିଛି ଜିନିଷ ଯୋଗାଡ଼ କରିଛି । ଆପଣ ଦୟାକରି ମୋ’ଘରକୁ ଆସି ସେଗୁଡ଼ିକୁ ଗ୍ରହଣ କରନ୍ତୁ ।’’

 

ସନ୍ୟାସୀ ବାରିକର ଅନୁରୋଧ ରକ୍ଷା କଲେ । ପରଦିନ ସକାଳେ ସନ୍ୟାସୀ ବାରିକ ଦୁଆରେ ପହଁଞ୍ଚିଲେ । ବାରିକ ସନ୍ୟାସୀଙ୍କୁ ସସମ୍ମାନେ ଆଦର ଅଭ୍ୟର୍ଥନା କରି ଗୋଟିଏ ବଡ଼ ଘରେ ନେଇ ବସାଇଲା । ଘରର ସମସ୍ତ ଦ୍ଵାର, ଝରକା ବନ୍ଦ କରିଦେଇ ଗୋଟିଏ ବଡ଼ ଠେଙ୍ଗାରେ ସନ୍ନ୍ୟାସୀଙ୍କୁ ନିର୍ଘାତ ପିଟିବାକୁ ଲାଗିଲା ।

 

ସନ୍ୟାସୀ ବିକଳରେ ଚିତ୍କାର କରିବାକୁ ଲାଗିଲେ ! ଚିତ୍କାର ଶୁଣି ପାଖ ପଡ଼ୋଶୀ ଓ ରାସ୍ତାରେ ଯାଉଥିବା ଶାନ୍ତି-ଶୃଙ୍ଖଳା ରକ୍ଷାକାରୀ ରାଜକର୍ମଚାରୀମାନେ ସେଠାରେ ପହଞ୍ଚିଗଲେ । ସେମାନେ ଘରର ଦରଜା ଭାଙ୍ଗି ଘର ଭିତରେ ପ୍ରବେଶ କରି ଆହତ ସନ୍ୟାସୀଙ୍କୁ ଉଦ୍ଧାର କଲେ । ବାରିକକୁ ବନ୍ଦୀ କଲେ ।

 

ରାଜକର୍ମଚାରୀମାନେ ବନ୍ଦୀ ବାରିକକୁ ପଚରାଉଚୁରା କଲେ । ବାରିକ ମଣିଭଦ୍ରଙ୍କ ଘରେ ଦେଖିଥିବା ଘଟଣା ପ୍ରକାଶ କଲା । ରାଜକର୍ମଚାରୀମାନେ ମଣିଭଦ୍ରଙ୍କୁ ଡକାଇ ପଚାରନ୍ତେ ସେ ସମସ୍ତ ସତ୍ୟକଥା ପ୍ରକାଶ କଲେ । ସମସ୍ତ ସତ୍ୟାସତ୍ୟ ଘଟଣା ବୁଝିଲାପରେ ରାଜକର୍ମଚାରୀମାନେ କହିଲେ, “ରେ ବାରିକ, ତୁ ଅପରୀକ୍ଷିତକାରକ। ତୁ କୌଣସି କାର୍ଯ୍ୟର କାରଣ ନ ବୁଝି ନ ଶୁଝି ଜଣେ ନିରୀହ ସନ୍ୟାସୀଙ୍କୁ କ୍ଷତବିକ୍ଷତ କରିଛୁ । ସେଇଥିପାଇଁ ତୋତେ ଶୂଳି ଦିଆଯିବ । ବ୍ରାହ୍ମଣୀ ନେଉଳପାଇଁ ପଶ୍ଚାତାପ କଲାପରି ଏବେ ତୁ ପଶ୍ଚାତାପ କରି ଆଉ କିଛି ଲାଭ ନାହିଁ ।”

 

ମଣିଭଦ୍ର ପଚାରିଲେ, “ମହାଶୟ, ସେ ଘଟଣା ପୁଣି କ’ଣ ? ରାଜକର୍ମଚାରୀ “ବିଶ୍ଵାସୀ ନେଉଳ ଗଳ୍ପ ଶୁଣାଇଲେ ।

Image

 

ବିଶ୍ୱାସୀ ନେଉଳ

Image

ବ୍ରାହ୍ମଣ ପରିବାରଟିଏ ଗୋଟିଏ ଗାଁରେ ରହୁଥାନ୍ତି । ପରିବାର କହିଲେ ବ୍ରାହ୍ମଣ ବ୍ରାହ୍ମଣୀ ଏବଂ ସେମାନଙ୍କର ଛୋଟ ପୁଅଟିଏ । ବ୍ରାହ୍ମଣ–ବ୍ରାହ୍ମଣୀ ପୁଅକୁ ପ୍ରାଣଭରି ଭଲ ପାଆନ୍ତି । ସଂସାରରେ ତାଙ୍କର ଛୋଟ ପୁଅଟି ଛଡ଼ା ଗୋଟିଏ ନେଉଳ ସେମାନେ ପୋଷିଥାନ୍ତି । ପୁଅଟି ଯେଉଁଦିନ ଜନ୍ମ ହୋଇଥିଲା, ନେଉଳଟି ମଧ୍ୟ ସେଦିନ ଜନ୍ମ ହୋଇଥିଲା । ନେଉଳଟିର ଜନ୍ମ ପରେ ପରେ ତା’ର ମାଆ ମରିଯାଇଥିଲା । ସେହିଦିନଠାରୁ ବ୍ରାହ୍ମଣ-ବ୍ରାହ୍ମଣୀ ନେଉଳ ଛୁଆଟିକୁ ଅତି ସ୍ନେହରେ ପାଳିଲେ ।

 

ଦିନକର କଥା । ବ୍ରାହ୍ମଣୀ ପୋଖରୀକୁ ପାଣି ପାଇଁ ବାହାରିଲେ । ଗଲାବେଳେ ବ୍ରାହ୍ମଣଙ୍କୁ କହିଲେ, “ମୁଁ ପାଣି ପାଇଁ ପୋଖରୀକୁ ଯାଉଛି ତୁମେ ପୁଅକୁ ଜଗିଥାଅ ।”

 

ବ୍ରାହ୍ମଣ କହିଲେ, “ମୋତେ ରାଜବାଟୀକୁ ଯିବାକୁ ହେବ, ତୁମେ ସହଳ ସହଳ ଆସ ।

 

ବ୍ରାହ୍ମଣୀ କହିଲେ, “ଆଜି ଆଉ ରାଜବାଟୀ ଗଲେ ଚଳିବ ନାହିଁ । ତୁମେ ଘରେ ଥାଅ । ମୁଁ ପାଣି ଆଣିବି ।’ ଏଇ ସମୟରେ ରାଜବାଟୀରୁ ବ୍ରାହ୍ମଣଙ୍କୁ ଡାକରା ଆସିଲା । ବ୍ରାହ୍ମଣ ତରତର ହୋଇ ରାଜବାଟୀକୁ ଦୌଡ଼ିଲେ ।

 

ବ୍ରାହ୍ମଣୀ ବାଧ୍ୟ ହୋଇ ପୁଅକୁ ଜଗିବା ଭାର ନେଉଳକୁ ଦେଇ ପାଣି ଆଣିବାକୁ ପୋଖରୀକୁ ଗଲେ । ଗ୍ରାମ୍ୟ ସ୍ତ୍ରୀଲୋକମାନେ ପୋଖରୀ କୂଳକୁ ଗଲେ ଫେରିବାକୁ ବିଳମ୍ବ ହୋଇଥାଏ । କାରଣ ସେଠାରେ ପାଞ୍ଚ ପଡ଼ୋଶୀଙ୍କ ସହ ଦେଖା ହୁଏ, ସୁଖ ଦୁଃଖ କଥା ପଡ଼େ । ପରଚର୍ଚ୍ଚା ମଧ୍ୟ ହୁଏ । ବ୍ରାହ୍ମଣୀର ମଧ୍ୟ ଡେରି ହେଲା ।

 

ପୁଅକୁ ଘରେ ଏକୁଟିଆ ଛାଡ଼ି ଆସିଥିବା କଥା ହଠାତ୍ ବ୍ରାହ୍ମଣୀଙ୍କର ମନେ ପଡ଼ିଗଲା । ସେ ଦୃତ ପଦକ୍ଷେପରେ ଘରମୁହାଁ ଫେରିଲେ । ଘର ପାଖାପାଖି ହେଲାବେଳକୁ ନେଉଳଟା ଦୌଡ଼ିଆସି ବ୍ରାହ୍ମଣୀଙ୍କର ପାଦତଳେ ପଡ଼ିଗଲା

 

ନେଉଳର ବ୍ୟବହାରରେ ବ୍ରାହ୍ମଣୀ ବିରକ୍ତ ହୋଇ କହିଲେ, “ପିଲାଟାକୁ ଘରେ ଏକୁଟିଆ ଛାଡ଼ିଦେଇ ଆସି ମୋ’କୋଳକୁ ଆସିବାକୁ ଚାହୁଛୁ । ତୋତେ ଲାଜ ନାହିଁ ?

 

ନେଉଳ ସିନା ବ୍ରାହ୍ମଣୀଙ୍କର କଥା ବୁଝିପାରିଲା ନାହିଁ । କିନ୍ତୁ ବ୍ରାହ୍ମଣୀଙ୍କର ବିରକ୍ତକୁ ବେଶ୍ ବୁଝିପାର ସେ ବ୍ରାହ୍ମଣୀଙ୍କର ମୁହଁକୁ ଚାହିଁରହିଲା ।

 

ନେଉଳର ମୁହଁକୁ ଚାହିଁଦେଇ ବ୍ରାହ୍ମଣୀ ଚମକିପଡ଼ିଲେ । ଏ କ’ଣ, ନେଉଳ ପାଦରେ ଓ ମୁହଁରେ ଯେ ତାଜା ରକ୍ତ ଲାଗିଛି “ହତଭାଗା, ତୁ ମୋ’ ପୁଅକୁ ଖାଇଦେଇ ଆସିଛୁ ? ଏହା କହି ବ୍ରାହ୍ମଣୀ ପାଣିଭରା ମାଠିଆଟାକୁ ନେଉଳ ଉପରେ କଚାଡ଼ିଦେଲେ । ବିଚରା ନେଉଳ ଛଟପଟ ହୋଇ ଆରପାରିକୁ ଚାଲିଲା ।

Image

ବ୍ରାହ୍ମଣୀ ପାଗଳୀ ପରି ଦୌଡ଼ିଲେ ଘରକୁ । ଘରେ ପୁଅ ନିଶ୍ଚିନ୍ତନରେ ଶୋଇଥିବାର ଏବଂ ପାଖରେ ଗୋଖର ସାପଟିଏ ଟୁକୁରା ଟୁକୁରା ହୋଇ ପଡ଼ିଥିବାର ଦେଖି ବ୍ରାହ୍ମଣୀ ଅବାକ୍ ହୋଇଗଲେ । ବିଶ୍ଵାସୀ ନେଉଳ ପୁଅକୁ ମୃତ୍ୟୁ ମୁଖରୁ ବଞ୍ଚଇଛି, ଏ କଥା ବୁଝିବା ପାଇଁ ବ୍ରାହ୍ମଣୀଙ୍କୁ କଷ୍ଟ ହେଲା ନାହିଁ । କିନ୍ତୁ କ’ଣ

 

ହେବ, ଏଣେ ନେଡ଼ିଗୁଡ଼ କହୁଣିକୁ ଯେ ବୋହିଯାଇଛି ! ନେଉଳ ଯେ ଆରପାରିରେ ! ବ୍ରାହ୍ମଣୀଙ୍କର ମନ ଅନୁଶୋଚନାରେ ଭରିଗଲା ।

 

ଏଇ ସମୟରେ ବ୍ରାହ୍ମଣ ରାଜବାଟୀରୁ ଫେରିଲେ । ବ୍ରାହ୍ମଣଙ୍କୁ ଦେଖି ବ୍ରାହ୍ମଣୀଙ୍କର ସବୁ ରାଗ ଯାଇ ପଡ଼ିଲା ବ୍ରାହ୍ମଣଙ୍କ ଉପରେ । ବ୍ରାହ୍ମଣୀ କହିଲେ, ‘‘ତୁମେ ଲୋଭରେ ପଡ଼ି ରାଜବାଟୀକୁ ଭଲ ବୋଲି ଏପରି ଅଘଟଣ ଘଟିଲା । ପୁଅ ଯଦିଓ ସାପକାମୁଡ଼ାରୁ ବଞ୍ଚିଲା, କିନ୍ତୁ ମୋର କୁବୁଦ୍ଧିରୁ ନେଉଳ ବିଚରା ମଲା । ଏସବୁର କାରଣ ତୁମର ଲୋଭ । ଅତି ଲୋଭ କଲେ ଗଳ୍ପ ବର୍ଣ୍ଣିତ ଚାରି ବ୍ରାହ୍ମଣପୁତ୍ରଙ୍କର ଅବସ୍ଥା ହୋଇଥାଏ ।’’

 

ବ୍ରାହ୍ମଣ କହିଲେ, ମୁଁ ଟିକିଏ ଲୋଭୀ । ଏହା ସତ୍ୟ । କିନ୍ତୁ ସେହି ଚାରିଜଣ ବ୍ରାହ୍ମଣପୁତ୍ର ଗଳ୍ପଟା କ’ଣ କୁହ ତ ।”

 

ତା’ ପରେ ବ୍ରାହ୍ମଣୀ “ଅତି ଲୋଭ ଖରାପ’ ଗଳ୍ପଟି କହିବାକୁ ଆରମ୍ଭ କଲେ ।

Image

 

ଅତି ଲୋଭ ଖରାପ

Image

ଚାରି ବ୍ରାହ୍ମଣପୁତ୍ର ଘନିଷ୍ଠ ସାଙ୍ଗ । ସେମାନେ ଉପାର୍ଜନ ପାଇଁ ବିଦେଶ ବାହାରିଲେ । ଯାଉ ଯାଉ ବାଟରେ ପଡ଼ିଲା ଶିପ୍ରାନଦୀ । ସେହି ନଦୀ କୂଳରେ ସେମାନେ ଜଣେ ସିଦ୍ଧ ଯୋଗୀ ପୁରୁଷଙ୍କୁ ଦେଖିଲେ । ଚାରି ବ୍ରାହ୍ମଣପୁତ୍ର ଯୋଗୀ ପୁରୁଷଙ୍କୁ ଭକ୍ତିଭରେ ପ୍ରଣାମ କରି କହିଲେ, “ହେ ଦେବ, ଆପଣ ସିଦ୍ଧପୁରୁଷ । ଆମେ ସମସ୍ତେ ଉପାର୍ଜନପାଇଁ ବାହାରିଛୁ ଆପଣ ଆମକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରନ୍ତୁ ।’’

 

ଯୋଗୀ ପୁରୁଷ ଚାରିବନ୍ଧୁଙ୍କ କଥାରେ ସନ୍ତୁଷ୍ଟ ହୋଇ କହିଲେ, ତୁମେ ଚାରିବନ୍ଧୁ ଏଇ ଚାରୋଟି ଦୀପ ଧରି ସିଧା ଉତ୍ତରକୁ ହିମାଳୟ ଦିଗରେ ଯାଅ । ବାଟରେ ଯାହା ହାତରୁ ଯେଉଁଠାରେ ଦୀପ ଖସିପଡ଼ିବ, ସେ ସେଠାରେ ମାଟି ଖୋଳିଲେ ଧନ ପାଇବ ।’’

 

ଚାରିବନ୍ଧୁ ଦୀପ ହାତରେ ଧରି ଚାଲିବାକୁ ଲାଗିଲେ । ଚାଲୁ ଚାଲୁ ଜଣକ ହାତରୁ ଦୀପ ଖସିପଡ଼ିଲା । ଚାରି ବନ୍ଧୁ ସାଙ୍ଗ ହୋଇ ସେହି ସ୍ଥାନକୁ ଖୋଳି ତମ୍ବାଖଣିର ସନ୍ଧାନ ପାଇଲେ । ଯାହା ହାତରୁ ଦୀପ ଖସିଥିଲା, ସେ କହିଲା, "ବନ୍ଧୁଗଣ, ଆମେ ଏଠାରୁ ତମ୍ବା ବୋହିନେଇ ଆମ ଦେଶକୁ ଫେରିଯିବା ତମ୍ବା ବିକ୍ରି କରି ବହୁ ପଇସା ରୋଜଗାର କରିବା ।

 

ଅନ୍ୟ ତିନିବନ୍ଧୁ କହିଲେ, ତୁ ତୋର ତମ୍ବା ପାଇ ସନ୍ତୁଷ୍ଟ ରହ । ଆମେ ଦେଖିବୁ ଆମ ଭାଗ୍ୟରେ କ’ଣ ଅଛି ।’’

 

ପ୍ରଥମ ବନ୍ଧୁ ତମ୍ବା ନେଇ ଦେଶକୁ ଫେରିଲା । ଅନ୍ୟ ତିନିବନ୍ଧୁ ନିଜ ନିଜ ଦୀପ ହାତରେ ଧରି ଆହୁରି ଉତ୍ତରକୁ ଚାଲିଲେ । କିଛି ବାଟ ଗଲାପରେ ଦ୍ୱିତୀୟ ବନ୍ଧୁର ହାତରୁ ଦୀପ ଖସିପଡ଼ିଲା-। ତିନିବନ୍ଧୁ ମିଳିମିଶି ସେହି ସ୍ଥାନକୁ ଖୋଳିବାକୁ ଲାଗିଲେ। ସେଠାରେ ଥିଲା ରୁପାଖଣି-। ଦ୍ୱିତୀୟ ବନ୍ଧୁ କହିଲା, ‘ଭାଇମାନେ, ଆମେ ଏଠାରୁ ରୁପା ନେଇ ଦେଶକୁ ଫେରିଯିବା ରୁପା ବିକ୍ରି କରି ଆମେ ଧନୀ ହୋଇପାରିବା ।

 

କିନ୍ତୁ ତା’ର ଅନ୍ୟ ଦୁଇବନ୍ଧୁ କହିଲେ, ‘‘ରୁପା ନେଇ ତୁ ଘରକୁ ଫେରିଯାଆ । ଆମେ ଆହୁରି ଉତ୍ତରକୁ ଯିବୁ ।”

 

ଅଗତ୍ୟା ଦ୍ୱିତୀୟ ବନ୍ଧୁଜଣକ ରୁପା ନେଇ ଘରକୁ ଫେରିଲା । ଅନ୍ୟ ଦୁଇବନ୍ଧୁ ହାତରେ ଦୀପ ଧରି ପୁଣି ଉତ୍ତର ଦିଗକୁ ଚାଲିଲେ ।

 

ଚାଲୁ ଚାଲୁ ତୃତୀୟ ବନ୍ଧୁ ହାତରୁ ଦୀପଟା ଖସି ମାଟିରେ ପଡ଼ିଲା । ଦୁଇ ବନ୍ଧୁ ବହୁ ପରିଶ୍ରମ କରି ସେହି ସ୍ଥାନକୁ ଖୋଳି ସୁନାଖଣିର ସନ୍ଧାନ ପାଇଲେ । ସୁନାଖଣି ଦେଖି ତୃତୀୟ ବନ୍ଧୁଜଣକ ଆନନ୍ଦରେ ଗଦ୍‌ଗଦ୍‌ ହୋଇ ଅପର ବନ୍ଧୁକୁ କହିଲା ବନ୍ଧୁ, ତୁମେ ଆଉ ଆଗକୁ ଯିବାର ଆବଶ୍ୟକତା ନାହିଁ । ସୁନାଠାରୁ ମୂଲ୍ୟବାନ୍ ଜିନିଷ ବା କ’ଣ ଅଛି ? ଆମେ ସାଙ୍ଗ ହୋଇ ସୁନା ନେଇ ଘରକୁ ଫେରିଯିବା ।’’

 

କିନ୍ତୁ ଚତୁର୍ଥ ବନ୍ଧୁଜଣକ କହିଲା, “ପ୍ରଥମେ ତମ୍ବା, ପରେ ରୁପା, ତା’ପରେ ସୁନା । ଏଥର ହୁଏତ ମାଣିକ୍ୟ ପାଇବି । ତେଣୁ ମୁଁ ଆଗକୁ ଯିବି । ଦେଖିବି ମୋ ଭାଗ୍ୟରେ କ’ଣ ଅଛି । ତୃତୀୟ ବନ୍ଧୁଟି କହିଲା, “ତୁମେ ଯଦି ଆଗକୁ ଯିବାକୁ ଚାହୁଁଛ, ତେବେ ଯାଅ । ମୋର କିଛି ଆପତ୍ତି ନାହିଁ ।

 

କିନ୍ତୁ ଅତି ଲୋଭ ଖରାପ । ତୁମେ ଟିକିଏ ବେଶି ଲୋଭୀ ।’’ ଚତୁର୍ଥ ବନ୍ଧୁ ସୁନା ଅପେକ୍ଷ। ଅଧିକ କିଛି ପାଇବା ଲୋଭରେ ଆଗକୁ ଆଗକୁ ଚାଲିଲା । ବହୁଦୂର ଗଲାପରେ ସେ ଦେଖିବାକୁ ପାଇଲ, ଗୋଟାଏ ଲୋକ ସାମନାରେ ଠିଆ ହୋଇଛି । ତା’ର ମୁଣ୍ଡଉପରେ ଗୋଟିଏ ଚକ୍ର ଘିରି ଘିରି ବୁଲୁଛି ।

 

ଏପରି ଦୃଶ୍ୟ ଦେଖି ଚତୁର୍ଥ ବନ୍ଧୁଜଣକ ଅବାକ୍ ହୋଇଗଲା । ତା’ର କୌତୁହଳ ବଢ଼ିଲା-। ସେ ପଚାରିଲା, “ମହାଶୟ, ଆପଣି କିଏ ? ଏଭଳି କାହିଁକି ଠିଆ ହୋଇଛନ୍ତି ? ଆପଣଙ୍କ ମୁଣ୍ଡ ଉପରେ ଚକ୍ରଟା ଏପରି ଘିରିଘରି କାହିଁକି ଘୂରୁଛି ? । କଥା ଶେଷ ନ ହେଉଣୁ ଚକ୍ରଟା ସେହି ଲୋକର ମୁଣ୍ଡରୁ ଆସି ଲୋଭୀ ଚତୁର୍ଥ ବନ୍ଧୁଟର ମୁଣ୍ଡ ଉପରେ ଘିରିଘିରି ବୁଲିବାକୁ ଲାଗିଲା ।

 

ଚତୁର୍ଥ ବନ୍ଧୁଜଣକ ଚିତ୍କାର କରିଉଠିଲା, “ଏ କ’ଣ ? ଚକ୍ରଟା ମୋ ମୁଣ୍ଡକୁ କାହିଁକି ଆସିଲା ? ଓଃ, କି ଓଜନ ? କି ଯନ୍ତ୍ରଣା ? ଚତୁର୍ଥ ବନ୍ଧୁ ଜଣକର ଅବସ୍ଥା । ଏପରି ହେଲା ଯେ, ସେ ହଲଚଲ ହୋଇପାରିଲା ନାହିଁ ।

 

ତା’ପରେ ସେହି ଲୋକଟି କହିଲା, “ଭାଇ, ଅତି ଲୋଭ କରି ଏଠାକୁ ନ ଆସିଥିଲେ ଭଲ ହୋଇଥାନ୍ତା । ତୁମରି ପରି ଲୋଭର ବଶବର୍ତ୍ତୀ ହୋଇ ମୁଁ ହାତରେ ଦୀପ ଧରି ଏଠାକୁ ଆସୁଥୁଲି । ସେ କେତେ କାଳର କଥା । ତୁମେ ଆଜି ଆସି ମୋତେ ମୁକ୍ତି ଦେଲ । ଏବେ ଯେପର୍ଯ୍ୟନ୍ତ ଆଉ ଜଣେ ଲୋଭୀ ଏଠାକୁ ଆସି ତୁମକୁ ମୁକ୍ତ ନ କରିଛି, ତୁମକୁ ଏହିପରି ବର୍ଷ ବର୍ଷ ଧରି ଏଠାରେ ଠିଆହେବାକୁ ପଡ଼ିବ ।

 

ଚତୁର୍ଥ ବନ୍ଧୁ କହିଲା, ମୁଁ ଏଠାରେ କିପରି ଏକୁଟିଆ ରହିବି, କ’ଣ ଖାଇବି ?”

 

ଲୋକଟି କହିଲା, “ଲୋଭ-ବୃକ୍ଷର ଫଳ ବ୍ୟତୀତ ଆଉ ଅଧିକ ବା କ’ଣ ଖାଇବ ? ଭାଇ, ଏହା ଯକ୍ଷର ମାୟା କାନନ । ଏଠାରେ ଅଛି କେବଳ ଅନୁତାପ ।

 

ଏହା କହି ଲୋକଟି ଫେରିଗଲା ଏବଂ ଚତୁର୍ଥ ବନ୍ଧୁଜଣକ ସେଠାରେ ଏକ ରହି ଅନୁତାପ କରିବାକୁ ଲାଗିଲା ।

 

ଏଇ ସମୟରେ ସୁନା ପାଇଥିବା ତୃତୀୟ ବନ୍ଧୁଟି ତାକୁ ଖୋଜି ଖୋଜି ସେଠାରେ ପହଞ୍ଚିଲା । ସେ ଚତୁର୍ଥ ବନ୍ଧୁକୁ ଠିଆ ହୋଇଥିବାର ଦେଖି ପଚାରିଲା, ବନ୍ଧୁ, ତୁମେ କ’ଣ ପାଇଲ ?’

 

ଚତୁର୍ଥ ବନ୍ଧୁଜଣକ ସମସ୍ତ ବିଷୟ ଜଣାଇ କହିଲା, ମୁଁ କେବଳ ପାଇଛି ଅସହ୍ୟ ଯନ୍ତ୍ରଣା ଓ ଅନୁଶୋଚନା । ତୃତୀୟ ବନ୍ଧୁ କହିଲା, “ତୁମ ଭାଗ୍ୟରେ ଯେ ଏପରି କିଛି ଘଟିବ, ମୁଁ ଆଗରୁ ଜାଣିଥିଲି ।

 

ମଲାସିଂହକୁ ବଞ୍ଚାଇବା ପରି ଘଟଣାଟା ଘଟିଛି । ବନ୍ଧୁର ଉପଦେଶ ନ ଶୁଣିଲେ ଏପରି ହୁଏ । ବିପଦ ପଡ଼େ । ଲୋକଙ୍କ ପାଖରେ ହାସ୍ୟାସ୍ପଦ ହେବାକୁ ପଡ଼ିଥାଏ ।” । ଚକ୍ରଧାରୀ ବନ୍ଧୁଜଣକ ପଚାରିଲେ, “ସିଂହକୁ ବଞ୍ଚାଇବାକୁ ଯାଇ କ’ଣ ହୋଇଥିଲା ?

 

ତୃତୀୟ ବନ୍ଧୁଜଣକ ବିଦ୍ୟା ଓ ବୁଦ୍ଧି ଗଳ୍ପ ଶୁଣାଇଲେ ।

Image

 

ବିଦ୍ୟା ଓ ବୃଦ୍ଧି

Image

ଚାରିଜଣ ବ୍ରାହ୍ମଣପୁତ୍ର ଥିଲେ । ସେମାନେ ଥିଲେ ପରସ୍ପରର ଘନିଷ୍ଠ ବନ୍ଧୁ । ସେମାନଙ୍କ ମଧ୍ୟରୁ ତିନିଜଣ ଥିଲେ ପଣ୍ଡିତ ଓ ଶାସ୍ତ୍ରଜ୍ଞ । ପାଣ୍ଡିତ୍ୟ ପାଇଁ ସେମାନଙ୍କର ପ୍ରବଳ ଗର୍ବ ଓ ଅହଂଙ୍କାର ଥିଲା । ସେମାନଙ୍କର ଧାରଣା ଥିଲା ଯେ, ସେମାନଙ୍କ ପରି ବିଦ୍ୱାନ୍, ପଣ୍ଡିତ ଏବଂ ଶାସ୍ତ୍ରଜ୍ଞ ଆଉ କେହି ନାହାନ୍ତି ।
 

ଚତୁର୍ଥ ବନ୍ଧୁଟି ପାଇଁ ସେହି ତିନିଜଣ ଗର୍ବୀ, ଅହଙ୍କାରୀ, ଶାସ୍ତ୍ରଜ୍ଞାନୀ ବ୍ରାହ୍ମଣପୁତ୍ରମାନେ ଲଜ୍ଜା ଅନୁଭବ କରୁଥିଲେ । କାରଣ, ଚତୁର୍ଥ ବନ୍ଧୁଟି ସେମାନଙ୍କ ପରି ଶାସ୍ତ୍ରଜ୍ଞ ନ ଥିଲା କିମ୍ବା ସେମାନଙ୍କ ପରି ପୋଥିପତ୍ର ପଢ଼ି ନ ଥିଲା କି ଶାସ୍ତ୍ର ଗୁଡ଼ିକର ବ୍ୟାଖ୍ୟା ବି ଶୁଣି ନ ଥିଲା ।

 

ଶାସ୍ତ୍ରଜ୍ଞାନହୀନ ବନ୍ଧୁଟି ସେମାନଙ୍କୁ କହେ, “ମୁଁ ଶାସ୍ତ୍ରଜ୍ଞାନହୀନ ସତ, କିନ୍ତୁ ତୁମମାନଙ୍କପରି ବୋକା ନୁହେଁ । ମୋଟା ମୋଟା ବହି ପଢ଼ି, ଜଟିଳ ଶାସ୍ତ୍ରମାନଙ୍କର ବ୍ୟାଖ୍ୟା ଶୁଣି ଶୁଣି ତୁମମାନଙ୍କର ବୁଦ୍ଧି ସବୁ ଚାପି ହୋଇଯାଇଛି । ତୁମ୍ଭେମାନେ ପଣ୍ଡିତ ହେଲେ ବି ମୂର୍ଖ ।’’

 

ପଣ୍ଡିତ ବନ୍ଧୁମାନେ କହନ୍ତି, “ତୁମପରି ଶାସ୍ତ୍ରଜ୍ଞାନହୀନ ଲୋକ ପକ୍ଷରେ ଏପରି କହିବା ଶୋଭାପାଏ । ଆମ୍ଭମାନଙ୍କର ବୁଦ୍ଧି ଅଛି କି ନାହିଁ, ତାହା ସମୟ ପଡ଼ିଲେ ଜାଣିବ ।’’

 

ଥରେ ଚାରିବନ୍ଧୁ ବୁଲିବାକୁ ଗଲେ । ସେମାନଙ୍କ ଭିତରୁ ତିନି ପଣ୍ଡିତବନ୍ଧୁ ବାଟସାରା ସେମାନଙ୍କର ପାଣ୍ଡିତ୍ୟ ପାଇଁ ଗର୍ବ କରି ଚାଲିଥାନ୍ତି । କିଛିବାଟ ଗଲାପରେ ସେମାନେ ଗୋଟିଏ ବଣ ଭିତରେ ପଶିଲେ । ବଣର ଗୋଟିଏ ସ୍ଥାନରେ ହାଡ଼ଗୁଡ଼ିଏ ପଡ଼ିଥିବାର ଦେଖିଲେ । ତିନି ପଣ୍ଡିତ କହିଲେ, ଆମ ଜ୍ଞାନର ପରୀକ୍ଷା ଆଜି ଏଇଠି ହେବ । ଏଇ ଦେଖ, ଏଠାରେ ହାଡ଼ଗୁଡ଼ିଏ ପଡ଼ିଛି । ମନେହୁଏ ଏହା କୌଣସି ସିଂହର ହାଡ଼ । ଆମେ ମନ୍ତ୍ରବଳରେ ଏଥିରେ ପ୍ରାଣପ୍ରତିଷ୍ଠା କରିବା ।

 

ଶାସ୍ତ୍ରଜ୍ଞାନହୀନ ବନ୍ଧୁଟି କହିଲା, “ଏହା ଯଦି ସିଂହର ହାଡ଼, ତେବେ ଏହାକୁ ଜୀବଦାନ ଦେବା ଉଚିତ ନୁହେଁ । ଏଥିରେ ବିପଦ ବହୁତ ।” ପଣ୍ଡିତ ବନ୍ଧୁମାନେ କହିଲେ, “ମୂର୍ଖମାନେ ସବୁ କଥାକୁ ଭୟ କରିଥାନ୍ତି । ଜ୍ଞାନୀମାନେ ବିନା କାରଣରେ ଭୟ କରନ୍ତି ନାହିଁ । ଅତଏବ, ଆମେ ଏହାକୁ ଜୀବଦାନ ଦେବୁ ।’’

 

ଶାସ୍ତ୍ରଜ୍ଞାନହୀନ ବନ୍ଧୁଟି କହିଲା, “ମୂର୍ଖ ପଣ୍ଡିତଙ୍କୁ ଉପଦେଶ ଦେଇ କିଛି ଲାଭ ନାହିଁ । ତୁମ୍ଭମାନଙ୍କର ଯାହା ଇଚ୍ଛା, ତାହା କର । ଅନ୍ତତଃପକ୍ଷେ ମୁଁ ଗଛରେ ଚଢ଼ି ପ୍ରାଣରକ୍ଷା କରେ । ଏହା କହି ଶାସ୍ତ୍ରଜ୍ଞାନହୀନ ବନ୍ଧୁଟି ଗଛ ଉପରକୁ ଚଢ଼ିଗଲା ।

 

ତା’ପରେ ସେହି ତିନି ପଣ୍ଡିତବନ୍ଧୁ ସିଂହକୁ ଜୀବଦାନ ଦେଲେ । ପ୍ରାଣ ପାଇ ସିଂହଟି ଭିଡ଼ିମୋଡ଼ି ହୋଇ ଉଠିଲା, ସତେ ଯେପରି ସେ ଗଭୀର ନିଦରୁ ଉଠୁଛି । ସିଂହଟି ତା’ର ପ୍ରାଣଦାତାମାନଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା । ସିଂହର ଚାହାଣିରେ କୃତଜ୍ଞତାର ଲେଶମାତ୍ର ଚିହ୍ନ ନ ଥିଲା, ଥିଲା କେବଳ କ୍ଷୁଧିତ ଲୋଭାତୁର ଦୃଷ୍ଟି ।

 

ତିନି ମୂର୍ଖ-ପଣ୍ଡିତ ସିଂହକୁ କହିଲେ, ବତ୍ସ, ଆମ୍ଭେମାନେ ତୋତେ ଜୀବଦାନ ଦେଇଛୁ ।’’

 

ସିଂହ ଜଣ ଜଣ କରି ସେମାନଙ୍କ ଉପରକୁ କୁଦାମାରି ସେମାନଙ୍କୁ ମାରିଦେଲା । ଗଛ ଉପରେ ଥାଇ ମୂର୍ଖ ବନ୍ଧୁଟି ଭୟରେ ଶିହରିଉଠିଲା ।

 

‘ଗଳ୍ପ ଶେଷ କରି ତୃତୀୟ ବନ୍ଧୁଟି ଚତୁର୍ଥ ଚକ୍ରଧାରୀ ବନ୍ଧୁକୁ କହିଲା, “ତୁମେ ଶିକ୍ଷିତ, ଶାସ୍ତଜ୍ଞ, କିନ୍ତୁ ତୁମର ବ୍ୟବହାରିକ ଜ୍ଞାନ ନାହିଁ । ତୁମେ ଅଧିକ ଲୋଭ କରି ଏପରି ଫଳ ପାଇଲ । ଏହିପରି ଥରେ ବ୍ୟବହାରିକ ଜ୍ଞାନଶୂନ୍ୟ ଚାରିଜଣ ବ୍ରାହ୍ମଣପୁତ୍ର କିପରି ହାସ୍ୟାସ୍ପଦ ହୋଇଥିଲେ, କହୁଛି ଶୁଣ ।”

 

ତୃତୀୟ ବନ୍ଧୁଜଣକ ‘‘ମୂର୍ଖ-ପଣ୍ଡିତ’ ଗଳ୍ପ କହିବାକୁ ଆରମ୍ଭ କଲା ।

Image

 

ମୂର୍ଖ ପଣ୍ଡିତ

Image

ଚାରିଜଣ ବ୍ରାହ୍ମଣପୁତ୍ର ଶାସ୍ତ୍ର ଅଧ୍ୟୟନ ପାଇଁ କାନ୍ୟାକୁବ୍‌ଜ ଯାଇଥିଲେ । ସେଠାରେ ଗୁରୁକୁଳରେ ରହି ବିଦ୍ୟାଶିକ୍ଷା ଶେଷ କରି ନିଜ ଦେଶକୁ ଏକତ୍ର ଫେରୁଥିଲେ । ଗୁରୁଙ୍କଠାରୁ ବିଦାୟ ନେଲାବେଳେ ଗୁରୁ ଚାରି ବ୍ରାହ୍ମଣପୁତ୍ରଙ୍କୁ କହିଲେ, ବତ୍ସଗଣ, ଯେଉଁସବୁ ବିଦ୍ୟା ଏତେଦିନ ଧରି ମୋ’ପାଖରେ ଅଧ୍ୟୟନ କଲ, ତାକୁ ଜୀବନର ସମସ୍ତ କାର୍ଯ୍ୟରେ ବ୍ୟବହାର କରିବ ।”

 

ସେମାନେ ଗୁରୁଙ୍କର କଥା ମାନିଲେ ସତ, କିନ୍ତୁ ଶାସ୍ତ୍ର-ବାକ୍ୟଗୁଡ଼ିକର ଆକ୍ଷରିକ ଅର୍ଥ କରି ସେମାନେ ମାରାତ୍ମକ ଭୁଲ କରିଥିଲେ ।

 

ଗୁରୁକୁଳଠାରୁ କିଛିଦୂର ଆସିଲା ପରେ ସେମାନେ ହଠାତ୍ ଗୋଟିଏ ସ୍ଥାନରେ ଅଟକି ଗଲେ । କେତେ ଜଣ ଶବ ବାହକ ଜଣେ ବଣିକଙ୍କର ମୃତ ଦେହ ବୋହି ନେଉଥିବାର ଦୃଶ୍ୟ ସେମାନେ ଦେଖିଲେ । ସେହି ଦୃଶ୍ୟ ଦେଖି, ବ୍ରାହ୍ମଣପୁତ୍ରମାନେ ଶାସ୍ତ୍ର ବ୍ୟାଖ୍ୟା କରି କହିଲେ, “ମହାଜନମାନେ ଯେଉଁ ପଥରେ ଯାଉଛନ୍ତି, ତାହାହିଁ ଉପଯୁକ୍ତ ପଥ । ଅତଏବ ଆମେ ସେମାନଙ୍କ ପଛେ ପଛେ ଯିବା ।

 

ଶବବାହକମାନଙ୍କ ସାଙ୍ଗରେ ଯାଇ ସେମାନେ ଶ୍ମଶାନରେ ହାଜର ହେଲେ ! ଶ୍ମଶାନରେ ଜଣେ ଧୋବାର ଗୋଟିଏ ଗଧକୁ ଦେଖିଲେ । ଗଧକୁ ଦେଖି ଜଣେ ବନ୍ଧୁ ଶାସ୍ତ୍ର ବ୍ୟାଖ୍ୟା କରି କହିଲେ, “ସୁଦିନରେ, ଦୁର୍ଦ୍ଦିନରେ, ଦୁର୍ଭିକ୍ଷ, ରାଷ୍ଟ୍ରବିପ୍ଳବ ସମୟରେ, କଚେରିରେ ଏବଂ ଶ୍ମଶାନରେ ଯିଏ ସାଙ୍ଗରେ ଥାଏ, ସେ ବାନ୍ଧବ । ଅତଏବ ଶାସ୍ତ୍ର ଅନୁସାରେ ଗଧଟି ଆମର ବାନ୍ଧବ-।”

 

ତା’ପରେ ଚାରିବନ୍ଧୁ ଗଧଟିକୁ ଆଲିଙ୍ଗନ କରି ଧରିଲେ । ନଦୀରୁ ପାଣି ଆଣି ଗଧର ପାଦ ଧୋଇବାକୁ ଲାଗିଲେ ।

 

ଏହି ସମୟରେ କେଉଁଠୁ ଗୋଟିଏ ଓଟ ଧାଇଁ ଧାଇଁ ଆସି ସେଠାରେ ପହଞ୍ଚିଲା । ଓଟକୁ ଦେଖି ଜଣେ ବନ୍ଧୁ ପଚାରିଲେ, “ଇଏ କିଏ ?

 

ଜଣେ ବନ୍ଧୁ ଉତ୍ତର ଦେଲେ, ଇଏ ନିଶ୍ଚୟ ଧର୍ମ । ଶାସ୍ତ୍ରରେ ଅଛି ଧର୍ମର ଗତି ଦୃତ ।

 

ଅନ୍ୟ ବନ୍ଧୁମାନେ କଥାଟାକୁ ସମର୍ଥନ କରି କହିଲେ ଯେ, ଏହି ଓଟଟି ନିଶ୍ଚିତଭାବରେ ଧର୍ମ ବ୍ୟତୀତ ଅନ୍ୟ କେହି ନୁହେଁ । ଚାରି ବନ୍ଧୁ ଏକା ସାଙ୍ଗରେ ଶାସ୍ତ୍ର ଉଲ୍ଲେଖ କରି କହିଲେ, “ଇଷ୍ଟକୁ ଧର୍ମ ସାଙ୍ଗରେ ଯୋଗ କରିବାକୁ ହେବ ।

 

ସେମାନେ ଇଷ୍ଟ ଗଧ ଏବଂ ଧର୍ମ ଓଟକୁ ଏକାଠି ବାନ୍ଧିନେଇ ଚାଲିଲେ ।

 

ଗଧକୁ ଏ ସବୁ କିଛି ଭଲ ଲାଗୁ ନ ଥାଏ । ତେଣୁ ସେ ପ୍ରତିବାଦ ସ୍ୱରୂପ ଭୀଷଣ ଚିତ୍କାର କଲା । ଗଧର ରଡ଼ି ଶୁଣି ଧୋବା ଦୌଡ଼ିଆସି ଚାରିବନ୍ଧୁଙ୍କୁ ବାଡ଼େଇଲା । ସେମାନେ ପ୍ରାଣ ବିକଳରେ ନିକଟସ୍ଥ ନଦୀ ଆଡ଼କୁ ଦୌଡ଼ିଲେ ।

 

ନଦୀରେ ଗୋଟିଏ ଛୋଟ ଡଙ୍ଗା ଥିଲା । ଚାରି ବ୍ରାହ୍ମଣପୁତ୍ର ଡଙ୍ଗାରେ ବସି ନଦୀ ପାର ହେବାପାଇଁ ଡଙ୍ଗାଟିକୁ ଖୋଲିଦେଲେ । ଧୋବା ଭୟରେ ସେମାନେ ଜୋରରେ ଡଙ୍ଗା ବାହିଲେ । ଡଙ୍ଗା ମଝିନଈରେ ପହଞ୍ଚିଲା । ଏହି ସମୟରେ ପଳାଶ ଗଛର ପତ୍ରଟିଏ ଭାସିଆସୁଥିବାର ଜଣେ ବନ୍ଧୁ ଦେଖିଲା । ପତ୍ରଟାକୁ ଦେଖି ଜଣେ ବନ୍ଧୁ ସଙ୍ଗେ ସଙ୍ଗେ ଗୋଟିଏ ଶ୍ଳୋକ ଆବୃତ୍ତି କରି ବ୍ୟାଖ୍ୟା କଲେ, “ଯେଉଁ ପତ୍ର ଆସିବ, ତାହା ଆମର ପ୍ରାଣ ରକ୍ଷା କରିବ । ଏହା କହି ସେହି ବନ୍ଧୁଜଣକ ପତ୍ର ଉପରକୁ ଡେଇଁପଡ଼ି ଉବୁଟୁବୁ ହେବାକୁ ଲାଗିଲେ ।

 

ଅନ୍ୟ ବନ୍ଧୁ ଦେଖିଲେ–ବଡ଼ ବିପଦ । ବନ୍ଧୁଜଣକ ବୁଡ଼ିଯାଉଥିବାର ଦେଖି ଉପାୟ ସ୍ଥିର କରିବା ପାଇଁ ଶାସ୍ତ୍ର ବ୍ୟାଖ୍ୟା କଲେ। ଜଣେ ବନ୍ଧୁ କହିଲେ, ‘ଶାସ୍ତ୍ରରେ ଅଛି, ସର୍ବନାଶ ଉପସ୍ଥିତ ହେଲେ ପଣ୍ଡିତମାନେ ଅର୍ଦ୍ଧେକ ତ୍ୟାଗ କରନ୍ତି । ଏହା କହି ଡଙ୍ଗାରେ ଥିବା ଗୋଟିଏ କଟୁରି ସାହାଯ୍ୟରେ ବୁଡ଼ିଯାଉଥିବା ବନ୍ଧୁଟିର ମୁଣ୍ଡ ଛେଦନ କଲେ ।

 

ଆଉ ରହିଲେ ତିନିବନ୍ଧୁ । ସେମାନେ ନଦୀ ପାରହୋଇ ଗୋଟିଏ ଗାଁରେ ପହଞ୍ଚିଲେ । ଗାଁରେ ପହଞ୍ଚି ଜଣେ ଗୃହସ୍ତଙ୍କ ଘରେ ଆତିଥ୍ୟ ଗ୍ରହଣ କଲେ । ଗୃହସ୍ଥଜଣକ ତିନି ବ୍ରାହ୍ମଣପୁତ୍ରଙ୍କୁ ଅତ୍ୟନ୍ତ ଆଦର ଅଭ୍ୟର୍ଥନା କରି ସେମାନଙ୍କ ପାଇଁ ସ୍ଵାଦିଷ୍ଟ ଖାଦ୍ୟପଦାର୍ଥ ଖିରି ଓ ପିଠା ପ୍ରସ୍ତୁତ କଲେ ।

ଖାଇଲାବେଳେ ଜଣେ ବନ୍ଧୁ ତାଙ୍କୁ ଖାଇବାପତ୍ରରୁ ଗୋଟିଏ ଦୀର୍ଘ ସୂତା ପାଇଲେ । ସେ ସଙ୍ଗେସଙ୍ଗେ ଶାସ୍ତ୍ର ବ୍ୟାଖ୍ୟା କରି ସିଦ୍ଧାନ୍ତରେ ପହଞ୍ଚିଲେ, “ଯେ । ଦୀର୍ଘସୂତ୍ରୀ, ତା’ର ବିନାଶ ନିଶ୍ଚିତ-। ନିଜର ବିନାଶ କଥା ଚିନ୍ତା କରି ସେ ଖାଇବା ଛାଡ଼ି ଉଠିଗଲେ ।

ଅନ୍ୟ ଜଣେ ବନ୍ଧୁ ଦେଖିଲେ ଯେ, ତାଙ୍କ ପତ୍ରରେ ସଛିଦ୍ର ପିଠା ଅଛି । ସେ ସଙ୍ଗେ ସଙ୍ଗେ ଶାସ୍ତ୍ର ବ୍ୟାଖ୍ୟା କରି ଭାବିଲେ–“ଛିଦ୍ର ହିଁ ଅନର୍ଥର କାରଣ । ତେଣୁ ସେ ମଧ୍ୟ ଖାଇବା ଛାଡ଼ି ଉଠିଗଲେ ।

ଏହିପରି ତିନିବନ୍ଧୁ ଖାଇବା ଛାଡ଼ି ଉଠିଗଲେ ।

ପଣ୍ଡିତମାନଙ୍କର ଏହିପରି ଅଭୁତ କଥ। ଓ କାର୍ଯ୍ୟ ଦେଖି ଗାଁ ଲୋକମାନେ ହସିବାକୁ ଲାଗିଲେ ।

କ୍ରମେ ମୂର୍ଖ ପଣ୍ଡିତମାନଙ୍କର ଅନ୍ୟାନ୍ୟ ହାସ୍ୟାସ୍ପଦ କାର୍ଯ୍ୟମାନ ଜଣାପଡ଼ିଲା ଏବଂ ସେମାନେ ଗ୍ରାମବାସୀଙ୍କ ଦ୍ୱାରା ଉପହସିତ ହେଲେ ।

ଗଳ୍ପ ଶେଷକରି ତୃତୀୟ ବନ୍ଧୁଜଣକ ପୂର୍ବୋକ୍ତ ଚକ୍ରଧାରୀ ଚତୁର୍ଥ ବନ୍ଧୁଙ୍କୁ କହିଲେ, ‘‘ବନ୍ଧୁ, ତୁମର ଅବସ୍ଥା ତିନି ମୂର୍ଖ ପଣ୍ଡିତଙ୍କ ପରି ହୋଇଛି । ତୁମ ବୋକାମିର କଥା ଯିଏ ଶୁଣିବ ସିଏ ହସିବ ।’’

 

ଚକ୍ରଧାରୀ ଚତୁର୍ଥ ବନ୍ଧୁ କହିଲେ, “ବନ୍ଧୁ, ମୋତେ ତୁମେ ଉପହାସ କରିପାର । କିନ୍ତୁ ସବୁହିଁ ଦୈବର ଅଧୀନ । ବେଳବେଳେ ବୁଦ୍ଧିମାନ୍ ବି ବିପଦରେ ପଡ଼େ । ତୁମେ କ’ଣ ସହସ୍ରବୁଦ୍ଧି ନାମକ ମାଛର କଥା ଜାଣି ନାହଁ ?

 

ତୃତୀୟ ବନ୍ଧୁ କହିଲେ, ସହସ୍ରବୁଦ୍ଧିର କ’ଣ ହୋଇଥିଲା ? ଚକ୍ରଧାରୀ ଚତୁର୍ଥ ବନ୍ଧୁ ସହସ୍ରବୁଦ୍ଧିର ବିପଦ’ ଗଳ୍ପ କହିବାକୁ ଆରମ୍ଭ କଲେ ।

Image

 

ସହସ୍ରବୁଦ୍ଧିର ବିପଦ

Image

ବହୁକାଳର ପୁରୁଣା ପୋଖରୀଟିଏ ଥିଲା । ଲୋକମୁଖରେ ପୋଖରୀଟି ତାଳପୋଖରୀ ନାମରେ ପରିଚିତ ଥିଲା । ପୋଖରୀର ଅଗାଧ ଜଳରେ ମାଛମାନେ ବେଶ୍‌ ଆନନ୍ଦରେ ଥିଲେ ।

 

ସେହି ପୋଖରୀରେ ଶତବୁଦ୍ଧି ଓ ସହସ୍ରବୁଦ୍ଧି ନାମରେ ଦୁଇଟି ବଡ଼ ମାଛ ଥିଲେ । ପହଁରିବାର ବିଭିନ୍ନ କଳା-କୌଶଳ ସେମାନଙ୍କୁ ଜଣାଥିଲା । ଆତ୍ମରକ୍ଷାର ଅନେକ କଳା-କୌଶଳ ମଧ୍ୟ ସେମାନେ ଜାଣିଥିଲେ । ସେମାନଙ୍କର ବୁଦ୍ଧି, କୌଶଳ ନିକଟରେ ଅନ୍ୟ ମାଛମାନେ ହାର୍ ମାନୁଥିଲେ ।

 

ସେହି ଦୁଇଟି ବୁଦ୍ଧିମାନ୍ ମାଛଙ୍କର ବନ୍ଧୁ ଥିଲା ଗୋଟିଏ ବେଙ୍ଗ । ବେଙ୍ଗଟିର ନାଁ ଏକବୁଦ୍ଧି । ଏକବୁଦ୍ଧି ତା’ର ପରିବାର ସହିତ ସେହି ପୋଖରୀରେ ରହୁଥିଲା । ମାଛଦୁଇଟି ତା’ ସାଙ୍ଗରେ ଗପସପ କରନ୍ତି । ବେଙ୍ଗ ସେମାନଙ୍କୁ ପୋଖରୀର ସମସ୍ତ ଖବର ଅନ୍ତର ଜଣାଏ ।

 

ଦିନେ ଏକବୁଦ୍ଧି ନାମକ ବେଙ୍ଗଟି ବଡ଼ ବ୍ୟସ୍ତଭାବରେ ଆସି କହିଲା, ଭାଇ ଶତବୁଦ୍ଧି, ଭାଇ ସହସ୍ର ବୁଦ୍ଧି, ଗୋଟିଏ ଖବର ଶୁଣିଛି କି ? ଆସନ୍ତା କାଲି ଜାଲୁଆମାନେ ଆସି ଏହି ପୋଖରୀରୁ ସବୁ ପ୍ରାଣୀଙ୍କୁ ଧରିନେବେ । କାହାକୁ ଛାଡ଼ିବେ ନାହିଁ । ଏବେ କ’ଣ କରିବାକୁ ହେବ-?’

 

ଶତବୁଦ୍ଧି କହିଲା, “ଏଥିରେ ଭୟର କିଛି କାରଣ ନାହିଁ । ଜାଲୁଆମାନଙ୍କଠାରୁ ଆମେ ବୁଦ୍ଧି-କୌଶଳରେ କିଛି କମ୍ ନୋହୁଁ । ଏମିତି ଉପାୟ କରିବି ଯେ, ଜାଲୁଆମାନଙ୍କର ଜାଲଗୁଡ଼ିକ ଟିକି ଟିକି ହୋଇଯିବ ।’’

 

ସହସ୍ରବୁଦ୍ଧି କହିଲା, “ଭୟ କାହିଁକି କରୁଛ ବନ୍ଧୁ ? ଜାଲୁଆମାନେ ଆସନ୍ତୁ । ପରେ ଦେଖାଯିବ । ଉଚିତ ଅନୁଚିତ ସେତେବେଳେ ଦେଖାଯିବ । କେତେ ଜାଲୁଆ ଓ ଜାଲ ମୁଁ ଦେଖିଛି । ଫୁ...’’ ।

 

ଏକବୁଦ୍ଧି ନାମକ ବେଙ୍ଗଟି କହିଲା, ‘‘ବନ୍ଧୁ, ତୁମ୍ଭମାନଙ୍କର କେତେ ବୁଦ୍ଧି, କିନ୍ତୁ ମୋର ଭାଇ ଏକ ବୁଦ୍ଧି । ବିପଦ ସମୟରେ ତୁମେ ବୁଦ୍ଧିବଳରେ ଖସିଯିବ, କିନ୍ତୁ ମୋତେ ଆଗରୁ ସାବଧାନ ହେବାକୁ ପଡ଼ିବ ।’’ ଏହା କହି ବେଙ୍ଗଟି ସପରିବାର ପାଖ ଏକ ଗଡ଼ିଆକୁ ପଳାଇଲା ।

 

ପରଦିନ ଭୋର୍ ସମୟକୁ ଜାଲୁଆମାନେ ଆସି ତାଳପୋଖରୀରେ ଜାଲ ପକାଇଲେ । ଶତବୁଦ୍ଧି ଓ ସହସ୍ରବୁଦ୍ଧିଙ୍କର ସେ ପର୍ଯ୍ୟନ୍ତ ନିଜ ବୁଦ୍ଧି ଓ କୌଶଳ ଉପରେ ବହୁ ଭରସା ଥିଲା । ସେମାନେ ବିଭିନ୍ନ କୌଶଳ କରି ଜାଲରୁ ଖସିଯିବା ପାଇଁ ଭାବିଥିଲେ । କିନ୍ତୁ ସେମାନେ ଯେତେ ପ୍ରକାର କୌଶଳ କଲେ, ସେମାନେ ସେତିକି ସେତିକି ଜାଲରେ ଛନ୍ଦିହୋଇଗଲେ। ଶେଷରେ ଫଳ ଏପରି ହେଲା ଯେ, ଜାଲୁଆମାନେ ଶବୁଦ୍ଧି ଓ ସହସ୍ରବୁଦ୍ଧିକୁ ସହଜରେ ଧରିନେଲେ ।

 

ଏତେ ବଡ଼ ବଡ଼ ଦୁଇଟି ମାଛ ପାଇ ଜାଲୁଆମାନେ ଖୁସି ହେଲେ । ଶତବୁଦ୍ଧି ଟିକିଏ ବେଶି ଭାରୀ ଥିଲା । ତେଣୁ ଜଣେ ଜାଲୁଆ ତାକୁ ମୁଣ୍ଡରେ ରଖି ଚାଲିଲା । ଅନ୍ୟ ଜଣେ ଜାଲୁଆ ସହସ୍ର ବୁଦ୍ଧିକୁ ହାତରେ ଧରି ଚାଲିଥାଏ ।

 

ଜାଲୁଆମାନଙ୍କର ଫେରିବା ବାଟରେ ଏକବୁଦ୍ଧି ନାମକ ବେଙ୍ଗ ଆଶ୍ରୟ ନେଇଥିବା ଗଡ଼ିଆ ପଡ଼ିଲା । ସେହି ବାଟଦେଇ ଜାଲୁଆମାନେ ଫେରିଲାବେଳେ ଏକବୁଦ୍ଧି ତା’ର ଦୁଇ ପୁରାତନ ବନ୍ଧୁ ଶତବୁଦ୍ଧି ଓ ସହସ୍ରବୁଦ୍ଧିଙ୍କର ଅବସ୍ଥା ଦେଖି ନିଜ ସ୍ତ୍ରୀକୁ ଡାକି କହିଲା, “ଦେଖ, ଶତବୁଦ୍ଧି ମୁଣ୍ଡ ଉପରେ ଏବଂ ବିଚାର ସହସ୍ରବୁଦ୍ଧି । ଝୁଲନ୍ତା ଅବସ୍ଥାରେ ଯାଉଛନ୍ତି । ଯାହାହେଉ, ମୁଁ ବଞ୍ଚିଗଲି ।”

 

ଗଳ୍ପ ଶେଷ କରି ଚକ୍ରଧାରୀ ଚତୁର୍ଥ ବନ୍ଧୁ କହିଲା, “ସେଇଥିପାଇଁ କହୁଥିଲି ବନ୍ଧୁ, ସବୁ ହେଉଛି ଭାଗ୍ୟ । ଭାଗ୍ୟ ଖରାପ ପଡ଼ିଲେ ବୁଦ୍ଧିମାନ ବି ବିପଦରେ ପଡ଼େ ।” ।

 

ତୃତୀୟ ବନ୍ଧୁ କହିଲା, “ତୁମେ ଯାହା କହିଲ ମୁଁ ବୁଝିଲି, କିନ୍ତୁ ତୁମେ ମୋ’କଥା ଶୁଣିଥିଲେ ଏପରି ଅବସ୍ଥା ହୋଇ ନ ଥାଆନ୍ତା । ବନ୍ଧୁକଥା ନ ଶୁଣି ଗୋଟିଏ ଗଧର ଅବସ୍ଥା କ’ଣ ହୋଇଥିଲା, ଜାଣିଛ ?

 

ଚତୁର୍ଥ ଚକ୍ରଧାରୀ ବନ୍ଧୁ କହିଲା, “କ’ଣ ହୋଇଥିଲା, ଶୁଣିବା ।’’

 

ତୃତୀୟ ବନ୍ଧୁଜଣକ ‘ଗଧର ସଙ୍ଗୀତ ଗାନ ଗଳ୍ପଟି ଆରମ୍ଭ କଲା ।

Image

 

ଗଧର ସଙ୍ଗୀତ ଗାନ

Image

ଗୋଟିଏ ଗଧ ଓ ଗୋଟିଏ ବିଲୁଆ ଭାରି ସାଙ୍ଗ । ଦିନେ ଦ୍ୱିପ୍ରହର ବେଳେ ଦୁଇ ବନ୍ଧୁ କାକୁଡି ଚୋରି କରି ଖାଇବାକୁ ଜଣକ କ୍ଷେତକୁ ଗଲେ । କ୍ଷେତର ମାଲିକ ସେହି ସମୟରେ ଘରେ ଶୋଇଥିଲା । ଏହି ସୁଯୋଗରେ ଦୁଇବନ୍ଧୁ ମନବୋଧ କରି କାକୁଡ଼ି ଖାଇଲେ ।

 

କିଛି ସମୟ ପରେ ଗଧ ବିଲୁଆକୁ ଡାକି କହିଲା, “ବିଲୁଆ ଭାଇ, ବହୁତ କାକୁଡ଼ି ଖାଇଲି । ମନବୋଧ ହୋଇଗଲା । ଏହି କ୍ଷେତ୍ରର କାକୁଡ଼ିଗୁଡ଼ିକ ବଡ଼ ସୁସ୍ୱାଦୁ ।’’

 

ବିଲୁଆ ଚୁପ୍ ଚୁପ୍ କହିଲା, “ଆସ୍ତେ କଥା କହ, ବନ୍ଧୁ । ତୁମେ ଚାହିଁଲେ ଆମେ ସବୁଦିନ ଦ୍ୱିପ୍ରହରେ ଏଠାକୁ ଆସି କାକୁଡ଼ି ଖାଇପାରିବା ।

 

ଗଧ କହିଲା, “ନିଶ୍ଚୟ ନିଶ୍ଚୟ । ପେଟ ପୂରାଇ ମନବୋଧ କରି ଖାଇଦେଲେ ଗୀତ ଗାଇବାକୁ ମୋର ଭାରି ଇଚ୍ଛା ହୁଏ । ଭାଇ ଏବେ ଗୋଟିଏ ଗୀତ ଗାଇବି କି ? ବିଲୁଆ ବାଧା ଦେଇ କହିଲା, “ଏପରି କାର୍ଯ୍ୟ କର ନାହିଁ । ଏଥିରେ ବିପଦର ଆଶଙ୍କା ଅଛି । ଗୀତ ଗାଇବାର ଯଦି ଏତେ ଇଚ୍ଛା, ତେବେ ପରବାଡ଼ିରୁ କାକୁଡ଼ି ଚୋରି କରି ଖାଇବାକୁ ଆସୁଥିଲ କାହିଁକି ? ଚୋରମାନଙ୍କର ଯଦି କାଶରୋଗ ଥିବ, ତା’ର ଯଦି ଘୁମା ସ୍ଵଭାବ ଥିବ କି ବେଶି କଥା କହିବାର ଅଭ୍ୟାସ ଥିବ, ତେବେ ସେହି ଚୋର ବିପଦରେ ପଡ଼ିବା ନିଶ୍ଚିତ । ଆମେ ଆସିଛେ, କାକୁଡ଼ି ଚୋରିକରି ଖାଇବାକୁ । ଗାଇବା-ବଜାଇବା ଦୂରର କଥା, କଥାବାର୍ତ୍ତା ହେବା ମଧ୍ୟ ଉଚିତ ନୁହେଁ । ତା’ଛଡ଼ା ତୁମର ଗଳାଟା ତ ସେତେ ମଧୁର ନୁହେଁ ଯେ ତୁମେ ଗୀତ ଗାଇବ ।

 

ଗଧ ଅସନ୍ତୁଷ୍ଟ ହୋଇ କହିଲା, “କ’ଣ କହିଲ, ମୋର ସ୍ଵରଟା ମଧୁର ନୁହେଁ ? ଗନ୍ଧର୍ବ ରାଗିଣୀଠାରୁ ଆଉ ମଧୁର ରାଗିଣୀ କିଛି ।

 

ଗଧ ପୁଣି ଚିଡ଼ିଉଠି କହିଲା, “ଗାଉଣା-ବାଜଣା ବିଷୟରେ ତୁମେ କ’ଣ ବାଣ, କ’ଣ ବୁଝ ? ଶାସ୍ତ୍ରକାରମାନେ କହିଯାଇଛନ୍ତି, “ଗୀତ ଗାଇବାଠାରୁ ଆଉ ଉତ୍ତମ ଜିନିଷ କିଛି ନାହିଁ । ଗୀତର ସାତପ୍ରକାର ସ୍ଵର, ଏକୋଇଶ ମୂଚ୍ଛନା, ଅଣଚାଶ ତାଳ, ତିନିପ୍ରକାର ମାତ୍ରା, ତିନିପ୍ରକାର ଲୟ । ଏସବୁ କଥା ତୁମେ କ’ଣ ଜାଣିଛି ? ଆଉ କହୁଛି ଶୁଣ, ରସ ନିଅ ପ୍ରକାର, ରାଗ ଛତିଶ ପ୍ରକାର, ଭାବ ଚାଳିଶ ପ୍ରକାର ଆଉ ଅଙ୍ଗ ଏକଶ’ ପଚାଶଟି ।” ।

 

ବିଲୁଆ କହିଲା, “ଗୀତ ଗାଇବା ବିଷୟରେ ଏତେ କଥା ଶୁଣି ବହୁତ ଖୁସି ହେଲି । କିନ୍ତୁ ବନ୍ଧୁ, ସଙ୍ଗୀତଶାସ୍ତ୍ରରେ ଗୀତ ଗାଇବାର ସ୍ଥାନ, କାଳ ବିଷୟରେ କିଛି ଲେଖା ଅଛି କି ? କହିପାରିବ ଚୋରି କରିବାକୁ ଆସିଲାବେଳେ କେଉଁ ରାଗ ରାଗିଣୀ ଗାଇବା ଉଚିତ ?

 

ଗଧ କହିଲା, “ତୁମପରି ଅରସିକକୁ ଆଉ କ’ଣ ବୁଝାଇବି ? ମୁଁ ଗୀତ ଗାଉଛି, ତୁମେ ଶୁଣ ।

 

ବିଲୁଆ କହିଲା, “ଟିକିଏ ଅପେକ୍ଷା କର ବନ୍ଧୁ । ମୁଁ ବାଡ଼ିର ଫାଟକ ପାଖରେ ଠିଆ ହେବି । ସେଠାରେ ରହି ମୁଁ ତୁମ ଗୀତ ଶୁଣିବି ଏବଂ ଚାଷୀ ଆସିଲେ ତୁମକୁ କହିଦେବି । ଏହା କହି ‘ସ୍ଵଭାବେ ଚତୁର ବିଲୁଆ ନିରାପଦ ସ୍ଥାନରେ ଯାଇ ଠିଆ ହେଲା ପେଟଭରି କାକୁଡ଼ି ଖ’ଇଥିବା ଗଧଟି ବେଶ ଆରାମରେ ବସିପଡ଼ି ମନ ଆନନ୍ଦରେ ଗୀତ ଗାଇଲା । ଆରେ ବାବା ସେ କି ରଡ଼ି ? ସେହି ଗୀତର ଛଅ ରାଗ ଓ ଛତିଶ ରାଗିଣୀ ଚାଷୀର କାନରେ ପଡ଼ିବାମାତ୍ରେ ତା’ର ନିଦ ଭାଙ୍ଗିଗଲା । ଚାଷୀଟି ଗଧର ରାଗ-ରାଗିଣୀରେ ମୁଗ୍‌ଧ ହେବା ପରିବର୍ତ୍ତେ । ମୋଟା ଠେଙ୍ଗାଟିଏ ଧରି ଛପି ଛପି ବାଡ଼ି ଆଡ଼କୁ ଆସିଲା । ଚାଷୀକୁ ଆସୁଥିବାର ଦେଖି ବିଲୁଆ ଚୁପଚାପ୍ ଗୋଟିଏ ବୁଦାମୂଳେ ଛପିଗଲା। ଏବଂ ବିଚରା ଗଧଟି ତା’ର ସୁମଧୁର ରାଗ-ରାଗିଣୀ ପାଇଁ ଉପଯୁକ୍ତ ପୁରସ୍କାର ପାଇଲ-ଠେଙ୍ଗା ମାଡ଼ । ଠେଙ୍ଗାମାଡ଼ରେ ଗଧର ପିଠିହାଡ଼ ଭାଙ୍ଗିଗଲା

 

ଗଳ୍ପ ଶେଷ କରି ତୃତୀୟ ବନ୍ଧୁ କହିଲା, “ମୁଁ ତୁମକୁ ମନା କରୁଥିଲି ଏଠାକୁ ଆସିବା ପାଇଁ । ତୁମେ କିନ୍ତୁ ଲୋଭାସକ୍ତ ହୋଇ ମୋ’କଥାକୁ ଏ କାନରେ ପୂରାଇ ଆର କାନରେ ଛାଡ଼ିଦେଲ । ଯାହାର ନିଜର ବୁଦ୍ଧି ନ ଥାଏ, ଯିଏ ବୃଦ୍ଧିପାଇଁ ବନ୍ଧୁଠାରୁ ସାହାଯ୍ୟ ନିଏ ନାହିଁ, ସିଏ ବୋକା ତନ୍ତୀ ପରି ହୋଇଥାଏ ।

 

ଚକ୍ର ଧାରୀ ବନ୍ଧୁ ପଚାରିଲା, “ବୋକା ତନ୍ତୀ କିଏ, ତା’ର କ’ଣ ହୋଇଥିଲା ?

 

ତୃତୀୟ ବନ୍ଧୁ ସ୍ତ୍ରୀ ବୁଦ୍ଧି’ ଗଳ୍ପ କହିଲା ।

Image

 

ସ୍ତ୍ରୀ-ବୁଦ୍ଧି

Image

ନିପଟ ମଫସଲ ଅଞ୍ଚଳରେ ଛୋଟ ଗାଁଟିଏ । ସେହି ଗାଁର ଗୋଟିଏ ତନ୍ତୀ ଓ ତା’ର ସ୍ତ୍ରୀ ରହୁଥାନ୍ତି । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ତନ୍ତୀ ଲୁଗା ବୁଣି ବହୁ କଷ୍ଟରେ ପରିବାର ଚଳାଏ । ତା’ର ଭାଗ୍ୟ ଏପରି ମନ୍ଦ ଯେ, ଦିନେ ସେ ତନ୍ତ ଚଳାଉ ଚଳାଉ ତା’ର ତନ୍ତଟି ଭାଙ୍ଗିଗଲା ।

 

ତନ୍ତୀଟି ଅନେକ ଭାବିଚିନ୍ତି ତା’ର ସ୍ତ୍ରୀକୁ କହିଲା, ତୁ ଦୁଃଖ କର ନାହିଁ । ମୁଁ ଏବେ ବଣକୁ ଯାଇ ଭଲ କାଠଟିଏ କାଟି ଆଣି ଦୁଇଦିନ ଭିତରେ ତନ୍ତଟିଏ ତିଆରି କରିଦେବି ।” ଏହା କହି କୁରାଢ଼ିଟିଏ ଧରି ସେ ବଣକୁ ଚାଲିଗଲା ।

 

ବଣରେ ପୁରୁଣା ଶାଳଗଛଟିଏ ଥିଲା । ତନ୍ତୀଟି ସେହି ଗଛଟିକୁ କାଟିଲା । ଏହି ସମୟରେ କିଏ ଯେମିତି ତାକୁ ଡାକି କହିଲା, “ହେ ତନ୍ତୀ, ଏହି ଗଛକୁ କାଟ ନାହିଁ ।

 

ତନ୍ତୀଟି ଚାରିଆଡ଼କୁ ଅନାଇଲା । କାହାରିକୁ ନ ଦେଖି ଆବାକାବା ହୋଇଗଲା । ତନ୍ତୀ ପଚାରିଲା, “କିଏ କହୁଛ ? ମୁଁ ତୁମକୁ ଦେଖିପାରୁ ନାହିଁ । ମୋର ତନ୍ତ ତିଆରି ପାଇଁ ଏହି ଗଛଟା ଦରକାର ।” ଶୂନ୍ୟବାଣୀ ହେଲା, ମୁଁ ଯକ୍ଷ । ମୁଁ ବହୁଦିନ ହେଲା ଏହି ଗଛରେ ରହୁଛି ।

 

ତେଣୁ ତୁମେ ଏହି ଗଛଟା ନ କାଟି ଅନ୍ୟ ଗଛ କାଟ । ମୁଁ ତୁମକୁ ବର ଦେବି । ତୁମେ କୁହ, ତୁମର କି ବର ଦରକାର ।

 

ତନ୍ତୀଟି ଯକ୍ଷଙ୍କୁ ପ୍ରଣାମ କରି କହିଲା, “ଯଦି ଆପଣ ଏତେ ଦୟା କରୁଛନ୍ତି, ତେବେ ଟିକିଏ ଅପେକ୍ଷା କରନ୍ତୁ । ମୁଁ ମୋର ସ୍ତ୍ରୀକୁ ପଚାରି ଆସେ ।”

 

ଯକ୍ଷ କହିଲେ, “ଠିକ୍ ଅଛି ।” ତନ୍ତୀଟି ଆନନ୍ଦମନରେ ଘରମୁହାଁ ଚାଲିଲା । ବାଟରେ ଗାଁ’ବାରିକ ତନ୍ତୀକୁ ଦେଖି ପଚାରିଲା, “ଭାଇ, ଏତେ ଆନନ୍ଦରେ କୁଆଡ଼େ ଚାଲିଛି ? ତନ୍ତୀଟି ସମସ୍ତ କଥା ବାରିକକୁ କହି ପଚାରିଲା, “ବାରିକଭାଇ, କି ବର ମାଗିବି, କହିଲ ଦେଖି ?”

 

ବାରିକ କହିଲା, “ଏଇଥିପାଇଁ ଏତେ ଚିନ୍ତା କ’ଣ ? ତୁମେ ରାଜା ହେବାପାଇଁ ବର ମାଗ । ତୁମେ ରାଜା ହେଲେ ମୋତେ ମନ୍ତ୍ରୀ କରିବ । ଦେଖିବ, କେଡ଼େ ସୁଖରେ ଆମର ରାଜତ୍ୱ ଚାଲିବ ।” ତନ୍ତୀ କହିଲା–“ଭାଇ, ଠିକ୍ କହିଛି । କଥାଟା ମୋର ଖିଆଲ ନ ଥିଲା। ଖାଲି ସ୍ତ୍ରୀକୁ ଟିକିଏ ପଚାରିଆସେ, ସେ କ’ଣ କହୁଛି ।” ଏକା ନିଃଶ୍ୱାସରେ ଦୌଡ଼ି ଦୌଡ଼ି ତନ୍ତୀ ଘରେ ପହଞ୍ଚି ଦୀର୍ଘଶ୍ୱାସ ଛାଡ଼ିଲା । ତନ୍ତିଆଣୀ ପଚାରିଲା, “କିଓ କ’ଣ ହେଲା ? ଏମିତି କାହିଁକି ହେଉଛ ?

 

ତନ୍ତୀ କହିଲା, “ଆଲୋ ହେ, ମୁଁ ରାଜା ହୋଇଗଲି, ତୁ ଏଣିକି ରାଣୀ । ଆମେ ହେବ ରାଜା-ରାଣୀ’’

 

ତନ୍ତୀ ସବୁକଥା ଖୋଲି କହିଲା–ଯକ୍ଷର ବରଦାନ କଥା, ବାରିକର ପରାମର୍ଶ କଥା ତନ୍ତିଆଣୀ ସବୁ ଶୁଣି ଆନନ୍ଦରେ ନାଚିଗଲା ।

 

ତନ୍ତୀ ପଚାରିଲା, “ତା’ହେଲେ ରାଜା ହେବା ବର ମାଗିନେବି ?

 

ତନ୍ତୀଆଣୀ କହିଲା, “ବାରିକଭାଇ ତୁମକୁ ଠିକ୍ ବୁଦ୍ଧି ବତାଇ ନାହିଁ । କିଏ ଜାଣେ, ତା’ ପେଟରେ କ’ଣ ଅଛି ? ତା’ଛଡ଼ା ରାଜା ହେବାରେ କେତେ ଝାମେଲା ।

 

ସେଥିରେ ବିପଦ ଅଛି, ଚିନ୍ତା ବି ଅଛି । ଆମେ ସେହିସବୁ ଝାମେଲାରେ ପଶିବା କାହିଁକି-? ତନ୍ତୀ ପଚାରିଲା, “ରାଜା ହେବାରେ ଝାମେଲା କ’ଣ ?”

 

ତନ୍ତୀଆଣୀ କହିଲା, ତୁମେ ଏତିକି ବୁଝୁନାହଁ ? ଏଥିରେ ପୁଣି ରାଜତ୍ଵ କରିବ ? ରାମଚନ୍ଦ୍ରଙ୍କର ବନବାସ, ପାଣ୍ଡବଙ୍କର ନିର୍ବାସନ, ନଳରାଜାଙ୍କର ରାଜ୍ୟ ନାଶ, ରାବଣର ଦୁର୍ଗତି–ଏସବୁ କଥା କ’ଣ ଭୁଲିଗଲ ? ରାଜା ହେବାର ଝାମେଲା କ’ଣ କମ୍ ବୋଲି ଭାବୁଛି ?

 

ତନ୍ତୀ କହିଲା, “ମୁଁ ଦେଖୁଛି, ତୁ ବଡ଼ ବୁଦ୍ଧିମତୀ । ଏବେ ତୁ କହି, ମୁଁ କି ବର ମାଗିବି ?

 

ତନ୍ତୀଠାରୁ ପ୍ରଶଂସା ଶୁଣି ତନ୍ତିଆଣୀ ବୁଦ୍ଧି ଖୋଲିଗଲା । ତନ୍ତ୍ରିଆଣୀ କହିଲା, ହେଇଟି ଦେଖ, ଆମେ ହେଲେ ତନ୍ତୀ । ତନ୍ତ ଚଳାଇ ଆମେ ଚଳିବା । ଦୁଇଟା ହାତରେ ତୁମେ କେତେଟା ବା ଲୁଗା ବୁଣିପାରିବ ? ବରଂ ତୁମେ ଯକ୍ଷ ପାଖକୁ ଯାଇ ଆଉ ଦୁଇଟି ହାତ ଓ ଗୋଟିଏ ମୁଣ୍ଡ ମାଗ । ଚାରିଟା ହାତ ହେଲେ ତୁମେ ଅଧିକ ଲୁଗା ବୁଣିପାରିବ । ଆମର ଅଭାବ ବୋଲି କିଛି ରହିବ ନାହିଁ ।”

 

ତନ୍ତୀ ମନକୁ କଥାଟା ପାଇଗଲା ଯକ୍ଷର ବର ପାଇ ତନ୍ତୀର ଚାରିଟା ହାତ ଓ ଦୁଇଟା ମୁଣ୍ଡ ହୋଇଗଲା । ତନ୍ତୀ ଖୁସିରେ ଘରମୁହାଁ ଫେରିଲ ।

 

ବାଟରେ ଗାଁ ପିଲାମାନେ ଖେଳୁଥିଲେ । ସେମାନେ ଚାରିହାତ ଓ ଦୁଇମୁଣ୍ଡବାଲା ତନ୍ତୀକୁ ଦେଖି ରାକ୍ଷସ, ରାକ୍ଷସ’ ବୋଲି ଚିତ୍କାର କରି ଯିଏ ଯାହା ଘରକୁ ଦୌଡ଼ିଲେ ।

 

ପିଲାମାନଙ୍କର ଚିତ୍କାର ଶୁଣି ଗାଁ ଲୋକମାନେ ଠେଙ୍ଗାବାଡ଼ି ଆଣି ରାକ୍ଷସରୂପୀ ତନ୍ତୀକୁ ମାରିଦେଲେ ।

 

ଗଳ୍ପ ଶେଷ କରି ତୃତୀୟ ବନ୍ଧୁଜଣକ ଚକ୍ରଧାରୀ ଚତୁର୍ଥ ବନ୍ଧୁଙ୍କୁ କହିଲେ, “ବାରିକର କଥା ନ ଶୁଣି ତନ୍ତୀର ଯାହା ଅବସ୍ଥା ହେଲା, ତୁମ ଅବସ୍ଥା ଅନେକଟା ସେହିପରି ହେଲା । ତୁମେ କହୁଥିଲ, ସବୁ ଭଗବାନଙ୍କର ଇଚ୍ଛା ଅନୁସାରେ ହୁଏ । କିନ୍ତୁ କେତେକ ଅମଙ୍ଗଳ ନିଜର ନିର୍ବୁଧିଆପଣରୁ ମଧ୍ୟ ହୁଏ । ତୁମକୁ ଭାରଣ୍ଡପକ୍ଷୀର କଥା କହୁଛି । ‘ଚକ୍ରଧାରୀ ବନ୍ଧୁ କହିଲେ, “ଗଳ୍ପଟି କୁହ ଶୁଣିବା

 

ତୁମେ ଯେତେ ସମୟ ମୋ’ପାଖରେ ରହିବ, ମୋର ଆନନ୍ଦ । ତୃତୀୟ ବନ୍ଧୁ ଭାରଣ୍ଡ ପକ୍ଷୀ’ ଗଳ୍ପ କହିବାକୁ ଲାଗିଲା ।

Image

 

ଭାରଣ୍ଡ ପକ୍ଷୀ

Image

ଭାରଣ୍ଡ ନାମରେ ଗୋଟିଏ ସୁନ୍ଦର ପକ୍ଷୀ ଥିଲା । ସେପରି ସୁନ୍ଦର ପକ୍ଷୀ ସଚରାଚର ଦେଖିବା ବିରଳ । ଅନ୍ୟାନ୍ୟ ପକ୍ଷୀମାନଙ୍କର ଆକୃତିରୁ ସେ ଥିଲା ଭିନ୍ନ । ସେହି ସୁନ୍ଦର ଭାରଣ୍ଡ ପକ୍ଷୀଟିର ଦୁଇଟି ମୁଣ୍ଡ, ଦୁଇଟି ପାଟି (ମୁଖ) ଥିଲା ।

 

ଭାରଣ୍ଡ ପକ୍ଷୀଟି ଦିନରାତି ସମୁଦ୍ର କୂଳରେ ଘୁରି ବୁଲୁଥାଏ । ସମୁଦ୍ରରେ ବିଭିନ୍ନ ସ୍ଥାନରୁ ଭାସି ଆସୁଥିବା ଫଳମୂଳ ଖାଇ ସେ ବଞ୍ଚେ । ଦିନେ ଦୁଇଟି ସୁନ୍ଦର ଫଳ ଭାସି ଆସୁଥିବା ଦେଖି ଭାରଣ୍ଡ ପକ୍ଷୀ ଗୋଟିଏ ପାଟିରେ ଉଠାଇନେଇ ଖାଇଲା ।

 

ପ୍ରଥମ ପାଟି କହିଲା, “ଆହା, କି ସୁନ୍ଦର ସ୍ଵାଦ । ଏପରି ଚମତ୍କାର ଫଳ ପୂର୍ବରୁ କେବେ ଖାଇ ନ ଥିଲା । ଫଳଟି ଯେତେ ରସାଳ, ସେପରି ସ୍ଵାଦିଷ୍ଟ । ସତେ ଯେମିତି ଅମୃତ ।

 

ଭାଣ୍ଡର ଦ୍ୱିତୀୟ ପାଟି କହିଲା, “ତା’ହେଲେ ଆର ଫଳଟି ମୋତେ ଦେ । ମୁଁ ଅମୃତଫଳ ଖାଇ ଦେଖେ ।” ପ୍ରଥମ ପାଟି କହିଲା, “ସେ ଫଳଟା ସ୍ତ୍ରୀ ପାଇଁ ରଖିଛି । ସେ ଖାଇଲେ ଖୁସି ହେବ-।”

 

ଦ୍ଵିତୀୟ ପାଟି କହିଲା, “କ’ଣ କହିଲୁ, ସ୍ତ୍ରୀକୁ ଖୁସି କରିବା ତୋ’ପାଇଁ ବଡ଼ ହେଲା, ଅଥଚ ମୁଁ କେବେ ବି ଅମୃତଫଳ ଖାଇ ନାହିଁ । ମୋତେ ସେ ଫଳଟା ଦେ ।” ପ୍ରଥମ ପାଟି କହିଲା, “ରାଗୁଛୁ କାହିଁକି ? ତୁ ଖାଇବା ଯାହା, ମୁଁ ଖାଇବା ସେଇଆ ତେଣୁ ଫଳଟା ସ୍ତ୍ରୀ ପାଇଁ ଥାଉ-।”

 

ଦ୍ୱିତୀୟ ପାଟି ପ୍ରଥମ ପାଟି ଉପରେ ମନେ ମନେ ବହୁତ ଅସନ୍ତୁଷ୍ଟ ହେଲା । ଯେମିତି ହେଉ ପ୍ରଥମ ପାଟିକୁ ଜବତ କରିବା ପାଇଁ ପ୍ରତିଜ୍ଞା କଲା ।

 

କେତେଦିନ ଚାଲିଗଲା । ଦିନେ ସମୁଦ୍ରରେ ଭାସି ଆସିଥିବା ବିଷ ଫଳଟିଏ । ଦ୍ୱିତୀୟ ପାଟିଟି ପାଇଲା । ସେ ପ୍ରଥମ ପାଟିକୁ କହିଲା, ‘ମୋତେ ଅମୃତ ଫଳ ନ ଦେବାର ଶାସ୍ତି ଏବେ ଦେବି । ମୁଁ ଏହି ବିଷଫଳକୁ ଖାଇବି । ପ୍ରଥମ ପାଟି କହିଲା, “ତୋତେ ମୋ’ରାଣ, ତୁ ଏପରି କାର୍ଯ୍ୟ କର ନାହିଁ । ଏଥିରେ ଆମ ଉଭୟର ବିପଦ ।

 

କିଏ ବା କାହା କଥା ଶୁଣୁଛି ! ରାଗରେ କାଣ୍ଡଜ୍ଞାନଶୂନ୍ୟ ହୋଇ ଦ୍ୱିତୀୟ ପାଟି ବିଷଫଳଟି ଖାଇଦେଲା । ଫଳରେ ଦୁଇ ପାଟି ବିଶିଷ୍ଟ ଭାରଣ୍ଡ ପକ୍ଷୀର ମୃତ୍ୟୁ ହେଲା । ଦୁଇ ପାଟି ମଧ୍ୟରେ କଳିକଜିଆ ଚିରଦିନ ପାଇଁ ଶେଷ ହେଲା । ଗଛଟି ଶେଷ କରି ତୃତୀୟ ବନ୍ଧୁ ଚକ୍ରଧାରୀ ଚତୁର୍ଥ ବନ୍ଧୁକୁ କହିଲା, “ଆଉ ଏଠାରେ ଠିଆ ହୋଇ ଲାଭ ନାହିଁ । ନିର୍ବୁଦ୍ଧିଆ ଭାରଣ୍ଡ ପକ୍ଷୀ ପରି ତୁମପାଇଁ ଦୁଃଖ କରି କିଛି ଲାଭ ନାହିଁ ।”

 

ଚତୁର୍ଥ ବନ୍ଧୁ କହିଲା, “ଯିବ ଯଦି ଯାଆ । ମୋ’ପାଇଁ କେତେଦିନ କିଏ ଏଠାରେ ଠିଆ ହେବ ? କିନ୍ତୁ ଏକୁଟିଆ ଯାଅ ନାହିଁ କଥା ଅଛି–ଏକା ଏକା ମିଠା ଖିଆଯାଏ ନାହିଁ । ଅନ୍ୟମାନେ ଶୋଇପଡ଼ିଲେ ଏକୁଟିଆ ଚାହିଁରହିବା ଉଚିତ ନୁହେଁ । ଏକୁଟିଆ ବାଟ ଚାଲିବା ଉଚିତ ନୁହେଁ । କୌଣସି ଗୁରୁତର ବିଷୟରେ ଏକୁଟିଆ ଚିନ୍ତା କରିବା ଉଚିତ ନୁହେଁ । ସେଇଥିପାଇଁ କହୁଛି, କାହାରିକୁ ହେଲେ ସାଙ୍ଗରେ ନେଇକରି ଯାଆ । କଙ୍କଡ଼ାକୁ ସାଙ୍ଗରେ ନେଇଥିବାରୁ ଜଣଙ୍କର ଜୀବନ ରକ୍ଷା ହୋଇଥିଲା । ତୃତୀୟ ବନ୍ଧୁ ପଚାରିଲା, “କଙ୍କଡ଼ାକୁ ସାଙ୍ଗରେ ନେବାରୁ କିପରି ସେହି ଲୋକଟିର ଜୀବନ ରକ୍ଷା ହୋଇଥିଲା। ଚକ୍ରଧାରୀ ଚତୁର୍ଥ ବନ୍ଧୁ କଙ୍କଡ଼ା ଜୀବନ ରଖିଲା’ ଗଛଟି ତୃତୀୟ ବନ୍ଧୁକୁ ଶୁଣାଇଲା ।

Image

 

କଙ୍କଡ଼ା ଜୀବନ ରଖିଲା

Image

ମାଆଟିଏ, ପୁଅଟିଏ । ପୁଅ ବିଦେଶ ବାହାରିଲା । ମାଆ କହିଲେ, “ପୁଅରେ, ମୁଁ ଆଶୀର୍ବାଦ କରୁଛି, ତୋର କଲ୍ୟାଣ ହେଉ । କିନ୍ତୁ ତୁ ଏକୁଟିଆ ବିଦେଶକୁ ଯାଅ ନାହିଁ । ତୁ ଯେଉଁ କଙ୍କଡ଼ାକୁ ଘରକୁ ଆଣିଛୁ, ତାକୁ ସାଙ୍ଗରେ ନେଇଯା ।”

 

ପୁଅ ପଚାରିଲା, "ମାଆ, କଙ୍କଡ଼ାକୁ ସାଙ୍ଗରେ ନେବା କ’ଣ ଦରକାର ? ତା’ଛଡ଼ା କଙ୍କଡ଼ାକୁ ରଖିବି କେଉଁଠି, ନେବି ବା କିପରି ?”

 

ମାଆ କହିଲେ, “ପୁଅ, ତୋର ଗଣ୍ଠିଲି ଭିତରେ ଗୋଟିଏ ପାଖରେ କଙ୍କଡ଼ାକୁ ରଖି ସାଙ୍ଗରେ ନେଇଯା ।” ମାଆ କଥା ମାନି ସୂର୍ଯ୍ୟୋଦୟ ପରେ କଙ୍କଡ଼ାକୁ ସାଙ୍ଗରେ ଧରି ପୁଅ ବିଦେଶ ବାହାରିଲା । ଚାଲି ଚାଲି ଦ୍ୱିପ୍ରହର ବେଳକୁ ସେ ହାଲିଆ ହୋଇ ଗୋଟିଏ ଗଛ ମୂଳରେ ବିଶ୍ରାମ କଲା । କିଛି ସମୟ ପରେ ତା’ର ଆଖି ବୁଜି ହୋଇଗଲା । ସେ ଗଭୀର ନିଦରେ ଶୋଇଗଲା । ପିଲାଟି ଶୋଇଗଲା ପରେ କେଉଁଠୁ ଗୋଟିଏ ସାପ ବାହାରି ଆସିଲା ଫଣା ଟେକି ସାପଟି ପିଲା ନିକଟକୁ ଆଗେଇ ଆସିଲା । କିନ୍ତୁ ସାପଟି ଗଣ୍ଠିଲି ଭିତରେ କର୍ପୂର ଗନ୍ଧଦ୍ଵାରା ଆକୃଷ୍ଟ ହୋଇ ଗଣ୍ଠିଲି ଭିତରେ ପଶିଲା । ଗଣ୍ଠିଲି ଭିତରେ ଥିଲା କଙ୍କଡ଼ା । କଙ୍କଡ଼ାଟି ସାପକୁ ଦେଖି ତା’ର ବୁଢ଼ାଗୋଡ଼ ଦୁଇଟିରେ ସାପର ବେକକୁ କୋରେ ଚିପିଧରିଲା । ସାପଟା ଅଣନିଶ୍ୱାସୀ ହୋଇ ମରିଗଲା ।

 

ପିଲାଟି କିଛି ଜାଣି ପାରିଲା ନାହିଁ । ସେ ସେହି ପରି ଗଭୀର ନିଦରେ ଶେ।ଇଥାଏ । ସନ୍ଧ୍ୟା ପାଖାପାଖି ତା’ର ନିଦ ଭାଙ୍ଗିଲା । ସନ୍ଧ୍ୟା ହେବା ଦେଖି ସେ କହିପକାଇଲା, “ ଆରେ ବାପରେ, ଆଉ ଯେ ବେଳ ନାହିଁ । ଏହା କହି ସେ ପୁଣି ଆଗକୁ ଯିବାପାଇଁ ତର ତର ହୋଇ ଗଣ୍ଠିଲିଟି ଧରିବାକୁ ଯାଇ ସେ ମଲାସାପ ଓ କଙ୍କଡ଼ାକୁ ଦେଖିଲା । ସେ ସମସ୍ତ କଥା ବୁଝିପାରି ମନେ ମନେ କଙ୍କଡ଼ାକୁ ଧନ୍ୟବାଦ ଦେଇ; ମାଆର ଉପଦେଶ ପାଇଁ ତା’ର ଜୀବନ ରହିଥିବାରୁ ମାଆ ଭଦ୍ଦେଶ୍ୟରେ ପ୍ରଣାମ କଲା । ଗଳ୍ପଟି ଶୁଣିସାରି ସୁବର୍ଣ୍ଣପ୍ରାପ୍ତ ତୃତୀୟ ବନ୍ଧୁଟି ଚକ୍ରଧାରୀ ଚତୁର୍ଥ ବନ୍ଧୁଠାରୁ ବିଦାୟ ନେଇ ନିଜ ଘରକୁ ଫେରିବାପାଇଁ ପାଦ ବଢ଼ାଇଲା ।

Image